Unknown

 

 

 

 

 

 

 

 

 

ଅଭିନବ ଭାରତ ଇତିହାସ

ଶ୍ରୀ କେଦାରନାଥ ମହାପାତ୍ର

 

ସୂଚୀପତ୍ର

 

ପ୍ରଥମ ଭାଗ

ପ୍ରଥମ ଅଧ୍ୟାୟ

 

ଭାରତବର୍ଷର ଭୂଗୋଳ

 

ଭାରତ ଇତିହାସ

ଦ୍ୱିତୀୟ ଅଧ୍ୟାୟ

 

ଭାରତର ଆଦିମ ଅଧିବାସୀ

 

ଦ୍ରାବିଡ଼ ଜାତି

 

ସିନ୍ଧୁଉପତ୍ୟକା ସଭ୍ୟତା

ତୃତୀୟ ଅଧ୍ୟାୟ

 

ଆର୍ଯ୍ୟ ଜାତି

 

ପଞ୍ଜାବରେ ଆର୍ଯ୍ୟ ନିବାସ

 

ଉତ୍ତର ଭାରତରେ ଆର୍ଯ୍ୟ ନିବାସ

 

ଦାକ୍ଷିଣାତ୍ୟରେ ଆର୍ଯ୍ୟ ଉପନିବେଶ

 

ଆର୍ଯ୍ୟମାନଙ୍କର ଧର୍ମ

 

ଆର୍ଯ୍ୟମାନଙ୍କର ସମାଜ ଓ ସଭ୍ୟତା

 

ଶାସନ ପ୍ରଣାଳୀ, ଜାତି ବିଭାଗ

 

 

ଚତୁର୍ଥ ଅଧ୍ୟାୟ

 

ରାମାୟଣ ଓ ମହାଭାରତ

ପଞ୍ଚମ ଅଧ୍ୟାୟ

 

ମହାବୀର

 

ଜୈନଧର୍ମ

 

ଗୌତମବୁଦ୍ଧ

 

ବୌଦ୍ଧଧର୍ମ

ଷଷ୍ଠ ଅଧ୍ୟାୟ

 

ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀଠାରୁ ଖ୍ରୀଷ୍ଟପୂର୍ବ ୩ୟ ଶତାବ୍ଦୀ ପର୍ଯ୍ୟନ୍ତ ଭାରତର ଅବସ୍ଥା

 

ଶିଶୁନାଗ ବଂଶ ଓ ମଗଧର ଅଭ୍ୟୁତ୍ଥାନ

 

ମହାବୀର ଆଲେକଜାଣ୍ଡରଙ୍କ ଭାରତ ଆକ୍ରମଣ

ସପ୍ତମ ଅଧ୍ୟାୟ

 

ମୌର୍ଯ୍ୟ ବଂଶର ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ

 

ମୋଗାସ୍ଥିନିସଙ୍କ ଭାରତ ବିବରଣ

 

ପ୍ରିୟଦର୍ଶୀ ଅଶୋକ

 

ଅଶୋକ ଓ ବୌଦ୍ଧଧର୍ମ

ଅଷ୍ଟମ ଅଧ୍ୟାୟ

 

ଅଶୋକଙ୍କ ପରେ ଭାରତର ଅବସ୍ଥା– ସୃଙ୍ଗ ବଂଶ

 

କାଣ୍ୱ ବଂଶ, ଚେତ ବଂଶ ଓ ଖାରବେଳ, ଆନ୍ଧ୍ର ବଂଶ

 

ଗ୍ରୀକ୍‌, ଶକ, କୁଶାଣ ବଂଶ

 

କନିଷ୍କ

ନବମ ଅଧ୍ୟାୟ

 

ଗୁପ୍ତ ବଂଶ, ପ୍ରଥମ ଚନ୍ଦ୍ରଗୁପ୍ତ, ସମୁଦ୍ର ଗୁପ୍ତ

 

ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବା ବିକ୍ରମାଦିତ୍ୟ

 

ଫାହିଆନ

 

କୁମାର ଗୁପ୍ତ, ସ୍କନ୍ଦ ଗୁପ୍ତ, ବିକ୍ରମାଦିତ୍ୟ

 

ଗୁପ୍ତ ଯୁଗରେ ଭାରତର ଅବସ୍ଥା

 

ଗୁପ୍ତ ସାମ୍ରାଜ୍ୟ ପରେ ଦେଶର ଅବସ୍ଥା– ପଶୋଧର୍ମ ଦେବ

ଦଶମ ଅଧ୍ୟାୟ

 

ହର୍ଷ ବର୍ଦ୍ଧନ

 

ହୁଏନ୍‌ସାଂଙ୍କ ଭ୍ରମଣ ବୃତ୍ତାନ୍ତ

ଏକାଦଶ ଅଧ୍ୟାୟ

 

ହର୍ଷବର୍ଦ୍ଧନଙ୍କ ପରେ ଭାରତର ଅବସ୍ଥା– ରାଜପୁତ ଜାତି

 

ଗୁର୍ଜର ପ୍ରତିହର

 

ଓଡ଼ିଶା

 

ଦକ୍ଷିଣ ଭାରତ–ବିଭିନ୍ନ ରାଜବଂଶ

 

ବ୍ରାହ୍ମଣ୍ୟ ଧର୍ମର ପୁନରୁତ୍‌ଥାନ

 

ଭାରତର ଉପନିବେଶ ଓ ବାଣିଜ୍ୟ

ଦ୍ୱାଦଶ ଅଧ୍ୟାୟ

 

ଇସଲାମ୍‌ଧର୍ମର ପ୍ରଚାର

 

ମହମ୍ମଦ

 

ମୁସଲମାନମାନଙ୍କ ଭାରତ ଆକ୍ରମଣ ଓ ସିନ୍ଧୁ ପ୍ରଦେଶ ଅଧିକାର

 

ମାମୁଦଙ୍କ ଭାରତ ଆକ୍ରମଣ ଓ ଲୁଣ୍ଠନ

 

ମହମ୍ମଦ ଘୋରୀଙ୍କ ଭାରତ ଆକ୍ରମଣ ଓ ଉତ୍ତର ଭାରତରେ ମୁସଲମାନ ରାଜ୍ୟ ପ୍ରତିଷ୍ଠା

ଦ୍ୱିତୀୟ ଭାଗ

ତ୍ରୟୋଦଶ ଅଧ୍ୟାୟ

 

ଦାସ ବଂଶ

 

ଖିଲିଜି ବଂଶ

 

ତୋଗଲକ ବଂଶ

 

ସୈୟଦ ଓ ଲୋଦୀ ବଂଶ

ଚତୁର୍ଦ୍ଦଶ ଅଧ୍ୟାୟ

 

ପଠାଣ ସାମ୍ରାଜ୍ୟର ପତନ ସମୟକୁ ଭାରତର ଅବସ୍ଥା

 

ବିଜୟନଗର ରାଜ୍ୟ

 

ବାହମନୀ ରାଜ୍ୟ

 

ଓଡ଼ିଶା

 

ପଠାଣ ରାଜତ୍ୱ ସମୟରେ ଭାରତର ଧର୍ମ ଓ ସମାଜ

ପଞ୍ଚଦଶ ଅଧ୍ୟାୟ

 

ମୋଗଲ ରାଜତ୍ୱ

 

ବାବର

 

ପ୍ରଥମ ପାନିପଥ ଯୁଦ୍ଧ ଓ ଶିକ୍ରୀ ଯୁଦ୍ଧ

 

ହୁମାୟୁନ ଓ ଶେରସାହ

 

ଶେରସାହଙ୍କ ଶାସନ

 

ଆକବର–ଦ୍ୱିତୀୟ ପାନିପଥ ଯୁଦ୍ଧ

 

ବୈରାମଖାଁଙ୍କ ପତନ

 

ରାଜ୍ୟ ବିସ୍ତାର

 

ଆକବରଙ୍କ ଶାସନ ନୀତି

 

ଆକବରଙ୍କ ଶାସନ ପ୍ରଣାଳୀ

 

ଜାହାଙ୍ଗୀର–ନୁରଜାହାନ

 

ଜାହାଙ୍ଗୀରଙ୍କ ଯୁଦ୍ଧ ଓ ରାଜ୍ୟଜୟ

 

ଇଂରେଜ ବଣିକମାନଙ୍କୁ ସାହାଯ୍ୟ ପ୍ରଦାନ

 

ସାହଜାହାନ

 

ସାହଜାହାନଙ୍କ କୀର୍ତ୍ତିକଳାପ

 

ସାହଜାନାନଙ୍କ ପୁତ୍ରମାନଙ୍କ ମଧ୍ୟରେ ଯୁଦ୍ଧ

 

ଆଓରଙ୍ଗଜେବ

 

ଆଓରଙ୍ଗଜେବଙ୍କ ଶାସନ ନୀତି

 

ଯୁଦ୍ଧ ଓ ରାଜ୍ୟ ଜୟ

ଷୋଡ଼ଶ ଅଧ୍ୟାୟ

 

ମରହଟ୍ଟା ରାଜତ୍ୱ–ଛତ୍ରପତି ଶିବାଜୀ

 

ଶିବାଜୀଙ୍କ ରାଜ୍ୟ ଶାସନ

 

ଆଓରଙ୍ଗଜେବଙ୍କ ପରେ ମୋଗଲ ସାମ୍ରାଜ୍ୟ

 

ମୋଗଲ ସାମ୍ରାଜ୍ୟ ପତନର କାରଣ ଓ ନାଦିରସାହ

 

ମରହଟ୍ଟାମାନଙ୍କର ଉତ୍‌ଥାନ

 

ଅହମ୍ମଦସାହ ଦୁରାନୀ

 

ଶିଖଶକ୍ତି

 

ତୃତୀୟ ଭାଗ

ସପ୍ତଦଶ ଅଧ୍ୟାୟ

 

ଭାରତକୁ ଜଳପଥ ଆବିଷ୍କାର ଓ ଇଉରୋପୀୟ ଜାତିମାନଙ୍କର ଭାରତକୁ ଆଗମନ

 

ଦାକ୍ଷିଣାତ୍ୟରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ଯୁଦ୍ଧ

 

ବଙ୍ଗଳାରେ ଇଂରେଜ ଶକ୍ତିର ପ୍ରତିଷ୍ଠା

 

ଲର୍ଡକ୍ୱାଇବ

 

ପ୍ରଥମ ମହୀଶୂର ଯୁଦ୍ଧ

 

ଉଆରେନ୍‌ହେଷ୍ଟିଂସ୍‌

 

ହେଷ୍ଟିଂସଙ୍କ ଶାସନ ସଂସ୍କାର

 

ପ୍ରଥମ ମରହଟ୍ଟା ସମର

 

ଦ୍ୱିତୀୟ ମହୀଶୂର ଯୁଦ୍ଧ

 

ଲର୍ଡ କର୍ଣ୍ଣଉଆଲିସ– ଚିରସ୍ଥାୟୀ ବନ୍ଦୋବସ୍ତ

 

ତୃତୀୟ ମହୀଶୂର ଯୁଦ୍ଧ

 

ସର ଜନ୍‌ଶୋର

ଅଷ୍ଟାଦଶ ଅଧ୍ୟାୟ

 

ଲର୍ଡ ଓୟଲେସଲି

 

ଚତୁର୍ଥ ମହୀଶୂର ଯୁଦ୍ଧ

 

ଦ୍ୱିତୀୟ ମରହଟ୍ଟାସମର

 

ଲର୍ଡ କର୍ଣ୍ଣଉଆଲିସ

 

ସର ଜର୍ଜ ବାର୍ଲୋ

 

ଲର୍ଡ ମିଣ୍ଟୋ–ରଣଜିତ ସିଂହ

 

ଲର୍ଡ ହେଷ୍ଟିଂସ୍‌

 

ନେପାଳ ସମର

 

ତୃତୀୟ ମରହଟ୍ଟା ସମର

 

ଲର୍ଡ ଆମହର୍ଷ୍ଟ–ପ୍ରଥମ ବ୍ରହ୍ମ ସମର

ଊନବିଂଶ ଅଧ୍ୟାୟ

 

ଲର୍ଡ ଉଇଲିଅମ ବେଣ୍ଟିକ୍‌

 

ସର ଚାର୍ଲସ ମେଟକାଫ୍‌

 

ଲର୍ଡ ଅକ୍‌ଲାଣ୍ଡ

 

ପ୍ରଥମ ଆଫଗାନ ସମର

 

ଲର୍ଡ ଏଲେନବରୋ–ସିନ୍ଧୁ ସମର

 

ଲର୍ଡ ହାଡିଞ୍ଜ–ପ୍ରଥମ ଶିଖ ସମର

 

ଲର୍ଡ ଡେଲ ହାଉସୀ

 

ଦ୍ୱିତୀୟ ଶିଖ ସମର

 

ଦ୍ୱିତୀୟ ବ୍ରହ୍ମ ସମର–ରାଜ୍ୟ ବିସ୍ତାର

 

ଲୋକହିତକର କାର୍ଯ୍ୟାବଳୀ

 

ଲର୍ଡ କ୍ୟାନିଂ

 

ସିପାହୀ ବିଦ୍ରୋହର କାରଣ

 

ବିଦ୍ରୋହ ଫଳ

 

ମହାରାଣୀଙ୍କ ଘୋଷଣା

ବିଂଶ ଅଧ୍ୟାୟ

 

ଭାରତବର୍ଷର ଭାଇସରୟ ବା ରାଜପ୍ରତିନିଧିଗଣ

 

ଲର୍ଡ କ୍ୟାନିଂ

 

ପ୍ରଥମ ଲର୍ଡ ଏଲଗିନ୍‌, ସର ଜନ୍‌ଲରେନ୍ସ

 

ଲର୍ଡ ମେୟୋ, ଲଡ ନର୍ଥ ବ୍ରୁକ୍‌

 

ଲର୍ଡ ଲିଟନ, ଦ୍ୱିତୀୟ ଆଫଗାନ ସମର

 

ଲର୍ଡ ରିପନ

 

ସ୍ୱାୟତ୍ତ ଶାସନ

 

ଲର୍ଡ ଡଫରିନ୍‌, ଲର୍ଡ ଲାନ୍ସ ଡାଉନ୍‌

 

ଦ୍ୱିତୀୟ ଲର୍ଡ ଏଲ୍‌ଗିନ୍‌

ଏକବିଂଶ ଅଧ୍ୟାୟ

 

ଲର୍ଡ କର୍ଜନ–ବଙ୍ଗବିଚ୍ଛେଦ

 

ଦ୍ୱିତୀୟ ଲର୍ଡ ମିଣ୍ଟୋ

 

ଦ୍ୱିତୀୟ ଲର୍ଡ ହାର୍ଡିଞ୍ଜ–ଇଉରୋପୀୟ ମହାସମର

 

ଲର୍ଡ ଚେମସ୍‌ଫୋର୍ଡ

 

ଲର୍ଡ ରିଡିଙ୍ଗ

 

ଲର୍ଡ ଇରଉଇନ୍‌

 

ଲର୍ଡ ଉଇଲିଙ୍ଗ୍ଡନ୍‌

 

ସ୍ୱତନ୍ତ୍ର ଉତ୍କଳ

 

ଲର୍ଡ ଲିନ୍‌ଲିଥ୍‌ଗୋ

 

ଓଡ଼ିଶା ଶାସନ

 

ପରିଶିଷ୍ଟ

 

ଇଂରେଜ ଶାସନରେ ଭାରତର ଅବସ୍ଥା

 

ଭାରତର ଶାସନ ପ୍ରଣାଳୀ

 

ସ୍ୱାୟତ୍ତ ଶାସନ

Image

 

ପ୍ରଥମ ଅଧ୍ୟାୟ

 

ଅବତରଣିକା – କୌଣସି ଦେଶର ଇତିହାସ ଜାଣିବା ପୂର୍ବରୁ ସେ ଦେଶର ଭୂଗୋଳ ଜାଣିବା ଆବଶ୍ୟକ । ପ୍ରତ୍ୟେକ ଦେଶର ଇତିହାସ ସେ ଦେଶର ଭୌଗୋଳିକ ଅବସ୍ଥାମାନଙ୍କ ଉପରେ ବିଶେଷ ଭାବରେ ନିର୍ଭର କରେ । ପର୍ବତ, ସମୁଦ୍ର, ନଦ, ନଦୀ, ଅରଣ୍ୟ, ଆଗ୍ନେୟଗିରି, ଜଳବାୟୁ ଓ ଅବସ୍ଥାନ ଦ୍ୱାରା ସେ ଦେଶର ଅତୀତ ଘଟଣା ସକଳ ପ୍ରଭାବିତ ହୋଇଥାଏ । ଭୌଗୋଳିକ ପରିସ୍ଥିତିର ପାର୍ଥକ୍ୟଯୋଗୁ ବିଭିନ୍ନ ଦେଶର ଲୋକମାନେ ଭିନ୍ନ ଭିନ୍ନ ଭାବରେ ଜୀବନ ଯାତ୍ରା ନିର୍ବାହ କରନ୍ତି । ପାର୍ବତ୍ୟ ପ୍ରଦେଶ ଓ ମରୁଭୂମିରେ ବାସ କରୁଥିବା ଲୋକମାନେ ଯେପରି ବଳବାନ୍‌, ସାହସୀ ଓ କଷ୍ଟସହିଷ୍ଣୁ, ଉର୍ବର ସମତଳ ପ୍ରଦେଶରେ ବାସ କରୁଥିବା ଲୋକମାନେ ସେପରି ବଳବାନ୍‌, ସାହସୀ ଓ କଷ୍ଟସହିଷ୍ଣୁ ହୋଇ ପାରନ୍ତି ନାହିଁ । ସେମାନେ ଅଳ୍ପ ପରିଶ୍ରମରେ ପ୍ରଚୁର ଶସ୍ୟ ଆମଦାନୀ କରନ୍ତି । ତେଣୁ ସେମାନେ ସାଧାରଣତଃ ଅଳସୁଆ ଓ ବିଳାସୀ ହୋଇଯାନ୍ତି । ସମୁଦ୍ର ଓ ନଦୀ କୂଳରେ ବାସ କରୁଥିବା ଲୋକମାନେ ଯେପରି ସାହସରେ ସମୁଦ୍ର, ନଦୀରେ ପହଁରି ପାରନ୍ତି, ମାଛ ଧରନ୍ତି ଏବଂ ନୌକା ଓ ଜାହାଜ ଚଳାଇ ପାରନ୍ତି, ସମୁଦ୍ର ଓ ନଦୀଠାରୁ ଦୂରରେ ଥିବା ଲୋକମାନେ ସେପରି କରି ପାରନ୍ତି ନାହିଁ । ବରଂ ସମୁଦ୍ର ଓ ନଦୀ ଦେଖିଲେ ଡରିଯାନ୍ତି । ତୁଷାରାଚ୍ଛନ୍ନ ମେରୁ ପ୍ରଦେଶ ଲୋକମାନଙ୍କର ଜୀବନ ଯାପନ ପ୍ରଣାଳୀ ଆମ୍ଭମାନଙ୍କ ଜୀବନ ଯାପନ ପ୍ରଣାଳୀଠାରୁ ସମ୍ପୂର୍ଣ୍ଣ ପୃଥକ୍‌। ସେହିପରି ଆମ୍ଭ ଜନ୍ମଭୂମି ଭାରତର ଇତିହାସ ଓ ପ୍ରାକୃତିକ ଅବସ୍ଥାମାନଙ୍କ ମଧ୍ୟରେ ଘନିଷ୍ଠ ସମ୍ବନ୍ଧ ରହିଅଛି ।

 

Image

 

ଭାରତବର୍ଷର ଭୂଗୋଳ – ବିଶାଳ ପୃଥିବୀ ମଧ୍ୟରେ ଏସିୟା ବୃହତ୍ତମ ମହାଦେଶ, ଭାରତବର୍ଷ ଏହି ମହାଦେଶର ମଧ୍ୟଭାଗରେ ଅବସ୍ଥିତ । ଉଚ୍ଚ ପର୍ବତ ସକଳ ଓ ସମୁଦ୍ର ଏହାକୁ ଏହି ମହାଦେଶର ଅନ୍ୟାନ୍ୟ ଦେଶମାନଙ୍କଠାରୁ ବିଚ୍ଛିନ୍ନ ରଖିଅଛି । ଏହାର ଉତ୍ତରରେ ପୃଥିବୀର ଉଚ୍ଚତମ ହିମାଳୟ ପର୍ବତଶ୍ରେଣୀ ପ୍ରାକୃତିକ ପ୍ରାଚୀର ସ୍ୱରୂପ ଦଣ୍ଡାୟମାନ । ଏହା କାଶ୍ମୀରଠାରୁ ବ୍ରହ୍ମଦେଶ ପର୍ଯ୍ୟନ୍ତ ବିସ୍ତୃତ । ଏହି ପର୍ବତଶ୍ରେଣୀ ଏତେ ଉଚ୍ଚ ଯେ ଏହାର ଉପରିଭାଗ ସର୍ବଦା ତୁଷାରାଚ୍ଛନ୍ନ । ଆଧୁନିକ ଯୁଗରେ ରେଳ, ମୋଟର, ବ୍ୟୋମଯାନ ପ୍ରଭୃତି ଆବିଷ୍କୃତ ହୋଇ ମଧ୍ୟ ଏହାକୁ ଅତିକ୍ରମ କରିବା ସହଜସାଧ୍ୟ ହୋଇ ନାହିଁ । ଏହି ପର୍ବତ ଯୋଗୁଁ ଚୀନ୍‌ଓ ତିବ୍ଦତ ଅଞ୍ଚଳର ଲୋକମାନେ ଭାରତକୁ ଆସିପାରି ନାହାନ୍ତି । ଭାରତର ପୂର୍ବରେ ପାଟକୋଇ, ନାଗା, ଗାରୋ, ଖାସିଆ ପ୍ରଭୃତି ଉଚ୍ଚ ପର୍ବତମାନ ଥିବାରୁ ପୂର୍ବାଞ୍ଚଳରୁ ଶତ୍ରୁମାନେ ଏ ଦେଶରେ ସହଜରେ ପ୍ରବେଶ କରି ପାରୁ ନ ଥିଲେ । ସେହିପରି ଉତ୍ତର ପଶ୍ଚିମ କୋଣରେ ହିନ୍ଦୁକୁଶ, କାରାକୋରମ, ସୁଲେମାନ, ଖିରଥର ପ୍ରଭୃତି ପର୍ବତମାନ ଭାରତର ପ୍ରାକୃତିକ ସୀମା ସ୍ୱରୂପ ବିଦ୍ୟମାନ । ଏହାର ଦକ୍ଷିଣରେ ବଙ୍ଗୋପସାଗର ଓ ଆରବସାଗର ଭାରତକୁ ଅନ୍ୟାନ୍ୟ ଦେଶଠାରୁ ବିଚ୍ଛିନ୍ନ ରଖିଛନ୍ତି ।

 

ଭାରତର ଚତୁର୍ଦ୍ଦିଗରେ ଏହିପରି ପ୍ରାକୃତିକ ବେଷ୍ଟନୀ ଥିଲେ ମଧ୍ୟ ଉତ୍ତର ପଶ୍ଚିମ ଅଞ୍ଚଳରେ ଖାଇବାର, ବୋଲାନ, ଗୋମାଲ ପ୍ରଭୃତି କେତୋଟି ଗିରିସଙ୍କଟ ବା ପାହାଡ଼ିଆ ବାଟ ଅଛି । ବହୁ ପ୍ରାଚୀନ କାଳରୁ ଦ୍ରାବିଡ଼, ଆର୍ଯ୍ୟ, ପାରସିକ, ଗ୍ରୀକ୍‌, ଶକ, ପଲ୍ଲବ, କୁଶାନ, ହୁନ, ପଠାଣ, ମୋଗଲ ପ୍ରଭୃତି ଜାତିମାନେ ଗୋଟିକ ପରେ ଗୋଟିଏ ସେହି ପାର୍ବତ୍ୟ ପଥମାନଙ୍କରେ ଭାରତବର୍ଷକୁ ଆସିଥିଲେ । ଏହି ଗିରିସଙ୍କଟ ଗୁଡ଼ିକ ଭାରତର ପ୍ରାକୃତିକ ଦ୍ୱାର ସ୍ୱରୂପ । ସେଗୁଡ଼ିକ ନ ଥିଲେ ଭାରତର ଇତିହାସ ଭିନ୍ନ ଆକାର ଧାରଣ କରିଥାନ୍ତା । ଆମ୍ଭେମାନେ ଆଜି ଏତେ ପ୍ରକାର ଜାତି, ଧର୍ମ, ସଭ୍ୟତା, ଭାଷା, ଶିଳ୍ପ ଭାରତରେ ଦେଖିବାକୁ ପାଉ ନ ଥାନ୍ତେ । ଭାରତର ଉତ୍ତର ପୂର୍ବ ଅଞ୍ଚଳରେ କେତୋଟି ଗିରିପଥ ଅଛି କିନ୍ତୁ ସେଗୁଡ଼ିକ ଉତ୍ତର ପଶ୍ଚିମ ଗିରିସଂକଟମାନଙ୍କ ପରି ଇତିହାସପ୍ରସିଦ୍ଧ ନୁହେ ।

 

ଭାରତର ମଧ୍ୟଭାଗରେ ବିନ୍ଧ୍ୟ ପର୍ବତଶ୍ରେଣୀ ଉତ୍ତରଭାରତ ଓ ଦକ୍ଷିଣଭାରତ ମଧ୍ୟରେ ଗୋଟିଏ ବଡ଼ ପ୍ରାଚୀର ପରି ରହିଅଛି । ହିମାଳୟ ଓ ବିନ୍ଧ୍ୟପର୍ବତ ମଧ୍ୟରେ ଥିବା ଅଞ୍ଚଳର ନାମ ଆର୍ଯ୍ୟାବର୍ତ୍ତ ବା ଉତ୍ତରଭାରତ । ଉତ୍ତର ଭାରତରେ ସିନ୍ଧୁ, ଗଙ୍ଗା, ବ୍ରହ୍ମପୁତ୍ର ପ୍ରଭୃତି ବଡ଼ ବଡ଼ ନଦୀ ଓ ସେମାନଙ୍କର ଶାଖା ପ୍ରଶାଖାମାନ ପ୍ରବାହିତ ହେଉଛନ୍ତି । ସେମାନେ ହିମାଳୟ ଅଞ୍ଚଳରୁ ପଟୁ ଆଣି ଉତ୍ତର ଭାରତକୁ ଉର୍ବର କରିଛନ୍ତି । ହିମାଳୟରେ ଖରାଦିନେ ବରଫ ତରଳିବାରୁ ଏହି ନଦୀମାନଙ୍କରେ ବନ୍ୟା ହୁଏ ଓ ବର୍ଷତମାମ ଏହି ନଦୀମାନ ଜଳପୂର୍ଣ୍ଣ ଥାଏ । ତେଣୁ କୃଷି ଓ ବ୍ୟବସାୟ ପାଇଁ ଏମାନେ ବିଶେଷ ଉପଯୋଗୀ । ଏମାନଙ୍କ କୂଳରେ ବହୁ ପ୍ରାଚୀନ ନଗର ବିଦ୍ୟମାନ । ଏହି ନଦୀମାନଙ୍କ ଯୋଗୁଁ ଉତ୍ତର ଭାରତରେ ସଭ୍ୟତା ଶୀଘ୍ର ବିସ୍ତାର ଲାଭ କରିଥିଲା-

 

ଦାକ୍ଷିଣାତ୍ୟ ଗୋଟିଏ ମାଳଭୂମି । ଏହା ପର୍ବତ ଓ ଜଙ୍ଗଲରେ ପରିପୂର୍ଣ୍ଣ ଓ ଉତ୍ତର ଭାରତପରି ଉର୍ବର ନୁହେଁ । ମହାନଦୀ, ଗୋଦାବରୀ ପ୍ରଭୃତି ଦାକ୍ଷିଣାତ୍ୟର ନଦୀମାନ ସମତଳ ପ୍ରଦେଶରେ ପ୍ରବାହିତ ହେଉ ନ ଥିବାରୁ ଓ ଗ୍ରୀଷ୍ମଦିନେ ଶୁଷ୍କ ହୋଇଯିବାରୁ ଉତ୍ତର ଭାରତର ନଦୀମାନଙ୍କ ପରି ବିଶେଷ ଉପକାରୀ ନୁହନ୍ତି । ପ୍ରାକୃତିକ ଅବସ୍ଥାର ଏହି ପାର୍ଥକ୍ୟ ଯୋଗୁଁ ଉତ୍ତରଭାରତ ପରି ଦାକ୍ଷିଣାତ୍ୟରେ ଶିକ୍ଷା ଓ ସଭ୍ୟତା ଶୀଘ୍ର ବିସ୍ତାର ଲାଭ କରି ନ ଥିଲା ।

 

ଆମ୍ଭ ଜନ୍ମଭୂମି ଓଡ଼ିଶା ପ୍ରଦେଶ ଦାକ୍ଷିଣାତ୍ୟ ମାଳଭୂମିର ଗୋଟିଏ ଅଂଶ । କିନ୍ତୁ ଏହା ଉତ୍ତରଭାରତ ଏବଂ ଦାକ୍ଷିଣାତ୍ୟର ମଧ୍ୟରେ ଥିବାରୁ ଏହାର ଭାଷା ସଭ୍ୟତା ଇତ୍ୟାଦି ଉତ୍ତରଭାରତ ଓ ଦାକ୍ଷିଣାତ୍ୟର ଭାଷା ସଭ୍ୟତା ଇତ୍ୟାଦିର ସଂମିଶ୍ରଣରେ ଗଠିତ ।

 

ବ୍ରହ୍ମଦେଶ ଆଜିପର୍ଯ୍ୟନ୍ତ ଭାରତର ଗୋଟିଏ ପ୍ରଦେଶ ଥିଲା । କିନ୍ତୁ ମାନଚିତ୍ର ଦେଖିଲେ ଜାଣିପାରିବ ଯେ ଏହା ବଙ୍ଗୋପସାଗର ଓ ଉଚ୍ଚ ପର୍ବତମାନଙ୍କ ଦ୍ୱାରା ଭାରତଠାରୁ ବିଚ୍ଛିନ୍ନ । ସେହିପରି ସିଂହଳଦ୍ୱୀପ ସମୁଦ୍ର ଦ୍ୱାରା ଭାରତଠାରୁ ବିଚ୍ଛିନ୍ନ ରହିଅଛି ।

 

କିନ୍ତୁ ହିନ୍ଦୁ ଯୁଗରେ ଭାରତର ଧର୍ମ ଓ ସଭ୍ୟତା ଏହି ବ୍ରହ୍ମଦେଶ ଓ ସିଂହଳରେ ବ୍ୟାପି ଯାଇଥିଲା । ବର୍ତ୍ତମାନ ବ୍ରହ୍ମ ଦେଶ ଭାରତଠାରୁ ପୃଥକ୍‌ହୋଇଅଛି । ଭାରତର ଆୟତନ ୧୬ ଲକ୍ଷ ବର୍ଗମାଇଲ ଓ ଲୋକସଂଖ୍ୟା ପ୍ରାୟ ୩୫ କୋଟି ।

 

ଭାରତ ସମଗ୍ର ପୃଥିବୀ ମଧ୍ୟରେ ଗୋଟିଏ ଉର୍ବର ଓ ସମୃଦ୍ଧିଶାଳୀ ଦେଶ । ଏହାର ସମତଳ ପ୍ରଦେଶରେ ନାନାବିଧ ଶସ୍ୟ ପ୍ରଚୁର ପରିମାଣରେ ଉତ୍ପନ୍ନ ହିଏ । ଭାରତରେ ମଣି, ମୁକ୍ତା, ହୀରା, ସୁନା, ରୂପା, ଲୁହା, ତମ୍ବା, କୋଇଲା ପ୍ରଭୃତି ନାନାପ୍ରକାର ଖନିଜ ପଦାର୍ଥ ମିଳେ । ଜଙ୍ଗଲମାନଙ୍କରୁ ଅସଂଖ୍ୟ ପ୍ରକାର କାଷ୍ଠ, ମୂଳ, ଫଳ ଓ ଅନ୍ୟାନ୍ୟ ବନଜାତ ଦ୍ରବ୍ୟ ମିଳେ । ଏ ଦେଶରେ ନାନାପ୍ରକାର ଜୀବ ଜନ୍ତୁ ବାସକରନ୍ତି । ସୁଜଳା, ସୁଫଳା, ଶସ୍ୟଶ୍ୟାମଳା ଭାରତବର୍ଷର ବିପୁଳ ବିଭବ ଯୋଗୁଁ ଲୋକେ ‘‘ଭାରତରେ ସୁନା ଫଳେ’’ ବୋଲି କହନ୍ତି । ଏଥିପାଇଁ ଅତି ପ୍ରାଚୀନକାଳରୁ ପୃଥିବୀର ଅନ୍ୟାନ୍ୟ ଜାତିମାନେ ଏ ଦେଶକୁ ଅଧିକାର କରିବାକୁ ବା ଏହା ସହିତ ବାଣିଜ୍ୟ କରିବା ପାଇଁ ସର୍ବଦା ଚେଷ୍ଟା କରୁଥିଲେ ।

 

ଭାରତ ଇତିହାସ – ଭାରତ ଆମ୍ଭର ଜନ୍ମଭୂମି ବା ମାତୃ ସମାନ । ଆମ୍ଭେମାନେ ଯେଉଁ ଦେଶରେ ଜନ୍ମଗ୍ରହଣ କରିଛୁ, ଯେଉଁ ଦେଶର ଶସ୍ୟ ଫଳ ମୂଳ, ଜଳ ଖାଇ ଜୀବନ ଧାରଣ କରୁଛୁ, ଯେଉଁ ଦେଶର ବାୟୁ ସେବନ କରି ଆମ୍ଭେମାନେ ବଞ୍ଚି ରହିଛୁ, ଯେଉଁ ଦେଶ ଆମ୍ଭମାନଙ୍କର ଆଶ୍ରୟଦାତ୍ରୀ ଓ କର୍ମସ୍ଥଳୀ, ଯେଉଁ ଦେଶରେ ଆମ୍ଭର ପୂର୍ବପୁରୁଷମାନେ ବାସ କରୁଥିଲେ ଓ ଯେଉଁଠାରେ ଆମ୍ଭର ଭବିଷ୍ୟତ ବଂଶଧରମାନେ ବାସକରିବେ, ସେ ଦେଶର ଅତୀତ ଓ ବର୍ତ୍ତମାନ ଘଟଣାବଳୀ ଜାଣିବା ଆମ୍ଭମାନଙ୍କର ଏକାନ୍ତ ଆବଶ୍ୟକ । ଭାରତବର୍ଷ ପୃଥିବୀ ମଧ୍ୟରେ ଗୋଟିଏ ପ୍ରାଚୀନତମ ସଭ୍ୟ ଦେଶ । ବହୁ ପ୍ରାଚୀନ କାଳରେ ଏ ଦେଶର ଲୋକମାନେ ସଭ୍ୟ ଓ ଶିକ୍ଷିତ ଥିଲେ । ପୃଥିବୀରେ କେତେପ୍ରକାର ଧର୍ମ ଓ ସଭ୍ୟତା ଲୋପ ପାଇଗଲାଣି । କିନ୍ତୁ ଆମ୍ଭ ଦେଶର ସଭ୍ୟତା ଓ ଧର୍ମ ବହୁ ପରିବର୍ତ୍ତନ ମଧ୍ୟରେ ମଧ୍ୟ ବଞ୍ଚି ରହିଛି । ପ୍ରାଚୀନକାଳର ଅସଂଖ୍ୟ ଗ୍ରନ୍ଥ, ମନ୍ଦିର, ଅଟ୍ଟାଳିକା, ସ୍ତୂପ, ପ୍ରାସାଦ, ଚୈତ୍ୟ, ମଠ, ବିଦ୍ୟାଳୟ ଏ ଦେଶରେ ନାନାସ୍ଥାନରେ ଦେଖାଯାଏ । ଏ ଗୁଡ଼ିକ ଆମ୍ଭମାନଙ୍କର ପୂର୍ବପୁରୁଷମାନଙ୍କର କୀର୍ତ୍ତି । ଏ ଦେଶରେ କେତେ ମହାପୁରୁଷ, ମହାସମର ହେଲା । ଏଥିରେ ଭାରତର ରାଜାମାନେ ଦୁଇ ଦଳ ହୋଇ ଉଭୟ ପକ୍ଷକୁ ସାହାଯ୍ୟ ଦେଇଥିଲେ । ୧୮ଦିନ ବ୍ୟାପୀ ଯୁଦ୍ଧରେ ଭାରତର ଅସଂଖ୍ୟ ନରପତି ଓ କୌରବମାନେ ନିହତ ହେଲେ ଏବଂ ପାଣ୍ଡବମାନେ ମହାପୁରୁଷ ଶ୍ରୀକୃଷ୍ଣଙ୍କ ସାହାଯ୍ୟ ଓ ମନ୍ତ୍ରଣାବଳରେ ଜୟୀ ହେଲେ । ଧର୍ମରାଜ ଯୁଧିଷ୍ଠିର ବହୁକାଳ ସୁଖଶାନ୍ତିରେ ରାଜତ୍ୱ କରିଥିଲେ । ହିନ୍ଦୁମାନେ ରାମଚନ୍ଦ୍ରଙ୍କ ପରି ଶ୍ରୀକୃଷ୍ଣଙ୍କୁ ମଧ୍ୟ ଭଗବାନଙ୍କ ଅବତାର ବୋଲି ପୂଜା କରନ୍ତି ।

 

ମହାଭାରତରୁ ଜଣାଯାଏ ଯେ ସେ ସମୟକୁ ଆର୍ଯ୍ୟମାନେ ସମଗ୍ର ଭାରତରେ ବ୍ୟାପି ଯାଇଥିଲେ । ସମଗ୍ର ଭାରତ ଅସଂଖ୍ୟ କ୍ଷୁଦ୍ର ରାଜ୍ୟରେ ବିଭକ୍ତ ଥିଲା ଓ ସେମାନଙ୍କ ମଧ୍ୟରେ ସର୍ବଦା ଯୁଦ୍ଧ ବିଗ୍ରହ ଚାଲିଥିଲା । କ୍ଷମତାଶାଳୀ ରାଜାମାନେ ଅଶ୍ୱମେଧ, ରାଜସୂୟ ପ୍ରଭୃତି ଯଜ୍ଞ କରୁଥିଲେ । ବୈଦିକ ଦେବତାଙ୍କ ବ୍ୟତୀତ ବ୍ରହ୍ମା, ଶିବ, ଦୁର୍ଗା, କାର୍ତ୍ତିକ, ଗଣେଶ, ବିଷ୍ଣୁ, ପାର୍ବତୀ ପ୍ରଭୃତି ଅନେକ ନୂତନ ଦେବଦେବୀ ପୂଜିତ ହେଉଥିଲେ । ଜାତିବିଭାଗ ପୂର୍ଣ୍ଣଭାବରେ ଚଳୁଥିଲା । ଦେଶରେ ଧନରତ୍ନ ପୂରି ରହିଥିଲା । ବହୁ ବିବାହର ରୀତି ଓ ସ୍ୱୟମ୍ବର ପ୍ରଥା ଚଳୁଥିଲା । ବିଧବା ବିବାହ ଓ ସତୀଦାହର ମଧ୍ୟ ଆଭାସ ମିଳେ । କ୍ଷତ୍ରିୟମାନେ ନାନାପ୍ରକାର ଯୁଦ୍ଧପ୍ରଣାଳୀ ଜାଣିଥିଲେ-। କିନ୍ତୁ ଅନ୍ୟାୟ ଯୁଦ୍ଧ କରୁ ନ ଥିଲେ । ଭାରତରେ କାଶୀ, ଦ୍ୱାରକା, ମଥୁରା, ଇନ୍ଦ୍ରପ୍ରସ୍ଥ, ହସ୍ତିନାପୁର, ଗିରିବ୍ରଜ ପ୍ରଭୃତି ବହୁ ଧନଜନପୂର୍ଣ୍ଣ ନଗରୀ ଥିଲା ।

 

ହିନ୍ଦୁମାନଙ୍କର ପ୍ରଧାନ ଧର୍ମଶାସ୍ତ୍ର ଗୀତା ମହାଭାରତର ଗୋଟିଏ ଅଂଶ । ମୋଟ ଉପରେ ମହାଭାରତରୁ ସେକାଳର ଧର୍ମ, ରାଜନୀତି, ଯୁଦ୍ଧପ୍ରଣାଳୀ, ସମାଜ, ଲୋକମାନଙ୍କର ରୀତି ସକଳ ବିଷୟ ଜଣାଯାଏ । ତେଣୁ ଲୋକେ କହିଥାନ୍ତି– ‘‘ଯାହା ନାହିଁ ଭାରତେ ତାହା ନାହିଁ ଭାରତେ-।’’

 

ପୁରାଣ – ମହାଭାରତ ରଚନାର ବହୁକାଳ ପରେ ବ୍ରହ୍ମ, ଅଗ୍ନି, ମତ୍ସ୍ୟ, ବିଷ୍ଣୁ, ଶିବ, ଗରୁଡ଼ ଇତ୍ୟାଦି ୧୮ଟି ପୁରାଣ ରଚିତ ହୋଇଥିଲା । ପୁରାଣମାନଙ୍କରେ ନାନାପ୍ରକାର ଗଳ୍ପ ଥିଲେ ମଧ୍ୟ ସେଥିରୁ ଭାରତର ନଦୀ, ପର୍ବତ, ତୀର୍ଥସ୍ଥାନ, ପ୍ରାଚୀନ ରାଜବଂଶ, ପ୍ରାଚୀନ ରାଜ୍ୟ ଇତ୍ୟାଦି ସମ୍ବନ୍ଧରେ ଅନେକ କଥା ଜଣାଯାଏ । ପୁରାଣମାନଙ୍କ ଅନୁକରଣରେ ବହୁ ଉପପୁରାଣ ମଧ୍ୟ ଲିଖିତ ହୋଇଥିଲା ।

Image

 

ପଞ୍ଚମ ଅଧ୍ୟାୟ

 

ମହାବୀର – ପ୍ରତ୍ୟେକ ଯୁଗରେ ମହାପୁରୁଷମାନେ ଜନ୍ମ ଗ୍ରହଣ କରି ଭାରତରେ ନାନାପ୍ରକାର ଧର୍ମମତ ପ୍ରଚାର କରିଛନ୍ତି । ସେହି ଧର୍ମମାନଙ୍କ ମଧ୍ୟରୁ ଜୈନଧର୍ମ ଏକତମ । ଭାରତରେ ବହୁକାଳ ବୈଦିକ ଧର୍ମ ଚଳିଲା ପରେ, ମହାବୀର ନାମକ ଜଣେ ମହାପୁରୁଷ ଆଜକୁ ପ୍ରାୟ ୨୫୦୦ ବର୍ଷ ପୂର୍ବେ ଏହି ଧର୍ମ ପ୍ରଚାର କରିଥିଲେ । ସେ ବିହାର ପ୍ରଦେଶସ୍ଥ ‘ବୈଶାଳୀ’ ନଗରୀରେ ‘ଲିଚ୍ଛାବି’ ନାମକ ରାଜବଂଶରେ ଜନ୍ମ ଗ୍ରହଣ କରିଥିଲେ । ପ୍ରଥମେ ତାଙ୍କର ନାମ ଥିଲା ବର୍ଦ୍ଧମାନ । ପିଲାଦିନୁ ସେ ସଂସାର ବିରାଗୀ ଥିଲେ । ତାଙ୍କର ଦୁଇଶ ବର୍ଷ ପୂର୍ବେ ‘ପାର୍ଶ୍ଵନାଥ’ ନାମକ ଜଣେ ସାଧୁ ନିଜର ଧର୍ମମତ ପ୍ରଚାର କରିଥିଲେ । ବର୍ଦ୍ଧମାନ ପ୍ରଥମେ ପାର୍ଶ୍ୱନାଥଙ୍କ ସନ୍ନ୍ୟାସୀ ସଙ୍ଘରେ ଯୋଗ ଦେଇଥିଲେ । କିନ୍ତୁ ସେଥିରେ ତାଙ୍କ ମନ ନ ମାନିବାରୁ ସେ ବହୁ ଚିନ୍ତାକରି ଗୋଟିଏ ନୂତନ ଧର୍ମ ପ୍ରଚାର କଲେ । ମହାବୀର ‘ଜୀନ’ ଥିଲେ ବା ଇନ୍ଦ୍ରିୟମାନଙ୍କୁ ଜୟ କରି ଦିବ୍ୟ ଜ୍ଞାନଲାଭ କରିଥିଲେ । ତେଣୁ ତାଙ୍କ ଦ୍ୱାରା ପ୍ରଚାରିତ ଧର୍ମକୁ ଜୈନଧର୍ମ କହନ୍ତି । ମହାବୀର ମଗଧ ଓ ଅଙ୍ଗ ବା ଆଧୁନିକ ବିହାର ପ୍ରଦେଶରେ ନିଜର ଧର୍ମ ପ୍ରଚାର କରିଥିଲେ । ଖ୍ରୀ: ପୂ: ୫୨୭ ଅବ୍ଦରେ ତାଙ୍କର ମୃତ୍ୟୁ ଘଟିଥିଲା ।

 

ଜୈନଧର୍ମ ଜୀବ-ଦୟା ଓ ଅହିଂସା ଏହି ଧର୍ମର ପ୍ରଧାନ ନୀତି । ସେମାନେ ଜୀବହିଂସା ଭୟରେ ରାତ୍ରିରେ ଆଲୋକ ଜାଳନ୍ତି ନାହିଁ, ମୁହଁ ମେଲା କରି ଶୁଅନ୍ତି ନାହିଁ । ପଶୁମାନଙ୍କପାଇଁ ପଶୁଶାଳା ଓ ଚିକିତ୍ସାଳୟମାନ ଖୋଲନ୍ତି । ଅତି ନଗଣ୍ୟ କୀଟ ପତଙ୍ଗକୁ ମଧ୍ୟ ମାରନ୍ତି ନାହିଁ । ସେମାନେ ହିନ୍ଦୁମାନଙ୍କ ପରି ପୁନର୍ଜନ୍ମ ଓ କର୍ମଫଳ ମାନନ୍ତି କିନ୍ତୁ ବେଦକୁ ମାନନ୍ତି ନାହିଁ । ପର୍ବ ଉତ୍ସବାଦିରେ ହିନ୍ଦୁ ପୁରୋହିତ ନିଯୁକ୍ତ କରନ୍ତି ଓ କେତେକ ହିନ୍ଦୁ ଦେବ ଦେବୀଙ୍କୁ ପୂଜା କରନ୍ତି । ସେମାନଙ୍କ ମଧ୍ୟରେ ଜାତିଭେଦ ଅଛି । ଏହି ଧର୍ମ ହିନ୍ଦୁଧର୍ମଠାରୁ କେତେକ ପରିମାଣରେ ପୃଥକ୍‌। ସେମାନଙ୍କର ଧର୍ମଗ୍ରନ୍ଥ ସ୍ୱତନ୍ତ୍ର ଓ ସେମାନେ ଋଷଭ ଦେବ, ଅଜିତ, ପାର୍ଶ୍ୱନାଥ ପ୍ରଭୃତି ୨୪ଟି ଜୈନ ତୀର୍ଥଙ୍କରଙ୍କୁ ପୂଜା କରନ୍ତି । ମହାବୀରଙ୍କ ମୃତ୍ୟୁର କିଛିକାଳ ପରେ ଜୈନମାନେ ଦୁଇ ଦଳରେ ବିଭକ୍ତ ହୋଇଥିଲେ,ଯଥା– ଶ୍ୱେତାମ୍ବର ଓ ଦିଗମ୍ବର । ଶ୍ୱେତାମ୍ବର ଜୈନମାନେ ଧଳା ଲୁଗା ପିନ୍ଧନ୍ତି କିନ୍ତୁ ଦିଗମ୍ବରମାନେ ଉଲଗ୍ନ ହୋଇ ବୁଲନ୍ତି ।

 

ହଜାରିବାଗ ଜିଲାର ପରେଶନାଥ ପାହାଡ଼, ରାଜପୁତନାର ଆବୁ ପର୍ବତ, କାଥିଆବାଡ଼ର ପାଲିଟନା ପାହାଡ଼ ଏବଂ ଓଡ଼ିଶାର ଖଣ୍ଡଗିରି ଓ ଉଦୟଗିରିରେ ଜୈନ କୀର୍ତ୍ତିମାନ ଦେଖାଯାଏ । ଖଣ୍ଡଗିରି ଓ ଉଦୟଗିରିରେ ଜୈନ ସନ୍ନ୍ୟାସୀମାନଙ୍କ ପାଇଁ ଶତ ଶତ ଗୁମ୍ଫା ଖୋଳା ହୋଇଥିଲା । ସେଗୁଡ଼ିକ ଆଜିପର୍ଯ୍ୟନ୍ତ ରହିଛି । ଆଜିକାଲି ଭାରତର ନାନା ସ୍ଥାନରେ ଜୈନମାନେ ଦେଖାଯାନ୍ତି । ସେମାନେ ସାଧାରଣତଃ ବ୍ୟବସାୟୀ ଓ ଧନୀ ।

 

ଗୌତମ ବୁଦ୍ଧ ପ୍ରାଚୀନ କାଳରେ ହିମାଳୟର ପାଦଦେଶରେ କପିଳବାସ୍ତୁ ନାମକ ଗୋଟିଏ ନଗରୀ ଥିଲା । ସେଠାରେ ଶାକ୍ୟବଂଶ ରାଜତ୍ୱ କରୁଥିଲେ । ଗୌତମ ବା ସିଦ୍ଧାର୍ଥ ସେହି ଶାକ୍ୟବଂଶୀୟ ରାଜା ଶୁଦ୍ଧୋଦନଙ୍କର ପୁତ୍ର ଥିଲେ । ବାଲ୍ୟକାଳରେ ତାଙ୍କ ପିତା ତାଙ୍କୁ ସକଳ ପ୍ରକାର ଶିକ୍ଷା ଦେଇଥିଲେ ଏବଂ ସୁଖ ଓ ବିଳାସରେ ବଢ଼ାଇଥିଲେ, କିନ୍ତୁ ପିଲାଦିନୁ ସେ ସଂସାର ବିଷୟରେ ଚିନ୍ତା କରୁଥିଲେ । ତାଙ୍କର ପିତା ତାଙ୍କୁ ଯଶୋଧାରୀ ନାମ୍ନୀ ସୁନ୍ଦରୀ ରାଜକନ୍ୟା ସହିତ ବିବାହ କରାଇ ଥିଲେ । ତାଙ୍କର ଗୋଟିଏ ପୁତ୍ର ମଧ୍ୟ ହୋଇଥିଲା । ସଂସାରରେ ଲୋକେ ଯାହାକୁ ସୁଖ ବୋଲି କହନ୍ତି ଗୌତମଙ୍କର ସେ ସମସ୍ତ ଥିଲା । ଧନ, ମାନ, ଯୌବନ, ରାଜ୍ୟ, ସ୍ତ୍ରୀ, ପୁତ୍ର, ବନ୍ଧୁ ପ୍ରଭୃତି ତାଙ୍କର ସକଳ ଥିଲା । ତଥାପି ସେ ସଂସାର ସୁଖରେ ଭୁଲି ଯାଇ ନ ଥିଲେ । ସଂସାରର ଦୁଃଖ, ଶୋକ, ରୋଗ, ମୃତ୍ୟୁ ପ୍ରଭୃତି ଦେଖି ତାଙ୍କର ହୃଦୟ କାନ୍ଦିଲା । ଲୋକମାନଙ୍କର ଦୁଃଖ ଦୂର କରିବା ପାଇଁ ତାଙ୍କର ପ୍ରାଣ ଆକୁଳ ହେଲା । ତେଣୁ ସେ ସଂସାରର ସମସ୍ତ ସୁଖରେ ଜଳାଞ୍ଜଳି ଦେଇ ଅନ୍ଧାର ରାତ୍ରିରେ ଘରୁ ପଳାଇଗଲେ । ଗୃହସଂସାର ଛାଡ଼ି ସେ ପ୍ରଥମେ ବୈଶାଳୀରେ ଥିବା ଜଣେ ବ୍ରାହ୍ମଣ ପଣ୍ଡିତଙ୍କର ଶିଷ୍ୟ ହେଲେ ଓ ପରେ ରାଜଗୃହରେ ଅନ୍ୟ ଜଣେ ବ୍ରାହ୍ମଣ ପଣ୍ଡିତଙ୍କଠାରୁ ଶିକ୍ଷାଲାଭ କରିଥିଲେ । ସେମାନଙ୍କର ଶିକ୍ଷାରେ ସନ୍ତୋଷ ଲାଭ ନ କରିବାରୁ ସେ ଉରୁବିଲ୍ୱ ନାମକ ସ୍ଥାନରେ ୬ବର୍ଷ କାଳ କଠୋର ତପସ୍ୟା କଲେ । ତପସ୍ୟା କରି ତାଙ୍କର ଦେହ ଏକାବେଳକେ କ୍ଷୀଣ ହୋଇଗଲା । ତହୁଁ ସେ ସଂସାର ବିଷୟରେ ଗଭୀର ଚିନ୍ତାକରି ଦିବ୍ୟ ଜ୍ଞାନ ଲାଭ କରିଥିଲେ ଓ ବୁଦ୍ଧ ନାମରେ ଅଭିହିତ ହେଲେ । ତାଙ୍କଦ୍ୱାରା ପ୍ରଚାରିତ ଧର୍ମର ନାମ ବୌଦ୍ଧଧର୍ମ ।

 

CHK 37 Buddhist Wallpaper Free, Buddhist Full HD Pictures and | Buddha  quotes, Buddha, Gautama buddha

(ବୁଦ୍ଧଦେବ)

 

ସେ ପ୍ରଥମେ ବାରାଣସୀ ବା କାଶୀରେ ବୌଦ୍ଧଧର୍ମ ପ୍ରଚାର କଲେ । ଚାହୁଁ ଚାହୁଁ ତାଙ୍କର ଯଶ ଚାରିଆଡ଼େ ବ୍ୟାପିଗଲା ଓ ଶତ ଶତ ଲୋକ ତାଙ୍କ ଧର୍ମ ଗ୍ରହଣ କଲେ । ମଗଧ ସମ୍ରାଟ୍‌ବିମ୍ବିସାର ତାଙ୍କ ସଙ୍ଗେ ବହୁ ଆଲୋଚନା କରି ତାଙ୍କ ଧର୍ମ ଗ୍ରହଣ କଲେ । ବିମ୍ବିସାରଙ୍କ ପୁତ୍ର ଅଜାତଶତ୍ରୁ ମଧ୍ୟ ତାଙ୍କର ଶିଷ୍ୟ ହେଲେ । ଶାକ୍ୟବଂଶର ଅଧିକାଂଶ ଲୋକ ମଧ୍ୟ ତାଙ୍କର ଧର୍ମ ଗ୍ରହଣ କଲେ । କାଶୀ, ବୈଶାଳୀ, ରାଜଗୃହ, ଗୟା, ଶ୍ରାବସ୍ତି ପ୍ରଭୃତି ବୌଦ୍ଧଧର୍ମ ପ୍ରଚାରର କେନ୍ଦ୍ର ହେଲା । ଏହିପରି ବହୁକାଳ ଧର୍ମ ପ୍ରଚାର କରି ସେ ୮୦ ବର୍ଷ ବୟସରେ କୁଶୀ ନଗରରେ ପ୍ରାଣତ୍ୟାଗ କଲେ । ପୃଥିବୀରେ ମହାପୁରୁଷମାନଙ୍କ ମଧ୍ୟରେ ବୁଦ୍ଧ ସର୍ବଶ୍ରେଷ୍ଠ । ସେ ମରିଯାଇଛନ୍ତି ସତ୍ୟ, କିନ୍ତୁ ଆଜି ସୁଦ୍ଧା ପୃଥିବୀର ୫୦ କୋଟି ଲୋକ ତାଙ୍କର ଧର୍ମମତ ଅନୁସରଣ କରନ୍ତି ।

 

ବୌଦ୍ଧଧର୍ମ ବୁଦ୍ଧଙ୍କ ସମୟରେ ବ୍ରାହ୍ମଣମାନେ ହିନ୍ଦୁଧର୍ମର ରକ୍ଷକ ଥିଲେ । ସେମାନେ ଲୋକଙ୍କୁ ପ୍ରକୃତ ଧର୍ମଶିକ୍ଷା ନ ଦେଇ ଧର୍ମକୁ ବ୍ୟବସାୟ ସ୍ୱରୂପ କରୁଥିଲେ । ଧର୍ମ ନାମରେ ଶତ ଶତ ଜୀବ ଯଜ୍ଞରେ ବଳି ଦିଆଯାଉଥିଲେ । ଧର୍ମର ତତ୍ତ୍ୱସକଳ ସଂସ୍କୃତ ଭାଷାରେ ଲିଖିତ ହୋଇଥିଲା । ତେଣୁ ସାଧାରଣ ଲୋକମାନେ ଧର୍ମ ବିଷୟ କିଛି ଜାଣୁ ନ ଥିଲେ । ଜାତିଭେଦ ବିଶେଷ କଠୋର ଥିଲା । ଜାତି ଜାତି ମଧ୍ୟରେ ଆଦୌ ସଦ୍ଭାବ ନ ଥିଲା । ଉଚ୍ଚଜାତିର ଲୋକେ ନୀଚଜାତିର ଲୋକମାନଙ୍କୁ ଛୁଇଁବା ପାପ ବୋଲି ଭାବୁଥିଲେ । ବେଦକୁ ଈଶ୍ୱରଙ୍କ ବାଣୀ ବୋଲି ଲୋକେ ବିଶ୍ୱାସ କରୁଥିଲେ । ବୁଦ୍ଧଦେବ ଏ ସକଳ ବିଷୟ ବିରୁଦ୍ଧରେ ସାହସ ସହିତ ପ୍ରବଳ ପ୍ରଚାର କରିଥିଲେ । ସେ ପ୍ରଚାର କଲେ– ବ୍ରାହ୍ମଣଠାରୁ ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ସମାନ, ମନୁଷ୍ୟ ମଧ୍ୟରେ କେହି ଅଛୁଆଁ ନାହାନ୍ତି, ଜାତିଭେଦ ମିଥ୍ୟା, ବେଦ ଈଶ୍ୱରଙ୍କ ବାକ୍ୟ ନୁହେଁ ବା ବ୍ରହ୍ମାଙ୍କ ମୁହରୁ ବାହାରି ନାହିଁ, କେବଳ ବ୍ରାହ୍ମଣମାନେ ଧର୍ମ ଉପଦେଶ ଦେଇ ପାରିବେ ନାହିଁ । ଧର୍ମ କରିବା ପାଇଁ ସମସ୍ତଙ୍କର ଅଧିକାର ଅଛି, ସଂସ୍କୃତ ଭାଷା ସାଧାରଣ ଲୋକେ ଜାଣନ୍ତି ନାହିଁ, ତେଣୁ ଲୋକେ କହୁଥିବା ଭାଷା ବା ପଲ୍ଲୀଭାଷାରେ ଧର୍ମ ପ୍ରଚାର ହେବ । ସେ ମୂର୍ତ୍ତି ପୂଜାକୁ ମଧ୍ୟ ଭଲ ପାଉ ନ ଥିଲେ । ବୁଦ୍ଧଙ୍କ କଥାଗୁଡ଼ିକ ଲୋକେ ଠିକ୍‌ବୋଲି ବୁଝିପାରିଲେ ଓ ଆଦରରେ ଶୁଣିଲେ । ତାଙ୍କ ଧର୍ମ ଶୀଘ୍ର ବ୍ୟାପିଗଲା । ବୁଦ୍ଧ ନିଜର ମତ ବୁଲି ବୁଲି ଦେଶବିଦେଶରେ ପ୍ରଚାର କରିବା ପାଇଁ ସନ୍ନ୍ୟାସୀ ସଙ୍ଘ ଗଢ଼ିଥିଲେ ।

Image

(ବୋଧିଦ୍ରୂମ)

 

ଜୈନଧର୍ମ ପରି ବୌଦ୍ଧ ଧର୍ମର ଅହିଂସା ମଧ୍ୟ ମୂଳନୀତି । ସତ୍ୟବାଦିତା, ନିଷ୍ପାପଜୀବନ, ସତ୍‌ଚିନ୍ତା, ସତ୍‌କାର୍ଯ୍ୟ, ଗୁରୁଭକ୍ତି ପ୍ରଭୃତି ଏହି ଧର୍ମର ସାର ମର୍ମ । ବୌଦ୍ଧମାନେ ହିନ୍ଦୁମାନଙ୍କ ପରି ପୁନର୍ଜନ୍ମ ଓ କର୍ମଫଳରେ ବିଶ୍ୱାସ କରନ୍ତି । ନିର୍ବାଣ ବା ମୋକ୍ଷଲାଭ ଜୀବନର ପ୍ରଧାନ ଉଦ୍ଦେଶ୍ୟ । ବୁଦ୍ଧଙ୍କ ମତରେ ଈଶ୍ୱର ଥାନ୍ତୁ ବା ନ ଥାନ୍ତୁ ସମସ୍ତେ ନିଷ୍ପାପ ଓ ପବିତ୍ର ଜୀବନ ଯାପନ କରିବା ବାଞ୍ଛନୀୟ । ବୌଦ୍ଧମାନଙ୍କ ମଧ୍ୟରେ କେତେକ ଗୃହସ୍ଥାଶ୍ରମ କରନ୍ତି । ଆଉ କେତେକ ଭିକ୍ଷୁ ବା ଶ୍ରମଣ । ଧର୍ମପ୍ରଚାର ସେମାନଙ୍କର କାର୍ଯ୍ୟ । ପୁରୁଷ ଓ ସ୍ତ୍ରୀ ଉଭୟେ ଧର୍ମ ପଚାର କରିବାର ଅଧିକାର ପାଇଥିଲେ । ଭିକ୍ଷୁ ଓ ଭିକ୍ଷୁଣୀମାନେ ‘ବିହାର’ ବା ମଠମାନଙ୍କରେ ବାସ କରୁଥିଲେ ଏବଂ ଧାର୍ମିକ ଓ ଦାନୀ ଲୋକମାନଙ୍କର ଦାନ ଦ୍ୱାରା ଚଳୁଥିଲେ । ବୌଦ୍ଧମାନଙ୍କର ଧର୍ମ ଗ୍ରନ୍ଥର ନାମ ‘ତ୍ରିପିଟକ’ । ଏହା ତିନି ଭାଗରେ ବିଭକ୍ତ । ଏଥିରେ ବୁଦ୍ଧଙ୍କ ଉପଦେଶ, ଭିକ୍ଷୁ ଓ ଭିକ୍ଷୁଣୀଙ୍କ ସମ୍ବନ୍ଧରେ ନିୟମ ଓ ଧର୍ମର ତତ୍ତ୍ୱମାନ ଲିଖିତ ହୋଇଅଛି ।

 

ବୁଦ୍ଧଙ୍କ ମୃତ୍ୟୁପରେ ମହାରାଜ ଅଶୋକ ଓ କୁଶାଣରାଜ ଓ କନିଷ୍କଙ୍କ ସମୟରେ ଏହି ଧର୍ମ ଭାରତ ଓ ଭାରତ ବାହାରେ ପ୍ରଚାରିତ ହୋଇଥିଲା । ଅଶୋକ ଏହି ଧର୍ମର ବିଶେଷ ଉନ୍ନତି କରିଥିଲେ । କନିଷ୍କଙ୍କ ସମୟରେ ବୌଦ୍ଧମାନେ ଦୁଇ ଦଳରେ ବିଭକ୍ତ ହୋଇଥିଲେ, ଯଥା :– ହୀନଯାନ ଓ ମହାଯାନ । ଏକ ସମୟରେ ସମଗ୍ର ଭାରତବର୍ଷରେ ବୌଦ୍ଧଧର୍ମ ବ୍ୟାପି ଯାଇଥିଲା ଓ ଭାରତର ସର୍ବାଞ୍ଚଳରେ ଅସଂଖ୍ୟ ବୌଦ୍ଧମଠ, ବିଦ୍ଵାର, ସ୍ତୂପ, ସ୍ତମ୍ଭ ଓ ଚୈତ୍ୟ ନିର୍ମିତ ହୋଇଥିଲା । ଭାରତର ନାନା ସ୍ଥାନରେ ଅଦ୍ୟାପି ବୌଦ୍ଧକୀର୍ତ୍ତି ଦେଖାଯାଏ । ଆମ୍ଭ ଜନ୍ମଭୂମି ଓଡ଼ିଶାରେ ମଧ୍ୟ ଧଉଳୀ, ଯୌଗଡ଼, ନରାଜ ଓ ଲଳିତଗିରି ପ୍ରଭୃତିରେ ବହୁତ ବୌଦ୍ଧକୀର୍ତ୍ତି ଦେଖାଯାଏ । କିନ୍ତୁ ଦୁଃଖର ବିଷୟ ଏହି ଧର୍ମ ବ୍ରାହ୍ମଣ ପଣ୍ଡିତମାନଙ୍କ ପ୍ରବଳ ପ୍ରଚାର ଓ ନିଜର ନୈତିକ ଅବନତି ଯୋଗୁଁ ଭାରତବର୍ଷରୁ ଲୋପ ପାଇଗଲା । କିନ୍ତୁ ଚୀନ, ଯାପାନ, ବ୍ରହ୍ମଦେଶ, ଲଙ୍କା, ଶ୍ୟାମ ପ୍ରଭୃତି ଦେଶର ଲୋକମାନେ ଅଦ୍ୟାପି ବୌଦ୍ଧ ହୋଇ ରହିଛନ୍ତି । ଆଜିକାଲି ହିନ୍ଦୁମାନେ ବୁଦ୍ଧଙ୍କୁ ବିଷ୍ଣୁଙ୍କର ଅବତାର ବୋଲି ମାନନ୍ତି ।

Image

 

ଷଷ୍ଠ ଅଧ୍ୟାୟ

 

ଖ୍ରୀଷ୍ଟପୂର୍ବ ସପ୍ତମ ଶତାବ୍ଦୀଠାରୁ ଖ୍ରୀ: ପୂ: ତୃତୀୟ ଶତାବ୍ଦୀ ପର୍ଯ୍ୟନ୍ତ ଭାରତର ଅବସ୍ଥା ଖ୍ରୀ: ପୂ: ସପ୍ତମ ଶତାବ୍ଦୀଠାରୁ ଜୈନ ଓ ବୌଦ୍ଧମାନଙ୍କର ଗ୍ରନ୍ଥ ଓ ହିନ୍ଦୁ ପୁରାଣମାନଙ୍କରୁ ଭାରତର ଧାରାବାହିକ ଇତିହାସ ମିଳେ । ସେଥିରୁ ଜଣାଯାଏ ଯେ ସେତେବେଳେ ଭାରତର ଅଧିକାଂଶ ଅଞ୍ଚଳ ଅରଣ୍ୟରେ ପୂର୍ଣ୍ଣ ଥିଲା । ଉତ୍ତର ଭାରତରେ ୧୬ଟି ଛୋଟ ଛୋଟ ସ୍ୱାଧୀନ ରାଜ୍ୟ ଥିଲା । ଯଥା ଗାନ୍ଧାର (ଉତ୍ତର ପଶ୍ଚିମ ସୀମାନ୍ତ ପ୍ରଦେଶ), କୁରୁକ୍ଷେତ୍ର, ଶୂରସେନ, ପଞ୍ଚାଳ, ମତ୍ସ୍ୟ, କୋଶଳ (ଅଯୋଧ୍ୟା) କାଶୀ, ବିଦେହ, ମଗଧ, ଅଙ୍ଗ, ବଙ୍ଗ, କଳିଙ୍ଗ, ବୈଶାଳୀ, ବତ୍ସ, ଅବନ୍ତୀ (ମାଳବ) ଓ ସୌରାଷ୍ଟ୍ର (କାଥିଆବାଡ଼) । ଏହି ରାଜ୍ୟଗୁଡ଼ିକ ଭିନ୍ନ ଭିନ୍ନ ରାଜବଂଶ ଦ୍ୱାରା ଶାସିତ ହେଉଥିଲା । ସେତେବେଳେ ଭାରତରେ କେହି ଚକ୍ରବର୍ତ୍ତୀ ରାଜା ନ ଥିଲେ । ରାଜ୍ୟମାନଙ୍କ ମଧ୍ୟରେ ସର୍ବଦା ଯୁଦ୍ଧବିଗ୍ରହ ଲାଗୁଥିଲା ।

 

ସେତେବେଳେ କେତେକ ରାଜ୍ୟରେ ‘ଗଣତନ୍ତ୍ର’ ଶାସନ ଚଳୁଥିଲା । ଅର୍ଥାତ୍‌ସେଠାରେ ରାଜାମାନେ ରାଜତ୍ୱ କରୁ ନ ଥିଲେ । ରାଜ୍ୟର ମୁଖିଆ ମୁଖିଆ ଲୋକ ବା ‘ଗଣଜ୍ୟେଷ୍ଠ’ମାନଙ୍କର ଗୋଟିଏ ସଭା ଥିଲା । ଏହି ସଭାର ନାମ ‘ପରିଷଦ’ । ଗୋଟିଏ ବଡ଼ଘରେ ଏହି ପରିଷଦର ବୈଠକ ହେଉଥିଲା । ଏହି ‘ପରିଷଦ’ ଦ୍ୱାରା ରାଜ୍ୟର ଶାସନ କାର୍ଯ୍ୟ ଚଳୁଥିଲା । ପରିଷଦର ଜ୍ୟେଷ୍ଠ ବ୍ୟକ୍ତିଙ୍କୁ ସମୟେ ସମୟେ ରାଜା ବୋଲି କହୁଥିଲେ । ସେକାଳର ‘ଗଣ’ମାନଙ୍କ ମଧ୍ୟରେ ‘ମାଳବଗଣ’, ବିହାରରେ ‘ଲଚ୍ଛାବିଗଣ’ ପ୍ରଧାନ ଥିଲା ।

 

Image

 

ଉତ୍ତର ଭାରତର ରାଜ୍ୟମାନଙ୍କ ମଧ୍ୟରେ କୋଶଳ ଓ ମଗଧ ରାଜ୍ୟ ପ୍ରଧାନ ଥିଲା । ଶ୍ରାବସ୍ତି କୋଶଳ ରାଜ୍ୟର ରାଜଧାନୀ ଥିଲା ।

 

ଶିଶୁନାଗବଂଶ ଓ ମଗଧର ଅଭ୍ୟୁତ୍ଥାନ – ମଗଧ ରାଜ୍ୟ ଆଧୁନିକ ପାଟଣା ଓ ଗୟା ଜିଲାକୁ ନେଇ ଗଠିତ ହୋଇଥିଲା । ଏହାର ଉତ୍ତରରେ ଗଙ୍ଗା ଓ ଦକ୍ଷିଣରେ ଛୋଟନାଗପୁର ପର୍ବତ ଶ୍ରେଣୀ ବିଦ୍ୟମାନ ଥିଲା । ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀ ବେଳକୁ ଏହା ସମଗ୍ର ଭାରତରେ ପ୍ରଧାନ ହୋଇ ଉଠିଲା । ସେଠାରେ ଶିଶୁନାଗ ନାମକ ଜଣେ ରାଜା ୬୪୨ ଖ୍ରୀ:ପୂ: ରେ ରାଜତ୍ୱ ଆରମ୍ଭ କଲେ । ତାଙ୍କ ବଂଶକୁ ଶିଶୁନାଗବଂଶ କୁହାଯାଏ । ଗରିବ୍ରଜ ସେ କାଳରେ ମଗଧର ରାଜଧାନୀ ଥିଲା । ଏହାର ଚତୁର୍ଦ୍ଦିଗରେ ୫ଟି ପର୍ବତ ଥିବାରୁ ଏହା ସୁରକ୍ଷିତ ଥିଲା । ଏହି ବଂଶର ପଞ୍ଚମ ରାଜା ବିମ୍ବିସାର ବିଶେଷ କ୍ଷମତାଶାଳୀ ଥିଲେ । ସେ ଅଙ୍ଗ ରାଜ୍ୟ ବା ଆଧୁନିକ ଭାଗଲପୁର ଅଞ୍ଚଳ ଜୟ କରି ମଗଧ ସହିତ ମିଶାଇ ଦେଇଥିଲେ ଓ ‘ରାଜଗୃହ’ ନାମକ ସ୍ଥାନରେ ନିଜର ରାଜଧାନୀ ପ୍ରତିଷ୍ଠା କଲେ । ତାଙ୍କ ସମୟରେ କୋଶଳରେ ପ୍ରସେନଜିତ୍‌ନାମକ ଜଣେ ରାଜା ରାଜତ୍ୱ କରୁଥିଲେ । ବିମ୍ବିସାର ତାଙ୍କର ଭଉଣୀକୁ ବିବାହ କରି କାଶୀ ରାଜ୍ୟ ପାଇଥିଲେ । ମହାବୀର ଓ ବୁଦ୍ଧଦେବ ତାଙ୍କ ରାଜତ୍ୱରେ ନିଜ ନିଜ ଧର୍ମ ପ୍ରଚାର କରିଥିଲେ । ବିମ୍ବିସାର ବୌଦ୍ଧଧର୍ମ ଗ୍ରହଣ କରିଥିଲେ । ତାଙ୍କ ରାଜତ୍ୱ କାଳରେ ପାରସ୍ୟର ରାଜା ଡେରାୟସ୍‌ସିନ୍ଧୁନଦୀ ପର୍ଯ୍ୟନ୍ତ ରାଜ୍ୟ ଜୟକରି ନିଜ ରାଜ୍ୟରେ ମିଶାଇ ଦେଇଥିଲେ । ସେଠାରୁ ସେ ଅନେକ ଧନରତ୍ନ କର ସ୍ୱରୂପ ନେଇଥିଲେ । ଐତିହାସିକ ଯୁଗରେ ଏହା ଭାରତର ପ୍ରଥମ ବୈଦେଶିକ ଆକ୍ରମଣ ।

 

ଅଜାତଶତ୍ରୁ – ବିମ୍ବିସାରଙ୍କୁ ମାରି ତାଙ୍କର ପୁତ୍ର ଅଜାତଶତ୍ରୁ ମଗଧର ସିଂହାସନ ଅଧିକାର କରିଥିବାର ଜଣାଯାଏ । ସେ ପ୍ରସେନଜିତ୍‌ଙ୍କୁ ଯୁଦ୍ଧରେ ପରାସ୍ତ କରି କୋଶଳ ରାଜ୍ୟ ଜୟ କରିଥିଲେ ଓ ତାଙ୍କର କନ୍ୟାକୁ ବିବାହ କରିଥିଲେ । ପ୍ରସେନଜିତ୍‌ଙ୍କ ମୃତ୍ୟୁ ପରେ କୋଶଳ ରାଜ୍ୟ ଦୁର୍ବଳ ହୋଇ ପଡ଼ିଲା । ସେ ଗଙ୍ଗାର ଉତ୍ତର ତୀରବର୍ତ୍ତୀ ମିଥିଳା ରାଜ୍ୟର ଲିଚ୍ଛାବିଗଣଙ୍କୁ ପରାସ୍ତ କରିଥିଲେ । ସେ ନିଜ ରାଜ୍ୟର ସୁରକ୍ଷା ପାଇଁ ଗଙ୍ଗା ଓ ସୋଣ ନଦୀର ମିଳନ ସ୍ଥାନରେ ଗୋଟାଏ ସୁଦୃଢ଼ ଦୁର୍ଗ ନିର୍ମାଣ କରିଥିଲେ । ଏହାର ନାମ ପରେ ପାଟଳୀପୁତ୍ର ହେଲା । ସେ ଶିଶୁନାଗବଂଶର ଶ୍ରେଷ୍ଠ ରାଜା । ସେ ପିତାଙ୍କ ପରି ବୌଦ୍ଧଧର୍ମ ଗ୍ରହଣ କରିଥିବାର ଅନୁମାନ କରାଯାଏ । ତାଙ୍କ ସମୟରେ ମଗଧ ରାଜ୍ୟ ଛୋଟନାଗପୁରଠାରୁ ଉତ୍ତରରେ ହିମାଳୟ ପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା । ଅଜାତଶତ୍ରୁଙ୍କ ପରେ ତାଙ୍କ ପୁତ୍ର ଉଦୟ ବା ଉଦୟୀ ମଗଧର ରାଜା ହେଲେ । ସେ ଗଙ୍ଗା ଓ ସୋଣ ନଦୀର ସଙ୍ଗମ ସ୍ଥଳରେ ପିତାଙ୍କ ଦ୍ୱାରା ନିର୍ମିତ ଦୁର୍ଗ ନିକଟରେ କୁସୁମପୁର ବା ପାଟଳୀପୁତ୍ର ନଗର ପ୍ରତିଷ୍ଠା କରିଥିଲେ । ସେହି ସମୟରୁ ପାଟଳୀପୁତ୍ର ଉତ୍ତର ଭାରତର ଗୋଟିଏ ପ୍ରସିଦ୍ଧ ସ୍ଥାନ ହେଲା-। ଏହାର ଆଧୁନିକ ନାମ ପାଟଣା । ତାଙ୍କ ପରେ ଏହି ବଂଶ କ୍ରମଶଃ ଦୁର୍ବଳ ହୋଇ ପଡ଼ିଲା-

 

ନନ୍ଦବଂଶ – ଶିଶୁନାଗବଂଶର ପତନ ପରେ ମଗଧରେ ନନ୍ଦ ବଂଶ ରାଜତ୍ୱ କଲେ । ମହାପଦ୍ମ ନନ୍ଦ ବା ମହାପଦ୍ମ ଉଗ୍ରସେନ ଏହି ବଂଶର ପ୍ରତିଷ୍ଠାତା । ସେ ଉତ୍ତର ଭାରତର କ୍ଷତ୍ରିୟ ରାଜାମାନଙ୍କୁ ଜୟ କରି ଗୋଟିଏ ବଡ଼ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ସେ ସମ୍ରାଟ୍‌ଉପାଧି ଧାରଣ କରିଥିଲେ । ସେ କଳିଙ୍ଗ ବା ଆଧୁନିକ ଓଡ଼ିଶା ପ୍ରଦେଶ ଜୟକରିଥିଲେ । ତାଙ୍କର ପ୍ରକାଣ୍ଡ ସେନା ଥିଲା ଓ ତାଙ୍କର ଭଣ୍ଡାର ଧନ ରତ୍ନରେ ପରିପୂର୍ଣ୍ଣ ଥିଲା । ତାଙ୍କ ପରେ ତାଙ୍କର ୮ଟି ପୁତ୍ର କ୍ରମାନ୍ୱୟରେ ରାଜତ୍ୱ କରିଥିଲେ; ତେଣୁ ନନ୍ଦମାନଙ୍କୁ ‘ନବନନ୍ଦ’ ବୋଲି କହନ୍ତି । ଏହି ନଅ ଜଣ ନନ୍ଦରାଜା ପ୍ରାୟ ଖ୍ରୀ: ପୂ: ୪୨୦ ଠାରୁ ୧୦୦ ବର୍ଷ (କେତେକଙ୍କ ମତରେ ୯୧ ବର୍ଷ) ରାଜତ୍ୱ କରିଥିଲେ । ନନ୍ଦମାନେ ଶୂଦ୍ର ବଂଶୀୟ ଥିଲେ । ନନ୍ଦ ରାଜତ୍ୱରେ ମଗଧ ବିଶେଷ ଉନ୍ନତି କରିଥିଲା-। ଶେଷ ନନ୍ଦ ରାଜାଙ୍କ ସମୟରେ ଗ୍ରୀସର ମହାବୀର ଆଲେକଜାଣ୍ଡର ଭାରତ ଆକ୍ରମଣ କରିଥିଲେ-

 

ମହାବୀର ଆଲେକଜାଣ୍ଡରଙ୍କ ଭାରତ ଆକ୍ରମଣ – ନନ୍ଦରାଜା ମାନେ ଭାରତରେ ରାଜତ୍ୱ କରୁଥିବା ସମୟରେ ଇଉରୋପ ମହାଦେଶର ଗ୍ରୀସ୍‌ନାମକ ରାଜ୍ୟ ବିଶେଷ କ୍ଷମତାଶାଳୀ ଥିଲା । ଗ୍ରୀସ୍‌ରାଜ୍ୟସ୍ଥ ମାସିଡନ ନାମକ କ୍ଷୁଦ୍ର ରାଜ୍ୟରେ ପିଲିଫ୍‌ନାମକ ଜଣେ ରାଜା ରାଜତ୍ୱ କରୁଥିଲେ । ଆଲେକଜାଣ୍ଡର ତାଙ୍କର ପୁତ୍ର, ସେ ଜଣେ ପୃଥିବୀ ବିଖ୍ୟାତ ଯୋଦ୍ଧା ଥିଲେ । ସେ ଗୋଟିଏ ଛୋଟିଆ ରାଜ୍ୟର ରାଜାଙ୍କ ପୁଅ ଥିଲେ ସୁଦ୍ଧା ନିଜ ବାହୁବଳରେ ମାସିଡନଠାରୁ ହିନ୍ଦୁକୁଶ ପର୍ଯ୍ୟନ୍ତ ସମସ୍ତ ଦେଶ ଜୟ କରିଥିଲେ । ତତ୍‌ପରେ ସେ ହିନ୍ଦୁକୁଶ ପାର ହୋଇ ପାହାଡ଼ିଆ ଜାତିମାନଙ୍କୁ ପରାସ୍ତ କଲେ (ଖ୍ରୀ: ପୂ: ୩୨୭) ଓ ଖାଇବାର ଗିରିସଂକଟ ବାଟେ ପଞ୍ଜାବରେ ପ୍ରବେଶ କଲେ । ସେତେବେଳେ ପଞ୍ଜାବ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ଥିଲା ଓ ତକ୍ଷଶିଳା ପଞ୍ଜାବର ଗୋଟିଏ ପ୍ରସିଦ୍ଧ ନଗରୀ ଥିଲା । ସେ ସିନ୍ଧୁନଦୀ ପାର ହୋଇ ତକ୍ଷଶିଳା ଆକ୍ରମଣ କଲେ-। ସେଠାର ରାଜା ଅମ୍ଭି ଦୁର୍ବଳ ଥିବାରୁ ତାଙ୍କର ଶରଣ ପଶିଲେ ଓ ତାଙ୍କୁ ସୈନ୍ୟ ଓ ଧନ ସାହାଯ୍ୟ ଦେଇଥିଲେ । ତତ୍‌ପରେ ସେ ଝେଲମ ନଦୀ ଓ ଚେନାବ ନଦୀ ମଧ୍ୟବର୍ତ୍ତୀ ରାଜ୍ୟ ଆକ୍ରମଣ କଲେ-। ସେଠାରେ ପୁରୁ ନାମକ ଜଣେ କ୍ଷମତାଶାଳୀ ରାଜା ରାଜତ୍ୱ କରୁଥିଲେ । ସେ ଆଲେକଜାଣ୍ଡରଙ୍କ ସଙ୍ଗେ ଭୀଷଣ ଯୁଦ୍ଧ କଲେ । ସେ ଭୀରୁ ପରି ଶତ୍ରୁର ଅଧୀନତା ସ୍ୱୀକାର କଲେ ନାହିଁ । ଦେହରେ ନଅ ଜାଗାରେ ଆଘାତ ପାଇ ମଧ୍ୟ ସେ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରିଥିଲେ କିନ୍ତୁ ପରାସ୍ତ ହୋଇଗଲେ (ଖ୍ରୀ: ପୂ: ୩୨୬) । ସେ ବନ୍ଦୀ ହୋଇ ଗ୍ରୀକ୍‌ବୀରଙ୍କ ନିକଟକୁ ଅଣା ହୋଇଥିଲେ । ଆଲେକଜାଣ୍ଡର ତାଙ୍କର ବୀରତ୍ୱ ଦେଖି ମୁଗ୍ଧ ଓ ଚକିତ ହୋଇଥିଲେ । ତେଣୁ ସେ ପୁରୁଙ୍କୁ ପଚାରିଲେ, ‘‘ତୁମ୍ଭେ କି ପ୍ରକାର ବ୍ୟବହାର ଚାହଁ ?’’ ପୁରୁ ବୀର ପରି କହିଲେ, ‘‘ମୁଁ ରାଜୋଚିତ ବ୍ୟବହାର ଚାହେଁ ।’’ ମହାବୀର ତାଙ୍କର ବୀରୋଚିତ ଉତ୍ତର ଶୁଣି ସନ୍ତୁଷ୍ଟ ହେଲେ ଓ ତାଙ୍କୁ ବନ୍ଦୀରୁ ଖଲାସ କରି ତାଙ୍କ ରାଜ୍ୟ ତାଙ୍କୁ ଫେରାଇ ଦେଇଥିଲେ । ଉଭୟଙ୍କ ମଧରେ ବନ୍ଧୁତା ସ୍ଥାପିତ ହେଲା-। ଏହା ପରେ ଗ୍ରୀକ୍‌ବୀର ପଞ୍ଜାବର ଅନେକ ଛୋଟ ଛୋଟ ରାଜ୍ୟ ଜୟ କରିଥିଲେ-। ମଗଧ ପର୍ଯ୍ୟନ୍ତ ଜୟ କରିବା ତାଙ୍କର ଇଚ୍ଛା ଥିଲା । ଗ୍ରୀକ୍‌ସୈନ୍ୟମାନେ ବହୁକାଳ ଘରଦ୍ୱାର ଛାଡ଼ି ବିଦେଶରେ ଯୁଦ୍ଧ କରିଥିବାରୁ କ୍ଳାନ୍ତ ହୋଇ ଯାଇଥିଲେ । ସେମାନେ ଭାରତୀୟମାନଙ୍କର ବୀରତ୍ୱ ଦେଖି ମଧ୍ୟ ଚକିତ ହୋଇଥିଲେ । ତେଣୁ ସେମାନେ ଆଉ ଅଧିକଦୂର ଯିବାକୁ ରାଜି ନ ହେବାରୁ ଆଲେକଜାଣ୍ଡର ବାଧ୍ୟ ହୋଇ ସିନ୍ଧୁନଦୀ, ଆରବ ସାଗର ଓ ପାରସ୍ୟ ଉପସାଗର ବାଟେ ସ୍ୱଦେଶକୁ ଫେରି ଗଲେ । ଫେରିଯିବାବେଳେ ସିନ୍ଧୁନଦୀ କୂଳରେ ବାସ କରୁଥିବା କେତେକ ଜାତି ତାଙ୍କ ସହିତ ଭୀଷଣ ଯୁଦ୍ଧ କରିଥିଲେ । ସେ ବାଟରେ ବାବିଲନ ନାମକ ସ୍ଥାନରେ ଖ୍ରୀ: ପୂ: ୩୨୩ ରେ ପ୍ରାଣ ତ୍ୟାଗ କଲେ । ମୃତ୍ୟୁ ପରେ ତାଙ୍କର ବିରାଟ ସାମ୍ରାଜ୍ୟ ତାଙ୍କର ସେନାପତିମାନଙ୍କ ମଧ୍ୟରେ ବିଭକ୍ତ ହୋଇଥିଲା । ସେଲିଉକସ ନାମକ ଜଣେ ସେନାପତି ତାଙ୍କ ସାମ୍ରାଜ୍ୟର ପୂର୍ବାଂଶ ପାଇଥିଲେ । ଆଲେକଜାଣ୍ଡରଙ୍କ ଅନ୍ୟ ନାମ ସିକନ୍ଦର । ସେ ଭାରତର ପ୍ରଥମ ଇଉରୋପୀୟ ବିଜେତା ।

Image

(ମାହାବୀର ଆଲେକଜାଣ୍ଡର)

 

ଆଲେକଜାଣ୍ଡରଙ୍କ ଆକ୍ରମଣର ଫଳ – ଆଲେକଜାଣ୍ଡରଙ୍କ ମୃତ୍ୟୁ ସଙ୍ଗେ ସଙ୍ଗେ ପଞ୍ଜାବରୁ ଗ୍ରୀକ୍‌ଆଧିପତ୍ୟ ଲୋପ ପାଇଗଲା ସତ୍ୟ, କିନ୍ତୁ ସେହି ସମୟଠାରୁ ଦୁଇ ସଭ୍ୟ ଦେଶ ଗ୍ରୀସ୍‌ଓ ଭାରତବର୍ଷ ମଧ୍ୟରେ ସମ୍ବନ୍ଧ ସ୍ଥାପିତ ହେଲା । ଅନେକ ଗ୍ରୀକ୍‌ବା ଯବନ ଭାରତର ଉତ୍ତର ପଶ୍ଚିମାଞ୍ଚଳରେ ବାସ କରିବାକୁ ଲାଗିଲେ ଓ କେତେ ଗ୍ରୀକ୍‌ବୀର ପୁନର୍ବାର ଭାରତ ଜୟ କରିବାକୁ ଚେଷ୍ଟା କରିଥିଲେ । କାଳକ୍ରମେ ଅନେକ ଗ୍ରୀକ୍‌ବୌଦ୍ଧ ଓ ହିନ୍ଦୁଧର୍ମ ଗ୍ରହଣ କରିଥିଲେ । ଗ୍ରୀକ୍‌ମାନେ ଆମ୍ଭ ଦେଶରୁ ଦର୍ଶନ, ଅଙ୍କ ପ୍ରଭୃତି ବିଷୟରେ ଅନେକ କଥା ଶିଖିଥିଲେ ଏବଂ ଗ୍ରୀକ୍‌ଶିଳ୍ପ ଓ ସଭ୍ୟତା ମଧ୍ୟ ପଞ୍ଜାବ ଅଞ୍ଚଳରେ ପ୍ରଚଳିତ ହୋଇଥିଲା ।

Image

 

ସପ୍ତମ ଅଧ୍ୟାୟ

 

ମୌର୍ଯ୍ୟବଂଶ ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ – ନନ୍ଦବଂଶର ଶେଷ ରାଜାଙ୍କୁ ପରାସ୍ତ କରି ଚନ୍ଦ୍ରଗୁପ୍ତ ମଗଧର ସିଂହାସନରେ ଆରୋହଣ କରିଥିଲେ । କେତେକଙ୍କ ମତରେ ସେ ନନ୍ଦରାଜାଙ୍କର ରକ୍ଷିତା ‘ମୁରା’ ନାମ୍ନୀ ସ୍ତ୍ରୀଙ୍କର ପୁତ୍ର ଥିବାରୁ ତାଙ୍କଦ୍ୱାରା ପ୍ରତିଷ୍ଠିତ ବଂଶର ନାମ ମୌର୍ଯ୍ୟବଂଶ । କିନ୍ତୁ ବୌଦ୍ଧଗ୍ରନ୍ଥରୁ ଜଣାଯାଏ ଯେ ପିପ୍ପଳବନ ନାମକ ସ୍ଥାନରେ ମୌର୍ଯ୍ୟ ନାମକ କ୍ଷତ୍ରିୟକୁଳ ବାସ କରୁଥିଲେ । ଚନ୍ଦ୍ରଗୁପ୍ତ ସେହି ବଂଶର ପ୍ରଥମ କ୍ଷମତାଶାଳୀ ରାଜା ଥିବାରୁ ଏହି ବଂଶର ନାମ ମୌର୍ଯ୍ୟବଂଶ ହେଲା ।

 

ନନ୍ଦବଂଶର ଅତ୍ୟାଚାରରେ ଲୋକମାନେ ବଡ଼ ଅସନ୍ତୁଷ୍ଟ ହେଉଥିଲେ । ନନ୍ଦରାଜା ତକ୍ଷଶିଳାର ଚାଣକ୍ୟ ବା କୌଟିଲ୍ୟ ନାମକ ଜଣେ ବ୍ରାହ୍ମଣ ପଣ୍ଡିତଙ୍କୁ ଅପମାନ ଦେଇଥିଲେ । ଚାଣକ୍ୟ ବିଚକ୍ଷଣ ରାଜନୀତିଜ୍ଞ ଥିଲେ । ସେ ନନ୍ଦରାଜାଙ୍କ ଅପମାନର ପ୍ରତିଶୋଧ ନେବାପାଇଁ ଅଟଳ ପ୍ରତିଜ୍ଞା କରିଥିଲେ । ସେ ଚନ୍ଦ୍ରଗୁପ୍ତଙ୍କୁ ସାହାଯ୍ୟ ଦେଇ ନନ୍ଦବଂଶର ଧ୍ୱଂସ ସାଧନ କରିଥିଲେ-। ନନ୍ଦରାଜାଙ୍କୁ ମାରି ଚନ୍ଦ୍ରଗୁପ୍ତ ଖ୍ରୀ: ପୂ: ୩୨୨ରେ ମଗଧର ସମ୍ରାଟ୍‌ହେଲେ । ଆଲେକଜାଣ୍ଡରଙ୍କ ମୃତ୍ୟୁ ଖବର ପାଇ ଚନ୍ଦ୍ରଗୁପ୍ତ କେତେକ ପାହାଡ଼ିଆ ଜାତିଙ୍କ ସାହାଯ୍ୟରେ ଗ୍ରୀକ୍‌ମାନଙ୍କୁ ପଞ୍ଜାବରୁ ତଡ଼ିଦେଇ ବିଶାଳ ସାମ୍ରାଜ୍ୟ ସୃଷ୍ଟି କରିଥିଲେ ।

 

ଆଲେକଜାଣ୍ଡରଙ୍କ ମୃତ୍ୟୁ ପରେ ତାଙ୍କର ସେନାପତି ସେଲିଉକସ୍‌ପୁନର୍ବାର ପଞ୍ଜାବ ଜୟ କରିବାପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଚନ୍ଦ୍ରଗୁପ୍ତ ତାଙ୍କୁ ସମ୍ପୂର୍ଣ୍ଣରୂପେ ପରାସ୍ତ କରିଥିଲେ । ଗ୍ରୀକ୍‌ସେନାପତି ବାଧ୍ୟ ହୋଇ ସନ୍ଧି କରିଥିଲେ । ସେହି ସନ୍ଧି ଫଳରେ ସେ ତାଙ୍କ ରାଜ୍ୟର ୪ଟି ପ୍ରଦେଶ ଅର୍ଥାତ୍‌ଆଧୁନିକ ଆଫଗାନିସ୍ଥାନ ଓ ବେଲୁଚିସ୍ଥାନ ଚନ୍ଦ୍ରଗୁପ୍ତଙ୍କୁ ଛାଡ଼ି ଦେଇଥିଲେ । ସେ ନିଜ କନ୍ୟାଙ୍କୁ ଚନ୍ଦ୍ରଗୁପ୍ତଙ୍କ ସହିତ ବିବାହ କରାଇଥିଲେ ଓ ମେଗାସ୍ଥିନିସ୍‌ନାମକ ଗ୍ରୀକ୍‌ଦୂତଙ୍କୁ ତାଙ୍କ ସଭାକୁ ପଠାଇଥିଲେ । ଗ୍ରୀକ୍‌ଦୂତ ମୌର୍ଯ୍ୟ ରାଜସଭାରେ ବହୁଦିନ ରହିଥିଲେ । ଚନ୍ଦ୍ରଗୁପ୍ତ ଗ୍ରୀକ୍‌ମାନଙ୍କ ହସ୍ତରୁ ଭାରତକୁ ରକ୍ଷା କରିଥିଲେ ଓ ସର୍ବପ୍ରଥମେ ଭାରତରେ ବଡ଼ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ।

 

ସମଗ୍ର ଉତ୍ତରଭାରତ ଓ ସୌରାଷ୍ଟ୍ର (କାଠିଆବାଡ଼) ତାଙ୍କ ସାମ୍ରାଜ୍ୟର ଅନ୍ତର୍ଭୁକ୍ତ ଥଲା । ମହୀଶୂର ପର୍ଯ୍ୟନ୍ତ ତାଙ୍କ ରାଜ୍ୟ ବିସ୍ତୃତ ଥିବାର କେତେକ କିମ୍ୱଦନ୍ତୀରୁ ଜଣାଯାଏ । ତାଙ୍କ ପୂର୍ବରୁ ଅନ୍ୟ କୌଣସି ଭାରତୀୟ ନୃପତି ଏପରି ବିଶାଳରାଜ୍ୟ ଶାସନ କରୁଥିବାର ଜଣାଯାଏ ନାହିଁ । କିନ୍ତୁ ତାଙ୍କ ସମୟରେ ଆମ୍ଭ ଓଡ଼ିଶା ଦେଶ ସ୍ୱାଧୀନ ଥିଲା । ଚାଣକ୍ୟ ତାଙ୍କର ମନ୍ତ୍ରୀ ଥିଲେ । ସେ ଅର୍ଥଶାସ୍ତ୍ର ନାମକ ବିରାଟ ଗ୍ରନ୍ଥରେ ରାଜନୀତି ସମ୍ୱନ୍ଧରେ ଅନେକ କଥା ଲେଖିଅଛନ୍ତି ।

 

ମେଗାସ୍ଥିନିସ୍‌ଙ୍କ ଭାରତ ବିବରଣ – ଗ୍ରୀକ୍‌ଦୂତ ମେଗାସ୍ଥିନିସ୍‌ଚନ୍ଦ୍ରଗୁପ୍ତଙ୍କ ଶାସନ ଓ ପାଟଳୀପୁତ୍ର ସମ୍ୱନ୍ଧରେ ଗୋଟିଏ ବଡ଼ ଗ୍ରନ୍ଥ ଲେଖିଥିଲେ । ଗ୍ରନ୍ଥର ଅଧିକାଂଶ ନଷ୍ଟ ହୋଇଯାଇଛି, ତାହାର କେତେକାଂଶ ଆଜିକାଲି ମିଳୁଛି । ସେଥିରୁ ନିମ୍ନୋକ୍ତ ବିଷୟ ଜଣାଯାଏ ।

 

ପାଟଳୀପୁତ୍ର – ପାଟଳୀପୁତ୍ର ବା ପାଟଣା ଚନ୍ଦ୍ରଗୁପ୍ତଙ୍କ ସାମ୍ରାଜ୍ୟର ରାଜଧାନୀ ଥିଲା । ଏହା ନଅ ମାଇଲ ଲମ୍ୱ ଓ ପ୍ରାୟ ଦୁଇମାଇଲ ଓସାର ଥିଲା । ଏହାର ଚତୁର୍ଦ୍ଦିଗରେ ଗୋଟିଏ ସୁଦୃଢ଼ ପ୍ରାଚୀର ଥିଲା । ଏହି ପ୍ରାଚୀରରେ ୫୭୦ଟି ଗମ୍ୱୁଜ ଓ ୬୪ଟି ଫାଟକ ଥିଲା । ପ୍ରାଚୀର ଚାରିପଟେ ଗୋଟିଏ ଗଭୀର ପରିଖା ବା ଗଡ଼ଖାଇ ଥିଲା । ଏହି ଖାଇଟି ସର୍ବଦା ଜଳପୂର୍ଣ୍ଣ ଥିଲା । ନଗର ମଧ୍ୟରେ ରାଜାଙ୍କର ଗୋଟିଏ ପ୍ରକାଣ୍ଡ ରାଜବାଟୀ ଥିଲା । ରାଜବାଟୀଟି କାଠରେ ତିଆରି ହୋଇଥିଲା ଓ ସୁନ୍ଦର କାରୁକାର୍ଯ୍ୟଖଚିତ ଥିଲା । ରାଜସଭାର ଆଡ଼ମ୍ବର ଅତି ଚମତ୍କାର ଥିଲା । ସଭାଗୃହର କାନ୍ଥମାନଙ୍କରେ ସୁନାତିଆାରି ଲତାମାନଙ୍କରେ ନାନାରତ୍ନନିର୍ମିତ ପକ୍ଷୀସବୁ ଖଞ୍ଜାହୋଇଥିଲେ । ରାଜବାଟୀର ବାସନସବୁ ସୁନାରେ ତିଆରି ହୋଇଥିଲା । ରାଜା ସୁନାର ପାଲିଙ୍କିରେ ଯିବା ଆସିବା କରୁଥିଲେ ଓ ବହୁମୂଲ୍ୟ ପୋଷାକ ପିନ୍ଧୁଥିଲେ । ତାଙ୍କୁ ଜଗିବା ସକାଶେ ସ୍ତ୍ରୀ ପ୍ରହରୀମାନେ ନିଯୁକ୍ତ ଥିଲେ । ମେଷ, ବୃଷ, ହସ୍ତୀ, ଗଣ୍ଡାରମାନଙ୍କର ଯୁଦ୍ଧ ଓ ଶିକାର ରାଜାଙ୍କର ବଡ଼ ପ୍ରିୟ ବ୍ୟସନ ଥିଲା ।

 

ପାଟଳୀପୁତ୍ରର ଶାସନଭାର ଗୋଟିଏ ୩୦ ଜଣିଆ କମିଟି ବା (ମ୍ୟୁନିସିପାଲିଟି) ହାତରେ ଥିଲା । ଏହି ସଭାଟି ୬ଟି ପଞ୍ଚାୟତରେ ବିଭକ୍ତ ହୋଇଥିଲା । ପଞ୍ଚାୟତମାନଙ୍କର କାମ ବଣ୍ଟା ହୋଇଥିଲା । ସେମାନେ ବିଦେଶୀମାନଙ୍କର ଯତ୍ନ ନେଉଥିଲେ । ଜନ୍ମମୃତ୍ୟୁର ତାଲିକା ରଖୁଥିଲେ । ବିକ୍ରୀ ଜିନିସ ଉପରେ ତୋଳା ଅସୁଲ କରୁଥିଲେ । ବାଣିଜ୍ୟ ବ୍ୟବସାୟ ଓ କୁଟିରଶିଳ୍ପର ତତ୍ତ୍ୱ ନେଉଥିଲେ । ଏହାଛଡ଼ା ସେମାନେ ରାସ୍ତା, ଘାଟ, ମନ୍ଦିର ଓ ସହରର ସ୍ୱାସ୍ଥ୍ୟରକ୍ଷା ପ୍ରତି ଦୃଷ୍ଟି ଦେଉଥିଲେ ।

 

ଚନ୍ଦ୍ରଗୁପ୍ତଙ୍କର ପ୍ରକାଶ ଚତୁରଙ୍ଗବଳ ଥିଲା । ସେଥିରେ ୬ ଲକ୍ଷ ପଦାତି, ୩୦ ହଜାର ଅଶ୍ୱାରୋହୀ, ୯ ହଜାର ଗଜାରୋହୀ ଓ ବହୁସଂଖ୍ୟକ ରଥ ଥିଲା । ଏହା ବ୍ୟତୀତ ଅନେକ ନୌସୈନ୍ୟ ମଧ୍ୟ ଥିଲେ । ଯୁଦ୍ଧକ୍ଷେତ୍ରକୁ ଜିନିଷପତ୍ର ଯିବାର ସୁବ୍ୟବସ୍ଥା ଥିଲା । ଏହି ୬ଟି ବିଭାଗ ୬ଟି ପଞ୍ଚାୟତ ହାତରେ ଥିଲା । ସୈନ୍ୟମାନେ ସୁଶିକ୍ଷିତ ଥିଲେ । ସେମାନଙ୍କର ସମସ୍ତ ଖର୍ଚ୍ଚ ରାଜକୋଷରୁ ଦିଆଯାଉଥିଲା ।

 

ରାଜ୍ୟର ଖବର ରଖିବା ପାଇଁ ଅନେକ ଗୁପ୍ତଚର ନିଯୁକ୍ତ ହୋଇଥିଲେ । ଆଇନ କାନୁନ ବଡ଼ କଡ଼ା ଥିଲା । ଚୋରି, ଡକାୟତି ବ୍ୟଭିଚାର, ଠକାମି, ଜାଲ୍‌ଜୁଆଚୋରି, ମିଥ୍ୟାସାକ୍ଷ୍ୟ ପ୍ରଭୃତି ଦୋଷ ପାଇଁ ବଡ଼ କଠିନ ଦଣ୍ଡ ଦିଆଯାଉଥିଲା; ତେଣୁ ଦେଶରେ ଚୋରି ଡକାୟତି ହେଉ ନ ଥିଲା ଓ ଲୋକମାନେ ସୁଖଶାନ୍ତିରେ ଥିଲେ । ଲୋକମାନେ ସତ୍ୟବାଦୀ ଓ ସାହସୀ ଥିଲେ ଏବଂ ପବିତ୍ର ଭାବରେ ଜୀବନ ଯାପନ କରୁଥିଲେ । ଦେଶ ଧନ ରତ୍ନରେ ପରିପୂର୍ଣ୍ଣ ଥିଲା ।

 

ରାଜ୍ୟର ଚାରିଆଡ଼ୁ ଯିବାପାଇଁ ରାସ୍ତାମାନ ତିଆରି ହୋଇଥିଲା । ରାସ୍ତାମାନଙ୍କରେ ଦୂରତ୍ୱ ଜାଣିବା ପାଇଁ ପ୍ରତି ଅଧ କୋଶରେ ଖୁଣ୍ଟିମାନ ପୋତା ହୋଇଥିଲା । ପାଟଳୀପୁତ୍ରଠାରୁ ଉତ୍ତର ପଶ୍ଚିମ ସୀମାନ୍ତ ପର୍ଯ୍ୟନ୍ତ ଗୋଟିଏ ଚଉଡ଼ା ଓ ମଜଭୁତ୍‌ରାସ୍ତା ଥିଲା । ଜଳସେଚନ କାର୍ଯ୍ୟର ତତ୍ତ୍ୱ ନେବାପାଇଁ କେତେକ କର୍ମଚାରୀ ଥିଲେ । ଏ ସମସ୍ତ ପାଠ କଲେ ଜଣାଯାଏ, ଚନ୍ଦ୍ରଗୁପ୍ତ ପ୍ରାଚୀନ ଭାରତର ଜଣେ ବିଖ୍ୟାତ ସମ୍ରାଟ ଥିଲେ । ସେ ଖ୍ରୀ: ପୂ: ୨୯୮ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ।

 

ବିନ୍ଦୁସାର – ଚନ୍ଦ୍ରଗୁପ୍ତଙ୍କ ପରେ ବିନ୍ଦୁସାର ମଗଧର ସମ୍ରାଟ ହେଲେ । ତାଙ୍କ ସଙ୍ଗରେ କଳିଙ୍ଗ ଓ କାବେରୀ ନଦୀର ଦକ୍ଷିଣରେ ଥିବା ରାଜ୍ୟ ବ୍ୟତୀତ ସମସ୍ତ ଭାରତବର୍ଷ ତାଙ୍କ ଦ୍ୱାରା ଶାସିତ ହେଉଥିଲା । ବିନ୍ଦୁସାର ଦାକ୍ଷିଣାତ୍ୟ ବିଜୟ କରିଥିବାର ଅନେକ ମନେକରନ୍ତି ।

 

ପ୍ରୟଦର୍ଶୀ ଅଶୋକ – ବିନ୍ଦୁସାରଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ରମାନଙ୍କ ମଧ୍ୟରେ ସିଂହାସନ ପାଇଁ ବିବାଦ ଲାଗିଥିଲା । କିନ୍ତୁ ଶେଷରେ ଅଶୋକ ସମସ୍ତଙ୍କୁ ହରାଇ ପିତାଙ୍କ ମୃତ୍ୟୁର ଚାରିବର୍ଷ ପରେ ଖ୍ରୀ:ପୂ: ୨୬୯ ରେ ରାଜା ହେଲେ । ସେ ରାଜା ହେବାର ଆଠବର୍ଷ ପରେ କଳିଙ୍ଗ ବା ଓଡ଼ିଶା ପ୍ରଦେଶ ଜୟ କରିବାକୁ ବାହାରିଲେ । ସେତେବେଳେ କଳିଙ୍ଗ ଗୋଦାବରୀଠାରୁ ଗଙ୍ଗା ପର୍ଯ୍ୟନ୍ତ ବିସ୍ତୃତ ଥିଲା । ଏଠାର ଲୋକମାନେ ବଳବାନ୍‌, ସାହସୀ ଓ ଧନୀ ଥିଲେ । ଭାରତ ମହାସାଗରରେ ଥିବା ଦ୍ୱୀପପୁଞ୍ଜ ଓ ବ୍ରହ୍ମଦେଶ ସହିତ ସମୁଦ୍ରବାଣିଜ୍ୟ କରି ଏମାନେ ବହୁ ଧନରତ୍ନ ଦେଶକୁ ଆଣୁଥିଲେ । କଳିଙ୍କ ରାଜାଙ୍କର ପ୍ରକାଣ୍ଡ ସେନା ଥିଲା । ଅଶୋକ ଏହି ଶକ୍ତିଶାଳୀ ରାଜ୍ୟକୁ ଜୟ କରିବାପାଇଁ ବହୁତ ସୈନ୍ୟ ଆଣିଥିଲେ । କଳିଙ୍ଗବାସୀମାନେ ତାଙ୍କ ସହିତ ଦୁଇବର୍ଷ କାଳ ଭୀଷଣ ଯୁଦ୍ଧ କଲେ । ଏହି ଯୁଦ୍ଧରେ କଳିଙ୍ଗର ଦେଢ଼ଲକ୍ଷ ଲୋକ ବନ୍ଦୀ ଓ ଲକ୍ଷେ ଲୋକ ନିହତ ହେଲେ ଏବଂ ଅନାହାର ଓ ଯନ୍ତ୍ରଣାରେ ଅସଂଖ୍ୟ ଲୋକ ମରିଗଲେ । ଅଶୋକ ଯୁଦ୍ଧରେ ଜୟଲାଭ କଲେ ସତ, କିନ୍ତୁ କଳିଙ୍ଗର ପାର୍ବତ୍ୟ ଅଞ୍ଚଳ ବିଜିତ ହୋଇ ପାରିଲା ନାହିଁ । ଏହି ଯୁଦ୍ଧରୁ ସ୍ପଷ୍ଟ ଜଣାଯାଏ ଯେ ସେକାଳର ଓଡ଼ିଆମାନେ ଖୁବ୍‌ସାହସୀ ଓ ଯୋଦ୍ଧା ଥିଲେ । ମାତୃଭୂମିର ସ୍ୱାଧୀନତା ରକ୍ଷା କରିବା ପାଇଁ ପ୍ରାଣପଣେ ଚେଷ୍ଟା କରିଥିଲେ । ଏହି ଯୁଦ୍ଧର ବିକଟ ଦୃଶ୍ୟ ଦେଖି ଅଶୋକଙ୍କ ମନରେ ଭୀଷଣ ଦୁଃଖ ହେଲା । ଯୁଦ୍ଧରେ ଘଟିଥିବା ରକ୍ତପାତ ଓ ଦେଶଧ୍ୱଂସ ବିଷୟ ଚିନ୍ତାକରି ସେ ବିଶେଷ ଅନୁତାପ ଭୋଗ କଲେ । ତାଙ୍କ ହୃଦୟ ଆକୁଳ ହେଲା ଓ ସେ ଶାନ୍ତି ପାଇଁ ସର୍ବଦା ବ୍ୟାକୁଳ ହେଲେ । ପରିଶେଷରେ ସେ ଉପଗୁପ୍ତ ନାମକ ବୌଦ୍ଧସନ୍ନ୍ୟାସୀଙ୍କ ଦ୍ୱାରା ବୌଦ୍ଧଧର୍ମରେ ଦୀକ୍ଷିତ ହେଲେ । ସେ ପ୍ରଥମେ ଜଣେ ଉପାସକ ବା ଗୃହୀ ବୌଦ୍ଧ ଥିଲେ । କିନ୍ତୁ ଏହି ଧର୍ମପ୍ରତି ସେ କ୍ରମେ କ୍ରମେ ଏପରି ଆକୃଷ୍ଟ ହେଲେ ଯେ ଶେଷରେ ଜଣେ ନୈଷ୍ଠିକ ବୌଦ୍ଧ ହେଲେ । ଏହି ଧର୍ମର ଉନ୍ନତି ଓ ପ୍ରସାର ପାଇଁ ସେ ନିଜର ସମସ୍ତ ଧନ ଓ ଶକ୍ତି ବ୍ୟୟ କରିଥିଲେ ।

 

ଅଶୋକ ଓ ବୌଦ୍ଧଧର୍ମ – ସେ ଏହି ଧର୍ମର ଉନ୍ନତି ଓ ପ୍ରସାର ପାଇଁ ଯେପରି ମନପ୍ରାଣ ଢାଳି ଦେଇଥିଲେ ପୃଥିବୀର ଅନ୍ୟ କୌଣସି ରାଜା ଅନ୍ୟ କୌଣସି ଧର୍ମ ସକାଶେ ସେପରି କରିନାହାନ୍ତି । ସେ ଭାରତର ବିଭିନ୍ନ ଦେଶରେ ଓ ସୁଦୂର ଗ୍ରୀକ୍‌ରାଜ୍ୟମାନଙ୍କରେ ଏହି ଧର୍ମର ପ୍ରଚାର ପାଇଁ ଶତ ଶତ ପ୍ରଚାରକ ନିଯୁକ୍ତ କରିଥିଲେ । ବୌଦ୍ଧ ଶ୍ରମଣ ବା ଭିକ୍ଷୁ ଓ ଭିକ୍ଷୁଣୀମାନେ ରହିବାପାଇଁ ଦେଶର ନାନା ସ୍ଥାନରେ ବିହାର ବା ମଠମାନ ନିର୍ମାଣ କରିଥିଲେ । ରାଜ୍ୟର ନାନା ସ୍ଥାନରେ ସ୍ତୂପ ଓ ଚୈତ୍ୟମାନ ନିର୍ମିତ ହୋଇଥିଲା । ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ୱିନୀ ଗ୍ରାମରେ ଗୋଟିଏ ସ୍ମୃତିସ୍ତମ୍ଭ ନିର୍ମାଣ କରିଥିଲେ । ସେଠାକୁ ଯିବାପାଇଁ ପାଟଳୀପୁତ୍ରଠାରୁ ଗୋଟିଏ ରାସ୍ତା ନିର୍ମିତ ହୋଇ ତାହାର ଦୁଇ ପାଖରେ ସ୍ତମ୍ଭମାନ ପୋତା ହୋଇଥିଲା । ପାହାଡ଼, ଗୁମ୍ଫା ଓ ବଡ଼ ବଡ଼ ସ୍ତମ୍ଭମାନଙ୍କରେ ଲୋକମାନଙ୍କୁ ଶିକ୍ଷା ଦେବାପାଇଁ ଧର୍ମ ଉପଦେଶ ବା ଅନୁଶାସନମାନ ପାଲି ଭାଷାରେ ଲେଖା ହୋଇଥିଲା । ସେଗୁଡ଼ିକ ଅଦ୍ୟାପି ଭାରତର ନାନା ସ୍ଥାନରେ ଦେଖାଯାଏ । ପୁରୀ ଜିଲାର ଧଉଳୀ ପାହାଡ଼ ଓ ଗଞ୍ଜାମ ଜିଲାର ଯୌଗଡ଼ ପର୍ବତରେ ଅଶୋକଙ୍କ ଅନୁଶାସନମାନ ଆଜି ପର୍ଯ୍ୟନ୍ତ ରହିଛି । ସେ ରାସ୍ତାର ଦୁଇ ପାଖରେ ଛାୟାଗଛ ଓ ଫଳଗଛ ଲଗାଇଥିଲେ; କୁଅ, ପୋଖରୀ ଖୋଳାଇଥିଲେ ଓ ପାନ୍ଥଶାଳାମାନ ନିର୍ମାଣ କରିଥିଲେ । ମନୁଷ୍ୟ ଓ ପଶୁମାନଙ୍କର ଚିକିତ୍ସାପାଇଁ ଚିକିତ୍ସାଳୟମାନ ନିର୍ମାଣ କରିଥିଲେ । ଲୋକମାନେ ବିନା ମୂଲ୍ୟରେ ଓ ସହଜରେ ଔଷଧ ପାଉଥିଲେ । ସେ ଯୁଗରେ ଅଶୋକ ପ୍ରଥମେ ପଶୁଚିକିତ୍ସା ଭାରତରେ ଚଳାଇଥିଲେ । ନିଜ ରାଜ୍ୟ ମଧ୍ୟରେ ଜୀବବଧ ନିଷେଧ କରିଥିଲେ । ସମାଜ ବା ଉତ୍ସବ ଇତ୍ୟାଦି କରିବାକୁ ମନା କରିଥିଲେ । ବୌଦ୍ଧଭିକ୍ଷୁମାନଙ୍କୁ ଦାନ ଦେଉଥିଲେ । ଅନେକଗୁଡ଼ିଏ ବୌଦ୍ଧଗ୍ରନ୍ଥ ଲେଖାଇଥିଲେ । ତାଙ୍କରି ଯତ୍ନରେ ପାଟଳୀପୁତ୍ର ନଗରୀରେ ଗୋଟିଏ ବୌଦ୍ଧ ସଭା ବସି ବୌଦ୍ଧଧର୍ମ ଓ ବୌଦ୍ଧଗ୍ରନ୍ଥ ସମ୍ୱନ୍ଧରେ ଅନେକ ଆଲୋଚନା ହୋଇଥିଲା । ତାଙ୍କର ପୁଅ ମହେନ୍ଦ୍ର ଓ କନ୍ୟା ସଂଘମିତ୍ରା ବୌଦ୍ଧଧର୍ମ ପ୍ରଚାର ପାଇଁ ଲଙ୍କା ଦ୍ୱୀପକୁ ଯାଇଥିଲେ । ଅଶୋକ ଶେଷକୁ ନିଜେ ବୌଦ୍ଧଭିକ୍ଷୁ ହୋଇ ବୌଦ୍ଧ ତୀର୍ଥମାନ ପରିଦର୍ଶନ କରିଥିଲେ । ସେ ନୈଷ୍ଠିକ ବୌଦ୍ଧ ଥିଲେ ମଧ୍ୟ ଅନ୍ୟ ଧର୍ମ ପ୍ରତି ଆଦୌ ଅନାଦାର ବା ଘୃଣା ପ୍ରକାଶ କରୁ ନ ଥିଲେ । ତାଙ୍କ ପୂର୍ବରୁ ଭାରତର ଅତି ଅଳ୍ପ ଲୋକ ବୌଦ୍ଧ ଥିଲେ, କିନ୍ତୁ ତାଙ୍କ ରାଜତ୍ୱରେ ଏହା ସମଗ୍ର ଭାରତରେ ଓ ସିରିଆ, ମାସିଡନ, ମିଶର ପ୍ରଭୃତି ଦୂର ଦେଶମାନଙ୍କରେ ମଧ୍ୟ ବ୍ୟାପି ଯାଇଥିଲା । ଏହି ଧର୍ମର ଅପୂର୍ବ ଉନ୍ନତି ଯୋଗୁଁ ସେ ‘ଦେବପ୍ରିୟ ପ୍ରିୟଦର୍ଶୀ’ ନାମରେ କଥିତ ହୋଇଥିଲେ ।

 

Image

(ଅଶୋକ ସ୍ତମ୍ଭର ଅଗ୍ରଭାଗ)

 

ରାଜ୍ୟଶାସନ ପ୍ରଣାଳୀ – ସେ ଚନ୍ଦ୍ରଗୁପ୍ତଙ୍କ ଶାସନ ପ୍ରଣାଳୀ ଅନୁସାରେ ଦେଶ ଶାସନ କରୁଥିଲେ । ସେ ବଡ଼ ଉଦାର, ଦୟାଳୁ ଓ ଧାର୍ମିକ ଥିଲେ । ସେ କହୁଥିଲେ,‘‘ପ୍ରଜାମାନେ ମୋର ପୁଅ ପରି । ସେମାନଙ୍କର କୌଣସି ଦୁଃଖ, କଷ୍ଟ ଓ ଅସୁବିଧା ନ ହେବାପାଇଁ ମୁଁ ସର୍ବଦା ଚେଷ୍ଟା କରିବି । ପ୍ରଜାମାନେ ଯେ କୌଣସି ସମୟରେ, ଯେ କୌଣସି ସ୍ଥାନରେ ମୋ ପାଖକୁ ଆସି ସେମାନଙ୍କର ହାରି ଗୁହାରି ଜଣାଇ ପାରିବେ । ମୁଁ ସେମାନଙ୍କର ସେବକ । ପ୍ରଜାମାନଙ୍କର ସେବା କରିବାପାଇଁ ଓ ସେମାନଙ୍କର ଋଣ ପରିଶୋଧ କରିବା ପାଇଁ ମୁଁ ରାଜା ହୋଇ ଜନ୍ମହୋଇଛି ।’’ ରାଜ୍ୟଶାସନର ଏପରି ଉଚ୍ଚ ଆଦର୍ଶ ସମଗ୍ର ପୃଥିବୀରେ ମଧ୍ୟ ବିରଳ ।

 

Image

(ପ୍ରିୟଦର୍ଶୀ ଅଶୋକ)

 

ରାଜ୍ୟ ଶାସନ ପାଇଁ ସମଗ୍ର ରାଜ୍ୟ ଚାରି ଭାଗରେ ବିଭକ୍ତ ହୋଇଥିଲା । ପ୍ରତ୍ୟେକ ବିଭାଗର ଶାସନ ପାଇଁ ତାର ରାଜଧାନୀରେ ଜଣେ ଲେଖାଏଁ ଶାସନକର୍ତ୍ତା ଥିଲେ । ଏହି ଚାରିଜଣ ଶାସନକର୍ତ୍ତା, ଜଣେ ତକ୍ଷଶିଳାରେ, ଜଣେ ଉଜ୍ଜୟିନୀରେ , ଜଣେ ସୁବର୍ଣ୍ଣଗିରି (ମହୀଶୂର ଅନ୍ତର୍ଗତ)ରେ ଓ ଚତୁର୍ଥ ବ୍ୟକ୍ତି କଳିଙ୍ଗ ବିଭାଗର ରାଜଧାନୀ ତୋଷାଳୀରେ ରହୁଥିଲେ । ତୋଷାଳୀ ଭୁବନେଶ୍ୱର ନିକଟବର୍ତ୍ତୀ ଧଉଳି ବୋଲି ପଣ୍ଡିତମାନେ ସ୍ଥିର କରିଛନ୍ତି । ନିଜେ ମହାରାଜା ପାଟଳୀପୁତ୍ରରେ ରହୁଥିଲେ । ସମୟ ସମୟରେ ରାଜ୍ୟ ଖବର ବୁଝିବା ପାଇଁ ସମଗ୍ର ରାଜ୍ୟରେ ଗସ୍ତ କରୁଥିଲେ । ସେ ମନ୍ତ୍ରୀସଭାର ପରାମର୍ଶରେ ରାଜ୍ୟ ଶାସନ କରୁଥିଲେ । ଏହିପରି ସୁଖରେ ୪୦ ବର୍ଷ ରାଜ୍ୟ ପାଳନ କରି ସେ ଖ୍ରୀ:ପୂ:୨୩୨ ରେ ଦେହତ୍ୟାଗ କଲେ । ପୃଥିବୀରେ ବୌଦ୍ଧଧର୍ମ ଥିବା ପର୍ଯ୍ୟନ୍ତ ତାଙ୍କର ନାମ ଚିରସ୍ମରଣୀୟ ହୋଇଥିବ ।

Image

 

ଅଷ୍ଟମ ଅଧ୍ୟାୟ

 

ଅଶୋକଙ୍କ ପରେ ଭାରତର ଅବସ୍ଥା – ଅଶୋକଙ୍କ ମୃତ୍ୟୁ ପରେ ତାଙ୍କର ବଂଶଧରମାନେ ଦୁର୍ବଳ ହୋଇ ପଡ଼ିଲେ । ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟ ପୁନର୍ବାର କ୍ଷୁଦ୍ର କ୍ଷୁଦ୍ର ସ୍ୱାଧୀନ ରାଜ୍ୟରେ ବିଭକ୍ତ ହେଲା ।

 

ସୁଙ୍ଗବଂଶ – ପୁଷ୍ପମିତ୍ର ନାମକ ଜଣେ ସେନାପତି ଶେଷ ମୌର୍ଯ୍ୟ ରାଜା ବୃହଦ୍ରଥଙ୍କୁ ମାରି ମଗଧର ରାଜା ହେଲେ ( ଖ୍ରୀ: ପୂ: ୧୮୫) । ତାଙ୍କଦ୍ୱାରା ପ୍ରତିଷ୍ଠିତ ବଂଶର ନାମ ସୁଙ୍ଗବଂଶ ବା ମିତ୍ରବଂଶ । ସେ ବଡ଼ କ୍ଷମତାଶାଳୀ ରାଜା ଥିଲେ । ଓ ଦୁଇଟି ଅଶ୍ୱମେଧ ଯଜ୍ଞ କରିଥିଲେ । ସେ ଗ୍ରୀକମାନଙ୍କୁ ପରାସ୍ତ କରିଥିଲେ । ସୈନ୍ଧବ ପ୍ରଦେଶ ଓ କଳିଙ୍ଗକୁ ଛାଡ଼ି ସେ ସମଗ୍ର ଉତ୍ତର ଭାରତର ରାଜତ୍ୱ କରୁଥିଲେ । ତାଙ୍କ ପରେ ଏହି ବଂଶ ଦୁର୍ବଳ ହୋଇ ପଡ଼ିଲା । ସୃଙ୍ଗମାନେ ୧୧୨ ବର୍ଷ ରାଜତ୍ୱ କରିଥିଲେ ।

 

କାଣ୍ୱବଂଶ – ମିତ୍ର ବଂଶର ଶେଷ ରାଜାଙ୍କୁ ମାରି ତାଙ୍କର ବ୍ରାହ୍ମଣ ମନ୍ତ୍ରୀ ବାସୁଦେବ ମଗଧରେ କାଣ୍ୱବଂଶ ପ୍ରତିଷ୍ଠା କରିଥିଲେ । ଏହି ବଂଶର ୪ଜଣ ରାଜା ପ୍ରାୟ ୪୫ ବର୍ଷ ରାଜତ୍ୱ କରିଥିଲେ । ଆନ୍ଧ୍ରବଂଶୀୟ ଜଣେ ରାଜା ଏହି ଧ୍ୱଂସ କରି ମଗଧ ଅଧିକାର କରିଥିଲେ ।

 

ଚେତବଂଶ ଓ ଖାରବେଳ – ଅଶୋକଙ୍କ ମୃତ୍ୟୁପରେ କଳିଙ୍ଗ ବା ଆମ୍ଭ ଓଡ଼ିଶାପ୍ରଦେଶ ସ୍ୱାଧୀନ ହୋଇ ପଡ଼ିଲା । ଏଠାରେ ଚେତବଂଶ ରାଜାମାନେ ରାଜତ୍ୱ କଲେ । ଏହି ବଂଶର ପଞ୍ଚମ ରାଜା ଖାରବେଳ ପ୍ରାଚୀନ ଭାରତର ଜଣେ କ୍ଷମତାଶାଳୀ ରାଜା ଥିଲେ । ସେ ଆନ୍ଧ୍ର ରାଜା ସାତକର୍ଣ୍ଣୀଙ୍କୁ ପରାସ୍ତ କରିଥିଲେ । ସେ ମଥୁରା ଓ ସମଗ୍ର ଉତ୍ତରାପଥ (ପଞ୍ଜାବ ଅଞ୍ଚଳ) ଜୟ କରିଥିଲେ । ଅଙ୍ଗ ମଗଧର ରାଜା ବୃହସ୍ପତି ମିତ୍ରଙ୍କୁ ଦୁଇ ଥର ପରାସ୍ତ କରିଥିଲେ ଓ ପାଟଳୀପୁତ୍ରରୁ କଳିଙ୍ଗ ଜୀନମୂର୍ତ୍ତି ଘେନି ଆସିଥିଲେ । ଦକ୍ଷିଣରେ ଥିବା ପାଣ୍ଡ୍ୟ ରାଜ୍ୟର ଶାସକ ତାଙ୍କର ଅଧୀନତା ସ୍ୱୀକାର କରିଥିଲେ । କଳିଙ୍ଗନଗର ତାଙ୍କର ରାଜଧାନୀ ଥିଲା । ସେ ଜୈନଧର୍ମାବଲମ୍ୱୀ ଥିଲେ ଓ ଏହି ଧର୍ମର ଉନ୍ନତି ପାଇଁ ବିଶେଷ ଚେଷ୍ଟା କରିଥିଲେ । ଜୈନ ମୁନି ଋଷିମାନଙ୍କ ପାଇଁ ଭୁବନେଶ୍ୱର ନିକଟବର୍ତ୍ତୀ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ରେ ୧୨୦ ଟି ସୁନ୍ଦର ଗୁମ୍ପା ଖୋଳାଇଥିଲେ । ତାଙ୍କର ଗୋଟିଏ ଶିଳାଲିପି ଉଦୟଗିରିର ହାତୀଗୁମ୍ଫାରେ ଅଦ୍ୟାପି ଦେଖାଯାଏ । ସେ ଖ୍ରୀ: ପୂ: ୧୮୮ରୁ ପ୍ରାୟ ୧୪ ବର୍ଷ ରାଜତ୍ୱ କରିଥିଲେ । ତାଙ୍କପରି ପରାକ୍ରମଶାଳୀ ଜୈନ ନୃପତି ଭାରତବର୍ଷରେ ଆଉ କେହି ନ ଥିଲେ ।

 

ଆନ୍ଧ୍ରବଂଶ – ଆନ୍ଧ୍ରମାନେ ବିନ୍ଧ୍ୟଗିରି ଓ ଗୋଦାବରୀ ନଦୀ ମଧ୍ୟବର୍ତ୍ତୀ ପ୍ରଦେଶରେ ବାସ କରୁଥିଲେ । ଅଶୋକଙ୍କ ମୃତ୍ୟୁପରେ ଆନ୍ଧ୍ରମାନେ ସ୍ୱାଧୀନ ହୋଇଗଲେ । ଗୌତମୀପୁତ୍ର ଶ୍ରୀ ସାତକର୍ଣ୍ଣୀ ଓ ଯଞ୍ଜଶ୍ରୀ ସାତକର୍ଣ୍ଣୀ ଏହି ବଂଶର ଦୁଇ ଜଣ ଶ୍ରେଷ୍ଠ ରାଜା । ଗୌତମୀପୁତ୍ର ବୌଦ୍ଧ ଧର୍ମର ଓ ଯଜ୍ଞଶ୍ରୀ ବ୍ରାହ୍ମଣ୍ୟ ଧର୍ମର ବିଶେଷ ଉନ୍ନତି କରିଥିଲେ । ଖ୍ରୀଷ୍ଟୀୟ ପ୍ରଥମ ଶତାଦ୍ଦୀରେ ଏହି ବଂଶର ରାଜାମାନେ ଉଜ୍ଜୟିନୀର ଶକ ରାଜାମାନଙ୍କ ସହିତ ସର୍ବଦା ଯୁଦ୍ଧ କରୁଥିଲେ । ଶ୍ରୀଧାନ୍ୟ କଟକ ଆନ୍ଧ୍ରପ୍ରଦେଶର ରାଜଧାନୀ ଥିଲା । ତେଲୁଗୁମାନେ ଅନ୍ଧ୍ରମାନଙ୍କର ବଂଶଧର ।

 

ଗ୍ରୀକ୍‌ – ଅଶୋକଙ୍କ ମୃତ୍ୟୁପରେ ଗ୍ରୀକ୍‌ମାନେ ପଞ୍ଜାବ ଅଞ୍ଚଳରେ କ୍ଷମତାଶାଳୀ ହୋଇଥିଲେ । ଡିମେଟ୍ରିୟାସ୍‌ ନାମକ ଗ୍ରୀକ୍‌ରାଜା ପଞ୍ଜାବ ଓ ସିନ୍ଧୁ ପ୍ରଦେଶ ଅଧିକାର କରିଥିଲେ । ଶାକଳ ନଗର (ପଞ୍ଜାବର ଶୈଳକୋଟ)ର ଗ୍ରୀକ ରାଜା ‘ମିନାନ୍ଦାର’ ଖ୍ରୀ:ପୂ:୧୪୧ରେ ଅଯୋଧ୍ୟା ପର୍ଯ୍ୟନ୍ତ ଜୟ କରିଥିଲେ । କିନ୍ତୁ ହିନ୍ଦୁରାଜାଙ୍କ ଦ୍ୱାରା ପରାସ୍ତ ହୋଇ ପଳାଇ ଗଲେ । ତକ୍ଷଶିଳା, ମଥୁରା ଓ ଉଜ୍ଜୟିନୀରେ ଗ୍ରୀକ୍‌ମାନେ ବହୁକାଳ ପର୍ଯ୍ୟନ୍ତ ବାସ କରିଥିଲେ । ଗ୍ରୀକ୍‌ମାନଙ୍କୁ ହିନ୍ଦୁମାନେ ଯବନ ବୋଲି କହୁଥିଲେ ।

 

ଶକ – ଗ୍ରୀକ୍‌ମାନଙ୍କୁ ପରାସ୍ତ କରି ଶକ ନାମକ ଗୋଟିଏ ପାହାଡ଼ିଆ ଜାତି ମଧ୍ୟଏସିୟାରୁ ଭାରତବର୍ଷକୁ ଆସିଥିଲେ । ମଥୁରା, ଉଜ୍ଜୟିନୀ, ଭୁରୁକଚ୍ଛ (ଗୁଜୁରାଟ) ପ୍ରଭୃତି ସ୍ଥାନରେ ଶକ ରାଜାମାନେ ବହୁକାଳ ରାଜତ୍ୱ କରିଥିଲେ । ଶକ ରାଜାଙ୍କ ମଧ୍ୟରେ ରୁଦ୍ରଦମନ ସର୍ବଶ୍ରେଷ୍ଠ । ଶକମାନଙ୍କୁ ହିନ୍ଦୁମାନେ ମ୍ଳେଚ୍ଛ ବୋଲି କହୁଥିଲେ ।

 

କୁଶାଣବଂଶ – ଶକମାନଙ୍କ ପରି କୁଶାଣମାନେ ମଧ୍ୟଏସିୟାରୁ ଉତ୍ତରପଶ୍ଚିମ ଗିରିସଂକଟ ବାଟରେ ଭାରତକୁ ଆସିଥିଲେ । କୁଶାଣବଂଶର ରାଜା ପ୍ରଥମ କଡଫସ ବା କାଡଫିସେସ କାବୁଲ ଓ ଗାନ୍ଧାର ରାଜ୍ୟ ଜୟ କରି ସିନ୍ଧୁନଦୀ ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କରିଥିଲେ । ତାଙ୍କ ପରେ ତାଙ୍କର ପୁତ୍ର ଭୀମ କଡଫସ୍‌ ବା ଦ୍ୱିତୀୟ କଡଫସ୍‌ ପ୍ରାୟ ବାରାଣସୀ ପର୍ଯ୍ୟନ୍ତ ଜୟ କରିଥିଲେ । ତାଙ୍କ ପରେ ଏହି ବଂଶର ଶ୍ରେଷ୍ଠ ରାଜା କନିଷ୍କ ରାଜତ୍ୱ କରିଥିଲେ ।

 

କନିଷ୍କ – ସେ ୭୮ ଖ୍ରୀଷ୍ଟାବ୍ଦରୁ ଶକାବ୍ଦ ଚଳାଇଥିବାର କେତେକ ପଣ୍ଡିତ ସ୍ଥିର କରିଛନ୍ତି-। ସେ ଚୀନ ସମ୍ରାଟଙ୍କୁ ଓ ପାଟଳୀପୁତ୍ରର ରାଜାଙ୍କ ପରାସ୍ତ କରିଥିଲେ । ସମଗ୍ର ଉତ୍ତର ଭାରତ ତାଙ୍କ ସମ୍ରାଜ୍ୟର ଅନ୍ତର୍ଭୁକ୍ତ ଥିଲା । ମଲାବେଳକୁ ତାଙ୍କର ସାମ୍ରାଜ୍ୟ ଚୀନଦେଶର ସୀମାନ୍ତରୁ ନର୍ମଦା ନଦୀ ଓ ପୂର୍ବରେ ବଙ୍ଗଦେଶ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ପୁରୁଷପୁର ବା ଆଧୁନିକ ପେଶାବାର ତାଙ୍କର ରାଜଧାନୀ ଥିଲା । ସେ ପ୍ରଥମେ ଶୈବ ଥିଲେ କିନ୍ତୁ ପରେ ବୌଦ୍ଧଧର୍ମ ଗ୍ରହଣ କରିଥିଲେ ଓ ଅଶୋକଙ୍କ ପରି ବୌଦ୍ଧଧର୍ମର ଉନ୍ନତି ପାଇଁ ମନପ୍ରାଣ ଢାଳି ଦେଇଥିଲେ । ପୁରୁଷପୁରରେ ଅପୂର୍ବ କାରୁକାର୍ଯ୍ୟଶୋଭିତ ଗୋଟିଏ ବିଶାଳ ଚୈତ୍ୟ ନିର୍ମାଣ କରିଥିଲେ ଓ ଗୋଟିଏ ବୌଦ୍ଧ ସଭା ବସାଇଲେ । ତାଙ୍କ ସମୟରେ ବୌଦ୍ଧମାନେ ହୀନଯାନ ଓ ମହାଯାନ ଦୁଇ ସଂପ୍ରଦାୟରେ ବିଭକ୍ତ ହୋଇଥିଲେ । ତାଙ୍କର ଧର୍ମଗୁରୁ ନାଗାର୍ଜୁନ ମହାଯାନ ପନ୍ଥାର ପ୍ରବର୍ତ୍ତକ ଥିଲେ । କନିଷ୍କଙ୍କ ପୂର୍ବରୁ ଥିବା ବୌଦ୍ଧମାନେ ହୀନଯାନ ପନ୍ଥା ଅନୁସରଣ କରୁଥିଲେ । ହୀନଯାନୀମାନେ ବୁଦ୍ଧଙ୍କ ମୂର୍ତ୍ତି ପୂଜା କରୁ ନ ଥିଲେ । କେବଳ ଚକ୍ର, ବୋଧିଦ୍ରୁମ ଇତ୍ୟାଦି ପୂଜା କରୁଥିଲେ । ମହାଯାନୀମାନେ ବୁଦ୍ଧଙ୍କ ମୂର୍ତ୍ତିପୂଜା ଚଳାଇଲେ । କନିଷ୍କଙ୍କ ସାହାଯ୍ୟରେ ମହାଯାନ ବୌଦ୍ଧଧର୍ମ କାଶ୍ମୀର, ମଧ୍ୟଏସିୟା, ଚୀନ, ତିବ୍ଦତ ପ୍ରଭୃତିରେ ବ୍ୟାପି ଯାଇଥିଲା । ବୌଦ୍ଧଧର୍ମର ପ୍ରସାର ପାଇଁ ସେ ଅନେକ ସ୍ତୂପ, ମଠ ଓ ଚୈତ୍ୟ ନିର୍ମାଣ କରିଥିଲେ । ସେ ବିଦ୍ୟାର ଆଦର କରୁଥିଲେ । ନାଗାର୍ଜୁନ, ପ୍ରସିଦ୍ଧ କବିରାଜ ଚରକ, କବିବର ଅଶ୍ୱଘୋଷ ଓ ପଣ୍ଡିତ ବସୁମିତ୍ର ତାଙ୍କ ସଭାରେ ଥିଲେ । ଚରକଙ୍କ ଦ୍ୱାରା ରଚିତ ‘ଚରକ ସଂହିତା’ ଗୋଟାଏ ଉତ୍କୃଷ୍ଟ ଆୟୁର୍ବେଦ ଗ୍ରନ୍ଥ । କନିଷ୍କଙ୍କ ମତ୍ୟୁ ପରେ ହବିଷ୍କ ଓ ବାସୁଦେବ ନାମକ ଏହି ବଂଶର ଦୁଇଜଣ ରାଜା ରାଜତ୍ୱ କରିଥିଲେ ।

Image

 

ନବମ ଅଧ୍ୟାୟ

 

ଗୁପ୍ତବଂଶ କୁଶାଣବଂଶର ରାଜତ୍ୱପରେ ପ୍ରାୟ ୨୦୦ ବର୍ଷ କାଳ ଭାରତବର୍ଷ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହୋଇଥିଲା । ଶକ, ପଲ୍ଲବ ପ୍ରଭୃତି ବୈଦେଶିକମାନେ ଭାରତର ଉତ୍ତର ପଶ୍ଚିମାଞ୍ଚଳରେ ରାଜତ୍ୱ କରୁଥିଲେ । ସେତେବେଳେ ଭାରତରେ କୌଣସି ଶକ୍ତିଶାଳୀ ରାଜବଂଶ ରାଜତ୍ୱ କରୁ ନ ଥିଲେ । କିନ୍ତୁ ଚତୁର୍ଥ ଶତାବ୍ଦୀର ପ୍ରଥମ ଭାଗରେ ଗୁପ୍ତବଂଶ ବିଶେଷ କ୍ଷମତାଶାଳୀ ହୋଇଥିଲା ।

 

ପ୍ରଥମ ଚନ୍ଦ୍ରଗୁପ୍ତ ପ୍ରଥମ ଚନ୍ଦ୍ରଗୁପ୍ତ ଏହି ବଂଶର ପ୍ରତିଷ୍ଠାତା । ସେ ୩୨୦ ଖ୍ରୀଷ୍ଟାବ୍ଦରୁ ୩୩୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ପାଟଳୀପୁତ୍ର ତାଙ୍କର ରାଜଧାନୀ ଥିଲା । ସେ ମିଥିଲାର ଲିଚ୍ଛାବିମାନଙ୍କୁ ପରାସ୍ତ କରି ଉକ୍ତ ବଂଶୀୟ କୁମାରଦେବୀଙ୍କୁ ବିବାହ କରିଥିଲେ । ସେ ଗାଙ୍ଗେୟ ଉପତ୍ୟକାର ସମସ୍ତ ରାଜାମାନଙ୍କୁ ଜୟ କରିଥିଲେ ଓ ‘ମହାରାଜାଧିରାଜ’ ଉପାଧି ଧାରଣ କରିଥିଲେ । ସେ ୩୨୦ ଖ୍ରୀଷ୍ଟାବ୍ଦରୁ ଗୋଟିଏ ଅବ୍ଦ ଚଳାଇଥିଲେ । ତାହାର ନାମ ଗୁପ୍ତାବ୍ଦ ।

 

ସମୁଦ୍ରଗୁପ୍ତ (ଖ୍ରୀ:୩୩୦–ଖ୍ରୀ: ୩୭୫) – ଚନ୍ଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର ସମୁଦ୍ରଗୁପ୍ତ ରାଜା ହୋଇଥିଲେ । ସେ ବିଖ୍ୟାତ ଯୋଦ୍ଧା ଓ ଦିଗ୍‌ବିଜୟୀ ସମ୍ରାଟ ଥିଲେ । ଗାଙ୍ଗେୟ ଉପତ୍ୟକାର ସମସ୍ତ ରାଜବଂଶକୁ ନିର୍ମୂଳ କରି ଦାକ୍ଷିଣାତ୍ୟ ଜୟ କରିବାକୁ ବାହାରିଲେ । ରାଜଧାନୀରୁ ବାହାରି ଭାରତର ପୂର୍ବ ଉପକୂଳରେ ଥିବା କୋଶଳ, ଉତ୍କଳ, କଳିଙ୍ଗ ପ୍ରଭୃତି ରାଜ୍ୟ ଜୟ କରି କାଞ୍ଚୀରେ ପହଞ୍ଚିଲେ ଓ କାଞ୍ଚୀରାଜାଙ୍କୁ ପରାସ୍ତ କରି ନାସିକବାଟେ ନିଜର ରାଜଧାନୀକୁ ଫେରିଆସିଲେ । ସେ ପୂର୍ବରେ ବଙ୍ଗଦେଶ, ଆସାମ ଓ ନେପାଳ ଏବଂ ପଶ୍ଚିମରେ ପଞ୍ଜାବ ଅଞ୍ଚଳର ଶକ ଓ କୁଶାଣମାନଙ୍କୁ ମଧ୍ୟ ଜୟ କରିଥିଲେ । ଏହିପ୍ରକାରେ ସେ ସମଗ୍ର ଭାରତ ଜୟ କରିଥିଲେ । ତେଣୁ ସେ ‘ଭାରତର ନେପୋଲିୟନ’ ବୋଲି ଅଭିହିତ ହୁଅନ୍ତି । ସେ ବିଜିତ ରାଜ୍ୟମାନ ଅଧିକାର କରି ନ ଥିଲେ, କେବଳ ସେମାନଙ୍କ ଠାରୁ କର ଆଦାୟ କରୁଥିଲେ । ତାଙ୍କର ସାମ୍ରାଜ୍ୟ ହିମାଳୟ ଠାରୁ ନର୍ମଦା ପର୍ଯ୍ୟନ୍ତ ଓ ବ୍ରହ୍ମପୁତ୍ରଠାରୁ ସିନ୍ଧୁନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସମସ୍ତ ଦେଶ ଜୟ କରି ସେ ଗୋଟିଏ ଅଶ୍ୱମେଧ ଯଜ୍ଞ କରିଥିଲେ । ସେ ବ୍ରାହ୍ମଣ୍ୟ ଧର୍ମର ବିଶେଷ ଉନ୍ନତି କରିଥିଲେ । ସେ କବି, ସଙ୍ଗୀତଜ୍ଞ ମଧ୍ୟ ଥିଲେ । ତାଙ୍କର ଗୋଟିଏ ମୁଦ୍ରାରେ ସେ ବୀଣା ବଜାଉଥିବାର ଦେଖାଯାଏ । ତାଙ୍କ ରାଜତ୍ୱର ସମସ୍ତ ଘଟଣା ଏଲାହାବାଦରେ ଥିବା ଗୋଟିଏ ଅଶୋକ ସ୍ତମ୍ଭରେ ଲେଖାହୋଇଛି-

 

ଦ୍ୱିତୀୟ ଚନ୍ଦ୍ରଗୁପ୍ତ ବା ବିକ୍ରମାଦିତ୍ୟ – ସମୁଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର ଦ୍ୱିତୀୟ ଚନ୍ଦ୍ରଗୁପ୍ତ ରାଜତ୍ୱ କରିଥିଲେ । ସେ ମାଳବ ଓ ସୌରାଷ୍ଟ (କାଥିଆବାଡ଼) ପ୍ରଦେଶ ଜୟ କରିଥିଲେ । ଭାରତରୁ ଶକମାନଙ୍କୁ ନିର୍ମୂଳ କରି ସେ ‘ଶକାରି’ ଉପାଧି ଧାରଣ କରିଥିଲେ । ଶକମାନଙ୍କ ହସ୍ତରୁ ଭାରତକୁ ମୁକ୍ତ କରିଥିବାରୁ, ହିନ୍ଦୁମାନେ ତାଙ୍କୁ ବିଶେଷ ଭକ୍ତି ଓ ଆଦର କରୁଥିଲେ ।

 

Image

(ସମୁଦ୍ରଗୁପ୍ତ) (ବିକ୍ରମାଦିତ୍ୟ)

 

ସେ ନିଜ କ୍ଷମତାର ଚିହ୍ନ ସ୍ୱରୂପ ‘ବିକ୍ରମାଦିତ୍ୟ’ ଉପାଧି ଧାରଣ କରିଥିଲେ । ତାଙ୍କ ସମ୍ୱନ୍ଧରେ ଅନେକ କିମ୍ୱଦନ୍ତୀ ଅଦ୍ୟାପି ପ୍ରଚଳିତ ଅଛି । ସେଥିରୁ ଜଣା ଯାଏ ଯେ କାଳିଦାସ, ଘଟକର୍ପର, ଅମରସିଂହ ପ୍ରଭୃତି ନଅ ଜଣ ପ୍ରସିଦ୍ଧ ପଣ୍ଡିତ ତାଙ୍କ ସଭାରେ ଥିଲେ । ସେମାନେ ‘ନବରତ୍ନ’ ନାମରେ ପରିଚିତ । ମହାକବି କାଳିଦାସ ପୃଥିବୀର ଜଣେ ଶ୍ରେଷ୍ଠ କବି । ପାଟଳୀପୁତ୍ର ଓ ଉଜ୍ଜୟିନୀ ତାଙ୍କ ସାମ୍ରାଜ୍ୟର ଦୁଇଟି ପ୍ରଧାନ ନଗରୀ ଥିଲା । ସେ ବ୍ରାହ୍ମଣ୍ୟ ଧର୍ମର ଉନ୍ନତି କରିଥିଲେ-

 

ଫାହିଆନ୍‌ ତାଙ୍କ ରାଜତ୍ୱ କାଳରେ ଫାହିଆନ୍‌ନାମକ ଚୀନ ଦେଶୀୟ ପରିବ୍ରାଜକ ଭାରତର ବୌଦ୍ଧ ପୀଠମାନ ଦେଖିବାପାଇଁ ଓ ବୌଦ୍ଧ ଗ୍ରନ୍ଥମାନ ସଂଗ୍ରହ କରିବାପାଇଁ ୪୦୧ ଖ୍ରୀଷ୍ଟାବ୍ଦରେ ଖାଇବାର ଗିରିସଂକଟ ବାଟେ ଭାରତକୁ ଆସିଥିଲେ । ସେ ଉତ୍ତର ଭାରତରେ ୧୫ବର୍ଷ କାଳ ବୁଲି ଅନେକ ବୌଦ୍ଧ ତୀର୍ଥ ପରିଦର୍ଶନ କରିଥିଲେ । ତାଙ୍କ ଭ୍ରମଣ ବୃତ୍ତାନ୍ତରୁ ଜଣାଯାଏ ଯେ ସେ ସମୟରେ ପାଟଳୀପୁତ୍ର ଭାରତର ରାଜଧାନୀ ନ ଥିଲେ ମଧ୍ୟ ଗୋଟିଏ ସୁନ୍ଦର ଧନଜନପୂର୍ଣ୍ଣ ନଗରୀ ଥିଲା । ସେଠାରେ ଅଶୋକଙ୍କର ଗୋଟିଏ ବିଶାଳ ରାଜପ୍ରାସାଦ ଥିଲା । ଭାରତର ଲୋକମାନେ ସୁଖ ଶାନ୍ତିରେ ରହିଥିଲେ । କରପୀଡ଼ା ଆଦୌ ନ ଥିଲା । ପ୍ରଜାମାନେ ଭୂମିକର ଛଡ଼ା ଅନ୍ୟ କୌଣସି କର ଦେଉ ନ ଥିଲେ । ଚୋରି ଡକାୟତି ପ୍ରଭୃତି ନ ଥିବାରୁ ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ୱଚ୍ଛନ୍ଦରେ ଯାଇ ପାରୁଥିଲେ । ଉତ୍ତରଭାରତରେ ଅନେକ ବୌଦ୍ଧମଠ, ଚୈତ୍ୟ, ବିହାର ଓ ଚିକିତ୍ସାଳୟ ଥିଲା । ଆଇନ କାନୁନ ସବୁ କଡ଼ା ନ ଥିଲା । ଭାରତରେ ହିନ୍ଦୁ ଓ ବୌଦ୍ଧ ଦୁଇଟି ପ୍ରଧାନ ଧର୍ମ ଥିଲା । ହିନ୍ଦୁ ଓ ବୌଦ୍ଧମାନେ ବନ୍ଧୁ ପରି ଚଳୁଥିଲେ-। ଲୋକମାନେ ପିଆଜ, ରସୁଣ, ମଦ୍ୟ ମାଂସ ଖାଉ ନ ଥିଲେ । ଗୁଣ୍ଡାଳମାନେ ଗ୍ରାମର ବାହାରେ ବାସ କରିଥିଲେ । ତାମ୍ରଲିପ୍ତି (ମେଦିନୀପୁରର ତମଲୁକ)ଗୋଟିଏ ଧନଜନପୂର୍ଣ୍ଣ ବନ୍ଦର ଥିଲା । ସେଠାରୁ ସେ ସମୁଦ୍ର ପଥରେ ନିଜ ଦେଶକୁ ଫେରିଥିଲେ । ଚନ୍ଦ୍ରଗୁପ୍ତ ଖ୍ରୀ:୩୭୫ ରୁ ଖ୍ରୀ: ୪୧୩ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ।

 

Image

 

କୁମାର ଗୁପ୍ତ ଦ୍ୱିତୀୟ ଚନ୍ଦ୍ରଗୁପ୍ତଙ୍କ ପରେ ତାଙ୍କ ପୁତ୍ର କୁମାର ଗୁପ୍ତ ଖ୍ରୀ: ୪୧୩ ଠାରୁ ଖ୍ରୀ:୪୫୫ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ସେ ବିଶାଳ ସାମ୍ରାଜ୍ୟର ଅଧୀଶ୍ୱର ଥିଲେ ଓ ଗୋଟିଏ ଅଶ୍ୱମେଧ ଯଜ୍ଞ କରିଥିଲେ ।

 

ସ୍କନ୍ଦଗୁପ୍ତ ବିକ୍ରମାଦିତ୍ୟ ସ୍କନ୍ଦଗୁପ୍ତଙ୍କ ପୂର୍ବରୁ ହୁଣ ନାମକ ଗୋଟିଏ ପାର୍ବତ୍ୟ ନୃଶଂସ ଜାତି ମଧ୍ୟଏସିୟାରୁ ଭାରତବର୍ଷକୁ ଆସିଥିଲେ । ସେ ହୁଣମାନଙ୍କୁ ପରାସ୍ତ କରି ଭାରତକୁ ପୁନର୍ବାର ବିଦେଶୀ ଶତ୍ରୁମାନଙ୍କ ହାତରୁ ରକ୍ଷା କରିଥିଲେ । ସେ ପିତାମହଙ୍କ ତୁଲ୍ୟ ‘ବିକ୍ରମାଦିତ୍ୟ’ ଉପାଧି ଧାରଣ କରିଥିଲେ । ସେ ଖ୍ରୀ:୪୫୫ରୁ ଖ୍ରୀ:୪୬୭ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ତାଙ୍କ ପରେ ଗୁପ୍ତବଂଶ ଦୁର୍ବଳ ହୋଇଗଲା କିନ୍ତୁ ଗୁପ୍ତରାଜାମାନେ ବହୁକାଳ ଭାରତର ନାନା ସ୍ଥାନରେ ରାଜତ୍ୱ କରିଥିଲେ ।

ଗୁପ୍ତଯୁଗରେ ଭାରତର ଅବସ୍ଥା ଗୁପ୍ତମାନଙ୍କ ରାଜତ୍ୱ କଳାରେ ଦେଶ ଶକ, ଯବନ, କୁଶାଣ ପ୍ରଭୃତି ବିଦେଶୀୟମାନଙ୍କ ହସ୍ତରୁ ମୁକ୍ତ ହୋଇଥିଲା । ବହୁକାଳ ଲୁପ୍ତ ବ୍ରାହ୍ମଣ୍ୟଧର୍ମ ଗୁପ୍ତସମ୍ରାଟ୍ ମାନଙ୍କ ସାହାଯ୍ୟରେ ଦେଶରେ ପୁନଃ ପ୍ରତିଷ୍ଠିତ ହେଲା । ସଂସ୍କୃତ ସାହିତ୍ୟର ଚର୍ଚ୍ଚା ବୌଦ୍ଧଯୁଗରେ କମି ଯାଇଥିଲା । କିନ୍ତୁ ଗୁପ୍ତଯୁଗରେ ସଂସ୍କୃତରେ ଶତ ଶତ ପୁରାଣ, କାବ୍ୟ, ନାଟକ, ଶିଳାଲିପି, ତାମ୍ରଶାସନ ଲିଖିତ ହୋଇଥିଲା । ମହାକବି କାଳିଦାସ, କବି ହରି ସେନ, ଜ୍ୟୋତିଷାଚାର୍ଯ୍ୟ ଆର୍ଯ୍ୟ ଭଟ୍ଟ ଓ ବରାହମିହର ପ୍ରଭୃତି ଏହି ଯୁଗରେ ଜନ୍ମ ହୋଇଥିଲେ । ଅଜନ୍ତା ଗୁମ୍ଫାରେ ଖୋଳା ହୋଇଥିବା ଚିତ୍ରଗୁଡ଼ିକ ସମଗ୍ର ପୃଥିବୀବିଖ୍ୟାତ । ଏହି ଯୁଗରେ ଭାରତୀୟମାନେ ବ୍ରହ୍ମଦେଶ, ଶ୍ୟାମ, କାମ୍ୱୋଡିଆ ଓ ଜାବା, ସୁମାତ୍ରା ପ୍ରଭୃତିରେ ରାଜ୍ୟ ସ୍ଥାପନ କରି ହିନ୍ଦୁଧର୍ମ ଓ ବୌଦ୍ଧଧର୍ମ ପ୍ରଚାର କରିଥିଲେ । ଏହି ସମସ୍ତ ଉନ୍ନତି ଯୋଗୁଁ ଗୁପ୍ତ ରାଜତ୍ୱକୁ ‘ସୁବର୍ଣ୍ଣ ଯୁଗ’ ବୋଲି କହନ୍ତି ।

ଗୁପ୍ତ ସାମ୍ରାଜ୍ୟ ପରେ ଦେଶର ଅବସ୍ଥା – ଯଶୋଧର୍ମ ଦେବ– ଗୁପ୍ତ ସାମ୍ରାଜ୍ୟର ପତନ ପରେ ଭାରତ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହେଲା । ଭାରତର ଉତ୍ତର ପଶ୍ଚିମାଞ୍ଚଳରେ ହୁଣମାନେ ପ୍ରବଳ ହୋଇ ଉଠିଲେ । ‘ତୋରମାନ’ ଓ ‘ମିହିରକୁଳ’ ହୁଣ ରାଜାମାନଙ୍କ ମଧ୍ୟରେ ପ୍ରଧାନ । ପଞ୍ଜାବ ପ୍ରଦେଶର ଶାକଳ (ଶୈଳକୋଟ) ସେମାନଙ୍କର ରାଜଧାନୀ ଥିଲା । ଗୁପ୍ତମାନେ ଦୁର୍ବଳ ହୋଇ ପଡ଼ିବାରୁ ତୋରମାନ ମାଳବ ପର୍ଯ୍ୟନ୍ତ ଜୟ କରିଥିଲେ । ତାଙ୍କର ପୁତ୍ର ମିହିରକୁଳ ବିଶେଷ ପରାକ୍ରମଶାଳୀ ଥିଲେ । ତାଙ୍କର ପ୍ରତାପରେ ସମଗ୍ର ଭାରତ କମ୍ପୁଥିଲା । କିନ୍ତୁ ଯଶୋଧର୍ମ ଦେବ ନାମକ ମାଳବର ଜଣେ କ୍ଷମତାଶାଳୀ ହିନ୍ଦୁରାଜା ମିହିରକୁଳଙ୍କୁ ସମ୍ପୂର୍ଣ୍ଣରୂପେ ପରାସ୍ତ କରି (୫୩୩ ଖ୍ରୀଷ୍ଟାବ୍ଦ) ଭାରତରୁ ହୁଣ ପ୍ରାଧାନ୍ୟ ଲୋପ କରିଥିଲେ । ଯଶୋଧର୍ମଦେବଙ୍କ ରାଜ୍ୟ ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ ଓଡ଼ିଶାର ମହେନ୍ଦ୍ର ପର୍ବତ ପର୍ଯ୍ୟନ୍ତ, ପୂର୍ବରେ ବ୍ରହ୍ମପୁତ୍ରଠାରୁ ପଶ୍ଚିମରେ ରାଜପୁତନା ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେ ଭାରତର ଜଣେ ଶ୍ରେଷ୍ଠ ରାଜା ।

Image

 

ଦଶମ ଅଧ୍ୟାୟ

 

ହର୍ଷବର୍ଦ୍ଧନ ସପ୍ତମ ଶତାବ୍ଦୀ ବେଳକୁ ଯୁକ୍ତ ପ୍ରଦେଶର ଥାନେଶ୍ୱର ନାମକ ସ୍ଥାନରେ ବର୍ଦ୍ଧନ ବଂଶ କ୍ଷମତାଶାଳୀ ହୋଇ ଉଠିଲେ । ଏହି ବଂଶର ପ୍ରଭାକର ବର୍ଦ୍ଧନ କିଛି କାଳ ରାଜତ୍ୱ କରିବା ପରେ ତାଙ୍କ ପୁତ୍ର ରାଜ୍ୟ ବର୍ଦ୍ଧନ ରାଜା ହେଲେ । ସେ ଦୁଇ ବର୍ଷ ମାତ୍ର ରାଜତ୍ୱ କରିବା ପରେ ଗୌଡ଼ ବା ବଙ୍ଗ ଦେଶର ରାଜା ଶଶାଙ୍କ ତାଙ୍କୁ ମାରି ପକାଇଲେ । ତେଣୁ ତାଙ୍କର ସାନ ଭାଇ ହର୍ଷବର୍ଦ୍ଧନ ୬୦୬ ଖ୍ରୀଷ୍ଟାବ୍ଦରେ ଥାନେଶ୍ୱରର ରାଜା ହେଲେ ଓ ୬୦୬ ଖ୍ରୀଷ୍ଟାବ୍ଦରୁ ହର୍ଷାବ୍ଦ ନାମକ ଗୋଟିଏ ଅବ୍ଦ ଚଳାଇଲେ । ରାଜା ହେବା ମାତ୍ରେ ସେ ୬ ବର୍ଷ କାଳ ଯୁଦ୍ଧ କରି ଉତ୍ତର ଭାରତର କେତେକ ରାଜ୍ୟ ଜୟ କରିଥିଲେ ଓ ତାଙ୍କର ଭଉଣୀ ରାଜ୍ୟଶ୍ରୀକୁ ମୃତ୍ୟୁମୁଖରୁ ରକ୍ଷା କରିଥିଲେ । କାମରୂପ ବା ଆସାମର ରାଜା ଭାସ୍କର ବର୍ମନଙ୍କ ସାହାଯ୍ୟରେ ବଙ୍ଗଳାର ରାଜା ଶଶାଙ୍କଙ୍କୁ ପରାସ୍ତ କରିଥିଲେ । ଉତ୍ତର ଭାରତ ଜୟ କରି ସେ ଦକ୍ଷିଣ ଭାରତ ଜୟ କରିବାକୁ ବାହାରିଲେ । ସେତେବେଳେ ଦାକ୍ଷିଣାତ୍ୟରେ ଚାଲୁକ୍ୟମାନେ ବିଶେଷ ଶକ୍ତିଶାଳୀ ଥିଲେ । ଚାଲୁକ୍ୟ ରାଜା ଦ୍ୱିତୀୟ ପୁଲକେଶୀ ହର୍ଷଙ୍କୁ ସମ୍ପୂର୍ଣ୍ଣରୂପେ ପରାସ୍ତ କରିଥିଲେ ଓ ନର୍ମଦା ନଦୀ ଦୁହିଙ୍କ ରାଜ୍ୟର ସୀମାରୂପେ ନିର୍ଦ୍ଦିଷ୍ଟ ହେଲା । ରାଜ୍ୟ ଶାସନର ସୁବିଧାପାଇଁ ସେ ଥାନେଶ୍ୱରରୁ କାନ୍ୟକୁବ୍‌ଜକୁ ରାଜଧାନୀ ଉଠାଇ ନେଇଥିଲେ । ୬୪୨ ଖ୍ରୀଷ୍ଟାବ୍ଦରେ ସେ ଓଡ଼ିଶା ଜୟ କରିବାକୁ ଆସିଥିଲେ । କିନ୍ତୁ ଓଡ଼ିଶା ରାଜା ତାଙ୍କର ସମ୍ପୂର୍ଣ୍ଣ ଅଧୀନତା ସ୍ୱୀକାର କରି ନ ଥିଲେ । ସେ ରାଜତ୍ୱର ଶେଷ ବେଳକୁ ‘ମଗଧ ସମ୍ରାଟ’ ଉପାଧି ଧାରଣ କରିଥିଲେ । ତାଙ୍କର ରାଜ୍ୟ ହିମାଳୟଠାରୁ ନର୍ମଦା ନଦୀ ପର୍ଯ୍ୟନ୍ତ ଏବଂ ବ୍ରହ୍ମପୁତ୍ରଠାରୁ ଯମୁନା ଓ ରାଜପୁତନା ପର୍ଯ୍ୟନ୍ତ ବିସ୍ତୃତ ଥିଲା । ସେ ୬୪୮ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ।

 

ସେ ପ୍ରଥମେ ଶୈବ ଥିଲେ, କିନ୍ତୁ ପରେ ବୌଦ୍ଧ ହୋଇ ଏହି ଧର୍ମର ଉନ୍ନତିପାଇଁ ଚେଷ୍ଟା କରିଥିଲେ । ସେ ରାଜା ହୋଇ ମଧ୍ୟ ପଣ୍ଡିତ ଓ ସୁଲେଖକ ଥିଲେ ଓ କେତେଗୁଡ଼ିଏ ଉତ୍କୃଷ୍ଟ ଗ୍ରନ୍ଥ ରଚନା କରିଥିଲେ । ବାଣ ଭଟ୍ଟ ନାମକ ତାଙ୍କ ସଭାର ଜଣେ ପ୍ରସିଦ୍ଧ କବି ‘କାଦମ୍ବରୀ’ ଓ ‘ହର୍ଷଚରିତ’ ନାମକ ଦୁଇଟି ଭଲ ଗ୍ରନ୍ଥ ଲେଖିଥିଲେ । ହର୍ଷଙ୍କ ରାଜତ୍ୱରେ ଚୀନ ଦେଶରୁ ହୁଏନ୍‌ସାଂ ନାମକ ବୌଦ୍ଧ ଭିକ୍ଷୁ ଭାରତକୁ ଆସିଥିଲେ । ସେ ଫାହିଆନ୍‌ଙ୍କ ପରି ଗୋଟିଏ ବିସ୍ତୃତ ଭ୍ରମଣ ବୃତ୍ତାନ୍ତ ଲେଖିଛନ୍ତି । ଏହା ତତ୍‌କାଳୀନ ଇତିହାସର ଗୋଟିଏ ଭଣ୍ଡାରପରି ।

 

Image

 

ହୁଏନ୍‌ସାଂଙ୍କ ଭ୍ରମଣ ବୃତ୍ତାନ୍ତ – ହୁଏନ୍‌ସାଂ ଭାରତର ବୌଦ୍ଧ ପୀଠମାନ ଦେଖିବାପାଇଁ ଓ ଧର୍ମଶାସ୍ତ୍ର ଅଧ୍ୟୟନ କରିବା ପାଇଁ ଭାରତକୁ ଆସିଥିଲେ । ସେ ଭାରତରେ ଖ୍ରୀ: ୬୩୦ ରୁ ଖ୍ରୀ: ୬୪୫ ପର୍ଯ୍ୟନ୍ତ ରହିଥିଲେ । ସେ ସମଗ୍ର ଭାରତରେ ବୁଲି ବିଭିନ୍ନ ରାଜ୍ୟ, ରାଜବଂଶ, ରାଜା, ହିନ୍ଦୁ ଓ ବୌଦ୍ଧପୀଠମାନଙ୍କ ସମ୍ବନ୍ଧରେ ବିସ୍ତୃତ ବିବରଣ ଦେଇଛନ୍ତି । ସେ ହର୍ଷଙ୍କର ଜଣେ ପରମବନ୍ଧୁ ଥିଲେ ଓ ତାଙ୍କର ରାଜସଭାରେ କିଛି କାଳ କଟାଇଥିଲେ । ସେ ଲେଖିଛନ୍ତି ଯେ ହର୍ଷ ଦୟାଳୁ ଓ ଧର୍ମପରାୟଣ ଥିଲେ । ସେ ବୌଦ୍ଧ ଥିଲେ ସୁଦ୍ଧା ଅନ୍ୟ କୌଣସି ଧର୍ମ ପ୍ରତି ଅନାଦର ଦେଖାଉ ନ ଥିଲେ । ପ୍ରୟାଗ ବା ଏଲାହାବାଦରେ ସେ ପ୍ରତି ପାଞ୍ଚ ବର୍ଷରେ ଗୋଟିଏ ବୌଦ୍ଧ ମେଳା ବସାଉଥିଲେ । ପ୍ରାୟ ତିନିମାସ ପର୍ଯ୍ୟନ୍ତ ଏହି ମେଳା ଦସୁଥିଲା । ଧର୍ମାଲୋଚନା ଓ ଲୋକମାନଙ୍କୁ ଧର୍ମ ଉପଦେଶ ଦେବା ଏହି ସଭାର ଉଦ୍ଦେଶ୍ୟ ଥିଲା । ଏହି ସଭାରେ ତାଙ୍କର ଅଧୀନସ୍ଥ ରାଜାମାନେ ମଧ୍ୟ ଯୋଗ ଦେଉଥିଲେ । ସେ ମେଳା ଶେଷରେ ନିଜ ରାଜ୍ୟ ଓ ସେନା ଛଡ଼ା ରାଜକୋଷରେ ସଞ୍ଚିତ ସମସ୍ତ ଧନ ରତ୍ନ, ଏପରି କି ନିଜ ପୋଷାକ ମଧ୍ୟ ବୌଦ୍ଧ ସନ୍ନ୍ୟାସୀ ଓ ଗରିବ ଲୋକମାନଙ୍କୁ ଦାନ କରୁଥିଲେ । ହର୍ଷଙ୍କର ପ୍ରକାଣ୍ଡ ସେନା ଥିଲା । ସୁଶାସନପାଇଁ ସେ ରାଜ୍ୟର ସମସ୍ତ କାର୍ଯ୍ୟ ନିଜେ ବୁଝୁଥିଲେ ଓ ରାଜ୍ୟରେ ବେଳେ ବେଳେ ଗସ୍ତ କରୁଥିଲେ । ପ୍ରଜାମାନେ ସୁଖ ଶାନ୍ତିରେ ଥିଲେ । ସେମାନେ ବେଠି କରୁ ନ ଥିଲେ ଓ ଭୂମିର ଆୟର ଏକ ଷଷ୍ଠାଂଶ ରାଜସ୍ୱ ସ୍ୱରୂପ ଦେଉଥିଲେ ।

 

ପାଟଳୀପୁତ୍ର ନଗରୀ ଧ୍ୱଂସ ପ୍ରାପ୍ତ ହୋଇଥିଲା କିନ୍ତୁ ହର୍ଷଙ୍କ ରାଜଧାନୀ କାନ୍ୟକୁବ୍ଳ ସମଗ୍ର ଭାରତରେ ଗୋଟିଏ ଶ୍ରେଷ୍ଠ ନଗରୀ ଥିଲା । ପାଟଳୀପୁତ୍ରର ଦକ୍ଷିଣରେ ନାଲନ୍ଦ ନାମକ ସ୍ଥାନରେ ଗୋଟିଏ ପ୍ରସିଦ୍ଧ ବିଦ୍ୟାପୀଠ ବା ବିଶ୍ୱବିଦ୍ୟାଳୟ ଥିଲା । ଭାରତର ସବୁ ସ୍ଥାନରୁ ଓ ଚୀନ, ଯାପାନ ପ୍ରଭୃତି ସୁଦୂର ବିଦେଶରୁ ଶତ ଶତ ଛାତ୍ର ସେଠାକୁ ପଢ଼ିବାକୁ ଆସୁଥିଲେ । ଦଶ ହଜାର ଛାତ୍ର ରହିବାପାଇଁ ସେଠାରେ ଗୋଟିଏ ଛାତ୍ରାବାସ ବା ବୋର୍ଡିଙ୍ଗ ଥିଲା । ଛାତ୍ରମାନ ବିନା ଦରମାରେ ପାଠ ପଢ଼ୁଥିଲେ । ରାଜା ମହାରାଜାମାନେ ଛାତ୍ରମାନଙ୍କୁ ଖାଦ୍ୟ ଓ ପରିଧାନ ଯୋଗାଉଥିଲେ । ଭାରତର ପ୍ରସିଦ୍ଧ ପଣ୍ଡିତମାନେ ସେଠାରେ ଶିକ୍ଷା ଦେଉଥିଲେ । ପଢ଼ିବାପାଇଁ ବଡ଼ ବଡ଼ ପୁସ୍ତକାଗାର ବା ଲାଇବ୍ରେରୀ ଥିଲା । ସେଠାରେ ନାନାପ୍ରକାର ଶିକ୍ଷା ଦିଆ ହେଉଥିଲା । ନାଲନ୍ଦ ପରି ଆଦର୍ଶ ବିଶ୍ୱବିଦ୍ୟାଳୟ ଏ ଯୁଗରେ ମଧ୍ୟ ପୃଥିବୀରେ କ୍ୱଚିତ ଦେଖାଯାଏ ।

 

ହୁଏନ୍‌ସାଂଙ୍କ ସମୟରେ ଓଡ଼ିଶା ପ୍ରଦେଶରେ ଉତ୍କଳ, କୋଙ୍ଗଦ, କୋଶଳ, କଳିଙ୍ଗ ନାମକ ଚାରୋଟି ବିଭାଗ ଥିଲା । ପୁଷ୍ପଗିରି (କଟକ ଜିଲାର ଲଳିତଗିରି) ଓ ସମ୍ବଲପୁର ଅଞ୍ଚଳର ପରିମଳଗିରି ଓଡ଼ିଶାର ଦୁଇଟି ପ୍ରସିଦ୍ଧ ବୌଦ୍ଧପୀଠ ଥିଲା । ଏହାର ସମୁଦ୍ରକୂଳରେ ଚେଳିତାଳୋ ନାମକ ଗୋଟିଏ ପ୍ରସିଦ୍ଧ ବନ୍ଦର ଥିଲା । ଦକ୍ଷିଣରେ ଚାଲୁକ୍ୟମାନେ ବଡ଼ ଶକ୍ତିଶାଳୀ ଥିଲେ । ଭାରତର ଅନ୍ୟାନ୍ୟ ପ୍ରଦେଶ ସମ୍ବନ୍ଧରେ ମଧ୍ୟ ସେ ଅନେକ କଥା ଲେଖିଛନ୍ତି ।

Image

 

Unknown

ଏକାଦଶ ଅଧ୍ୟାୟ

 

ହର୍ଷବର୍ଦ୍ଧନଙ୍କ ପରେ ଭାରତର ଅବସ୍ଥା ରାଜପୁତ ଜାତି – ହର୍ଷବର୍ଦ୍ଧନଙ୍କ ପରେ ଉତ୍ତର ଭାରତ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ବିଭକ୍ତ ହୋଇଥିଲା । ରାଜପୁତ ନାମକ ଗୋଟିଏ ବୀର ଜାତି ପଶ୍ଚିମ ଭାରତରେ ବିଶେଷ କ୍ଷମତାଶାଳୀ ହୋଇ ଉଠିଲେ । ରାଜପୁତ ଶବ୍ଦର ଅର୍ଥ ରାଜପୁତ୍ର ବା କ୍ଷତ୍ରିୟ । ସେମାନେ ଭାରି ସାହସୀ ଓ ଯୋଦ୍ଧା ଥିଲେ ଏବଂ ସ୍ୱାଧୀନତା ରକ୍ଷା କରିବାପାଇଁ ନିଜ ଜୀବନ ଦେବାକୁ ସର୍ବଦା ପ୍ରସ୍ତୁତ ଥିଲେ । ପରବର୍ତ୍ତୀ କାଳରେ ସେମାନେ ହିନ୍ଦୁ ଧର୍ମ ଓ ଭାରତର ସ୍ୱାଧୀନତା ପାଇଁ ମୁସଲମାନମାନଙ୍କ ସହିତ ବହୁ ଶତାବ୍ଦୀ ପର୍ଯ୍ୟନ୍ତ ଯୁଦ୍ଧ କରିଥିଲେ । ସେମାନେ ନିଜକୁ ସୂର୍ଯ୍ୟବଂଶୀ ଓ ଚନ୍ଦ୍ରବଂଶୀ କ୍ଷତ୍ରିୟ ବୋଲି କହନ୍ତି । ସେମାନଙ୍କ ଉତ୍ପତ୍ତି ସମ୍ବନ୍ଧରେ ନାନାପ୍ରକାର ମତ ଦେଖାଯାଏ । କେତେକ ପଣ୍ଡିତଙ୍କ ମତରେ ସେମାନେ ଶବ, ପଲ୍ଲବ, ହୁନ ପ୍ରଭୃତି ବୈଦେଶିକ ଜାତିମାନଙ୍କର ବଂଶଧର । ସେମାନେ ଭାରତକୁ ଆସି ହିନ୍ଦୁ ଧର୍ମ ଗ୍ରହଣ କରି, ନିଜର ଯୁଦ୍ଧ କୌଶଳ ଯୋଗୁଁ କ୍ଷତ୍ରିୟ ବା ରାଜପୁତ୍ର ବୋଲି କଥିତ ହେଲେ । ଅନ୍ୟ କେତେକଙ୍କ ମତରେ ଆମ୍ଭ ଦେଶରେ ବୈଦିକ ଯୁଗରୁ ରାଜପୁତମାନଙ୍କ ପରି ସାହସୀ ଓ ବୀର କ୍ଷତ୍ରିୟ ଜାତି ଥିଲେ । ରାଜପୁତମାନେ ସେହି ପ୍ରାଚୀନ କ୍ଷତ୍ରିୟମାନଙ୍କର ବଂଶଧର । ପରବର୍ତ୍ତୀ କାଳରେ ବୈଦେଶିକମାନେ ଏମାନଙ୍କ ସହିତ ମିଶି ଯାଇଥିଲେ । ଚୌହାନ, ରାଠୋର, ଶିଶୋଦୀୟ, ଚାନ୍ଦେଲ, ବଘେଲ, ଗୁର୍ଜ୍ଜର ପ୍ରତିହର, ପରମାର ବା ପ୍ରମାର, ଶୋଲାଙ୍କି ପ୍ରଭୃତି ରାଜପୁତ ଜାତିର ଭିନ୍ନ ଭିନ୍ନ ଶାଖା ଅଟେ । ହର୍ଷଙ୍କ ମୃତ୍ୟୁର କିଛିକାଳ ପରେ ଏହି ଜାତିର ଗୁର୍ଜ୍ଜର ପ୍ରତିହର ଶାଖା କ୍ଷମତାଶାଳୀ ହୋଇଥିଲା ।

 

ଗୁର୍ଜ୍ଜର ପ୍ରତିହର କନୌଜ ଗୁର୍ଜ୍ଜର ପ୍ରତିହରମାନଙ୍କର ରାଜଧାନୀ ଥିଲା । ଏହି ବଂଶର (ପ୍ରଥମ) ଭୋଜ ଓ ମହେନ୍ଦ୍ରପାଳ ନାମକ ଦୁଇଟି ରାଜା ବିଶେଷ କ୍ଷମତାଶାଳୀ ଥିଲେ । ପ୍ରଥମ ଭୋଜ (ଖ୍ରୀ:୮୩୬–ଖ୍ରୀ:୮୩୯) ପର୍ଯ୍ୟନ୍ତ ରାଜତ୍ୱ କରୁଥିଲେ । ତାଙ୍କ ରାଜ୍ୟ ପଞ୍ଜାବଠାରୁ ବଙ୍ଗଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା । ତାଙ୍କ ପରେ ତାଙ୍କ ପୁତ୍ର ମହେନ୍ଦ୍ରପାଳ (ଖ୍ରୀ:୮୯୩–ଖ୍ରୀ:୯୦୭) ରାଜା ହେଲେ । ସେ ଏହି ବଂଶର ଶ୍ରେଷ୍ଠ ରାଜା । ସେ ପଶ୍ଚିମରେ ଗୁଜରାଟ ଓ ପୂର୍ବରେ ବଙ୍ଗ ଜୟ କରି ନିଜ ରାଜ୍ୟ ସହିତ ମିଶାଇଥିଲେ । ତାଙ୍କ ସଭାରେ ରାଜଶେଖର ନାମକ ଜଣେ ବିଖ୍ୟାତ ପଣ୍ଡିତ ଥିଲେ । ତାଙ୍କ ପରେ ଏହି ବଂଶ ଦୁର୍ବଳ ହୋଇ ପଡ଼ିଲା ।

 

Image

(ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର)

 

ପ୍ରତିହରମାନଙ୍କ ପରେ ଏହି ଜାତିର ଚୌହାନ, ରାଠୋର ଓ ଶିଶୋଦୀୟ ଶାଖା କ୍ଷମତାଶାଳୀ ହୋଇଥିଲେ । ଚୌହାନମାନେ ଅଜମୀରରେ ରାଜତ୍ୱ କରୁଥିଲେ । ବୀର ପୃଥ୍ୱୀରାଜ ଏହି ବଂଶର ଶ୍ରେଷ୍ଠ ରାଜା । ରାଠୋରମାନେ କନୌଜରେ ଶାସନ କରୁଥିଲେ । ଜୟଚନ୍ଦ୍ର ଏହି ବଂଶର ଶ୍ରେଷ୍ଠ ରାଜା । ମିବାରରେ ଶିଶୋଦୀୟ ରାଜପୁତମାନେ ରାଜତ୍ୱ କରୁଥିଲେ ଓ ଚିତୋର ମିବାରର ରାଜଧାନୀ ଥିଲା । ସେମାନେ ସ୍ୱାଧୀନତା ଓ ସତୀତ୍ୱକୁ ପ୍ରାଣଠାରୁ ବଡ଼ ବୋଲି ଭାବୁଥିଲେ ।

 

ଓଡ଼ିଶା ହର୍ଷଙ୍କ ପୂର୍ବରୁ ଓଡ଼ିଶାରେ କ୍ଷମତାଶାଳୀ ଭୌମବଂଶୀ ରାଜାମାନେ ରାଜତ୍ୱ କରୁଥିଲେ ଓ ଏହି ବଂଶର କେତେକ ରାଜା ବୌଦ୍ଧ ଥିଲେ ଏବଂ ଅନେକ ବୌଦ୍ଧ କୀର୍ତ୍ତି ନିର୍ମାଣ କରିଥିଲେ । ପ୍ରାୟ ୭ମ ଶତବ୍ଦୀଠାରୁ ସମ୍ବଲପୁର ଓ ଉତ୍ତର ଓଡ଼ିଶାରେ ସୋମବଂଶୀ ବା କେଶରୀ ରାଜାମାନେ ଖ୍ରୀ: ୧୧୩୨ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ଏହି ବଂଶରେ ଯଯାତି କେଶରୀ ଓ ଉଦ୍ୟୋତ କେଶରୀ ନାମକ ଦୁଇଜଣ ପ୍ରସିଦ୍ଧ ରାଜା ଥିଲେ । ଉଦ୍ୟୋତ କେଶରୀ ବଙ୍ଗଳା, ଲଙ୍କା, ଗୁଜରାଟ ଓ ଚୋଡ଼ ଦେଶ ପ୍ରଭୃତି ଜୟ କରିଥିଲେ । କେଶରୀମାନେ ଶୈବ ଥିଲେ ଓ ଓଡ଼ିଶାରେ ଶତ ଶତ ଶୈବ ମନ୍ଦିର ନିର୍ମାଣ କରିଥିଲେ । ସେଥିମଧ୍ୟରେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଭାରତପ୍ରଧାନ । କଟକ, ଯାଜପୁର, ଚଉଦ୍ୱାର, ଭୁବନେଶ୍ୱର, ପୁରୀ ଓ କଇଁଶିଳ (ପାଟଣା ରାଜ୍ୟରେ) ଏମାନଙ୍କ ସମୟରେ ଓଡ଼ିଶାର ପ୍ରଧାନ କେନ୍ଦ୍ର ଥିଲା । ଏମାନଙ୍କ ରାଜତ୍ୱ କାଳରେ ଓଡ଼ିଶା ସବୁ ବିଷୟରେ ଉନ୍ନତି କରିଥିଲା । କଳିଙ୍ଗ ବା ଗଞ୍ଜାମ ଜିଲ୍ଲାରେ ଗଙ୍ଗବଂଶୀ ରାଜାମାନେ ଷଷ୍ଠ ଶତାବ୍ଦୀ ପ୍ରାରମ୍ଭରୁ ରାଜତ୍ୱ କଲେ । ସେମାନେ ଶୈବ ଥିଲେ ଓ ଅନେକ ଶୈବ କୀର୍ତ୍ତି ସ୍ଥାପନ କରିଥିଲେ । ଏହି ବଂଶର ପରାକ୍ରମଶାଳୀ ରାଜା ଚୋଡ଼ଗଙ୍ଗ ଦେବ ୧୧୩୨ରେ କେଶରୀବଂଶ ରାଜାଙ୍କୁ ପରାସ୍ତ କରି ଉତ୍ତର ଓଡ଼ିଶା ଜୟ କଲେ । ତାଙ୍କ ସମୟରେ ଓଡ଼ିଶା ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା ।

 

ପାଳବଂଶ ବିହାର ଓ ବଙ୍ଗଳାରେ ପାଳବଂଶୀ ରାଜାମାନେ ୮୪୦ ଖ୍ରୀଷ୍ଟାବ୍ଦରୁ ପ୍ରାୟ ୨୫୦ ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ଧର୍ମପାଳ ଓ ତାଙ୍କ ପୁତ୍ର ଦେବପାଳ ଏହି ବଂଶର ଦୁଇଜଣ ଶ୍ରେଷ୍ଠ ରାଜା । ପାଳମାନେ ବୌଦ୍ଧ ଥିଲେ । ସେମାନେ ବଙ୍ଗଳା ଓ ବିହାରର ବହୁବିଧ ଉନ୍ନତି କରିଥିଲେ । ପାଳମାନଙ୍କ ପରେ ସେନ ବଂଶ ବଙ୍ଗଳାରେ ରାଜତ୍ୱ କଲେ । ଏହି ବଂଶର ଶେଷ ରାଜା ଲକ୍ଷଣ ସେନଙ୍କୁ ପରାସ୍ତ କରି ମୁସଲମାନମାନେ ବଙ୍ଗଳା ଅଧିକାର କଲେ ।

 

ଦକ୍ଷିଣ ଭାରତ

ବିଭିନ୍ନ ରାଜବଂଶ – ବିନ୍ଧ୍ୟପର୍ବତ ଓ କୃଷ୍ଣାନଦୀର ମଧ୍ୟବର୍ତ୍ତୀ ପ୍ରଦେଶ ଦାକ୍ଷିଣାତ୍ୟ ଓ କୃଷ୍ଣାନଦୀଠାରୁ କୁମାରିକା ପର୍ଯ୍ୟନ୍ତ ରାଜ୍ୟ ଦ୍ରାବିଡ଼ ବା ତାମିଲ ଦେଶ ବୋଲି ପରିଚିତ ଥିଲା । ବହୁ ପ୍ରାଚୀନ କାଳରୁ ତାମିଲ ଅଞ୍ଚଳରେ ଚେର, ଚୋଳ, ପାଣ୍ଡ୍ୟ ନାମକ ତିନୋଟି ରାଜ୍ୟ ଥିଲା ।

 

ଚାଲୁକ୍ୟ ମହାରାଷ୍ଟ୍ର ଅଞ୍ଚଳରେ ଚାଲୁକ୍ୟମାନେ ଷଷ୍ଠ ଶତାବ୍ଦୀରୁ କ୍ଷମତାଶାଳୀ ହେଲେ-। ସେମାନେ ଉତ୍ତରରେ ରାଷ୍ଟ୍ରକୂଟ ଓ ଦକ୍ଷିଣରେ ପଲ୍ଲବମାନଙ୍କ ସହିତ ସର୍ବଦା ଯୁଦ୍ଧ କରୁଥିଲେ । ବାତାପି (ବିଜାପୁର ଜିଲାର ବାଦାମି) ସେମାନଙ୍କର ରାଜଧାନୀ ଥିଲା । ଦ୍ୱିତୀୟ ପୁଲକେଶୀ (ଖ୍ରୀ: ୬୦୮ ରୁ ଖ୍ରୀ: ୬୪୨) ଏହି ବଂଶର ଶ୍ରେଷ୍ଠ ରାଜା । ସେ ହର୍ଷଙ୍କୁ ପରାସ୍ତ କରିଥିଲେ । ସେ ସମଗ୍ର ଦାକ୍ଷିଣାତ୍ୟ ଜୟ କରିଥିଲେ । ସେ ଏପରି ବିଖ୍ୟାତ ଓ କ୍ଷମତାଶାଳୀ ଥିଲେ ଯେ ପାରସ୍ୟ ରାଜା ମଧ୍ୟ ତାଙ୍କ ସଭାକୁ ଦୂତ ପଠାଇ ଥିଲେ । ହୁଏନ୍‌ସାଂ ତାଙ୍କର ବିଶେଷ ପ୍ରଶଂସା କରିଛନ୍ତି । ତାଙ୍କ ପରେ ଏହି ବଂଶ ଦୁର୍ବଳ ହୋଇପଡ଼ିଲା ।

 

ରାଷ୍ଟ୍ରକୂଟ ୮ମ ଶତାବ୍ଦୀରେ ରାଷ୍ଟ୍ରକୂଟମାନେ ମହାରାଷ୍ଟ୍ର ଅଞ୍ଚଳରେ କ୍ଷମତା ବିସ୍ତାର କରିଥିଲେ । ଏହି ବଂଶର ଶ୍ରେଷ୍ଠ ରାଜା ତୃତୀୟ ଗୋବିନ୍ଦ (ଖ୍ରୀ: ୭୯୪ ରୁ ଖ୍ରୀ: ୮୧୫) ଗୁଜରାଟ, କନୌଜ, ବଙ୍ଗ ପ୍ରଭୃତି ଉତ୍ତର ଭାରତର ସମସ୍ତ ରାଜ୍ୟ ଜୟ କରି ହିମାଳୟ ପର୍ଯ୍ୟନ୍ତ ନିଜ କ୍ଷମତା ବିସ୍ତାର କରିଥିଲେ । ତାଙ୍କର ପିତାମହ କୃଷ୍ଣ, ଏଲୋରା ନାମକ ସ୍ଥାନରେ ପାହାଡ଼ କାଟି ଅତି ଚମତ୍କାର ଗୁମ୍ଫା ଓ ମନ୍ଦିରମାନ କରିଥିଲେ । ସେଗୁଡ଼ିକର ଶିଳ୍ପକଳା ଭାରତପ୍ରସିଦ୍ଧ । ସେମାନେ ପ୍ରାୟ ୨୦୦ ବର୍ଷ କାଳ ରାଜତ୍ୱ କରିଥିଲେ ।

 

ପଲ୍ଲବ ୪ର୍ଥ ଶତାବ୍ଦୀରୁ ପଲ୍ଲବମାନେ ତାମିଲ ରାଜ୍ୟରେ ରାଜତ୍ୱ କରୁଥିଲେ । କାଞ୍ଚୀ ସେମାନଙ୍କର ରାଜଧାନୀ ଥିଲା । ସେମାନେ ଗଙ୍ଗ ଓ ଚାଲୁକ୍ୟମାନଙ୍କ ସଙ୍ଗେ ସର୍ବଦା ଯୁଦ୍ଧ କରୁଥିଲେ । ନରସିଂହ ବର୍ମନ୍ ଏହି ବଂଶର ଶ୍ରେଷ୍ଠ ରାଜା । ସେ ଦ୍ୱିତୀୟ ପୁଲକେଶୀଙ୍କୁ ଯୁଦ୍ଧରେ ମାରି ପକାଇଥିଲେ । ପଲ୍ଲବ ରାଜାମାନେ କାଞ୍ଚୀ ଓ ମଦୁରାରେ ଅସଂଖ୍ୟ ସୁନ୍ଦର ମନ୍ଦିର ଓ ଗୁମ୍ଫା ନିର୍ମାଣ କରିଥିଲେ । ସେଗୁଡ଼ିକ ଭୁବନେଶ୍ୱର, କୋଣାର୍କ ମନ୍ଦିର ପରି ଅତି ସୁନ୍ଦର ଓ ଆଜିପର୍ଯ୍ୟନ୍ତ ରହିଛି ।

 

ଚୋଳ ପଲ୍ଲବମାନଙ୍କ ପରେ ଚୋଳମାନେ ୯ମ ଶତାବ୍ଦୀଠାରୁ ତାମିଲ ଅଞ୍ଚଳରେ କ୍ଷମତାଶାଳୀ ହେଲେ । ଏହି ବଂଶୀୟ ରାଜରାଜ ଓ ରାଜେନ୍ଦ୍ର ଚୋଳ ବିଶେଷ ଶକ୍ତିଶାଳୀ ଥିଲେ । ରାଜରାଜ (ଖ୍ରୀ: ୯୫୮ ରୁ ଖ୍ରୀ: ୧୦୧୮) ନିଜ ବାହୁବଳରେ ଆଧୁନିକ ମାନ୍ଦ୍ରାଜ ପ୍ରଦେଶ ଓ ସିଂହଳଦ୍ୱୀପ ଜୟ କରି ଭାରତ ମହାସାଗରରେ ଥିବା କେତେକ ଦ୍ୱୀପ ମଧ୍ୟ ଜୟ କରିଥିଲେ । ତାଙ୍କ ପୁତ୍ର ରାଜେନ୍ଦ୍ର ଚୋଳ (ଖ୍ରୀ: ୧୦୧୮ରୁ ଖ୍ରୀ: ୧୦୪୨) ସମଗ୍ର ଭାରତର ଜଣେ ପ୍ରସିଦ୍ଧ ରାଜା । ସେ କୁମାରିକାଠାରୁ ଗଙ୍ଗା ପର୍ଯ୍ୟନ୍ତ, ବ୍ରହ୍ମଦେଶ, ଆଣ୍ଡାମାନ ଓ ନିକୋବର ଦ୍ୱୀପ ମଧ୍ୟ ଜୟ କରିଥିଲେ । ସେ ତାମିଲ ଦେଶରେ ଅସଂଖ୍ୟ କୀର୍ତ୍ତି ନିର୍ମାଣ କରିଥିଲେ । ତାଙ୍କ ପରେ ଚୋଳମାନେ ଆହୁରି ଦୁଇଶତ ବର୍ଷ କାଳ ରାଜତ୍ୱ କରିଥିଲେ ।

 

ବ୍ରାହ୍ମଣ୍ୟଧର୍ମର ପୁନରୁତ୍ୱାନ – ଗୁପ୍ତବଂଶ ରାଜତ୍ୱ ପୂର୍ବରୁ ବୌଦ୍ଧ ଧର୍ମ ସମଗ୍ର ଭାରତରେ ବ୍ୟାପି ଯାଇଥିଲା । କିନ୍ତୁ ଗୁପ୍ତ ରାଜତ୍ୱ ସମୟରୁ ଭାରତର ଅଧିକାଂଶ ରାଜବଂଶ ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକ ହେବାରୁ ଏହା କ୍ରମଶଃ ଭାରତବର୍ଷରେ ବ୍ୟାପିଗଲା । ବ୍ରାହ୍ମଣ୍ୟ ଧର୍ମ ବା ହିନ୍ଦୁ ଧର୍ମରେ ନାନାପ୍ରକାର ଯାତ୍ରା ପୂଜା ବ୍ରତ ଉତ୍ସବ ସବୁ ସୃଷ୍ଟି ହେବାରୁ ଲୋକେ ବୌଦ୍ଧ ଧର୍ମ ଛାଡ଼ି କ୍ରମଶଃ ହିନ୍ଦୁ ଧର୍ମ ପ୍ରତି ଆକୃଷ୍ଟ ହେଲେ । ଭାରତର ସର୍ବାଞ୍ଚଳରେ ଅସଂଖ୍ୟ ହିନ୍ଦୁ ମନ୍ଦିର ନିର୍ମିତ ହେଲା । ଧର୍ମ ପ୍ରଚାର ପାଇଁ ଶତ ଶତ ଗ୍ରନ୍ଥ ଲେଖା ହେଲା । ବୌଦ୍ଧଧର୍ମ ମଧ୍ୟରେ ନାନାପ୍ରକାର କୁସଂସ୍କାର, ବ୍ୟଭିଚାର ପ୍ରବେଶ କରିବାରୁ ଏହା କ୍ରମଶଃ ଅବନତ ହେଉଥିଲା । ତଥାପି ହର୍ଷବର୍ଦ୍ଧନଙ୍କ ପର୍ଯ୍ୟନ୍ତ ଭାରତର ନାନା ସ୍ଥାନରେ ବୌଦ୍ଧଧର୍ମ ଥିଲା । କିନ୍ତୁ କେତେକ ପ୍ରତିଭାଶାଳୀ ପଣ୍ଡିତ ବ୍ରାହ୍ମଣ୍ୟ ଧର୍ମ ସମ୍ବନ୍ଧରେ ସରଳ ଓ ସହଜ ଭାବରେ ଲୋକମାନଙ୍କୁ ବୁଝାଇ ଦେଲେ । ସେମାନେ ବୌଦ୍ଧ ପଣ୍ଡିତମାନଙ୍କୁ ଯୁକ୍ତି ବଳରେ ପରାସ୍ତ କରିଥିଲେ । ଏହି ପ୍ରକାରେ ବୌଦ୍ଧ ଧର୍ମ ଭାରତରୁ ଲୋପ ପାଇଲା । କୁମାରିଲ, ଶଙ୍କର, ରାମାନୁଜ ହିନ୍ଦୁ ଧର୍ମ ପ୍ରଚାରକମାନଙ୍କ ମଧ୍ୟରେ ଶ୍ରେଷ୍ଠ ।

 

କୁମାରିଲ ଭଟ୍ଟ ସେ ଭାରତର ପୂର୍ବ ଅଞ୍ଚଳରେ ବ୍ରାହ୍ମଣକୁଳରେ ଜନ୍ମ ହୋଇଥିଲେ । ସେ ଜଣେ ବଡ଼ ପଣ୍ଡିତ ଥିଲେ । ସେ ଯୁକ୍ତିବଳରେ ଅନେକ ବୌଦ୍ଧ ପଣ୍ଡିତଙ୍କୁ ପରାସ୍ତ କରିଥିଲେ । ଏହାଙ୍କ ପ୍ରଚାର ଫଳରେ ଅନେକ ଲୋକ ବୌଦ୍ଧଧର୍ମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କଲେ ।

 

ଶଙ୍କରାଚାର୍ଯ୍ୟ ଶଙ୍କର ମାଳବାର ଉପକୂଳସ୍ଥ କାଳାଦି ନାମକ ସ୍ଥାନରେ ନମୁଦ୍ରି ବ୍ରାହ୍ମଣ କୂଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପରି ପ୍ରତିଭାଶାଳୀ ପଣ୍ଡିତ ସମଗ୍ର ପୃଥିବୀରେ ମଧ୍ୟ ବିରଳ । ସେ ୩୨ ବର୍ଷ ବଞ୍ଚିଥିଲେ । ଏହି ଅଳ୍ପ କାଳ ମଧ୍ୟରେ ସେ କଠିନ ହିନ୍ଦୁ ଶାସ୍ତ୍ରମାନ ଆୟତ୍ତ କରି ଗୀତା, ବେଦ, ବେଦାନ୍ତ ପ୍ରଭୃତି ଦୁର୍ବୋଧ୍ୟ ଗ୍ରନ୍ଥମାନଙ୍କର ଟୀକା କରିଥିଲେ । ସମଗ୍ର ଭାରତରେ ବୁଲି ବୁଲି ପ୍ରସିଦ୍ଧ ବୌଦ୍ଧ ପଣ୍ଡିତମାନଙ୍କୁ ଯୁକ୍ତି ବଳରେ ପରାସ୍ତ କରି ହିନ୍ଦୁଧର୍ମ ପ୍ରଚାର କରିଥିଲେ । ମହୀଶୂରର ଶୃଙ୍ଗେରୀ, ଓଡ଼ିଶାର ପୁରୀ, ଗୁଜରାଟର ଦ୍ୱାରକା ଓ ହିମାଳୟର ବଦ୍ରିନାଥ ଏହି ଚାରି ଧାମରେ ସେ ଚାରୋଟି ମଠ ପ୍ରତିଷ୍ଠା କରିଥିଲେ । ପୁରୀରେ ତାଙ୍କ ପ୍ରତିଷ୍ଠିତ ମଠ ଆଜି ପର୍ଯ୍ୟନ୍ତ ରହିଛି । ହିମାଳୟର କେଦାରନାଥରେ ସେ ୮୨୦ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କଲେ ।

 

ରାମାନୁଜାଚାର୍ଯ୍ୟ ସେ ମାନ୍ଦ୍ରାଜ ନିକଟବର୍ତ୍ତୀ ଗୋଟିଏ ଗ୍ରାମରେ ବ୍ରାହ୍ମଣ କୁଳରେ ଜନ୍ମ ଗ୍ରହଣ କରିଥିଲେ । ସେ ବୈଷ୍ଣବ ଧର୍ମ ପ୍ରଚାର କରିଥିଲେ ଓ ବିଷ୍ଣୁ ବା ନାରାୟଣ ପୂଜାର ପକ୍ଷପାତୀ ଥିଲେ । ସେ କେତେକ ବୈଷ୍ଣବ ମଠ ପ୍ରତିଷ୍ଠା କରିଥିଲେ । କାଞ୍ଚୀ ଓ ଶ୍ରୀରଙ୍ଗମ୍‌ ତାଙ୍କର ପ୍ରଧାନ କର୍ମକ୍ଷେତ୍ର ଥିଲା । ସେ ଓଡ଼ିଶାରେ ତାଙ୍କ ଧର୍ମ ପ୍ରଚାର କରିଥିଲେ । ପୁରୀର ‘ଏମାରମଠ’ ତାଙ୍କର ଜଣେ ଶିଷ୍ୟଦ୍ୱାରା ସ୍ଥାପିତ ହୋଇଥିଲା । ସେ ୧୧୩୭ ଖ୍ରୀଷ୍ଟାବ୍ଦରେ ଶ୍ରୀରଙ୍ଗମରେ ପ୍ରାଣତ୍ୟାଗ କଲେ ।

 

ଏହିମାନଙ୍କ ବ୍ୟତୀତ ଆହୁରି ଅନେକ ପଣ୍ଡିତ ବ୍ରାହ୍ମଣ୍ୟଧର୍ମ ପ୍ରଚାର କରିବାରୁ ପ୍ରାୟ ଦ୍ୱାଦଶ ଶତାବ୍ଦୀ ବେଳକୁ ବୌଦ୍ଧଧର୍ମ ଭାରତରୁ ଲୋପ ହୋଇଗଲା । ହିନ୍ଦୁଧର୍ମର ପ୍ରଚାର ସଙ୍ଗେ ସଙ୍ଗେ ଜାତିବିଭାଗ, ଅସ୍ପୃଶ୍ୟତା ପ୍ରଭୃତି ପୁନର୍ବାର ସମାଜରେ କଠୋର ଭାବରେ ପ୍ରଚଳିତ ହେଲା । ପୂଜା ଭେଦରେ ହିନ୍ଦୁମାନେ ବହୁ କ୍ଷୁଦ୍ର ସଂପ୍ରଦାୟରେ ବିଭକ୍ତ ହେଲେ । ସଂସ୍କୃତ ଭାଷା ପୁଣି ଚଳିଲା-। ବ୍ରାହ୍ମଣମାନେ ସମାଜରେ ପୁନର୍ବାର ଉଚ୍ଚସ୍ଥାନ ବହୁ ଧନରତ୍ନ ଦେଶକୁ ଆଣୁଥିଲେ । ଭାରତର ଉପକୂଳରେ ଶତ ଶତ କ୍ଷୁଦ୍ର ବନ୍ଦର ଥିଲା । ଯବ, ସୁମାତ୍ରା, ବୋର୍ଣ୍ଣିଅ, ଲଙ୍କା, ବ୍ରହ୍ମଦେଶ, କିମ୍ବୋଡିଆ ପ୍ରଭୃତିରେ ହିନ୍ଦୁ ଓ ବୌଦ୍ଧରାଜାମାନେ ରାଜତ୍ୱ କରୁଥିଲେ । ସେଠାରେ ମନ୍ଦିର, ଚୈତ୍ୟ, ସ୍ତୂପ, ମଠ ପ୍ରଭୃତି ଶତ ଶତ ସଂଖ୍ୟାରେ ନିର୍ମିତ ହୋଇଥିଲା । ସେହି ଭାରତୀୟ ଉପନିବେଶମାନଙ୍କରେ ବହୁ ହିନ୍ଦୁ ଓ ବୌଦ୍ଧକୀର୍ତ୍ତି ଆଜିପର୍ଯ୍ୟନ୍ତ ରହିଛି । ସେ ଗୁଡ଼ିକର ଶିଳ୍ପକଳା ଭୁବନେଶ୍ୱର ମନ୍ଦିରର ଶିଳ୍ପକଳା ପରି ଅତି ଚମତ୍କାର । ସମଗ୍ର ଏସିଆ ଖଣ୍ଡରେ ଭାରତ ଶିକ୍ଷା, ସଭ୍ୟତା ଓ ଧର୍ମର କେନ୍ଦ୍ର ଥିଲା । ଭାରତ ବାହାରୁ ଶତ ଶତ ଛାତ୍ର ଏ ଦେଶର ବିଦ୍ୟାପୀଠମାନଙ୍କୁ ବିଦ୍ୟା ଶିକ୍ଷା କରିବାକୁ ଆସୁଥିଲେ । ଏହି ଯୁଗରେ ସଂସ୍କୃତ ଭାଷାରେ ଉଚ୍ଚ ଧରଣର କାବ୍ୟ, କବିତା, ନାଟକ, ଉପନ୍ୟାସ, ଗଳ୍ପ, ଇତିହାସ, ଜ୍ୟୋତିଷ, ରାଜନୀତି, ଆୟୁର୍ବେଦ, ଦର୍ଶନ, ତନ୍ତ୍ର, ବିଜ୍ଞାନ ପ୍ରଭୃତି ସମ୍ବନ୍ଧରେ ଗ୍ରନ୍ଥ ଲେଖା ହୋଇଥିଲା । ଏହି ଯୁଗରେ ସଂସ୍କୃତଭାଷା ପୃଥିବୀରେ ସର୍ବଶ୍ରେଷ୍ଠ ହୋଇପାରିଥିଲା । ଆମ୍ଭ ଦେଶରୁ ପୋଥିସବୁ ନେଇ ବୈଦେଶିକମାନେ ଜ୍ଞାନଲାଭ କରୁଥିଲେ । ମୁସଲମାନ ରାଜତ୍ୱ ପୂର୍ବରୁ ଆମ ଦେଶର ଶିକ୍ଷା ସଭ୍ୟତା ଓ ଶିଳ୍ପ ଉନ୍ନତିର ଚରମ ସୀମାରେ ପହଞ୍ଚିଥିଲା । କୁତବୁଦ୍ଦିନଙ୍କର ଦାସ ଥିଲେ । କିନ୍ତୁ ନିଜ ବୁଦ୍ଧିବଳରେ ବଡ଼ ଚାକିରୀ ପାଇ ତାଙ୍କର ଜାମାତା ହେଲେ । ସେ ଉତ୍ତର ଭାରତର କେତେକ ଅଞ୍ଚଳରେ ଘଟିଥିବା ବିଦ୍ରୋହ ଦମନ କଲେ । ମାଳବରାଜ୍ୟର ରାଜଧାନୀ ଉଜ୍ଜୟିନୀ ଅଧିକାର କରି ସେ ସେଠାର ପ୍ରସିଦ୍ଧ ମହାକାଳ ମନ୍ଦିର ଧ୍ୱଂସ କରିଥିଲେ । ତାଙ୍କ ରାଜତ୍ୱରେ ଚିଙ୍ଗିଜ୍‌ ଖାଁ ନାମକ ମୋଗଲ ସେନାପତି ସିନ୍ଧୁନଦୀ ପର୍ଯ୍ୟନ୍ତ ଜୟ କରି ଫେରି ଯାଇଥିଲେ । ଏହା ଭାରତର ପ୍ରଥମ ମୋଗଲ ଆକ୍ରମଣ । ତାଙ୍କ ରାଜତ୍ୱରେ ଦିଲ୍ଳୀ ମୁସଲମାନ ଶିକ୍ଷା ଓ ସଭ୍ୟତାର ଗୋଟିଏ କେନ୍ଦ୍ର ହେଲା । ସେ କୁତବମିନାର କାର୍ଯ୍ୟ ଶେଷ କରିଥିଲେ । ସେ ୧୨୩୬ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କଲେ । ଦାସ ବଂଶର ସେ ଜଣେ ଶ୍ରେଷ୍ଠ ରାଜା ।

 

Image

(କୁତବମିନାର)

 

ସୁଲତାନ ରେଜିୟା (ଖ୍ରୀ: ୧୨୩୬ – ଖ୍ରୀ: ୧୨୪୦) – ଅଲଟାମସ୍‌ଙ୍କ ପୁତ୍ରମାନେ ରାଜକାର୍ଯ୍ୟ ଚଳାଇବାକୁ ଅକ୍ଷମ ହେବାରୁ ତାଙ୍କର କନ୍ୟା ରେଜିୟା ଦିଲ୍ଲୀ ସିଂହାସନରେ ବସିଲେ । ସେ ବୁଦ୍ଧିମତୀ ଓ କର୍ମପଟୁ ଥିଲେ । ସେ ପୁରୁଷ ବେଶରେ ରାଜକାର୍ଯ୍ୟ ଚଳାଉଥିଲେ ଓ ନିଜେ ଯୁଦ୍ଧଭୂମିକୁ ଯାଇ ଯୁଦ୍ଧ କରୁଥିଲେ । ସେ ତାଙ୍କର ଜଣେ ପ୍ରିୟ ସେନାପତିକୁ ବିବାହ କରିବାରୁ କେତେକ ଅମୀର ଓ ସେନାପତି ଅସନ୍ତୁଷ୍ଟ ହୋଇ ତାଙ୍କୁ ସିଂହାସନରୁ ତଡ଼ି ଦେଲେ । ସେ ଏହି ଅପମାନ ସହି ନ ପାରି ପ୍ରାଣତ୍ୟାଗ କଲେ । ତାଙ୍କ ଛଡ଼ା ଅନ୍ୟ କୌଣସି ରମଣୀ ଦିଲ୍ଲୀର ସିଂହାସନରେ ବସିଥିବା ଜଣାଯାଏ ନାହିଁ ।’’

ନାସିରୁଦ୍ଦିନ (ଖ୍ରୀ: ୧୨୪୬ – ଖ୍ରୀ: ୧୨୬୭) – ରେଜିୟାଙ୍କ ପରେ ଅଲଟାମସ୍‌ଙ୍କ କନିଷ୍ଠ ପୁତ୍ର ନାସିରୁଦ୍ଦିନ୍‌ ରାଜା ହେଲେ । ସେ ଧାର୍ମିକ, ସରଳ ଓ ଚରିତ୍ରବାନ୍‌ ଥିଲେ । ରାଜା ହୋଇ ମଧ୍ୟ ସେ ସମସ୍ତ ପ୍ରକାର ଭୋଗ ବିଳାସ ଛାଡ଼ି ଦେଇଥିଲେ । ନିଜ ପାଇଁ ରାଜକୋଷରୁ ଆଦୌ ଅର୍ଥ ବ୍ୟୟ କରୁ ନ ଥିଲେ । କୋରାନ୍‌ ଲେଖି ଯତ୍‌ସାମାନ୍ୟ ଆୟ କରୁଥିଲେ, ସେଥିରେ ସେ ଚଳୁଥିଲେ । ସେ ଦାସଦାସୀ କିଛି ରଖୁ ନ ଥିଲେ । ସେ ନାମକୁ ମାତ୍ର ସମ୍ରାଟ୍‌ ଥିଲେ । ତାଙ୍କର ବୁଦ୍ଧିମାନ୍‌ ମନ୍ତ୍ରୀ ବଲବନ୍‌ ସମସ୍ତ ରାଜକାର୍ଯ୍ୟ ଚଳାଉଥିଲେ ।

 

ଗୟାସୁଦ୍ଦିନ ବଲବନ୍‌ବଲ୍‌ବନ୍‌ ଅଲଟାମସଙ୍କର କ୍ରୀତଦାସ ଓ ଜାମାତା ଥିଲେ । ନାସିରୁଦ୍ଦିନଙ୍କ ପୁତ୍ର ନ ଥିବାରୁ ସେ ଦିଲ୍ଲୀର ସମ୍ରାଟ୍‌ ହେଲେ । ସେ ଜଣେ ଚତୁର ଓ ସୁଦକ୍ଷ ରାଜା ଥିଲେ ଏବଂ କଠୋର ଭାବରେ ରାଜ୍ୟ ଶାସନ କରୁଥିଲେ । ସେ ସୈନ୍ୟ ସଂଖ୍ୟା ବିଶେଷ ଭାବରେ ବଢ଼ାଇ ଦେଇଥିଲେ । ସେ ଚୋର ଡକାୟତମାନଙ୍କୁ ଦମନ କରି ରାସ୍ତାଗୁଡ଼ିକ ନିରାପଦ ରଖିଥିଲେ । ବଙ୍ଗଳାର ଶାସକ ତୋଗ୍‌ରଲ ଖାଁ ବିଦ୍ରୋହୀ ହେବାରୁ ସେ ନିଜେ ଯାଇ ବିଦ୍ରୋହ ଦମନ କରିଥିଲେ ଓ ବିଦ୍ରୋହୀମାନଙ୍କର ଶବଗୁଡ଼ିକ ଲକ୍ଷ୍ମଣାବତୀ ସହରର ବଜାରରେ ଝୁଲାଇ ଦେଇଥିଲେ । ତତ୍‌ପରେ ସେ ନିଜ ପୁଅ ମାମୁଦଙ୍କୁ ବଙ୍ଗଳାର ଶାସନକର୍ତ୍ତା କରିଥିଲେ । ସେ ନ୍ୟାୟବାନ୍‌ ଶାସକ ଥିଲେ ଓ ପୁତ୍ର ମିତ୍ର ଭାଇ ବନ୍ଧୁ ସମସ୍ତଙ୍କ ପ୍ରତି ସମାନ ବିଚାର କରୁଥିଲେ । ସେ ୮୦ ବର୍ଷ ବୟସରେ ୧୨୮୬ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କଲେ ।

 

କୈକୋବାଦ (ଖ୍ରୀ: ୧୧୮୬ – ଖ୍ରୀ: ୧୨୯୦) – ସେ ଶାସନକାର୍ଯ୍ୟ ଭଲ ଭାବରେ ନ ବୁଝିବାରୁ ଦେଶରେ ବିଶୃଙ୍ଖଳା ଘଟିଲା । ଏହି ସୁଯୋଗ ପାଇ ତାଙ୍କର ମନ୍ତ୍ରୀ ଜଲାଲୁଦ୍ଦିନ ଖିଲିଜି ତାଙ୍କୁ ମାରି ଦିଲ୍ଲୀର ସମ୍ରାଟ ହେଲେ ।

 

ଖିଲିଜି ବଂଶ

 

ଜଲାଲୁଦ୍ଦିନ୍‌ ଖିଲିଜି (ଖ୍ରୀ: ୧୨୯୦ – ଖ୍ରୀ: ୧୨୯୬) – ଜଲାଲୁଦ୍ଦିନ ଖିଲିଜି ଖିଲିଜି ବଂଶର ପ୍ରତିଷ୍ଠାତା । ସେ ୭୦ ବର୍ଷ ବୟସରେ ଦିଲ୍ଲୀର ସମ୍ରାଟ ହୋଇଥିଲେ । ତାଙ୍କର ପୁଅ ନ ଥିବାରୁ ସେ ତାଙ୍କର ଭାଇର ପୁଅ ଆଲାଉଦ୍ଦିନଙ୍କୁ ଭାରି ଭଲ ପାଉଥିଲେ ।

 

ଦାସବଂଶ ରାଜତ୍ୱ ସମୟରେ ଦାକ୍ଷିଣାତ୍ୟ, ଓଡ଼ିଶା, ରାଜପୁତନା ଓ ଆସାମ ବ୍ୟତୀତ ପ୍ରାୟ ସମଗ୍ର ଭାରତ ମୁସଲମାନଙ୍କ ଦ୍ୱାରା ଶାସିତ ହେଉଥିଲା । ଜଲାଲୁଦ୍ଦିନ ସର୍ବପ୍ରଥମେ ବିନ୍ଧ୍ୟର ଦକ୍ଷିଣକୁ ରାଜ୍ୟ ବିସ୍ତାର କରିବାପାଇଁ ଆଲାଉଦ୍ଦିନଙ୍କୁ ପଠାଇଲେ । ଆଲାଉଦ୍ଦିନ ମାଳବ ଜୟ କରି ଓ ବିନ୍ଧ୍ୟ ପର୍ବତ ପାରହୋଇ ଯାଦବମାନଙ୍କର ଦେବଗିରି ରାଜ୍ୟ ଆକ୍ରମଣ କଲେ (ଦେବଗିରିର ଆଧୁନିକ ନାମ ଦୌଲତାବାଦ ଓ ଏହା ନିଜାମଙ୍କ ରାଜ୍ୟରେ ଅବସ୍ଥିତ) । ଦେବଗିରି ରାଜା ରାମଚନ୍ଦ୍ର ଦେବ ଯୁଦ୍ଧ ପାଇଁ ପ୍ରସ୍ତୁତ ନ ଥିବାରୁ ସହଜରେ ପରାସ୍ତ ହେଲେ ଓ ଆଲାଉଦ୍ଦିନଙ୍କୁ ବହୁ ଧନ ରତ୍ନ ଓ ଇଲିଚପୁର ନଗର ପ୍ରଦାନ କଲେ । ଦାକ୍ଷିଣାତ୍ୟ ଜୟ କରି ସେ ଦିଲ୍ଲୀକୁ ଫେରିଆସିଲେ । ତାଙ୍କର ବିଜୟ ଖବର ପାଇ ଜଲାଲୁଦ୍ଦିନ ତାଙ୍କୁ ଆନନ୍ଦରେ କୁଣ୍ଢାଇବାକୁ ଗଲାବେଳେ ଆଲା ଛୁରି ମାରି ତାଙ୍କର ବୃଦ୍ଧ ପିତୃବ୍ୟଙ୍କୁ ମାରି ପକାଇଲେ । ତତ୍‌ପରେ ସେ ଦିଲ୍ଲୀକୁ ଆସି ନିଜକୁ ସମ୍ରାଟ୍‌ ବୋଲି ଘୋଷଣା କଲେ ।

 

ଆଲାଉଦ୍ଦିନ୍‌ ଖିଲିଜି – (ଖ୍ରୀ: ୧୨୯୬ – ଖ୍ରୀ: ୧୩୧୬) ଆଲାଉଦ୍ଦିନ୍‌ ସିଂହାସନରେ ବସିବାକ୍ଷଣି ରାଜବଂଶୀୟ ସମସ୍ତଙ୍କୁ ନିଷ୍ଠୁର ଭାବରେ ମାରିପକାଇଲେ । ସେ ଦିଗ୍‌ବିଜୟୀ ସମ୍ରାଟ୍‌ ଓ ଖିଲିଜିବଂଶର ଶ୍ରେଷ୍ଠରାଜା । ମାଲିକ କାଫୁର ନାମକ ଜଣେ ସୁଦକ୍ଷ ସେନାପତି ଥିଲେ । ସେ ପ୍ରଥମେ ହିନ୍ଦୁ ଥିଲେ ଓ ପରେ ମୁସଲମାନ ହୋଇଥିଲେ । ଆଲାଉଦ୍ଦିନ୍‌ ଗୁଜୁରାଟର ରାଜାଙ୍କୁ ପରାସ୍ତ କରି ତାଙ୍କର ସ୍ତ୍ରୀ କମଳାଦେବୀଙ୍କୁ ନିଜର ରାଣୀ କରିଥିଲେ । ମାଲିକ କାଫୁର ଦେବଗିରିର ଯାଦବ ରାଜାଙ୍କୁ, ବାରାଙ୍ଗଲର କାକତୀୟ ରାଜାଙ୍କୁ ଓ ଦ୍ୱାରସମୁଦ୍ର (ମହୀଶୂର ରାଜ୍ୟରେ) ର ହୟଶାଳା ରାଜାଙ୍କୁ ପରାସ୍ତ କରି ରାମେଶ୍ୱର ପର୍ଯ୍ୟନ୍ତ ସମଗ୍ର ଦକ୍ଷିଣ ଭାରତ ଜୟ କରିଥିଲେ । ଆଲାଉଦ୍ଦିନଙ୍କ ରାଜ୍ୟ କୁମାରିକା ଅନ୍ତରୀପ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା, କିନ୍ତୁ ସେ ଗଙ୍ଗାଠାରୁ ଗୋଦାବରୀ ପର୍ଯ୍ୟନ୍ତ ବିସ୍ତୃତ ଉତ୍କଳକୁ ଜୟ କରିବାକୁ ସାହସ କରି ନ ଥିଲେ ।

 

ସେ କାଳରେ ଓଡ଼ିଶାର ଗଜପତି ବଡ଼ ପରାକ୍ରମଶାଳୀ ଥିଲେ ଏବଂ ଓଡ଼ିଆମାନେ ସାହସୀ ଓ ବିଚକ୍ଷଣ ଯୋଦ୍ଧା ଥିଲେ । ସମଗ୍ର ଭାରତ ତାଙ୍କର ପ୍ରତାପରେ ଥର ଥର ହେଉଥିବାବେଳେ ଓଡ଼ିଶାରାଜା ନିଶ୍ଚିନ୍ତ ଥିଲେ ଓ ବିଶାଳ ମନ୍ଦିରମାନ ନିର୍ମାଣ କରୁଥିଲେ । ଏହା ଓଡ଼ିଶା ପକ୍ଷେ କମ୍‌ ଗୌରବର ବିଷୟ ନୁହେଁ ।

 

ଚିତୋର ବିଜୟ ସେ ୧୩୦୦ ଖ୍ରୀଷ୍ଟାବ୍ଦରେ ରେନ୍ଥାମ୍ବର ଦୁର୍ଗ ଅଧିକାର କଲେ । ୧୩୦୩ ରେ ସେ ମିବାର ରାଜଧାନୀ ଚିତୋର ଅବରୋଧ କଲେ । ଚିତୋର ଦୁର୍ଗ ଅଧିକାର କରି ନ ପାରି ସେ ମିବାରର ରାଣୀ ପଦ୍ମିନୀଙ୍କ ମୁଖ ଦର୍ପଣରେ ଦେଖି ଫେରିଆସିଲେ । ଫେରିଯିବାବେଳେ ଚିତୋରର ରାଣା ଭୀମସିଂହ ତାଙ୍କ ସଙ୍ଗେ ଗଲେ । କିନ୍ତୁ ଆଲା ବିଶ୍ୱାସଘାତକତା କରି ତାଙ୍କୁ ବନ୍ଦୀକଲେ ଓ ପଦ୍ମିନୀଙ୍କୁ ନ ପାଇଲେ ତାଙ୍କୁ ଛାଡ଼ିବେ ନାହିଁ ବୋଲି କହିଲେ । ଚତୁରୀ ପଦ୍ମିନୀ କୌଶଳରେ ଆଲାଙ୍କ ସୈନ୍ୟମାନଙ୍କୁ ପରାସ୍ତ କଲେ । ଇତିମଧ୍ୟରେ ଭୀମସିଂହ ଚିତୋରକୁ ଚାଲି ଆସିଥିଲେ । ଜଣେ ସ୍ତ୍ରୀର ବୁଦ୍ଧିରେ ପରାଜିତ ହେବାରୁ ଆଲାଙ୍କ ପ୍ରାଣରେ ବଡ଼ ଆଘାତ ହେଲା । ସେ ବହୁ ସୈନ୍ୟସହ ଚିତୋର ଆକ୍ରମଣ ଓ ଧ୍ୱଂସ କଲେ । ରାଜପୁତମାନେ ଜନ୍ମଭୂମିର ସ୍ୱାଧୀନତା ରକ୍ଷା କରିବାପାଇଁ ଭୀଷଣ ଯୁଦ୍ଧ କଲେ । କିନ୍ତୁ ପରାସ୍ତ ଓ ନିହତ ହେଲେ । ପଦ୍ମିନୀ ଓ ଅନ୍ୟାନ୍ୟ ସ୍ତ୍ରୀମାନେ ସତୀତ୍ୱ ନଷ୍ଟ ଭୟରେ ଅଗ୍ନିକୁଣ୍ଡରେ ଝାସ ଦେଲେ-। ସମୃଦ୍ଧିଶାଳୀ ଚିତୋର ଶ୍ମଶାନରେ ପରିଣତ ହେଲା ।

 

ଆଲାଉଦ୍ଦିନଙ୍କ ଶାସନ ସେ ବଡ଼ ନିଷ୍ଠୁର ଓ ଗର୍ବୀ ଥିଲେ ଏବଂ ନୃଶଂସ ଭାବରେ ଲୋକଙ୍କୁ ମାରିପକାଉଥିଲେ । ହିନ୍ଦୁମାନଙ୍କ ପ୍ରତି ସେ ଭୀଷଣ ଅତ୍ୟାଚାର କରୁଥିଲେ । ହିନ୍ଦୁମାନେ ନାନାପ୍ରକାର କର ଦେଉଥିଲେ । ସେମାନେ ଧନ ସଞ୍ଚୟ କରିପାରୁନଥିଲେ କି ଘୋଡ଼ା ଚଢ଼ି ପାରୁନଥିଲେ । ତାଙ୍କର ଅତିରିକ୍ତ କରପୀଡ଼ାରେ ହିନ୍ଦୁମାନେ ଉଚ୍ଛନ୍ନ ହୋଇ ଯାଉଥିଲେ ।

 

ସେ ଦୁର୍ଦ୍ଦାନ୍ତ ଅମୀରମାନଙ୍କୁ କଠୋର ଆଇନ ଦ୍ୱାରା ଆୟତ୍ତ ରଖିଥିଲେ । ସେମାନେ ଏକତ୍ର ବସବାସ କରିପାରୁନଥିଲେ । ବହୁ ଗୁପ୍ତଚର ରଖି ଦେଶର ସମସ୍ତ ଖବର ରଖିଥିଲେ । ଖାଣ୍ଟି ଜିନିସ କିପରି ମିଳିବ, ଓ ମିଶ୍ରଣ ନ ହେବ ସେଥିପାଇଁ ସେ କଡ଼ା ଆଇନ କରିଥିଲେ । ଦୋକାନମାନଙ୍କର ଖୋଲିବା ଓ ବନ୍ଦ ହେବା ସମୟ, ଜିନିସମାନଙ୍କର ବିକାକିଣା ଓ ମୂଲ୍ୟ, ଓଜନ ପ୍ରଭୃତି ଆଇନ ଦ୍ୱାରା ଠିକ କରିଥିଲେ । ତାଙ୍କ ଶାସନ ଅତି କଠୋର ଥିଲା । ସେ ୧୩୧୬ ରେ ପ୍ରାଣତ୍ୟାଗ କରିଥିଲେ ।

 

ତାଙ୍କର ମୃତ୍ୟୁପରେ ଦେଶରେ ଘୋର ଅଶାନ୍ତି ଓ ଅରାଜକତା ଉପସ୍ଥିତ ହେଲା । ତାଙ୍କ ପରେ ଏହି ବଂଶର ଦୁଇ ଜଣ ରାଜା କିଛିକାଳ ରାଜତ୍ୱ କରିଥିଲେ । ଏହି ବଂଶର ଶେଷରାଜାଙ୍କୁ ମାରି ପଞ୍ଜାବର ଶାସନକର୍ତ୍ତା ଗାଜିମଲ୍ଲିକ, ଗୟାସୁଦ୍ଦିନ ତୋଗଲକ ନାମ ଧାରଣ କରି ଦିଲ୍ଲୀର ସମ୍ରାଟ ହେଲେ (ଖ୍ରୀ: ୧୩୨୦) ।

 

ତୋଗଲକ ବଂଶ

 

ଗୟାସୁଦ୍ଦିନ ତୋଗଲକ (ଖ୍ରୀ: ୧୩୨୦ – ଖ୍ରୀ: ୧୩୨୫) – ସେ ଉତ୍ତମ ଶାସନଦ୍ୱାରା ଅତି ଅଳ୍ପକାଳ ମଧ୍ୟରେ ଦେଶରୁ ଅଶାନ୍ତି ଓ ଅରାଜକତା ଦୂର କରିଦେଲେ । ବଙ୍ଗଦେଶ ଜୟ କରି ଫେରିବାବେଳେ ତାଙ୍କ ଅଭ୍ୟର୍ଥନା କରିବାପାଇଁ ତାଙ୍କର ପୁତ୍ର ଫକରୁଦ୍ଦିନ୍‌ ଜନା ଗୋଟିଏ କାଠର ମଣ୍ଡପ କରିଥିଲେ । ଗୟାସୁଦ୍ଦିନ ଏହି ମଣ୍ଡପରେ ବସୁ ବସୁ କାଠର ଚାନ୍ଦୁଆଟି ତାଙ୍କ ମୁଣ୍ଡଉପରେ ପଡ଼ିବାରୁ ସେ ପ୍ରାଣତ୍ୟାଗ କଲେ । କେତେକଙ୍କ ମତରେ ଜୁନା ଖାଁ ପିତାଙ୍କ ମାରିବାପାଇଁ ଏପରି ଷଡ଼ଯନ୍ତ୍ର କରିଥିଲେ ।

 

ମହମ୍ମଦ ତୋଗଲକ (ଖ୍ରୀ: ୧୩୨୫ – ଖ୍ରୀ: ୧୩୫୧) ପିତାଙ୍କୁ ମାରି ଜୁନା ଖାଁ ମହମ୍ମଦ ତୋଗଲକ ନାମ ଧାରଣକରି ଦିଲ୍ଲୀର ସମ୍ରାଟ ହେଲେ । ସେ ବୁଦ୍ଧିମାନ ପଣ୍ଡିତ ଓ ବଡ଼ କଳ୍ପନା-ପ୍ରିୟ ଥିଲେ । ତାଙ୍କର ଯାହା ଇଚ୍ଛା ହେଉଥିଲା ତାହା କାର୍ଯ୍ୟରେ ପରିଣତ ନ କରି ଛାଡ଼ୁନଥିଲେ । ତାଙ୍କର ପାଣ୍ଡିତ୍ୟ ଓ ବିଚକ୍ଷଣ ବୁଦ୍ଧି ଥିଲେ ମଧ୍ୟ, ସେ ବିଶେଷ ଜିଦ୍‌ଖୋର ବା ଖିଆଲବାଜ ଥିବାରୁ ଲୋକମାନେ ତାଙ୍କୁ ପାଗଲ ବୋଲି କହୁଥିଲେ ।

 

ସେ ପାରସ୍ୟ ଆକ୍ରମଣ କରିବାକୁ ବହୁତ ସୈନ୍ୟ ସଂଗ୍ରହ କରିଥିଲେ, କିନ୍ତୁ ସେମାନଙ୍କୁ ବେତନ ଦେଇନପାରିବାରୁ ଏ ପ୍ରସ୍ତାବ ଭାଙ୍ଗିଗଲା । ଚୀନ ଦେଶ ଜୟ କରିବାପାଇଁ ସେ ଅନେକ ହଜାର ସୈନ୍ୟ ପଠାଇଲେ । କିନ୍ତୁ ସେମାନେ ହିମାଳୟ ପାରିହେଲାବେଳେ ଖାଦ୍ୟାଭାବ ଓ ଭୀଷଣ ଶୀତ କଷ୍ଟରେ ପ୍ରାଣତ୍ୟାଗ କଲେ । ତାଙ୍କ ସମୟରେ ମୋଗଲମାନେ ଭାରତ ଆକ୍ରମଣ କଲେ । କିନ୍ତୁ ସେ ସେମାନଙ୍କ ସହିତ ଯୁଦ୍ଧ ନ କରି ବହୁତ ଟଙ୍କା ଦେଇ ସେମାନଙ୍କୁ ବିଦାୟ ଦେଲେ-। ତେଣୁ ସେମାନେ ଧନ ଲୋଭରେ ବାରମ୍ବାର ଭାରତ ଆକ୍ରମଣ କଲେ । ହାଇଦ୍ରାବାଦରେ ଦୌଲତାବାଦ ନାମକ ଗୋଟିଏ ନଗର ଅଛି । ମହମ୍ମଦ ଭାବିଲେ ଏହା ତାଙ୍କ ସାମ୍ରାଜ୍ୟର କେନ୍ଦ୍ରରେ ଅବସ୍ଥିତ ଓ ଏଠାରୁ ସମସ୍ତ ସାମ୍ରାଜ୍ୟ ଶାସନ କରିବା ସୁବିଧା ହେବ । ଦିଲ୍ଲୀ ରାଜଧାନୀ ପାଇଁ ଉପଯୁକ୍ତ ନୁହେଁ ବୋଲି ସେ ସ୍ଥିର କଲେ । କାରଣ ପଶ୍ଚିମ ଗିରିସଂକଟ ବାଟେ ବିଦେଶୀ ଶତ୍ରୁମାନେ ହଠାତ୍‌ ଦିଲ୍ଲୀରେ ପହଞ୍ଚିଯାଇଥିଲେ । ଏହା ଭାବି ସେ ଦିଲ୍ଲୀରୁ ଦୌଲତାବାଦକୁ ରାଜଧାନୀ ଉଠାଇ ନେବାକୁ ଯତ୍ନ କଲେ । ଦିଲ୍ଲୀବାସୀମାନଙ୍କୁ ଦୌଲତାବାଦ ଯିବାକୁ ବାଧ୍ୟ କରାଗଲା । ଦିଲ୍ଲୀଠାରୁ ଦୌଲତାବାଦ ୭୦୦ ମାଇଲ । ଏହି ଦୀର୍ଘପଥରେ ଅନେକ ଲୋକ ନ ଖାଇ ନ ପିଇ ମରିଗଲେ ଓ ଅନ୍ୟାନ୍ୟମାନଙ୍କର କଷ୍ଟର ସୀମା ରହିଲା ନାହିଁ । ମହମ୍ମଦ ନିଜର ଭୁଲ ବୁଝିପାରି ଲୋକମାନଙ୍କୁ ପୁନର୍ବାର ଦିଲ୍ଲୀକୁ ଫେରି ଆସିବାକୁ ହୁକୁମ ଦେଲେ । ଏହାଦ୍ୱାରା ରାଜକୋଷରୁ ବହୁ ଅର୍ଥ ବ୍ୟୟ ହୋଇଥିଲା ଓ ଲୋକମାନେ କେବଳ ଦୁଃଖ ଯନ୍ତ୍ରଣା ଭୋଗ କରିଥିଲେ ।

 

ଏପରି କେତେକ କାର୍ଯ୍ୟ କରିବାଦ୍ୱାରା ଟଙ୍କାର ଅଭାବ ହେଲା । ତହୁଁ ସେ ରୂପା ଟଙ୍କା ପରିବର୍ତ୍ତେ ତମ୍ବା ଓ ପିତଳର ଟଙ୍କା ଚଳାଇଲେ ଓ ପ୍ରଜାମାନଙ୍କୁ ସେହି ଟଙ୍କା ନେବାକୁ ବାଧ୍ୟ କଲେ-। ଟଙ୍କା ତିଆରି ପାଇଁ କୌଣସି କଡ଼ା ଆଇନ ନ ଥିବାରୁ ସାଧାରଣ ଲୋକେ ମଧ୍ୟ ତମ୍ବା, ପିତଳରେ ଜାଲ ଟଙ୍କା ତିଆରି କଲେ । ବିଦେଶୀ ବଣିକମାନେ ଏପ୍ରକାର ଟଙ୍କା ଗ୍ରହଣ କଲେ ନାହିଁ-। ବାଣିଜ୍ୟ ବ୍ୟବସାୟରେ ଘୋର କ୍ଷତି ହେଲା; ତେଣୁ ମହମ୍ମଦ ବାଧ୍ୟ ହୋଇ ଏ ହୁକୁମ ଉଠାଇ ନେଲେ ।

 

ରାଜକୋଷ ଶୂନ୍ୟ ହୋଇଯିବାରୁ ସେ ପ୍ରଜାମାନଙ୍କ ଉପରେ ଅଧିକ କର ବସାଇଲେ । ଏପରି ସମୟରେ ରାଜ୍ୟରେ ଦୁର୍ଭିକ୍ଷ ପଡ଼ିଲା । ପ୍ରଜାମାନେ ଦୁର୍ଭିକ୍ଷ ଦାଉରେ କର ଦେଇ ନ ପାରି ଜଙ୍ଗଲକୁ ପଳାଇଗଲେ । କିନ୍ତୁ ସେଠାରେ ମଧ୍ୟ ରକ୍ଷା ପାଇଲେ ନାହିଁ । ମହମ୍ମଦ ବହୁ ସୈନ୍ୟ ଧରି ଜଙ୍ଗଲକୁ ଯାଇ ପ୍ରଜାମାନଙ୍କୁ ବନ୍ୟଜନ୍ତୁ ପରି ନିଷ୍ଠୁର ଭାବରେ ବଧ କଲେ ।

 

ମହମ୍ମଦଙ୍କ ଏ ସମସ୍ତ କାର୍ଯ୍ୟଦ୍ୱାରା ରାଜ୍ୟରେ ଘୋର ଅଶାନ୍ତି ବ୍ୟାପିଗଲା । ଚାରିଆଡ଼େ ବିଦ୍ରୋହର ସୃଷ୍ଟି ହେଲା । ଦାକ୍ଷିଣାତ୍ୟରେ ବିଜୟନଗର ଓ ବାହମନି ନାମକ ଦୁଇଟି ସ୍ୱାଧୀନ ରାଜ୍ୟ ସ୍ଥାପିତ ହେଲା । ତାଙ୍କର ମୃତ୍ୟୁ ସମୟକୁ ତାଙ୍କର ବିଶାଳ ସାମ୍ରାଜ୍ୟ ଭାଙ୍ଗିଗଲା । ସେ ୧୩୫୧ ରେ ପ୍ରାଣତ୍ୟାଗ କଲେ । ତାଙ୍କ ସମୟରେ ଇବନବତୁତା ନାମକ ଜଣେ ଆଫ୍ରିକାବାସୀ ପରିବ୍ରାଜକ ଦିଲ୍ଲୀରେ ବାଜି ହୋଇଥିଲେ । ସେ ତାଙ୍କ ରାଜତ୍ୱ ସମ୍ବନ୍ଧରେ ଅନେକ କଥା ଲେଖିଯାଇଅଛନ୍ତି ।

 

ଫିରୋଜ ତୋଗଲକ ସେ ୧୩୫୧ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀର ସମ୍ରାଟ୍‌ ହେଲେ । ସେ ସୁଶାସନଦ୍ୱାରା ଦେଶରେ ଶାନ୍ତି ଶୃଙ୍ଖଳା ପ୍ରତିଷ୍ଠା କରିଥିଲେ । ସେ ପ୍ରଜା ହିତପାଇଁ ଅନେକ ନଗର, ମସଜିଦ୍‌, ପୋଲ, କବର, ଶିକ୍ଷାଳୟ, ସରାଇଘର ଓ ଚିକିତ୍ସାଳୟ ନିର୍ମାଣ କରିଥିଲେ । ସେ ଦିଲ୍ଲୀ ନିକଟରେ ଫିରୋଜବାଦ ନାମକ ଗୋଟିଏ ନଗର ନିର୍ମାଣ କରିଥିଲେ ଓ ୨୦୦ ମାଇଲ ଲମ୍ବ ଯମୁନା କେନାର ଖୋଳାଇଥିଲେ । ସେ ନୈଷ୍ଠିକ ମୁସଲମାନ ଥିଲେ ଓ ହିନ୍ଦୁମାନଙ୍କ ପ୍ରତି ବଡ଼ ଅତ୍ୟାଚାର କରୁଥିଲେ । ସେ ଅନେକ ହିନ୍ଦୁମନ୍ଦିର ଭାଙ୍ଗି ପକାଇଥିଲେ । ଜଣେ ବ୍ରାହ୍ମଣକୁ ସେ ଜୀଅନ୍ତା ପୋଡ଼ି ପକାଇଥିଲେ । ସେ ୧୩୮୮ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କଲେ ।

 

ତାଙ୍କ ପରେ ଏହି ବଂଶର ଦୁଇ ଜଣ ଅଯୋଗ୍ୟ ରାଜା ରାଜତ୍ୱ କରିଥିଲେ । ସେମାନଙ୍କ ଅମଳରେ ଦିଲ୍ଲୀ ଓ ତା ପାଖରେ ଥିବା କେତୋଟି ରାଜ୍ୟ ଛଡ଼ା ଆଉ ସବୁ ରାଜ୍ୟ ସ୍ୱାଧୀନ ହୋଇଗଲା । ଏହି ବଂଶର ଶେଷ ରାଜା ମାମୁଦଙ୍କ ଅମଳରେ ୧୩୯୮ ଖ୍ରୀଷ୍ଟାବ୍ଦରେ ତୈମୁରଲଙ୍ଗ ଭାରତ ଆକ୍ରମଣ କରିଥିଲେ ।

 

ତୈମୁରଲଙ୍ଗଙ୍କ ଭାରତ ଆକ୍ରମଣ ବୋଖାରାର ତୁର୍କୀ ସୁଲତାନ ତୈମୁରଲଙ୍ଗ ୧୩୮୯ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀ ଆକ୍ରମଣ କରିଥିଲେ । ସେ ଚେଙ୍ଗିଜ୍‌ଖାଁଙ୍କର ଜଣେ ବଂଶଧର । ସେ ଛୋଟା ଥିଲେ । ଦିଲ୍ଲୀକୁ ଆସିବା ବାଟରେ ସେ ନଗରମାନ ଲୁଣ୍ଠନ କରି ବହୁ ଲୋକଙ୍କୁ ବନ୍ଦୀ କରିଥିଲେ । ସେ ଦିଲ୍ଲୀ ନିକଟରେ ଲକ୍ଷେ ବନ୍ଦୀଙ୍କୁ ନିର୍ଦ୍ଦୟ ଭାବରେ ମାରି ପକାଇ ଥିଲେ । ଦିଲ୍ଲୀରେ ତୋଗଲକ ରାଜାଙ୍କ ସୈନ୍ୟମାନେ ତାଙ୍କ ସଙ୍ଗେ ଯୁଦ୍ଧ କରି ପରାସ୍ତ ହୋଇଗଲେ । ତାଙ୍କର ସୈନ୍ୟମାନେ ଲୋକମାନଙ୍କୁ ମାରି ପକାଇଲେ, ଘର ଦ୍ୱାର ପୋଡ଼ି ପକାଇଲେ, ପାଞ୍ଚଦିନ କାଳ ଦିଲ୍ଲୀ ସହରକୁ ଲୁଣ୍ଠନ କଲେ । ସେ ଗଲାବେଳେ ଭାରତରୁ ବହୁ ଧନ ରତ୍ନ ଘେନି ଯାଇଥିଲେ । ରାଜ୍ୟ ସ୍ଥାପନ ସକାଶେ ସେ ଭାରତକୁ ଆସି ନ ଥିଲେ । ତାଙ୍କ ଯିବା ପରେ ଦିଲ୍ଲୀ ସହର ଶ୍ମଶାନ ପରି ଦେଖାଗଲା ।

 

ସୈୟଦବଂଶ ସୈୟଦ ଖିଜରଖାଁ ସୈୟଦବଂଶର ପ୍ରତିଷ୍ଠାତା । ତାଙ୍କପରେ ଏହି ବଂଶର ତିନି ଜଣ ରାଜା ରାଜତ୍ୱ କରିଥିଲେ । ସୈୟଦବଂଶ ରାଜାମାନେ ଖ୍ରୀ: ୧୪୧୪ରୁ ଖ୍ରୀ: ୧୪୫୦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ଏହି ବଂଶର ଶେଷ ରାଜାଙ୍କୁ ମାରି ବାହଲୁଲ ଲୋଦୀ, ଲୋଦୀ ବଂଶ ପ୍ରତିଷ୍ଠା କରିଥିଲେ ।

 

ଲୋଦୀବଂଶ ଲୋଦୀବଂଶରେ ବାହଲୁଲ ଲୋଦୀ ଖ୍ରୀ: ୧୪୫୦ ରୁ ଖ୍ରୀ: ୧୪୮୮ ପର୍ଯ୍ୟନ୍ତ, ସିକନ୍ଦର ଲୋଦୀ ଖ୍ରୀ: ୧୪୮୮ ରୁ ଖ୍ରୀ: ୧୫୧୬ ପର୍ଯ୍ୟନ୍ତ ଓ ଇବାହିମ ଲୋଦୀ ଖ୍ରୀ: ୧୫୧୬ ରୁ ଖ୍ରୀ: ୧୫୨୬ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ । ଇବ୍ରାହୀମ ଲୋଦୀଙ୍କ ସମୟରେ ପ୍ରଥମ ପାନିପଥ ଯୁଦ୍ଧ ହୋଇଥିଲା । ଏହି ଯୁଦ୍ଧରେ ମୋଗଲ ରାଜା ବାବର ଇବ୍ରାହୀମ ଲୋଦୀଙ୍କୁ ମାରି ଭାରତରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ପଠାଣମାନେ ଖ୍ରୀ: ୧୨୦୬ ରୁ ଖ୍ରୀ: ୧୫୨୬ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ।

Image

 

ଚତୁର୍ଦ୍ଦଶ ଅଧ୍ୟାୟ

 

ପଠାଣ ସାମ୍ରାଜ୍ୟର ପତନ ସମୟକୁ ଭାରତର ଅବସ୍ଥା ତୈମୁରଙ୍କ ଭାରତ ଆକ୍ରମଣ ପରେ ପଠାଣ ସାମ୍ରାଜ୍ୟର ପତନ ଆରମ୍ଭ ହେଲା । ସୈୟଦ ଓ ଲୋଦୀମାନେ କେବଳ ଦିଲ୍ଲୀ ନିକଟବର୍ତ୍ତୀ କ୍ଷୁଦ୍ର ରାଜ୍ୟରେ ରାଜତ୍ୱ କରୁଥିଲେ । ବଙ୍ଗଳା, ଯୋନପୁର, ଗୁଜରାଟ, ସିନ୍ଧୁ, ପଞ୍ଜାବ, କାଶ୍ମୀର ପ୍ରଭୃତିରେ ମୁସଲମାନ ରାଜାମାନେ ସ୍ୱାଧୀନ ଭାବରେ ରାଜତ୍ୱ କରୁଥିଲେ । ରାଜପୁତନା ଅଞ୍ଚଳ ରାଜପୁତମାନଙ୍କ ଦ୍ୱାରା ଶାସିତ ହେଉଥିଲା । ଦାକ୍ଷିଣାତ୍ୟରେ ବାହମନୀ ଓ ବିଜୟନଗର ରାଜ୍ୟଦ୍ୱୟ ବିଶେଷ କ୍ଷମତାଶାଳୀ ଥିଲା । କେବଳ ଓଡ଼ିଶାର ଗଜପତି ରାଜାମାନେ ପଠାଣ ସମ୍ରାଟମାନଙ୍କର ଅଧୀନତା ସ୍ୱୀକାର କରି ନ ଥିଲେ ।

 

ବିଜୟ ନଗର ରାଜ୍ୟ – ମୁସଲମାନ ରାଜତ୍ୱ କାଳରେ ହିନ୍ଦୁଧର୍ମର ବିଶେଷ ଅବନତି ଘଟିଥିଲା । ବିପନ୍ନ ହିନ୍ଦୁଧର୍ମକୁ ରକ୍ଷା କରିବା ପାଇଁ ଓ ମୁସଲମାନମାନଙ୍କୁ ପ୍ରତିରୋଧ କରିବାପାଇଁ ହରିହର (ହକ୍କା) ଓ ବୁକା ରାୟ (ବୁକ୍କା) ନାମକ ଦୁଇ ଭାଇ ୧୩୩୬ ଖ୍ରୀଷ୍ଟାବ୍ଦରେ ତୁଙ୍ଗଭଦାନଦୀର ଦକ୍ଷିଣରେ ବିଜୟନଗର ନାମକ ସ୍ୱାଧୀନ ହିନ୍ଦୁ ରାଜ୍ୟ ପ୍ରତିଷ୍ଠା କରିଥିଲେ । ଏହା ପ୍ରଥମେ ଗୋଟିଏ କ୍ଷୁଦ୍ର ରାଜ୍ୟ ଥିଲା, କିନ୍ତୁ କାଳକ୍ରମେ ଏହା କୃଷ୍ଣା ନଦୀର ଦକ୍ଷିଣରେ ବଙ୍ଗୋପସାଗର ଠାରୁ ଆରବସାଗରପର୍ଯ୍ୟନ୍ତ ବିସ୍ତୃତ ହୋଇଥିଲା । ବିଜୟନଗରର ହିନ୍ଦୁରାଜାମାନେ ବାହମନୀ ରାଜ୍ୟର ସୁଲତାନ ଓ ଓଡ଼ିଶାର ଗଜପତିମାନଙ୍କ ସହିତ ବେଳେବେଳେ ଯୁଦ୍ଧ କରୁଥିଲେ । ଏହା ଦାକ୍ଷିଣାତ୍ୟର ଗୋଟିଏ ସମୃଦ୍ଧିଶାଳୀ ରାଜ୍ୟ ଥିଲା । ଲୋକମାନେ ସୁଖଶାନ୍ତିରେ ଥିଲେ । ଶିଳ୍ପ ବାଣିଜ୍ୟର ବିଶେଷ ଉନ୍ନତି ହୋଇଥିଲା । ଏହାର ରାଜାମାନେ ଅନେକ ନଗର, ପ୍ରାସାଦ, ଗୋପୁର, ମନ୍ଦିର, ବିଦ୍ୟାଳୟ, ଜଳାଶୟ ନିର୍ମାଣ କରିଥିଲେ ଏବଂ ତେଲଗୁ, କର୍ଣ୍ଣାଟୀ ଓ ସଂସ୍କୃତ ସାହିତ୍ୟର ବିଶେଷ ଉନ୍ନତି କରାଇଥିଲେ ।

 

ଏହାର ରାଜଧାନୀ ବିଜୟନଗର ରୋମ ନଗରୀ ପରି ବିଶେଷ ସମୃଦ୍ଧିଶାଳୀ ଥିଲା । ଏହାର ପରିଧି ୩୦ କୋଶ ବା ୬୦ ମାଇଲ ଥିଲା । ଏହି ନଗରର ଚାରିପଟେ ୭ଟି ସୁଦୃଢ଼ ପ୍ରାଚୀର ଥିଲା । ସପ୍ତମ ପ୍ରାଚୀର ମଧ୍ୟରେ ରାଜବାଟୀ, ଅନେକ ଗୋପୁର, ମନ୍ଦିର, ମଣ୍ଡପ, ମଠ, ଉଦ୍ୟାନ ଇତ୍ୟାଦି ଥିଲା । ନଗର ଧନରତ୍ନରେ ପୂର୍ଣ୍ଣ ଥିଲା । ବଣିକମାନେ ହୀରା ମଣି, ମୁକ୍ତା ପ୍ରଭୃତି ବହୁମୂଲ୍ୟ ରତ୍ନରେ କାରବାର କରୁଥିଲେ । ପର୍ତ୍ତୁଗୀଜ ପରିବ୍ରାଜକମାନେ ବିଜୟ ନଗରର ଭୂରି ଭୂରି ପ୍ରଶଂସା କରିଛନ୍ତି । ଜଣକ ମତରେ ଏହି ନଗରୀ ସମଗ୍ର ପୃଥିବୀରେ ସର୍ବଶ୍ରେଷ୍ଠ ଥିଲା ।

 

କୃଷ୍ଣଦେବ ରାୟ (ଖ୍ରୀ: ୧୫୦୯ – ଖ୍ରୀ: ୧୫୨୯) – ସେ ଏହି ରାଜ୍ୟର ଶ୍ରେଷ୍ଠ ରାଜା ଥିଲେ । ତାଙ୍କ ପୂର୍ବରୁ ଦକ୍ଷିଣରେ ଓଡ଼ିଆମାନଙ୍କ ସାମ୍ରାଜ୍ୟ ସମୁଦ୍ର କୂଳେ କୂଳେ କାବେରୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । କିନ୍ତୁ ସେ ଓଡ଼ିଶାର ରାଜା ପ୍ରତାପରୁଦ୍ରଙ୍କୁ ପରାସ୍ତ କରି ନେଲୋର ଜିଲାରେ ଅବସ୍ଥିତ ଉଦୟଗିରି ଦୁର୍ଗ ଓ କୃଷ୍ଣା ନଦୀର ଦକ୍ଷିଣରେ ଥିବା ସମସ୍ତ ଓଡ଼ିଆ ରାଜ୍ୟ ନେଇ ଯାଇଥିଲେ ଏବଂ ଗଜପତିଙ୍କ କନ୍ୟାକୁ ବିବାହ କରିଥିଲେ । ସେ ବିଜାପୁରର ସୁଲତାନଙ୍କୁ ପରାସ୍ତ କରି ରାୟଚୁର ଦୁର୍ଗ ନେଇ ଯାଇଥିଲେ ଓ ବାହମନୀ ରାଜ୍ୟର ପ୍ରଥମ ରାଜଧାନୀ କଳବର୍ଗ ଆକ୍ରମଣ କରି ତାକୁ ଭୂମିସାତ୍‌ କରିଥିଲେ । ସେ ପରାକ୍ରମଶାଳୀ ଯୋଦ୍ଧା, ଧାର୍ମିକ, ଉଦାର ଓ ସୁଶାସକ ଥିଲେ । ବୈଷ୍ଣବ ଧର୍ମ ପ୍ରତି ତାଙ୍କର ପ୍ରଗାଢ଼ ଅନୁରାଗ ଥିଲା । ତାଙ୍କର ରାଜତ୍ୱରେ ତେଲୁଗୁ ସାହିତ୍ୟର ବିଶେଷ ଉନ୍ନତି ହୋଇଥିଲା । ତାଙ୍କର ମୃତ୍ୟୁ ପରେ ଏହି ବଂଶ ଦୁର୍ବଳ ହୋଇପଡ଼ିଲା । ବିଜାପୁର, ଗୋଲକୁଣ୍ଡା, ଅହମଦନଗର ପ୍ରଭୃତିର ସୁଲତାନମାନେ ଏକତ୍ର ହୋଇ ବିଜୟନଗର ରାଜାଙ୍କୁ ୧୫୬୫ ଖ୍ରୀଷ୍ଟାବ୍ଦରେ ତାଲିକୋଟା ଯୁଦ୍ଧରେ ସଂପୂର୍ଣ୍ଣରୂପେ ପରାସ୍ତ କଲେ । ସେମାନେ ନିଷ୍ଠୁର ଭାବରେ ପୃଥିବୀର ଗୋଟିଏ ଶ୍ରେଷ୍ଠ ନଗରୀ ବିଜୟନଗରର ହିନ୍ଦୁ କୀର୍ତ୍ତି ସକଳ ଧ୍ୱଂସ କରି ଦେଲେ-। ସମୃଦ୍ଧିଶାଳୀ ବିଜୟନଗର ଶ୍ମଶାନାକାର ଧାରଣ କଲା ।

 

ବାହମନୀ ରାଜ୍ୟ – ମହମଦ୍‌ ତୋଗଲକଙ୍କ ଶାସନ କାଳରେ ହାସନ ବାଜାଫର ଖାଁ ୧୩୪୭ ଖ୍ରୀଷ୍ଟାବ୍ଦରେ ଦାକ୍ଷିଣାତ୍ୟରେ ଗୋଟିଏ ସ୍ୱାଧୀନ ମୁସଲମାନ ରାଜ୍ୟ ସ୍ଥାପନ କଲେ । ତାଙ୍କର ପୂର୍ବପୁରୁଷ ବାହମନ୍‌ ପାରସ୍ୟର ସମ୍ରାଟ ଥିଲେ । ତାଙ୍କର ନାମାନୁସାରେ ଏହି ରାଜ୍ୟର ନାମ ‘ବାହମନୀ’ ହୋଇଥିଲା । କଳବର୍ଗ ଏହାର ରାଜଧାନୀ ଥିଲା । ଓଡ଼ିଶାର ଜଣେ ଗଜପତି ରାଜା ବାହାମନୀ ରାଜ୍ୟର ସୁଲତାନଙ୍କୁ ପରାସ୍ତ କରି ‘କଳବର୍ଗେଶ୍ୱର’ ଉପାଧି ଧାରଣ କରିଥିଲେ । କୃଷ୍ଣା ଓ ତୁଙ୍ଗଭଦ୍ରା ନଦୀର ମଧ୍ୟବର୍ତ୍ତୀ ରାୟଚୁର ଦୁର୍ଗପାଇଁ ବାହମନୀ ଓ ବିଜୟନଗରର ରଜାମାନେ ସର୍ବଦା ଯୁଦ୍ଧ କରୁଥିଲେ । ଏହି ବଂଶର ନବମ ରାଜା କଳବର୍ଗଠାରୁ ବିଦରକୁ ରାଜଧାନୀ ଉଠାଇ ନେଇଥିଲେ । ବାହମନୀ ସୁଲତାନ ନିଜ ରାଜ୍ୟକୁ ଚାରି ଭାଗରେ ବିଭକ୍ତ କରି ପ୍ରତ୍ୟେକ ଭାଗରେ ଜଣେ ଜଣେ ଶାସନକର୍ତ୍ତା ନିଯୁକ୍ତ କରିଥିଲେ । ଏହି ବଂଶର ଚତୁର୍ଦ୍ଦଶ ରାଜା (ଖ୍ରୀ: ୧୪୮୨ – ଖ୍ରୀ: ୧୫୧୮) ଅତ୍ୟନ୍ତ ଦୁର୍ବଳ ହୋଇ ପଡ଼ିବାରୁ ପ୍ରାଦେଶିକ ଶାସକମାନେ ସ୍ୱାଧୀନତା ଘୋଷଣା କଲେ । କେବଳ ବିଦର ନାମକ କ୍ଷୁଦ୍ର ରାଜ୍ୟ ତାଙ୍କ ଅଧୀନରେ ରହିଲା । ବାହମନୀ ରାଜ୍ୟ ବିଦର, ବିଜାପୁର, ଗୋଲକୁଣ୍ଡା, ଅହମଦ ନଗର ଓ ବେରାର ନାମକ ୫ଟି ସ୍ୱତନ୍ତ୍ର ରାଜ୍ୟରେ ବିଭକ୍ତ ହୋଇଗଲା । ବିଜାପୁରର ସୁଲତାନଙ୍କୁ କୃଷ୍ଣଦେବ ରାୟ ବିଶେଷ ଅପମାନ ଦେଇଥିଲେ । ସେ ମରିଯିବା ପରେ ବିଜାପୁରର ସୁଲତାନ ଅନ୍ୟ ଚାରୋଟି ରାଜ୍ୟର ସୁଲତାନଙ୍କ ସାହାଯ୍ୟରେ ବିଜୟନଗର ରାଜ୍ୟ ଧ୍ୱଂସ କରିଥିଲେ । ଏହି ପଞ୍ଚବାହମନୀ ରାଜ୍ୟର ସୁଲତାନମାନେ ପରବର୍ତ୍ତୀ କାଳରେ ଦିଲ୍ଲୀର ମୋଗଲ ସମ୍ରାଟମାନଙ୍କ ସହିତ ବହୁକାଳ ଯୁଦ୍ଧ କରିଥିଲେ ।

 

ଓଡ଼ିଶା ପୂର୍ବେ କୁହାଯାଇଛି ଗଙ୍ଗବଂଶୀୟ ଚୋଡ଼ଗଙ୍ଗଦେବ ଗୋଦାବରୀଠାରୁ ଗଙ୍ଗା ପର୍ଯ୍ୟନ୍ତ ବିସ୍ତୃତ ଓଡ଼ିଶାରେ ରାଜତ୍ୱ କରୁଥିଲେ । ସେହି ବଂଶର ଅନଙ୍ଗଭୀମ ଦେବ ପୁରୀର ବିଶାଳ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ । ସେ ଓଡ଼ିଶାରେ ଅନେକ ଗ୍ରାମ, ଶାସନ, ହାଟ ବସାଇ ଥିଲେ-। ଅନେକ ସେତୁ, ରାସ୍ତା, ଘାଟ, ବନ୍ଧ ନିର୍ମାଣ କରିଥିଲେ । ଶତ ଶତ କୂପ ପୁଷ୍କରିଣୀ ଖୋଳାଇ ଥିଲେ । ଏହି ବଂଶର ଶ୍ରେଷ୍ଠ ରାଜା ଲାଙ୍ଗୁଳା ନରସିଂହ ଦେବ କୋଣାର୍କରେ ପୃଥିବୀବିଖ୍ୟାତ ସୂର୍ଯ୍ୟମନ୍ଦିର ନିର୍ମାଣ କରିଥିଲେ । ସେ ବଙ୍ଗଳାର ମୁସଲମାନମାନଙ୍କୁ ସଂପୂର୍ଣ୍ଣରୂପେ ପରାସ୍ତ କରିଥିଲେ ଓ ଦାକ୍ଷିଣାତ୍ୟର ଅନେକ ରାଜ୍ୟ ଜୟ କରିଥିଲେ । ଗଙ୍ଗବଂଶ ଲୋପ ହେବାପରେ କପିଳେନ୍ଦ୍ର ଦେବ ୧୪୩୫ ଖ୍ରୀଷ୍ଟାବ୍ଦରେ ସୂର୍ଯ୍ୟବଂଶ ପ୍ରତିଷ୍ଠା କରିଥିଲେ । ସେ ଦଷିଣରେ କାବେରୀ ପର୍ଯ୍ୟନ୍ତ ଜୟ ଓ ଅଧିକାର କରିଥିଲେ । ତାଙ୍କ ପୁତ୍ର ପୁରୁଷୋତ୍ତମ ଦେବ କାଞ୍ଚୀ ଜୟ କରିଥିଲେ ଓ କାଞ୍ଚୀ ରାଜକନ୍ୟା ପଦ୍ମାବତୀଙ୍କୁ ବିବାହ କରିଥିଲେ । ତାଙ୍କ ପୁତ୍ର ପ୍ରତାପରୁଦ୍ରଙ୍କୁ କୃଷ୍ଣଦେବ ରାୟ ପରାସ୍ତ କରି କୃଷ୍ଣ ନଦୀ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ନେଇଗଲେ । ତାଙ୍କ ସମୟରେ ଚୈତନ୍ୟ ଦେବ ଓଡ଼ିଶାରେ ବୈଷ୍ଣବ ଧର୍ମ ପ୍ରଚାର କରିଥିଲେ । ଏହାପରେ ଗୃହବିବାଦ ଯୋଗୁଁ ସୂର୍ଯ୍ୟବଂଶ ଲୋପ ହୋଇଗଲା । କଳାପାହାଡ଼ ଓଡ଼ିଶାର ଶେଷ ସ୍ୱାଧୀନ ରାଜା ମୁକୁନ୍ଦଦେବଙ୍କୁ ମାରି ୧୫୬୮ ରେ ଓଡ଼ିଶା ଅଧିକାର କଲା । ସେ ଓଡ଼ିଶାର ଅନେକ କୀର୍ତ୍ତି ନଷ୍ଟ କରିଥିଲା । ଓଡ଼ିଶା ପ୍ରାୟ ୩୬୦ ବର୍ଷ କାଳ ମୁସଲମାନମାନଙ୍କର ଅଧୀନତା ସ୍ୱୀକାର କରି ନ ଥିଲା । କଳାପାହାଡ଼ ସମୟରୁ ଓଡ଼ିଶାରେ ମୁସଲମାନମାନେ ରାଜତ୍ୱ କଲେ ।

 

ପଠାଣରାଜତ୍ୱ ସମୟରେ ଭାରତର ଧର୍ମ ଓ ସମାଜ ଭାରତରେ ମୁସଲମାନ ଶାସନ ପ୍ରତିଷ୍ଠିତ ହେବା ଦିନରୁ, ସେମାନେ ନାନାପ୍ରକାର ଅନ୍ୟାୟ ଅତ୍ୟାଚର କରି ଓ ପ୍ରଲୋଭନ ଦେଖାଇ ହିନ୍ଦୁମାନଙ୍କୁ ମୁସଲମାନ ଧର୍ମରେ ଦୀକ୍ଷିତ କରିବାକୁ ଚେଷ୍ଟା କରୁଥିଲେ । କାଳକ୍ରମେ ସୀମାନ୍ତ ପ୍ରଦେଶ,ପଞ୍ଜାବ, ସିନ୍ଧୁ, କାଶ୍ମୀର ଓ ବଙ୍ଗଳାରେ ମୁସଲମାନମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା କିନ୍ତୁ ଅଧିକାଂଶ ହିନ୍ଦୁ ଧର୍ମ ଛାଡ଼ିବା ଅପେକ୍ଷା ମରଣକୁ ଶ୍ରେୟସ୍କର ବୋଲି ମନେକରୁଥିଲେ । ଉଚ୍ଚଶ୍ରେଣୀର ହିନ୍ଦୁମାନେ ନିଜ ଧର୍ମ ଛାଡ଼ି ନଥିଲେ । କେବଳ ନିମ୍ନସ୍ତରର ଲୋକମାନେ ଇସଲାମ୍‌ ଧର୍ମ ଗ୍ରହଣ କରୁଥିଲେ । ମୁସଲମାନ ଅମଳରେ ସଂସ୍କୃତଭାଷାର ଚର୍ଚ୍ଚା ଓ ଆଦର ଏକାବେଳକେ କମିଯାଇଥିଲା । ତେଣୁ କେତେକ ଧର୍ମପ୍ରଚାରକ ସରଳ ମାତୃଭାଷାରେ ହିନ୍ଦୁଧର୍ମ ପ୍ରଚାର କରିଥିଲେ । ଜାତିବିଭାଗ ବଡ଼ କଠୋର ହୋଇଗଲା । ହିନ୍ଦୁସମାଜର ପରିଚାଳନ ପାଇଁ ନୂତନ ନୂତନ ସ୍ମୃତିଗ୍ରନ୍ଥମାନ ରଚିତ ହୋଇଥିଲା । ଏହି ଯୁଗର ହିନ୍ଦୁଧର୍ମ ପ୍ରଚାରକମାନଙ୍କ ମଧ୍ୟରେ ରାମାନନ୍ଦ, କବୀର, ନାନକ ଚୈତନ୍ୟ ଓ ଉତ୍କଳର ପଞ୍ଚସଖା ପ୍ରଧାନ ।

 

ରାମାନନ୍ଦ ସେ ଚତୁର୍ଦ୍ଦଶ ଶତାବ୍ଦୀର ଲୋକ । ସେ ରାମାନୁଜାଚାର୍ଯ୍ୟଙ୍କ ଶିଷ୍ୟ ଥିଲେ । ସେ ଉତ୍ତରଭାରତରେ ମାତୃଭାଷାରେ ବୈଷ୍ଣବ ଧର୍ମ ପ୍ରଚାର କରିଥିଲେ । ସେ ରାମଚନ୍ଦ୍ରଙ୍କୁ ଈଶ୍ୱର ବୋଲି ମାନୁଥିଲେ । ସବୁ ଜାତିର ଲୋକେ ତାଙ୍କର ଶିଷ୍ୟ ହୋଇପାରୁଥିଲେ ।

 

କବୀର ସେ ଜାତିରେ ମୁସଲମାନ ତନ୍ତୀ ଥିଲେ । ସେ ରାମାନନ୍ଦଙ୍କ ଶିଷ୍ୟ । ସେ କାଶୀରେ ବାସ କରୁଥିଲେ । ସେ ପଞ୍ଚଦଶ ଶତାବ୍ଦୀର ଲୋକ । ସେ ସରଳ ହିନ୍ଦୀଭାଷାରେ ମୁସଲମାନ ଓ ହିନ୍ଦୁମାନଙ୍କ ମଧ୍ୟରେ ବୈଷ୍ଣବଧର୍ମ ପ୍ରଚାର କରିଥିଲେ ।

 

ନାନକ – ସେ ପଞ୍ଜାବର ରାଜଧାନୀ ଲାହୋର ନିକଟରେ ଜନ୍ମ ହୋଇଥିଲେ । ସେ ପଞ୍ଚଦଶ ଶତାବ୍ଦୀର ଶେଷଭାଗରେ ଶିଖଧର୍ମ ପ୍ରଚାର କରିଥିଲେ । ସେ ହିନ୍ଦୁ ଓ ମୁସଲମାନମାନଙ୍କୁ ଶିଖଧର୍ମରେ ଦୀଷିତ କରୁଥିଲେ । ଶିଖମାନେ ପ୍ରଥମେ ସରଳ ଓ ଶାନ୍ତିପ୍ରିୟ ଥିଲେ କିନ୍ତୁ ପରେ ଗୋଟିଏ ବୀରଜାତିରେ ପରିଣତ ହେଲେ ।

 

Image

(ଗୁରୁ ନାନକ)

 

ଚୈତନ୍ୟ – (ଖ୍ରୀ: ୧୪୮୫– ଖ୍ରୀ : ୧୫୩୩) ସେ ବଙ୍ଗଦେଶର ନବଦ୍ୱୀପ ନାମକ ସ୍ଥାନରେ ଉତ୍କଳୀୟ ବ୍ରାହ୍ମଣ କୂଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାମହ ଓଡ଼ିଶା ରାଜା କପିଳେନ୍ଦ୍ରଙ୍କ ରାଜତ୍ୱରେ ନିଜ ମାତୃଭୂମି ଯାଜପୁର ଛାଡ଼ି ବଙ୍ଗଦେଶକୁ ପଳାଇ ଯାଇଥିଲେ । ଚୈତନ୍ୟ ଦେବ ମୁସଲମାନ ଅତ୍ୟାଚାର ଯୋଗୁ ବଙ୍ଗଦେଶରୁ ପଳାଇ ଆସି ମରଣପର୍ଯ୍ୟନ୍ତ ପୁରୀରେ ରହିଥିଲେ । ସେ ସଂକୀର୍ତ୍ତନଦ୍ୱାରା ବୈଷ୍ଣବ ଧର୍ମ ପ୍ରଚାର କରିଥିଲେ । ସେ ହିନ୍ଦୁ ଓ ମୁସଲମାନ ଉଭୟଙ୍କୁ ଧର୍ମଦୀକ୍ଷା ଦେଉଥିଲେ । ଓଡ଼ିଶାର ରାଜା ପ୍ରତାପରୁଦ୍ର ଦେବ ତାଙ୍କର ଶିଷ୍ୟ ହୋଇଥିଲେ ।

 

ଉତ୍କଳର ପଞ୍ଚସଖା ଚୈତନ୍ୟଙ୍କ ସମୟରେ ଓଡ଼ିଶାରେ ଜଗନ୍ନାଥ, ବଳରାମ, ଅଚ୍ୟୁତାନନ୍ଦ, ଅନନ୍ତ ଓ ଯଶୋବନ୍ତ ନାମକ ପାଞ୍ଚ ଜଣ ମହାପୁରୁଷ ଥିଲେ । ସେମାନଙ୍କୁ ‘ପଞ୍ଚସଖା’ କହନ୍ତି । ସେମାନେ ଚୈତନ୍ୟଦେବଙ୍କ ବନ୍ଧୁ ଥିଲେ । ସେମାନେ ସରଳ ଓଡ଼ିଆ ଭାଷାରେ ଧର୍ମପ୍ରଚାରପାଇଁ ଅନେକ ଗ୍ରନ୍ଥ ଲେଖିଥିଲେ । ପଞ୍ଚସଖାଙ୍କ ମଧ୍ୟରେ ଜଗନ୍ନାଥ ଶ୍ରେଷ୍ଠ । ତାଙ୍କର ଭକ୍ତି ଓ ଜ୍ଞାନ ଦେଖି ଚୈତନ୍ୟ ତାଙ୍କୁ ‘ଅତିବଡ଼ୀ ଜଗନ୍ନାଥ’ ବୋଲି ଡାକୁଥିଲେ ଓ ସର୍ବଦା ତାଙ୍କ ସହିତ ଆଳାପ କରୁଥିଲେ । ଜଗନ୍ନାଥକୃତ ଭାଗବତ ଆଜିପର୍ଯ୍ୟନ୍ତ ଓଡ଼ିଶାରେ ଘରେ ଘରେ ପଢ଼ାହୁଏ ।

Image

 

ପଞ୍ଚଦଶ ଅଧ୍ୟାୟ

ମୋଗଲ ରାଜତ୍ୱ

 

ବାବର (ଖ୍ରୀ: ୧୫୨୬ – ଖ୍ରୀ : ୧୫୩୩) – ବାବରଙ୍କ ପିତା ତିମୁରଙ୍କ ବଂଶଧର ଓ ତୁର୍କୀସ୍ଥାନ ଅନ୍ତର୍ଗତ ଫର୍ଗନା ରାଜ୍ୟର ରାଜା ଥିଲେ । ତାଙ୍କର ମୃତ୍ୟୁ ପରେ ବାବର ୧୪୯୪ ରେ ଫର୍ଗନାର ରାଜା ହେଲେ । ତାଙ୍କର ଅନ୍ୟ ନାମ ‘ଜହିରୁଦ୍ଦିନ’ ବା ସିଂହ । ରାଜତ୍ୱର ଦୁଇବର୍ଷ ପରେ ସେ ନିକଟବର୍ତ୍ତୀ ସମରକନ୍ଦ ରାଜ୍ୟ ଜୟ କଲେ । କିନ୍ତୁ ଦୁର୍ଭାଗ୍ୟକ୍ରମେ ଅଳ୍ପଦିନ ମଧ୍ୟରେ ଦୁଇଟିଯାକ ରାଜ୍ୟ ହରାଇ ନିରାଶ୍ରୟ ଭାବରେ ଜଙ୍ଗଲରେ ବୁଲିଲେ । କିଛିକାଳ ପରେ ପୁନର୍ବାର ତାଙ୍କର ଭାଗ୍ୟ ଉଦୟ ହେଲା । ସେ କାବୁଲ ରାଜାଙ୍କୁ ପରାସ୍ତ କରି ଉକ୍ତ ରାଜ୍ୟ ଅଧିକାର କଲେ । ସେ ସେଠାରେ ୧୪ ବର୍ଷ କାଳ ରାଜତ୍ୱ କରିଥିଲେ । କାବୁଲରେ ରାଜତ୍ୱ କରୁଥିବା ସମୟରେ ସେ ଦୁଇଥର ଭାରତ ଆକ୍ରମଣ କରି ଅକୃତକାର୍ଯ୍ୟ ହୋଇଥିଲେ ।

 

ପ୍ରଥମ ପାନିପଥ ଯୁଦ୍ଧ କିଛିକାଳ ପରେ ପଞ୍ଜାବର ଶାସନକର୍ତ୍ତା ଦୌଲତଖାଁ ଦିଲ୍ଲୀସମ୍ରାଟ ଇବ୍ରାହୀମ ଲୋଦୀଙ୍କ ବିରୁଦ୍ଧରେ ତାଙ୍କୁ ସାହାଯ୍ୟ ଦେବାପାଇଁ ବାବରଙ୍କୁ ଆହ୍ୱାନ କରିଥିଲେ । ବାବର ଏହି ସୁଯୋଗ ପାଇ ୧୫୨୬ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀ ଆକ୍ରମଣ କଲେ । ଦିଲ୍ଲୀ ନିକଟବର୍ତ୍ତୀ ପାନିପଥ ନାମକ ସ୍ଥାନରେ ବାବର ଓ ଇବ୍ରାହୀମଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା । ବାବରଙ୍କ ଅପେକ୍ଷା ଇବ୍ରାହୀମଙ୍କର ବହୁତ ଅଧିକ ସୈନ୍ୟ ଥିଲେ କିନ୍ତୁ ବାବର ଏହି ଯୁଦ୍ଧରେ ତୋପ ବ୍ୟବହାର କରିଥିଲେ । ଭାରତୀୟମାନେ ଆଗରୁ ତୋପର ବ୍ୟବହାର ଜାଣି ନ ଥିଲେ । ତୋପ ଫୁଟିବାରୁ ଇବ୍ରାହୀମଙ୍କ ସୈନ୍ୟମାନେ ଭୀତ ଓ ଚକିତ ହେଲେ । ବାବରଙ୍କ ଯୁଦ୍ଧ କୌଶଳ ଓ ତୋପର ବ୍ୟବହାର ଯୋଗୁଁ ଇବ୍ରାହୀମ ପରାସ୍ତ ଓ ନିହତ ହେଲେ । ଏହି ଯୁଦ୍ଧର ନାମ ପ୍ରଥମ ପାନିପଥ ଯୁଦ୍ଧ । ଏହା ଫଳରେ ଭାରତରେ ମୋଗଲଶାସନ ପ୍ରତିଷ୍ଠିତ ହେଲା ଏବଂ ବାବର ଦିଲ୍ଲୀ ଓ ଆଗ୍ରା ଅଧିକାର କଲେ ।

 

ଶିକ୍ରି ଯୁଦ୍ଧ ବାବର ଦିଲ୍ଲୀରେ ବାଦସାହ ହେବା ସମୟରେ ମିବାରରେ ସଂଗ୍ରାମ ସିଂହ ନାମକ ଜଣେ ପରାକ୍ରମଶାଳୀ ରାଜା ଥିଲେ । ସେ ରାଜପୁତନାର ସମସ୍ତ ରାଜାଙ୍କୁ ପରାସ୍ତ କରି ‘ରାଜାଧିରାଜ’ ଉପାଧି ଗ୍ରହଣ କରିଥିଲେ । ତାଙ୍କର ଅନ୍ୟ ନାମ ‘ରାଣାସଙ୍ଗ’ । ସେ ନିଜ ଜୀବନରେ ବହୁବାର ଯୁଦ୍ଧ କରି ଗୋଟିଏ ବକ୍ଷ ଗୋଟିଏ ବାହୁ, ଗୋଟିଏ ଗୋଡ଼ ହରାଇଥିଲେ ଏବଂ ତାଙ୍କ ଦେହରେ ୮୦ଟି ତରବାରୀ ଦାଗ ଥିଲା । ଏପରି ପଙ୍ଗୁ ହୋଇ ମଧ୍ୟ ସେ ଯୁଦ୍ଧ କରିବାକୁ ସର୍ବଦା ପ୍ରସ୍ତୁତ ଥିଲେ । ଭାରତରେ ପୁନର୍ବାର ହିନ୍ଦୁରାଜ୍ୟ ପ୍ରତିଷ୍ଠା କରିବା ତାଙ୍କର କଳ୍ପନା ଥିଲା । ତେଣୁ ସେ ପାନିପଥ ଯୁଦ୍ଧ ସମୟରେ ଇବ୍ରାହୀମଙ୍କୁ ସାହାଯ୍ୟ ଦେଇ ନ ଥିଲେ । ସେ ଭାବିଥିଲେ, ବାବର ଇବ୍ରାହୀମଲେଦୀଙ୍କୁ ପରାସ୍ତ କରି ଧନରତ୍ନ ନେଇ ସ୍ୱଦେଶକୁ ଫେରିଯିବେ । କିନ୍ତୁ ତାଙ୍କର ସୁଖସ୍ୱପ୍ନ ଭାଙ୍ଗିଗଲା । ବାବର ଦିଲ୍ଲୀର ବାଦସାହ ହୋଇ ଭାରତ ଛାଡ଼ି ଗଲେ ନାହିଁ । ତେଣୁ ସେ ରାଜପୁତ ରାଜାମାନଙ୍କ ସହିତ ମିଳି ବାବରଙ୍କ ବିରୁଦ୍ଧରେ ଯୁଦ୍ଧଯାତ୍ରା କଲେ । ଆଗ୍ରା ନିକଟବର୍ତ୍ତୀ ଶିକ୍ରିଠାରେ ଭୀଷଣ ଯୁଦ୍ଧ ହେଲା । ଏହି ଯୁଦ୍ଧରେ ରାଣା ପରାସ୍ତ ହେଲେ (ଖ୍ରୀ: ୧୫୨୭) । ସୁତରାଂ ରାଣାଙ୍କ ହିନ୍ଦୁ ରାଜ୍ୟ ସ୍ଥାପନ କଳ୍ପନା ବିଫଳ ହୋଇଗଲା ।

 

ଏହାପରେ ବାବର ବଙ୍ଗ ଓ ବିହାରର ବିଦ୍ରୋହୀ ନବାବମାନଙ୍କୁ ଘର୍ଘରା ଯୁଦ୍ଧରେ ପରାସ୍ତ କଲେ ( ଖ୍ରୀ ୧୫୨୯) । ପାନିପଥ, ଶିକ୍ରି ଓ ଘର୍ଘରା ଯୁଦ୍ଧରେ ଜୟୀ ହୋଇ ବାବର ଭାରତରେ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ସେ ୧୫୩୦ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କଲେ-

 

ବାବର ବିଚକ୍ଷଣ ଯୋଦ୍ଧା, ସାହସୀ, ଅଧ୍ୟବସାୟୀ, ଦୟାଳୁ, ଦାନଶୀଳ ଓ ଧାର୍ମିକ ରାଜା ଥିଲେ । ସନ୍ତରଣ ଓ ଅଶ୍ୱାରୋହଣରେ ତାଙ୍କର ବିଶେଷ ଦକ୍ଷତା ଥିଲା । ସେ ସଙ୍ଗୀତ ଓ ସାହିତ୍ୟକୁ ଭଲ ପାଉଥିଲେ । ତୁର୍କୀ ଓ ପାରସୀ ଭାଷାରେ ତାଙ୍କର ପାଣ୍ଡିତ୍ୟ ଥିଲା । ସେ ନିଜର ଆତ୍ମଚରିତ ଲେଖି ଯାଇଛନ୍ତି । ସେ ଦେଶ ଲୁଣ୍ଠନ ବା ହିନ୍ଦୁକୀର୍ତ୍ତି ଧ୍ୱଂସ କରିବାପାଇ ଏଦେଶକୁ ଆସି ନ ଥିଲେ । ଏ ଦେଶରେ ରାଜ୍ୟ ସ୍ଥାପନ କରିବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ ଥିଲା । ସେ ଜାଣିଥିଲେ ଭାରତ ହିନ୍ଦୁବହୁଳ ଦେଶ । ଗୋରୁ ହିନ୍ଦୁମାନଙ୍କର ପୂଜ୍ୟ । ତେଣୁ ସେ ଗୋବଧ କରିବାକୁ ନିଷେଧ କରିଥିଲେ । ଏଥିରୁ ତାଙ୍କର ଉଦାରତା ସ୍ପଷ୍ଟ ଜଣାଯାଏ ।

 

Image

(ବାବର)

 

ହୁମାୟୁନ (ଖ୍ରୀ: ୧୫୩୦ – ୧୫୪୦ ଓ ଖ୍ରୀ: ୧୫୫୫ – ୧୫୫୬) – ବାବରଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ର ହୁମାୟୁନ ଦିଲ୍ଲୀର ସମ୍ରାଟ ହେଲେ । ପ୍ରଥମେ ତାଙ୍କର ରାଜ୍ୟ ପୂର୍ବରେ ବଙ୍ଗଦେଶଠାରୁ ପଶ୍ଚିମରେ ଅକ୍ଷସନଦୀ ପର୍ଯ୍ୟନ୍ତ ଓ ଉତ୍ତରରେ ହିମାଳୟଠାରୁ ଦକ୍ଷିଣରେ ବିନ୍ଧ୍ୟପର୍ଯ୍ୟନ୍ତ ବିସ୍ତୃତ ଥିଲା । କିନ୍ତୁ ଭାଇମାନଙ୍କର ଶତ୍ରୁତା ଓ ରାଜ୍ୟରେ ବିଦ୍ରୋହ ଯୋଗୁଁ ସେ ସୁଖରେ ରାଜତ୍ୱ କରିପାରି ନ ଥିଲେ । ସେ ଭାଇମାନଙ୍କୁ ଖଣ୍ଡିଏ ଖଣ୍ଡିଏ ରାଜ୍ୟ ଦେଇଥିଲେ । ତଥାପି ସେମାନେ ତାଙ୍କୁ ସାହାଯ୍ୟ ନ ଦେଇ ସର୍ବଦା ଶତ୍ରୁତା କରୁଥିଲେ ।

 

୧୫୩୫ ଖ୍ରୀଷ୍ଟାବ୍ଦରେ ଗୁଜରାଟର ରାଜା ବାହାଦୂର ସାହ ବିଦ୍ରୋହୀ ହେଲେ । ହୁମାୟୁନ ବିଦ୍ରୋହ ଦମନ କରିବାପାଇଁ ଗୁଜରାଟକୁ ଯାଇଥିଲେ । ସେଠାରେ ଥିବା ସମୟରେ ସେ ଶୁଣିଲେ ଶେରସାହ ବିହାରରେ ବିଦ୍ରୋହ କରୁଛନ୍ତି । ତେଣୁ ସେ ବିହାର ଅଭିମୁଖରେ ଯାତ୍ରା କଲେ-

 

ଶେରସାହ – ଶେରସାହ ବିହାରର ଜଣେ ଜାୟଗିରିଦାରଙ୍କ ପୁଅ ଥିଲେ । ତାଙ୍କର ଅନ୍ୟ ନାମ ଫରିଦ୍‌ ବା ଶେରଖାଁ ସୁର । ସେ ସୁରବଂଶର ପ୍ରତିଷ୍ଠାତା ଓ ଜାତିରେ ଆଫଗାନ ଥିଲେ-। ସେ ବିହାରର ରାଜାଙ୍କ ଅଧୀନରେ ଚାକିରୀ କରୁଥିଲେ । ବିହାର ରାଜା ତାଙ୍କ ଉପରେ ସନ୍ତୁଷ୍ଟ ହେବାରୁ ସେ କ୍ରମେ ବଡ଼ ଚାକିରୀ ପାଇଲେ । ଶେଷରେ ସେ ବିହାରର ରାଜାଙ୍କୁ ତଡ଼ିଦେଇ ନିଜେ ବିହାରର ରାଜା ହୋଇଗଲେ । ସେ ପଳାଇଯାଇ ବଙ୍ଗ ନବାବଙ୍କ ଶରଣାପନ୍ନ ହେଲେ । ତେଣୁ ଶେରସାହ ବଙ୍ଗର ନବାବଙ୍କୁ ପରାସ୍ତ କରି ବଙ୍ଗ ଅଧିକାର କଲେ । ତତ୍ପରେ ସେ ହୁମାୟୁନଙ୍କ ବିରୁଦ୍ଧରେ ଉଠିଲେ । ହୁମାୟୁନ ଏ ଖବର ପାଇ ତାଙ୍କୁ ପରାସ୍ତ କରିବାକୁ ବଙ୍ଗଦେଶକୁ ଗଲେ ଓ ସେଠାରେ କିଛିକାଳ ରହିଲେ । ଶେରଶାହ ବଙ୍ଗଦେଶରୁ ପଳାଇ ଆସିଲେ ଓ ହୁମାୟୁନ ବଙ୍ଗଳାରୁ ଫେରିଲାବେଳେ ତାଙ୍କୁ ‘ଚୌସା’ ଠାରେ ସଂପୂର୍ଣ୍ଣରୂପେ ପରାସ୍ତ କଲେ (ଖ୍ରୀ: ୧୫୩୯) । ତତ୍‌ପର ବର୍ଷ ହୁମାୟୁନ ପୁନର୍ବାର ତାଙ୍କଦ୍ୱାରା କନୌଜଠାରେ ପରାସ୍ତ ହେଲେ । ଏହାପରେ ଶେରସାହ ଦିଲ୍ଲୀ ଅଧିକାର କରି ନିଜକୁ ସମ୍ରାଟ ବୋଲି ଘୋଷଣା କଲେ । ହୁମାୟୁନ ନିରାଶ ଓ ନିରାଶ୍ରୟ ହୋଇ ପଳାୟନ କଲେ । ବାଟରେ ଅମରକୋଟଠାରେ ଆକବର ନାମକ ତାଙ୍କର ଗୋଟିଏ ପୁତ୍ର ଜାତ ହୋଇଥିଲା । ସେ ସ୍ତ୍ରୀ ଓ ପୁତ୍ରଙ୍କୁ ଭାଇ କାମରାନଙ୍କ ହାତରେ ଛାଡ଼ିଦେଇ ପାରସ୍ୟକୁ ପଳାଇଗଲେ । ସେ ପଳାଇ ଯିବା ପରେ ଶେରଶାହ ପଞ୍ଜାବ , ସିନ୍ଧୁ, ମାଳବ, ମାରବାର, ବଙ୍ଗ ପ୍ରଭୃତି ଜୟ କରି ଗୋଟିଏ ବଡ଼ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ସେ ଖ୍ରୀ ୧୫୪୦ରୁ ଖ୍ରୀ : ୧୫୪୫ ପର୍ଯ୍ୟନ୍ତ ୫ ବର୍ଷ ରାଜତ୍ୱ କରିଥିଲେ । କାଲାଞ୍ଜର ଦୁର୍ଗ ଅଧିକାର କରିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା (ଖ୍ରୀ ୧୫୪୫) ।

 

ଶେରସାହଙ୍କ ଶାସନ – ସେ ଅତି ଅଳ୍ପକାଳ ରାଜତ୍ୱ କରିଥିଲେ ମଧ୍ୟ ତାଙ୍କର ସୁଶାସନ ପାଇଁ ସେ ଭାରତର ଜଣେ ପ୍ରସିଦ୍ଧ ନୃପତିରୂପେ ବିବେଚିତ ହୁଅନ୍ତି । ସେ ଜମିବାଡ଼ି ବନ୍ଦୋବସ୍ତ କରିବା, ପଟ୍ଟା ଓ କବୁଲିୟତ ଦେବା ପ୍ରଥା ଚଳାଇଥିଲେ । ପ୍ରଜାମାନେ ଆୟର ଏକ ଚତୁର୍ଥାଂଶ କରସ୍ୱରୂପ ଦେଉଥିଲେ । ସେ ବଙ୍ଗଳାରୁ ପଞ୍ଜାବ ପର୍ଯ୍ୟନ୍ତ ଗୋଟିଏ ପକ୍କା ରାସ୍ତା କରିଥିଲେ । ସେ ସୈନ୍ୟ ଓ ପୁଲିସ ବିଭାଗର ସଂସ୍କାର କରିଥିଲେ ଓ ‘ଡାକ ଚୌକି’ ପ୍ରଥା ଚଳାଇଥିଲେ । ସେ ହିନ୍ଦୁମାନଙ୍କ ପ୍ରତି ଭଲ ବ୍ୟବହାର କରୁଥିଲେ । ରୟତମାନଙ୍କର ଉନ୍ନତି ପାଇଁ ତୀକ୍ଷ୍ଣ ଦୃଷ୍ଟି ଦେଉଥିଲେ । ସେ ଆଉ କେତେକଦିନ ବଞ୍ଚିଥିଲେ ବୋଧହୁଏ ମୋଗଲ ସାମ୍ରାଜ୍ୟ ଭାରତରୁ ଲୋପ ପାଇଥାନ୍ତା ।

 

ଶେରସାହଙ୍କ ମୃତ୍ୟ ପରେ ହୁମାୟୁନ ପାରସ୍ୟ ରାଜାଙ୍କଠାରୁ କେତେକ ସୈନ୍ୟ ସାହାଯ୍ୟ ପାଇ ପୁନର୍ବାର ଭାରତ ଆକ୍ରମଣ କଲେ । ସେ ଶେରସାହଙ୍କ ବଂଶଧର ସିକନ୍ଦର ସାହଙ୍କୁ ଯୁଦ୍ଧରେ ପରାସ୍ତ କରି ଦିଲ୍ଲୀ ଓ ଆଗ୍ରା ଅଧିକାର କଲେ (ଖ୍ରୀ: ୧୫୫୫) । କିନ୍ତୁ ଅଳ୍ପଦିନ ପରେ ତାଙ୍କର ମୃତ୍ୟୁ ହେଲା (ଖ୍ରୀ : ୧୫୫୬) ।

 

ଆକବର (ଖ୍ରୀ: ୧୫୫୬ – ଖ୍ରୀ: ୧୬୦୫) – ହୁମାୟୁନଙ୍କ ମୃତ୍ୟୁ ପରେ ତାଙ୍କର ପୁତ୍ର ଆକବର ୧୩ ବର୍ଷ ବୟସରେ ଦିଲ୍ଲୀର ସମ୍ରାଟ ହେଲେ । ହୁମାୟୁନଙ୍କର ବିଶ୍ୱସ୍ତ ଭୃତ୍ୟ ବୈରାମ ଖାଁ ବାଳକ ଆକବରଙ୍କ ଅଭିଭାବକ ରୂପେ ରାଜ୍ୟ ଚଳାଇଥିଲେ ।

 

ଦ୍ୱିତୀୟ ପାନିପଥ ଯୁଦ୍ଧ – ଆକବର ଦିଲ୍ଲୀ ସିଂହାସନରେ ବସିବାର କିଛିଦିନ ପରେ ହେମଚନ୍ଦ୍ର ତାଙ୍କ ବିରୁଦ୍ଧରେ ଉଠିଲେ । ହେମଚନ୍ଦ୍ର ବା ହିମୁ ଶେରସାହଙ୍କ ବଂଶଧର ମହମ୍ମଦ ଆଦିଲଙ୍କ ମନ୍ତ୍ରୀ ଥିଲେ । ସେ ଆକବରଙ୍କ ଅଧିକୃତ ଦିଲ୍ଲୀ ଓ ଆଗ୍ରା ଅଧିକାର କରି ‘ବିକ୍ରମାଦିତ୍ୟ’ ଉପାଧି ଗ୍ରହଣ କରିଥିଲେ । ତାଙ୍କର ଏପରି ଦୁର୍ଦ୍ଦଶା ଦେଖି ବୈରାମ ଖାଁ ପାନିପଥଠାରେ ହେମଚନ୍ଦ୍ରଙ୍କ ସହିତ ଭୀଷଣ ଯୁଦ୍ଧ କଲେ (ଖ୍ରୀ: ୧୫୫୬) । ଏଥିରେ ହିମୁ ପରାସ୍ତ ଓ ବନ୍ଦୀ ହେଲେ ଏବଂ ବୈରାମଙ୍କ ଆଦେଶରେ ତାଙ୍କର ମୁଣ୍ଡ କାଟ ହେଲା । ଏହି ଯୁଦ୍ଧକୁ ଦ୍ୱିତୀୟ ପାନିପଥ ଯୁଦ୍ଧ ବୋଲି କହନ୍ତି । ପ୍ରଥମ ପାନିପଥ ଯୁଦ୍ଧ ପରେ ବାବର ଭାରତରେ ମୋଗଲ ଶାସନ ପ୍ରତିଷ୍ଠା କରିଥିଲେ, ଏହି ଯୁଦ୍ଧ ପରେ ତାହା ସୁଦୃଢ଼ ହେଲା ।

 

ବୈରାମ ଖାଁଙ୍କ ପତନ – ବୈରାମ ୫ ବର୍ଷ କାଳ ଆକବରଙ୍କ ଅଭିଭାବକରୂପେ ଶାସନ କରିଥିଲେ । ସେ ବଡ଼ ଗର୍ବୀ ଓ ଉଦ୍ଧତ ଥିଲେ ଏବଂ ଆକବରଙ୍କୁ କୌଣସି କ୍ଷମତା ଦେଇ ନ ଥିଲେ । ଆକବର ଏଥିରେ ବଡ଼ ବିରକ୍ତ ହୋଇ ରାଜକାର୍ଯ୍ୟ ନିଜେ ବୁଝିବାକୁ ଇଚ୍ଛା କରିଥିଲେ । ତାଙ୍କର ମା ଓ ଅନ୍ୟାନ୍ୟମାନେ ଏ ବିଷୟରେ ତାଙ୍କୁ ଉତ୍ସାହ ଦେଲେ । ସେ ୧୫୬୦ ରେ ବୈରାମଙ୍କଠାରୁ ସମସ୍ତ କ୍ଷମତା କାଢ଼ି ନେଇଗଲେ । ଏଥିରେ ସେ ଅସନ୍ତୁଷ୍ଟ ହୋଇ ବିଦ୍ରୋହ କଲେ, କିନ୍ତୁ ଅଳ୍ପକାଳ ମଧ୍ୟରେ ପରାସ୍ତ ହେଲେ । ଆକବର ତାଙ୍କୁ କ୍ଷମା ଦେଇ ମକ୍କା ଯିବାପାଇଁ ଅନୁମତି ଦେଲେ । ମକ୍କା ଯିବା ବାଟରେ ବୈରାମଙ୍କର ଜଣେ ଶତ୍ରୁ ତାଙ୍କୁ ମାରି ପକାଇଲେ ।

 

ରାଜ୍ୟବିସ୍ତାର – ଏହାପରେ ଆକବର ରାଜକାର୍ଯ୍ୟ ନିଜେ ବୁଝିଲେ । ପିତାଙ୍କଠାରୁ ପାଇଥିବା କ୍ଷୁଦ୍ର ରାଜ୍ୟକୁ ବଢ଼ାଇବାପାଇଁ ସେ ଭାରତର ଅନ୍ୟାନ୍ୟ ରାଜ୍ୟ ଜୟ କରିବାକୁ ଚେଷ୍ଟା କଲେ । ପ୍ରଥମେ ତାଙ୍କର ସେନାପତି ଆସଫ ଖାଁ ରାଣୀଦୁଗାବତୀ ଓ ତାଙ୍କର ପୁତ୍ରଙ୍କୁ ପରାସ୍ତ କରି ବଡ଼ମଣ୍ଡଳ ରାଜ୍ୟ ଅଧିକାର କଲେ ।

 

ଏହାପରେ ରାଜପୁତନା ପ୍ରତି ତାଙ୍କର ଦୃଷ୍ଟି ପଡ଼ିଲା । ସେ ଜାଣିଥିଲେ ବୀର ଓ ସାହସୀ ରାଜପୁତମାନଙ୍କ ସଙ୍ଗେ ଯୁଦ୍ଧ କରିବା ସହଜ ନୁହେଁ । ଭାରତକୁ ମୁସଲମାନମାନେ ଆସିଲାଦିନୁ ରାଜପୁତମାନେ ସେମାନଙ୍କ ସହିତ ସର୍ବଦା ଯୁଦ୍ଧ କରୁଥିଲେ । ତେଣୁ ଆକବର ସେମାନଙ୍କ ସହିତ ଯୁଦ୍ଧ ନ କରି ବନ୍ଧୁତାଦ୍ୱାରା ସେମାନଙ୍କୁ ଆୟତ୍ତ କରିବାକୁ ଚେଷ୍ଟା କଲେ । ସେ ନିଜେ ଅମ୍ୱର ରାଜାଙ୍କ କନ୍ୟାଙ୍କୁ ବିବାହ କରିଥିଲେ ଓ ମାରବାର ରାଜାଙ୍କ କନ୍ୟା ଯୋଧବାଈଙ୍କୁ ନିଜ ପୁତ୍ର ସେଲିମଙ୍କ ସହିତ ବିବାହ କରାଇଥିଲେ । ସେ ତୋଡ଼ରମଲ୍ଲ, ମାନସିଂହ, ବୀରବଲ ଓ ଭଗବାନ ଦାସ ପ୍ରଭୃତି ରାଜପୁତ ସର୍ଦ୍ଦାରମାନଙ୍କୁ ଉଚ୍ଚ ରାଜକାର୍ଯ୍ୟମାନ ଦେଇଥିଲେ । ରାଜପୁତମାନେ ରାଜ୍ୟ ହରାଇ ନ ଥିଲେ । କେବଳ ବାର୍ଷିକ କିଛି କିଛି କର ଦେଉଥିଲେ । ଫଳରେ ମୁସଲମାନମାନଙ୍କର ଘୋର ଶତ୍ରୁ ରାଜପୁତମାନେ ତାଙ୍କର କାର୍ଯ୍ୟକଳାପରେ ସନ୍ତୁଷ୍ଟ ହୋଇ ତାଙ୍କପାଇଁ ଅନେକ ରାଜ୍ୟ ଜୟ କରିଥିଲେ ଓ ପ୍ରାଣ ମଧ୍ୟ ଦେଇଥିଲେ ।

 

ମିବାରଜୟ – ରାଜପୁତନାର ସବୁ ରାଜା ଆକବରଙ୍କୁ ମାନିଲେ । କିନ୍ତୁ ମିବାରର ରାଣା ଉଦୟ ସିଂହ କୌଣସିପ୍ରକାରେ ତାଙ୍କର ଅଧୀନ ହେଲେ ନାହିଁ । ତେଣୁ ସେ ଖ୍ରୀ: ୧୫୬୭ ରେ ମିବାର ରାଜଧାନୀ ଚିତୋର ଆକ୍ରମଣ କଲେ । ରାଣା ବହୁ ଯୁଦ୍ଧ କରି ପରାସ୍ତ ହେଲେ ଓ ଆରାବଲ୍ଲୀ ପର୍ବତକୁ ପଳାଇଗଲେ । ମିବାର ଅଧିକୃତ ହେଲା । ତତ୍‌ପରେ ରାଣାଙ୍କ ପୁତ୍ର ମହାବୀର ପ୍ରତାପ ସିଂହ ପିତାଙ୍କ ରାଜ୍ୟ ଫେରି ପାଇବାପାଇଁ ଭୀଷଣ ଯୁଦ୍ଧ କଲେ । ବହୁକାଳ ଯୁଦ୍ଧ କରି ସେ ରାଜ୍ୟର ଅଧିକାଂଶ ପୁଣି ଜୟ କଲେ । କିନ୍ତୁ ରାଜଧାନୀ ଚିତୋର ଉଦ୍ଧାର କରି ପାରିଲେ ନାହିଁ । ଦେଶର ଉଦ୍ଧାର ପାଇଁ ସେ ଏକାକୀ ପ୍ରବଳ ପ୍ରତାପୀ ଆକବରଙ୍କ ସହିତ ଯୁଦ୍ଧ କରି ଯେପରି ବୀରତ୍ୱ, ସାହସ ଓ ସହିଷ୍ଣୁତା ଦେଖାଇଥିଲେ, ତାହା ଭାରତ ଇତିହାସରେ ବିରଳ ।

 

ଏହାପରେ ଆକବର ଗୁଜରାଟ, ବଙ୍ଗ, କାବୁଲ, କାଶ୍ମୀର, ସିନ୍ଧୁ , ବେଲୁଚିସ୍ଥାନ, କାନ୍ଦାହାର ଓ ଓଡ଼ିଶା ପ୍ରଭୃତି ଜୟକରି ନିଜ ସାମ୍ରାଜ୍ୟଭୁକ୍ତ କଲେ । ସମଗ୍ର ଉତ୍ତର ଭାରତ ଜୟ କରି ସେ ଦକ୍ଷିଣାତ୍ୟ ଜୟ କରିବାକୁ ବାହାରିଲେ । ସେତେବେଳେ ଦାକ୍ଷିଣାତ୍ୟରେ ପଞ୍ଚବାହମନୀ ରାଜ୍ୟ ବିଶେଷ ଶକ୍ତିଶାଳୀ ଥିଲେ । ପ୍ରଥମେ ଆକବର କ୍ଷୁଦ୍ର ଅହମଦନଗରରାଜ୍ୟ ଆକ୍ରମଣ କଲେ-। କିନ୍ତୁ ସେଠା ରାଜାଙ୍କ ପୀଉସୀ ଚାନ୍ଦବୀବୀ ପ୍ରାଣପଣେ ଯୁଦ୍ଧ କରି ରାଜଧାନୀ ରକ୍ଷା କଲେ ଓ ମୋଗଲସୈନ୍ୟମାନଙ୍କୁ ପରାସ୍ତ କଲେ । ଦୁହିଙ୍କ ମଧ୍ୟରେ ସନ୍ଧି ହେଲା ଓ ଆକବର ବେରାର ପ୍ରଦେଶ ପାଇଲେ । ଖ୍ରୀ: ୧୫୯୯ରେ ଖାନ୍ଦେଶ ଅଧିକୃତ ହେଲା । ଆକବରଙ୍କ ମୁତ୍ୟୁ ସମୟକୁ ତାଙ୍କର ସାମ୍ରାଜ୍ୟ ଆସାମଠାରୁ ହିନ୍ଦୁକୁଶ ପର୍ଯ୍ୟନ୍ତ ଓ ହିମାଳୟ ଠାରୁ ଅହମଦନଗର ପର୍ଯ୍ୟନ୍ତ ବିସ୍ତୃତ ଥିଲା ।

 

Image

 

ତାଙ୍କର ଶେଷ ଜୀବନ ଦୁଃଖପୂର୍ଣ୍ଣ ହୋଇଥିଲା । ତାଙ୍କର ଦୁଇଟି ପୁଅ ମରି ଯାଇଥିଲେ-। ତାଙ୍କର ପ୍ରିୟ ପୁତ୍ର ସେଲିମ ସିଂହାସନ ପାଇଁ ବିଦ୍ରୋହ କରିଥିଲେ । ଦୁଃଖିତ-ହୃଦୟ ଆକବର ୧୨୦୫ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କଲେ ।

 

ଆକବରଙ୍କ ଶାସନ ନୀତି – ଆକବର ନିଜର ବୁଦ୍ଧି ଓ କୌଶଳ ଦ୍ୱାରା ହୁମାୟୁନଙ୍କ ସମୟରେ ଲୁପ୍ତପ୍ରାୟ ବିଶାଳ ସାମ୍ରାଜ୍ୟ ସୁଦୃଢ଼ କରିଥିଲେ । ତେଣୁ ସେ ମୋଗଲ ସାମ୍ରାଜ୍ୟର ପ୍ରକୃତ ପ୍ରତିଷ୍ଠାତା । ତାଙ୍କର ଶାସନ ନୀତି ଉଦାର ଓ ଲୋକପ୍ରିୟ ଥିଲା । ସେ ଭଲରୂପେ ଜାଣିଥିଲେ । ଭାରତରେ ସାମ୍ରାଜ୍ୟ ପ୍ରତିଷ୍ଠା କରିବାକୁ ହେଲେ ହିନ୍ଦୁମାନଙ୍କୁ ସନ୍ତୁଷ୍ଟ ରଖିବା ଆବଶ୍ୟକ । ତେଣୁ ହିନ୍ଦୁମାନଙ୍କ ଉପରୁ ଘୃଣ୍ୟ ଜିଜିୟା କର ଉଠାଇ ନେଇଥିଲେ । ସେ ହିନ୍ଦୁମାନଙ୍କୁ ସବୁ ବିଷୟରେ ସମାନ ଅଧିକାର ଦେଇଥିଲେ । ମୁସଲମାନଙ୍କ ପରି ହିନ୍ଦୁମାନେ ମଧ୍ୟ ଉଚ୍ଚ କାର୍ଯ୍ୟମାନ ପାଇଲେ । ସେ ହିନ୍ଦୁମାନଙ୍କ ସଙ୍ଗେ ବିବାହ ସମ୍ୱନ୍ଧ ସ୍ଥାପନ କରିଥିଲେ । ହିନ୍ଦୁ ଧର୍ମରେ ଆଦୌ ହସ୍ତକ୍ଷେପ କଲେ ନାହିଁ । ସେମାନେ ଇଚ୍ଛାନୁସାରେ ପୂଜା, ଉପାସନା, ମନ୍ଦିର ନିର୍ମାଣ ଓ ପ୍ରାଚୀନ ମନ୍ଦିରମାନଙ୍କର ସଂସ୍କାର କରିବାପାଇଁ କ୍ଷମତା ପାଇଲେ । ସେ ସେମାନଙ୍କ ମଧ୍ୟରେ ପ୍ରଚଳିତ ସତୀଦାହ ଓ ବାଲ୍ୟ ବିବାହ ଉଠାଇବାକୁ ଚେଷ୍ଟା କରିଥିଲେ । କ୍ରମେ କ୍ରମେ ସେ ଏପରି ହିନ୍ଦୁଭାବାପନ୍ନ ହୋଇଗଲେ ଯେ ନିଜେ ମଦ୍ୟ, ମାଂସ, ପିଆଜ, ରସୁଣ ଇତ୍ୟାଦି ଛାଡ଼ିଦେଲେ । ବେଳେବେଳେ ହିନ୍ଦୁ ବେଶ ପୋଷାକ ପିନ୍ଧୁଥିଲେ । ପଣ୍ଡିତମାନଙ୍କ ସଙ୍ଗେ ହିନ୍ଦୁ ଧର୍ମ ବିଷୟରେ ଚର୍ଚ୍ଚା କରୁଥିଲେ । ବହୁ ଅର୍ଥବ୍ୟୟ କରି ସଂସ୍କୃତ ଗ୍ରନ୍ଥମାନ ଉର୍ଦ୍ଦୁ ଓ ପାରସୀ ଭାଷାରେ ଲେଖାଇଥିଲେ । ଶେଷରେ ସେ ମସ୍‌ଜିଦରେ ଉପାସନା ମଧ୍ୟ ବନ୍ଦ କରିଦେଲେ । କେବଳ ହିନ୍ଦୁ ନୁହେଁ, ଶିଖ, ଜୈନ, ଖ୍ରୀଷ୍ଟିୟାନ୍ ପ୍ରଭୃତି ଧର୍ମାବଲମ୍ୱୀମାନଙ୍କୁ ମଧ୍ୟ ସେ ଶ୍ରଦ୍ଧା କରୁଥିଲେ ଓ ସେମାନଙ୍କର ଧର୍ମ ସମ୍ୱନ୍ଧରେ ଆଲୋଚନା କରୁଥିଲେ । ସବୁ ଧର୍ମ ସମ୍ୱନ୍ଧରେ ଆଲୋଚନା କରି ସେ ସମସ୍ତଙ୍କର ଉପଯୋଗୀ ଗୋଟିଏ ନୂତନ ଧର୍ମ ସୃଷ୍ଟି କରିଥିଲେ । ତାହାର ନାମ ‘ଦୀନ–ଇଲାହ’ ଏକେଶ୍ୱର ବାଦ ଓ ସୂର୍ଯ୍ୟ ପୂଜା ଏହି ଧର୍ମର ପ୍ରଧାନ ନୀତି । ଅତି ଅଳ୍ପ ଲୋକ ଏହି ଧର୍ମ ଗ୍ରହଣ କରିଥିଲେ ଓ ତାଙ୍କର ମୃତ୍ୟୁପରେ ଏହା ଲୋପ ପାଇଗଲା । ଧର୍ମ ବିଷୟରେ ସେ ଯେଉଁ ଉଦାର ଭାବ ଦେଖାଇଥିଲେ ତାହା ମୁସଲମାନ ଯୁଗରେ ବିରଳ । ତେଣୁ ସେ ହିନ୍ଦୁମାନଙ୍କର ସମ୍ମାନ ଓ ଭକ୍ତିଭାଜନ ହୋଇ ପାରିଥିଲେ ।

 

Image

(ଆକବର)

ଆକବରଙ୍କ ଶାସନ ପ୍ରଣାଳୀ – ସେ ତାଙ୍କ ସାମ୍ରାଜ୍ୟକୁ ୧୬ ସୁବା ବା ପ୍ରଦେଶରେ ବିଭକ୍ତ କରିଥିଲେ । ପ୍ରତ୍ୟେକ ସୁବାରେ କେତେଗୁଡ଼ିଏ ସରକାର ଥିଲା । ଗୋଟିଏ ସରକାରରେ କେତେଗୁଡ଼ିଏ ପ୍ରଗନ୍ନା ଥିଲା । ପ୍ରତ୍ୟେକ ପ୍ରଗନ୍ନାରେ ଅନେକ ଗୁଡ଼ିଏ ଗ୍ରାମ ବା ମୌଜା ଥିଲା । ସୁବାର ଶାସକଙ୍କ ନାମ ସୁବାଦାର । ସେ ସୁବାର ସମସ୍ତ ବିଷୟ ବୁଝୁଥିଲେ । ସୁବାର ଆୟର ଅଧିକାଂଶ ସୁବାରେ ଖର୍ଚ୍ଚ ହେଉଥିଲା । ବଳକା ଧନ ସମ୍ରାଟଙ୍କ ରାଜକୋଷକୁ ପଠା ହେଉଥିଲା । ଚୌଧୁରୀ, ମକଦ୍ଦମ, ପଟୁଆରୀ ପ୍ରଭୃତି ପଦବୀମାନ ପ୍ରଥମେ ଆକବର ଦେଇଥିଲେ ।

 

ସେ ବନ୍ଦୋବସ୍ତ ପ୍ରଥା ସମଗ୍ର ରାଜ୍ୟରେ ଚଳାଇଥିଲେ । ତାଙ୍କର ରାଜସ୍ୱ ସଚିବ ତୋଡ଼ରମଲ୍ଲ ପ୍ରଥମେ ଏହା ଆବିଷ୍କାର କରିଥିଲେ । ରାଜ୍ୟର ସମସ୍ତ ଜମି ମାପ ହୋଇଥିଲା । କେଉଁ ପ୍ରଜାର କେତେ ଜମି ଅଛି, ଜମିରୁ କେତେ ପ୍ରକାର ଫସଲ ଆଦାୟ ହେଉଛି, କେଉଁ ପ୍ରଜା କେତେ ଖଜଣା ଦେବ, ଜମିରେ ପ୍ରଜାର କି ପ୍ରକାର ସ୍ୱତ୍ୱ ରହିବ, ସେ ସମସ୍ତ ଏହି ବନ୍ଦୋବସ୍ତ ଦ୍ୱାରା ନିର୍ଦ୍ଦିଷ୍ଟ ହୋଇଥିଲା । ପ୍ରଜାମାନେ ନଗଦ ଟଙ୍କା ବା ଫସଲ ରାଜସ୍ୱ ରୂପେ ଦେଇ ପାରୁଥିଲେ-

 

ସେ ସୈନ୍ୟ ବିଭାଗର ଉନ୍ନତି ପାଇଁ ‘ମନସୁବାଦାରୀ’ ପ୍ରଥା ଚଳାଇଥିଲେ । ସୈନ୍ୟମାନେ ସୁଶିକ୍ଷିତ ଥିଲେ ଓ ତୋପ ବନ୍ଧୁକ ପ୍ରଭୃତି ବ୍ୟବହାର କରୁଥିଲେ । ତାଙ୍କର ଅନେକ ଯୁଦ୍ଧ ଜାହାଜ ଥିଲା । ପ୍ରଜାଙ୍କ ମକଦ୍ଦମା ବୁଝିବାପାଇଁ ଅଦାଲତ ଓ କଚେରୀ ସବୁ ତିଆରି ହୋଇଥିଲା ଏବଂ ବିଚାରପାଇଁ କାଜିମାନେ ନିଯୁକ୍ତ ହୋଇଥିଲେ । ପୁଲିସ ବିଭାଗ ସୁଗଠିତ ଥିଲା । ତାଙ୍କର ଶାସନପ୍ରଣାଳୀ ସୁନ୍ଦର ଓ ଯୁଗୋପଯୋଗୀ ହୋଇଥିଲା ।

 

ଆକବର ପାଠ ପଢ଼ି ନ ଥିଲେ କିନ୍ତୁ ତାଙ୍କର ସ୍ମୃତିଶକ୍ତି ଏପରି ପ୍ରଖର ଥିଲା ଯେ ସେ ଶୁଣି ଶୁଣି ଅନେକ କଥା ମନେ ରଖିପାରୁଥିଲେ । ତାଙ୍କର ଗୋଟିଏ ବଡ଼ ପୋଥି ଭଣ୍ଡାର ଥିଲା । ସେଥିରେ ୨୪୦୦୦ ହାତଲେଖା ପୁସ୍ତକ ଥିଲା । ତାଙ୍କ ସଭାରେ ଅନେକ ବିଖ୍ୟାତ ପଣ୍ଡିତ ଥିଲେ-। ସେମାନଙ୍କ ମଧ୍ୟରେ ଫାୟାଜ, ଐତିହାସିକ ଆବୁଲ୍‌ ଫଜଲ, ସଙ୍ଗୀତଜ୍ଞ ତାନସେନ୍‌ ଓ ବିଦୂଷକ ବୀରବଲ୍ଲ ପନ । ଆବୁଲଫଜଲ୍‌ ‘ଆଇନ ଆକବରୀ’ ନାମକ ପୁସ୍ତକରେ ଆକବରଙ୍କ ରାଜତ୍ୱର ଇତିହାସ ଲେଖିଛନ୍ତି । ତାଙ୍କଠାରୁ ସାହାଯ୍ୟ ପାଇ ଅନେକ ଚିତ୍ରକର ସୁନ୍ଦର ଓ ଚମତ୍କାର ଚିତ୍ରମାନ ଅଙ୍କନ କରିଥିଲେ । ସେ ଶିଳ୍ପର ମଧ୍ୟ ଉନ୍ନତି କରିଥିଲେ । ଫତେପୁରଶିକ୍ରିର କୀର୍ତ୍ତିମାନ ଏହାର ପ୍ରକୃଷ୍ଟ ଉଦାହରଣ । ତାଙ୍କ ରାଜତ୍ୱରେ ସକଳ ବିଷୟର ଉନ୍ନତି ସାଧିତ ହୋଇଥିଲା । ତାଙ୍କ ପରି ପ୍ରସିଦ୍ଧ ରାଜା ପୃଥିବୀରେ ମଧ୍ୟ ଅତି ଅଳ୍ପ ଦେଖାଯାନ୍ତି ।

 

ଜାହାଙ୍ଗୀର (ଖ୍ରୀ: ୧୬୦୫ – ଖ୍ରୀ; ୧୬୨୬) – ଆକବରଙ୍କ ମୃତ୍ୟୁପରେ ତାଙ୍କ ପୁତ୍ର ସେଲିମ ‘ଜାହାଙ୍ଗୀର’ ଉପାଧି ଧାରଣ କରି ଦିଲ୍ଲୀର ସମ୍ରାଟ ହେଲେ । ଜହାଙ୍ଗୀର ଶବ୍ଦର ଅର୍ଥ ‘ଜଗତ୍‌ ଜେତା’ । ସେ ବଡ଼ ବିଳାସୀ ଓ ମଦ୍ୟପ ଥିଲେ ।

 

ଖସ୍ରୁଙ୍କ ବିଦ୍ରୋହ ଦମନ – ଜାହାଙ୍ଗୀରଙ୍କ ରାଜତ୍ୱର ଆରମ୍ଭରେ ତାଙ୍କର ଜ୍ୟେଷ୍ଠ ପୁତ୍ର ଖସ୍ରୁ ସିହାଂସନ ପାଇବାପାଇଁ ବିଦ୍ରୋହୀ ହୋଇ ଲାହୋର ଅଧିକାର କଲେ । ଜାହାଙ୍ଗୀର ଏହି ବିଦ୍ରୋହ ଦମନ କରି ଖସ୍ରୁକୁ ବନ୍ଦୀ କରିଥିଲେ । ଖସ୍ରୁଙ୍କୁ ସାହାଯ୍ୟ କରିଥିବାରୁ ସେ ଶିଖ ଗୁରୁ ଅର୍ଜୁନସିଂହଙ୍କୁ ମାରି ପକାଇଥିଲେ । ଏହାଦ୍ୱାରା ଶିଖମାନେ ବଡ଼ ଉତ୍ତ୍ୟକ୍ତ ହୋଇଥିଲେ ।

 

ନୁରଜାହାନ – ପାରସ୍ୟସ୍ଥ ତେହେରାନ୍‌ ନଗରର ମିର୍ଜା ଗୟାସ ବା ଇତିମାଦୁଦ୍ଦୌଲା ନାମକ ଜଣେ ଲୋକ ଆକବରଙ୍କ ଅଧୀନରେ ଖଣ୍ଡିଏ ଚାକିରୀ କରୁଥିଲେ । ତାଙ୍କର ‘ମେହେରୁନ୍ନିସା’ ନାମକ ଗୋଟିଏ ଅପୂର୍ବସୁନ୍ଦରୀ କନ୍ୟା ଥିଲା । ଜାହାଙ୍ଗୀର ତାଙ୍କ ରୂପରେ ମୁଗ୍‌ଧ ହୋଇ ତାଙ୍କ ପ୍ରତି ଆକୃଷ୍ଟ ହେଲେ । ଆକବର ଏ କଥା ଜାଣିପାରି ଶେର୍‌ ଆଫଗାନ ନାମକ ଜଣେ ଜାଗୀରଦାରଙ୍କ ସହିତ ମେହେରୁନ୍ନିସାଙ୍କୁ ବିବାହ କରିଦେଲେ । ଜାହାଙ୍ଗୀର ରାଜା ହେବା ମାତ୍ରେ ଶେର୍‌ ଆଫଗାନ୍‌ଙ୍କୁ ମରାଇ ତାଙ୍କ ସ୍ତ୍ରୀକୁ ଅନ୍ତଃପୁରକୁ ଘେନି ଆସିଲେ । ତାଙ୍କର ନାମ ହେଲା ନୁରମହଲ୍‌ (ପ୍ରାସାଦର ଜ୍ୟୋତି) । ନୁର ପତିଙ୍କ ମୃତ୍ୟୁରେ ଶୋକାତୁରା ହୋଇ ୬ ବର୍ଷକାଳ ଜାହାଙ୍ଗୀରଙ୍କୁ ବିବାହ କରି ନ ଥିଲେ । କିନ୍ତୁ ପରେ ତାଙ୍କୁ ବିବାହ କରି ନୁରଜାହାନ୍‌ (ପୃଥିବୀର ଜ୍ୟୋତି) ନାମ ପାଇଲେ । ନୁର ବୁଦ୍ଧିମତୀ, ବିଦୂଷୀ, ସୁଗୁଣସଂପନ୍ନା ଥିଲେ । ଜାହାଙ୍ଗୀର ତାଙ୍କ ହାତରେ ଶାସନଭାର ଛାଡ଼ିଦେଇ ନିଜେ ଭୋଗବିଳାସରେ ମାତିଲେ । ସେ ୧୫ ବର୍ଷକାଳ ଭାରତର ପ୍ରକୃତ ପରିଚାଳିକା ହେଲେ । ତାଙ୍କର ଭାଇ ଓ ବନ୍ଧୁମାନେ ଉଚ୍ଚ କର୍ଯ୍ୟମାନ ପାଇଲେ । ରାଜାଙ୍କର ହୁକୁମନାମା ବା ଆଜ୍ଞାପତ୍ରିକାମାନଙ୍କରେ ତାଙ୍କର ଦସ୍ତଖତ ରହୁଥିଲା । ମୁଦ୍ରାମାନ ତାଙ୍କ ନାମରେ ଚଳୁଥିଲା । ଜାହାଙ୍ଗୀର ନାମକୁ ମାତ୍ର ସମ୍ରାଟ୍‌ ହୋଇଥିଲେ । ନୁରଜାହାନ ତାଙ୍କର ଜୋଇଁ ସହରିୟାରଙ୍କୁ ରାଜା କରିବାକୁ ଚେଷ୍ଟା କରିବାରୁ ସାହଜାହାନ୍‌ ଦାକ୍ଷିଣାତ୍ୟରେ ବିଦ୍ରୋହ କରିଥିଲେ-

 

ଜାହାଙ୍ଗୀରଙ୍କ ଯୁଦ୍ଧ ଓ ରାଜ୍ୟଜୟ – ରାଣା ପ୍ରତାପସିଂହଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ଅମରସିଂହ ଭୀଷଣ ଯୁଦ୍ଧ କରିବାରୁ ସେ ତାଙ୍କ ସହିତ ସନ୍ଧି କରିଥିଲେ । ରାଣା ଅମରସିଂହ ଓ ତାଙ୍କ ପୁତ୍ର କର୍ଣ୍ଣ ସିଂହଙ୍କର ଦୁଇଟି ଶଙ୍ଖମଳମଲ ପଥର ମୂର୍ତ୍ତି ଆଗ୍ରାର ଗୋଟିଏ ଅଦାଲତରେ ରଖା ହୋଇଥିଲା । ସେ ଏହି ଦୁଇ ଜଣଙ୍କର ବୀରତ୍ୱରେ ମୁଗ୍ଧ ହୋଇ ସେମାନଙ୍କୁ ସମ୍ମାନ ଦେଖାଇବାପାଇଁ ଏପରି କରିଥିଲେ । ପାରସ୍ୟର ରାଜା ମୋଗଲ ସେନାଙ୍କୁ ପରାସ୍ତ କରି କାନ୍ଦାହାର ଅଧିକାର କଲେ । ସାହାଜାହାନ୍‌ ଅହମଦନଗରର ମନ୍ତ୍ରୀ ମାଲିକ ଅମ୍ୱରଙ୍କୁ ପରାସ୍ତ କରିଥିବାରୁ ସେ ତାଙ୍କର ଅଧୀନତା ସ୍ୱୀକାର କଲେ ।

 

ଇଂରେଜ ବଣିକମାନଙ୍କୁ ସାହାଯ୍ୟ ପ୍ରଦାନ – ଭାରତକୁ ଜଳପଥ ଆବିଷ୍କୃତ ହେବା ଦିନରୁ ପର୍ତ୍ତୁଗୀଜମାନେ ଭାରତରେ ଏକଚାଟିଆ ବାଣିଜ୍ୟ କରୁଥିଲେ । କିନ୍ତୁ ୧୬୦୦ ଖ୍ରୀଷ୍ଟାବ୍ଦରେ ଇଂଲଣ୍ଡର ରାଣୀ ଏଲିଜାବେଥ୍‌ କେତେକ ଇଂରେଜ ବଣିକଙ୍କୁ ଭାରତରେ ବାଣିଜ୍ୟ କରିବାପାଇଁ ଅନୁମତି ଦେଇଥିଲେ । ୧୬୦୮ ଖ୍ରୀଷ୍ଟାବ୍ଦରେ କପ୍ତାନ ହକିନ୍‌ସ ନାମକ ଜଣେ ଲୋକଙ୍କୁ ଇଂଲଣ୍ଡର ରାଜା ଜାହାଙ୍ଗୀରଙ୍କ ଦରବାରକୁ ପଠାଇଥିଲେ । ତାଙ୍କ ପରେ ସଚ୍‌ଠୋମାସ୍‌ରୋ ନାମକ ଅନ୍ୟ ଜଣେ ଲୋକ ତାଙ୍କ ଦରବାରକୁ ଆସିଥିଲେ । ସେ ବାଦସାହଙ୍କ ଦରବାରରେ ଚାରି ବର୍ଷ ରହି ତାଙ୍କର ଜଣେ ପ୍ରିୟପାତ୍ର ହୋଇଥିଲେ । ରୋଙ୍କ ଚେଷ୍ଟାରେ ଇଂରେଜମାନେ ଜାହାଙ୍ଗୀର ଓ ନୁରଜାହାନଙ୍କଠାରୁ ଅନୁମତି ପାଇ ସୁରାଟ ଓ ଭାରତର ଅନ୍ୟାନ୍ୟ ସ୍ଥାନରେ ବାଣିଜ୍ୟ କୋଠିମାନ ନିର୍ମାଣ କରିଥିଲେ । ରୋ ଜାହାଙ୍ଗୀରଙ୍କ ଶାସନ ବିଷୟରେ ଖଣ୍ଡିଏ ବହି ଲେଖିଛନ୍ତି । ସେଥିରୁ ତାଙ୍କ ଦରବାର ଓ ଶାସନ ସମ୍ବନ୍ଧରେ ଅନେକ କଥା ଜଣାଯାଏ ।

 

ମହବତ୍‌ଖାଁଙ୍କ ବିଦ୍ରୋହ – ଜାହାଙ୍ଗୀରଙ୍କ ସେନାପତି ମହବତ୍‌ଖାଁ ଦାକ୍ଷିଣାତ୍ୟରେ ସାହଜାହାନଙ୍କ ବିଦ୍ରୋହ ଦମନ କରିଥିଲେ । କିନ୍ତୁ ନୁରଜାହାନ୍ ସ୍ୱାମୀଙ୍କ ନିକଟରେ ତାଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗମାନ ଆଣିବାରୁ ସେ ଅସନ୍ତୁଷ୍ଟ ହୋଇ ବିଦ୍ରୋହୀ ହେଲେ ଏବଂ ଜାହାଙ୍ଗୀର ଓ ନୁରଜାହାନଙ୍କୁ ବନ୍ଦୀ କଲେ । ନୁରଙ୍କ କୌଶଳରେ ଉଭୟେ ଖଲାସ ହୋଇଗଲେ । ମହବତ ଦାକ୍ଷିଣାତ୍ୟକୁ ପଳାଇ ସାହଜାହାନଙ୍କ ସହିତ ଯୋଗ ଦେଲେ । ଦୁହେଁ ମିଳି ୧୬୨୭ ରେ ବିଦ୍ରୋହ କଲେ । କିନ୍ତୁ ସେ ବର୍ଷ ଜାହାଙ୍ଗୀରଙ୍କ ମୃତ୍ୟୁ ହୋଇଥିଲା ।

 

ସାହାଜାହାନ (ଖ୍ରୀ: ୧୬୨୭–ଖ୍ରୀ ୧୬୫୮) – ସାହଜାହାନଙ୍କ ପ୍ରଥମ ନାମ ଥିଲା ଖୁରମ୍ । କିନ୍ତୁ ସେ ଅନେକ ଯୁଦ୍ଧରେ ଜୟଲାଭ କରିଥିବାରୁ ତାଙ୍କ ପିତା ତାଙ୍କୁ ସାହଜାହାନ୍‌ଉପାଧି ଦେଇଥିଲେ । ଜାହାଙ୍ଗୀରଙ୍କ ମୃତ୍ୟୁ ଖବର ପାଇ ସେ ଦାକ୍ଷିଣାତ୍ୟରୁ ଦିଲ୍ଲୀକୁ ପଳାଇ ଆସିଲେ । ନିଜ ଶ୍ୱଶୁର ଆସଫଖାଁ ଓ ସେନାପତି ମହବତ୍‌ଖାଁଙ୍କ ସାହାଯ୍ୟରେ ସେ ଦିଲ୍ଲୀର ସିଂହାସନ ଅଧିକାର କଲେ । ନୁରଜାହାନଙ୍କ ସମସ୍ତ କ୍ଷମତା ଲୋପ ହେଲା ଓ ସେ ବୃତ୍ତ ପାଇ ରହିଲେ ।

 

ଯୁଦ୍ଧ ଓ ରାଜ୍ୟଜୟ – ସେ ୧୬୩୩ ଖ୍ରୀଷ୍ଟାବ୍ଦରେ ଅହମଦନଗର ରାଜ୍ୟ ଅଧିକାର କରି ମୋଗଲ ସାମ୍ରାଜ୍ୟରେ ମିଶାଇ ଦେଲେ । ବିଜାପୁର ଓ ଗୋଲକୁଣ୍ଡାର ସୁଲତାନମାନଙ୍କୁ ପରାସ୍ତ କରି ସେମାନଙ୍କୁ ବାର୍ଷିକ କର ଦେବାକୁ ବାଧ୍ୟ କରିଥିଲେ । ତାଙ୍କ ପୁତ୍ର ଅଓରଙ୍ଗଜେବ ଦାକ୍ଷିଣାତ୍ୟର ଶାସନକର୍ତ୍ତାରୂପେ ନିଯୁକ୍ତ ହୋଇଥିଲେ । ସେ ଅପହୃତ କାନ୍ଦାହାର ଅଧିକାର କରିଥିଲେ, କିନ୍ତୁ ପରେ ଏହାକୁ ହରାଇଥିଲେ ।

 

ପର୍ତ୍ତୁଗୀଜ ଓ ଇଂରେଜମାନଙ୍କ ସହିତ ସଂପର୍କ – ବଙ୍ଗର ହୁଗୁଳି ସହରରେ ଥିବା ପର୍ତ୍ତୁଗୀଜମାନେ ହିନ୍ଦୁ ଓ ମୁସଲମାନଙ୍କୁ ବାଧ୍ୟ କରି ଖ୍ରୀଷ୍ଟୀୟାନ କରୁଥିବାରୁ ଓ ବନ୍ଦରମାନ ଲୁଣ୍ଠନ କରୁଥିବାରୁ ସାହଜାହାନ୍‌ସୈନ୍ୟ ପଠାଇ ସେମାନଙ୍କୁ ସଂପୂର୍ଣ୍ଣରୂପେ ପରାସ୍ତ କରିଥିଲେ । କିନ୍ତୁ ବାଉଟନ୍‌ନାମକ ଇଂରେଜ ଡାକ୍ତର ତାଙ୍କ ଝିଅକୁ ରୋଗମୁକ୍ତ କରିଥିବାରୁ ସେ ଇଂରେଜମାନଙ୍କ ଉପରେ ବିଶେଷ ସନ୍ତୁଷ୍ଟ ଥିଲେ ।

 

ସାହଜାହାନଙ୍କ କୀର୍ତ୍ତି କଳାପ – ସେ ବଡ଼ ବିଳାସୀ ଓ ଆଡ଼ମ୍ବରପ୍ରିୟ ଥିଲେ । ତାଙ୍କ ଭଣ୍ଡାର ଧନରତ୍ନରେ ପୂର୍ଣ୍ଣ ଥିଲା । ସେ ବହୁ ଅର୍ଥ ବ୍ୟୟ କରି ଅନେକ ସମଜିଦ୍‌, ନଗର, ପ୍ରାସାଦ, ସମାଧି ମନ୍ଦିର ନିର୍ମାଣ କରିଥିଲେ । ତାଙ୍କ କୀର୍ତ୍ତିମାନଙ୍କ ମଧ୍ୟରେ ତାଜମହଲ, ମୟୂର ସିଂହାସନ, ଜୁମା ମସଜିଦ୍‌, ଆଗ୍ରାର ମୋତି ମସଜିଦ୍‌ଓ ଦିଲ୍ଲୀ ନିକଟବର୍ତ୍ତୀ ସାହଜାହାନାବାଦ ନଗର ପ୍ରଧାନ । ମୋତି ମସଜିଦ୍‌ପରି ଉପାସନା ମନ୍ଦିର ପୃଥିବୀରେ ବିରଳ ।

 

ତାଜମହଲ – ତାଙ୍କର କୀର୍ତ୍ତିମାନଙ୍କ ମଧ୍ୟରେ ଆଗ୍ରାର ତାଜମହଲ ଜଗଦ୍‌ବିଖ୍ୟାତ । ଏହା ତାଙ୍କର ପ୍ରାଣପ୍ରିୟା ପତ୍ନୀ ମମତାଜମହଲଙ୍କ ସମାଧି ଉପରେ ନିର୍ମିତ ହୋଇଥିଲା । ମମତାଜ ନୁରଜାହାନଙ୍କ ଝିଆରୀ ଥିଲେ । ସେ ଅପୂର୍ବ ସୁନ୍ଦରୀ ଓ ପ୍ରେମଶୀଳା ଥିଲେ । ବାହଁସାହ ତାଙ୍କୁ ଭାରି ଭଲ ପାଉଥିଲେ । ମମତାଜ ମରିବା ବେଳେ ତାଙ୍କ ସ୍ୱାମୀଙ୍କୁ ତାଙ୍କର ସମାଧି ଉପରେ ଗୋଟିଏ ଜଗଦ୍‌ବିଖ୍ୟାତ ସମାଧି ମନ୍ଦିର ନିର୍ମାଣ କରିବାକୁ ଅନୁରୋଧ କରିଥିଲେ । ପ୍ରିୟ ପତ୍ନୀଙ୍କ ଅନୁରୋଧ ରକ୍ଷା କରି ସେ ତାଙ୍କ ସମାଧି ଉପରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଶାଳ ତାଜମହଲ ପ୍ରତିଷ୍ଠା କରିଥିଲେ । ୨୨ବର୍ଷରେ ଏହାର ନିର୍ମାଣ ସଂପୂର୍ଣ୍ଣ ହୋଇଥିଲା । ଏହା ଯମୁନା କୂଳରେ ଅବସ୍ଥିତ । ସମଗ୍ର ତାଜ ଧଳା ଶଙ୍ଖମଲମଲ ପଥରରେ ନିର୍ମିତ ।

Image

(ତାଜମହଲ)

 

ଏଥିରେ ବିବିଧ କାରୁକାର୍ଯ୍ୟ ଖୋଦିତ ଓ ବହୁମୂଲ୍ୟ ରତ୍ନ ଖଚିତ ହୋଇଥିବାରୁ ଏହା ଅପୂର୍ବ ଶୋଭା ଧାରଣ କରିଅଛି । ଏପରି ବିରାଟ ଓ ରମଣୀୟ ସମାଧି ମନ୍ଦିର ସମଗ୍ର ପୃଥିବୀରେ ଅଦ୍ୱିତୀୟ । ତାଜପରି ମୟୂରସିଂହାସନ ମଧ୍ୟ ପୃଥିବୀରେ ଅତୁଳନୀୟ । ୭କୋଟି ଟଙ୍କା ଖର୍ଚ୍ଚ ହୋଇ ଏହା ନିର୍ମିତ ହୋଇଥିଲା । ଏଥିରେ ସୁନ୍ଦର ସୂଚୀକାମ ଓ ହୀରା, ମାଣିକ୍ୟ, ଇନ୍ଦ୍ରନୀଳ, ମରକତ ପ୍ରଭୃତି ବହୁମୂଲ୍ୟ ରତ୍ନ ଖଚିତ ହୋଇଥିଲା । ଏହାକୁ ନାଦୀରସାହ ଭାରତରୁ ନେଇଗଲେ । ବର୍ତ୍ତମାନ ଏହା ତୁରସ୍କରେ ଅଛି ।

 

ସାହଜାହାନଙ୍କ ପୁତ୍ରମାନଙ୍କ ମଧ୍ୟରେ ଯୁଦ୍ଧ – ସାହଜାହାନ ୧୬୫୮ ଖ୍ରୀଷ୍ଟାବ୍ଦରେ ଗୋଟିଏ ମାରାତ୍ମକ ରୋଗରେ ପଡ଼ିଲେ ଓ ତାଙ୍କ ମରଣ ନିକଟ ପରି ବୋଧ ହେଲା । ଏହା ଜାଣି ତାଙ୍କର ଚାରି ପୁଅ ଦାରା, ସୁଜା, ମୂରାଦ ଓ ଆଓରଙ୍ଗଜେବ ଦିଲ୍ଲୀର ସିଂହାସନ ପାଇଁ ବିବାଦ କଲେ-। ଦାରା ଆଗ୍ରାରେ ଥିଲେ । ସୁଜା ବଙ୍ଗଳାର ସୁବାଦାର, ମୂରାଦ ଗୁଜରାଟର ସୁବାଦର ଓ ଆଓରଙ୍ଗଜେବ ଦାକ୍ଷିଣାତ୍ୟରେ ସୁବାଦାର ଥିଲେ । ସାହଜାହାନ ଦାରାଙ୍କୁ ଭଲ ପାଉଥିଲେ ଓ ତାଙ୍କୁ ସିଂହାସନ ଦେବାପାଇଁ ଇଚ୍ଛା କରିଥିଲେ । ଦାରା ହିନ୍ଦୁମାନଙ୍କୁ ବିଶେଷ ଶ୍ରଦ୍ଧା କରୁଥିଲେ । ତେଣୁ ମୁସଲମାନମାନେ ତାଙ୍କୁ ଭଲ ପାଉ ନ ଥିଲେ । ସୁଜା ବିଳାସୀ ଓ ମୁରାଦ ମଦ୍ୟପ ଥିଲେ । ଆଓରଙ୍ଗଜେବ ବୁଦ୍ଧିବାନ୍‌, ସାହସୀ ଓ ଅଧ୍ୟବସାୟୀ ଥିଲେ । କୁଟିଳ ନୀତି ତାଙ୍କୁ ଭଲ ଭାବରେ ଜଣାଥିଲା । ସେ ସୁନ୍ନି ବା ନୈଷ୍ଠିକ ମୁସଲମାନ ଥିବାରୁ ସୁନ୍ନୀମାନେ ତାଙ୍କୁ ବଡ଼ ଭଲ ପାଉଥିଲେ । ଆଓରଙ୍ଗଜେବ ମୁରାଦଙ୍କୁ ରାଜ୍ୟର ଅଧେ ଦେବେ ବୋଲି କହିବାରୁ ମୁରାଦ ତାଙ୍କୁ ସାହାଯ୍ୟ ଦେଲେ । ଦୁହେଁ ମିଳି ସାହଜାହାନଙ୍କ ସୈନ୍ୟମାନଙ୍କୁ ଓ ଦାରାଙ୍କୁ ପରାସ୍ତ କଲେ । ଆଓରଙ୍ଗଜେବ ଆଗ୍ରା ଅଧିକାର କରି ମୁରାଦଙ୍କୁ ବନ୍ଦୀ କଲେ । ତତ୍‌ପରେ ସୁଜା ପରାସ୍ତ ହୋଇ ବ୍ରହ୍ମଦେଶ ଆଡ଼କୁ ପଳାଇଲେ । ଦାରା ପରାସ୍ତ ହୋଇ ଆଫଗାନିସ୍ଥାନ ଆଡ଼କୁ ପଳାଉଥିଲେ, କିନ୍ତୁ ବାଟରେ ଧରା ହୋଇ ନିହିତ ହୋଇଥିଲେ । ଆଓରଙ୍ଗଜେବ ସାହଜାହାନଙ୍କୁ ବନ୍ଦୀ କରି ୧୬୫୮ ଖ୍ରୀଷ୍ଟାବ୍ଦରେ ଦିଲ୍ଲୀର ସମ୍ରାଟ ହେଲେ । ସାହଜାହାନ୍‌୭ ବର୍ଷକାଳ ବନ୍ଦୀ ହୋଇ ବଡ଼ କଷ୍ଟରେ ପ୍ରାଣତ୍ୟାଗ କଲେ-

 

ଆଓରଙ୍ଗଜେବ (ଖ୍ରୀ: ୧୬୫୮–ଖ୍ରୀ: ୧୭୦୭) – ଖ୍ରୀ ୧୬୫୮ରେ ଆଓରଙ୍ଗଜେବ ଆଲମଗିରି (ଜଗତ୍‌ଜେତା) ଉପାଧି ଗ୍ରହଣ କରି ଦିଲ୍ଲୀର ସମ୍ରାଟ ହେଲେ । ଆଓରଙ୍ଗଜେବଙ୍କ ଚରିତ୍ର ଅତି ନିର୍ମଳ ଥିଲା । ସେ ବିରାଟ ସାମ୍ରାଜ୍ୟର ଅଧୀଶ୍ୱର ହୋଇ ମଧ୍ୟ ଭୋଗ ବିଳାସରେ ଆଦୌ ଅର୍ଥ ବ୍ୟୟ କରୁ ନ ଥିଲେ । ସେ ମଦ୍ୟ ସ୍ପର୍ଶ କରୁ ନ ଥିଲେ । ଟୋପି ସିଲାଇ ଓ ହାତରେ କୋରାନ ଲେଖିବା ଦ୍ୱାରା ଯାହା ଆୟ ହେଉଥିଲା, ସେଥିରେ ତାଙ୍କର ନିଜ ଖର୍ଚ୍ଚ ଚଳୁଥିଲା । ସାମାନ୍ୟ ପୋଷାକ ପିନ୍ଧି ସେ ଦିନ କଟାଉ ଥିଲେ । ସେ ବଡ଼ କଷ୍ଟସହିଷ୍ଣ, ପରିଶ୍ରମୀ ଓ ଅଧ୍ୟବସାୟୀ ଥିଲେ ଏବଂ ଶାସନର ସମସ୍ତ ବିଷୟ ନିଜେ ଦେଖୁଥିଲେ । ସ୍ୱଧର୍ମରେ ତାଙ୍କର ପ୍ରଗାଢ଼ ନିଷ୍ଠା ଥିଲା । କିନ୍ତୁ ସେ ନିଜ ବ୍ୟତୀତ ଅନ୍ୟ କାହାକୁ ବିଶ୍ୱାସ କରୁ ନ ଥିଲେ ଓ ନିଜର ସ୍ୱାର୍ଥପାଇଁ ଅତି ନିଷ୍ଠୁର କାର୍ଯ୍ୟ କରିବାକୁ ତିଳେ ମାତ୍ର କୁଣ୍ଠା ବୋଧ କରୁ ନ ଥିଲେ ।

 

ଆଓରଙ୍ଗଜେବଙ୍କର ଶାସନ ନୀତି – ମୁସଲମାନମାନଙ୍କ ମଧ୍ୟରେ ଦୁଇଟି ସମ୍ପ୍ରଦାୟ ଅଛି– ଶିୟା ଓ ସୁନ୍ନୀ । ସୁନ୍ନୀମାନେ ବଡ଼ ରକ୍ଷଣଶୀଳ । ଆଓରଙ୍ଗଜେବ ସୁନ୍ନୀ ଥିଲେ ଏବଂ ଶିୟା ଓ ହିନ୍ଦୁମାନଙ୍କୁ ଆଦୌ ଭଲ ପାଉ ନ ଥିଲେ । ହିନ୍ଦୁମାନଙ୍କ ଉପରେ ସେ ବିଶେଷ ଅତ୍ୟାଚାର କରୁଥିଲେ । ସମଗ୍ର ଭାରତରେ ଇସଲାମ ଧର୍ମ ପ୍ରଚାର କରିବା ତାଙ୍କ ଜୀବନର ମୁଖ୍ୟ ବ୍ରତ ଥିଲା । ସେ ଶତ ଶତ ହିନ୍ଦୁ ମନ୍ଦିର ଭାଙ୍ଗିଦେଇ ସେ ସ୍ଥାନରେ ମସଜିଦମାନ ନିର୍ମାଣ କରିଥିଲେ ।

 

Image

(ଆଓରଙ୍ଗଜେବ)

 

କାଶୀର ବିଶ୍ୱନାଥମନ୍ଦିର ଓ ମଧୁରାର କେଶବରାୟଙ୍କ ଭାରତପ୍ରସିଦ୍ଧ ମନ୍ଦିର ତାଙ୍କଦ୍ୱାରା ଧ୍ୱଂସ ହୋଇ ଥିଲା-। ହିନ୍ଦୁମାନଙ୍କ ଉପରେ ସେ ଜିଜିଆକର ପୁନର୍ବାର ବସାଇଲେ । ସେମାନଙ୍କୁ ପୂଜା, ଉତ୍ସବ ଓ ଉପାସନା ବନ୍ଦ କରିବା ପାଇଁ ହୁକୁମ ଦେଇଥିଲେ ପ୍ରାଚୀନ ମନ୍ଦିରର ସଂସ୍କାର ଓ ନୂତନ ମନ୍ଦିରର ନିର୍ମାଣ ଏକା ବେଳକେ ବନ୍ଦ ହୋଇଥିଲା । ବାଦ୍‌ଶାହ ଥରେ ଜୁମାମସଜିଦ୍‌କୁ ଯିବା ସମୟରେ ହଜାର ହଜାର ହିନ୍ଦୁ ଏକତ୍ର ହୋଇ ଜିଜୟାକର ଉଠାଇ ଦେବାକୁ କାତର ଭାବରେ ପ୍ରାର୍ଥନା କରିଥିଲେ । କିନ୍ତୁ ସେ ସେମାନଙ୍କର ବିକଳ ପ୍ରାର୍ଥନା ନ ଶୁଣି ନିର୍ଦ୍ଦୟ ଭାବରେ ହାତୀ ଚଢ଼ାଇ ସେମାନଙ୍କୁ ଦଳି ଦେଇଥିଲେ । ସେ ହିନ୍ଦୁମାନଙ୍କୁ ପାଲିଙ୍କୀ, ହାତୀ, ଘୋଡ଼ା ଚଢ଼ିବାକୁ ମନା କରିଥିଲେ । ହିନ୍ଦୁ ବଣିକମାନେ ମୁସଲମାନ ବଣିକମାନଙ୍କ ଅପେକ୍ଷା ଅଧିକ କର ଦେଉଥିଲେ । ହିନ୍ଦୁ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ବାହାରକରି ଦିଆଯାଉଥିଲା । ଯେଉଁମାନେ ମୁସଲମାନ ହେଉଥିଲେ, ସେମାନେ ଉଚ୍ଚ ରାଜକାର୍ଯ୍ୟ ଓ ସମ୍ମାନ ପାଉଥିଲେ । ହିନ୍ଦୁମାନେ ତାଙ୍କ ଅମଳରେ ବିଶେଷ ଦୁଃଖ ଭୋଗ କରୁଥିଲେ । ସେ ଧର୍ମାନ୍ଧ ହୋଇ ସମଗ୍ର ଭାରତରେ ଇସଲାମ ପ୍ରଚାର କରିବାପାଇଁ ଅଟଳ ପ୍ରତିଜ୍ଞା କରିଥିଲେ ।

 

ତାଙ୍କର ଏହି ହିନ୍ଦୁଧର୍ମ ଧ୍ୱଂସ ନୀତି ଯୋଗୁଁ ଜାଠ, ସତ୍‌ନାମୀ, ଶିଖ, ରାଜପୁତ, ଓ ମରହଟ୍ଟାମାନେ ବିଦ୍ରୋହୀ ହୋଇ ଉଠିଲେ । ସମ୍ରାଟ ଆକବର ହିନ୍ଦୁମାନଙ୍କୁ ବିଶେଷତଃ ରାଜପୁତମାନଙ୍କୁ ବଶୀଭୂତ କରି ବିଶାଳ ମୋଗଲ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ଆଓରଙ୍ଗଜେବଙ୍କ ହିନ୍ଦୁଧର୍ମ ବିଦ୍ୱେଷ ଯୋଗୁଁ ମୋଗଲ ସାମ୍ରାଜ୍ୟର ପତନ ହେଲା ।

 

ଯୁଦ୍ଧ ଓ ରାଜ୍ୟ ଜୟ – ୧୬୬୧ ଖ୍ରୀଷ୍ଟାବ୍ଦରେ ସେନାପତି ମିରଜୁମଲା ଆସାମର ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି ଆସାମ ଜୟ କରିଥିଲେ । କିନ୍ତୁ ଫେରିଲା ବେଳେ ବାଟରେ ତାଙ୍କର ମୃତ୍ୟୁ ହେବାରୁ ଆସାମ ରାଜା ପୁନର୍ବାର ନିଜ ରାଜ୍ୟ ଅଧିକାର କଲେ । ଉତ୍ତର–ପଶ୍ଚିମ ସୀମାନ୍ତବାସୀ ପାହାଡ଼ିଆ ଜାତିମାନେ ବିଦ୍ରୋହ କରିବାରୁ ବାଦସାହ ଅଢ଼େଇବର୍ଷକାଳ ଯୁଦ୍ଧ କରି ସେମାନଙ୍କୁ ସମ୍ପୂର୍ଣ୍ଣରୂପେ ପରାସ୍ତ କରିଥିଲେ । ସେ ବହୁକାଳ ଯୁଦ୍ଧ କରି ଦାକ୍ଷିଣାତ୍ୟରେ ବିଜାପୁର ଓ ଗୋଲକୁଣ୍ଡା ରାଜ୍ୟଦ୍ୱୟକୁ ଧ୍ୱଂସ କରିଥିଲେ । ସେ ଭାବିଥିଲେ ଏହି ଦୁଇଟି ରାଜ୍ୟ ଧ୍ୱଂସ ହୋଇଗଲେ ମରହଟ୍ଟାମାନଙ୍କୁ ଜୟ କରିବା ସହଜ ହେବ; କିନ୍ତୁ ତାଙ୍କର ଏହି କାର୍ଯ୍ୟଦ୍ୱାରା ମରହଟ୍ଟାମାନେ ଅଧିକ ଶକ୍ତିଶାଳୀ ହେଲେ । ଏହାପରେ କେବଳ ମୋଗଲମାନଙ୍କ ସହିତ ଯୁଦ୍ଧ କରିବା ସେମାନଙ୍କ ପକ୍ଷେ ସହଜ ହୋଇଥିଲା ।

 

ଏହି କେତୋଟି ଯୁଦ୍ଧକୁ ଛାଡ଼ି ଦେଲେ ତାଙ୍କର ରାଜତ୍ୱର ଅନ୍ୟ ସମସ୍ତ ଯୁଦ୍ଧ ତାଙ୍କର ଧର୍ମାନ୍ଧତା ଯୋଗୁଁ ଘଟିଥିଲା । ଯୁଦ୍ଧ ଓ ରାଜ୍ୟ ଜୟଦ୍ୱାରା ସେ ଭାରତରେ ଇସଲାମ୍‌ପ୍ରଚାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ହିନ୍ଦୁଧର୍ମ ଉପରେ ଅତ୍ୟାଚାର କରିବାରୁ ପଞ୍ଜାବର ଜାଠମାନେ ଓ ସତ୍‌ନାମୀ ନାମକ ଗୋଟିଏ ଧର୍ମ ସଂପ୍ରଦାୟ ବିଦ୍ରୋହ କରିଥିଲେ । ବାଦଶାହ ଶିଖମାନଙ୍କର ନବମ ଗୁରୁ ତେଗ୍‌ବାହାଦୂରଙ୍କୁ ଦିଲ୍ଲୀକୁ ଡକାଇ ଆଣିଥିଲେ । କିନ୍ତୁ ସେ ମୁସଲମାନ ହେବାକୁ ଅସ୍ୱୀକାର କରିବାରୁ ତାଙ୍କ ନୃଶଂସ ଭାବରେ ମାରିପକାଇଲେ । ଏହା ଫଳରେ ଶିଖମାନେ ମୋଗଲ ସମ୍ରାଟଙ୍କର ପରମ ଶତ୍ରୁ ହୋଇ ପଡ଼ିଲେ ।

 

ସେ ମାରବାର ଓ ମିବାର ରାଜ୍ୟ ଜୟ କରି ଅନେକ ଗ୍ରାମ, ମନ୍ଦିର ଓ ନଗର ଧ୍ୱଂସ କରି ଦେଇଥିଲେ । ରାଜପୁତମାନେ ଏଥିରେ ଉତ୍ତ୍ୟକ୍ତ ହୋଇ ମିବାରର ରାଣା ଓ ଦୁର୍ଗାଦାସ ନାମକ ସେନାପତିଙ୍କ ଅଧୀନରେ ବହୁକାଳ ପର୍ଯ୍ୟନ୍ତ ପ୍ରବଳ ଯୁଦ୍ଧ କରିଥିରେ । ସେମାନଙ୍କର ବୀରତ୍ୱ ଓ ସାହସ ଦେଖି ବାଦସାହ ଭୀତ ହୋଇଥିଲେ ଏବଂ ଶେଷରେ ମିବାରର ରାଣା ଓ ମାରବାର ରାଜାଙ୍କ ସହିତ ସନ୍ଧି କରି ଯୁଦ୍ଧରୁ କ୍ଷାନ୍ତ ହେଲେ ।

 

ଦାକ୍ଷିଣାତ୍ୟରେ ହିନ୍ଦୁବୀର ଛତ୍ରପତି ଶିବାଜୀଙ୍କ ନେତୃତ୍ୱରେ ମରହଟ୍ଟାମାନେ ପ୍ରବଳଭାବରେ ଯୁଦ୍ଧ କରିଥିଲେ । ଶେଷରେ ବାଦଶାହ ଶିବାଜୀଙ୍କୁ ରାଜା ବୋଲି ସ୍ୱୀକାର କରିଥିଲେ । ଶିବାଜୀଙ୍କ ମୃତ୍ୟୁ ପରେ ସେ ତାଙ୍କ ପୁତ୍ର ଶମ୍ଭୁଜୀଙ୍କୁ ହତ୍ୟା କଲେ ଓ ସାହୁଜୀଙ୍କୁ ଅନେକବର୍ଷ ବନ୍ଦୀ କରି ରଖିଲେ । ଶମ୍ଭୁଜୀଙ୍କ ପରେ ତାଙ୍କ ଭାଇ ରାଜାରାମ ବହୁକାଳ ଯୁଦ୍ଧ କଲେ-। ରାଜାରାମ ୧୭୦୦ ଖ୍ରୀଷ୍ଟାବ୍ଦରେ ମରିଯିବାରୁ ତାଙ୍କର ବିଧବା ସ୍ତ୍ରୀ ତାରାବାଈ ଯୁଦ୍ଧ ଚଳାଇଲେ । ସେ ମରହଟ୍ଟାମାନଙ୍କ ପ୍ରତାପରେ ବ୍ୟସ୍ତ ହୋଇ ପଡ଼ିଲେ ଓ ବହୁ ଚେଷ୍ଟାସତ୍ତ୍ୱେ ସେମାନଙ୍କୁ ଦମନ କରି ପାରିଲେ ନାହିଁ । ସେ ୧୭୦୭ ଖ୍ରୀଷ୍ଟାବ୍ଦରେ ପ୍ରାଣତ୍ୟାଗ କଲେ । ଧର୍ମଧ୍ୱଂସ ପାଇଁ ସର୍ବଦା ଯୁଦ୍ଧ କରିବାରୁ ତାଙ୍କ ମୃତ୍ୟୁ ସଙ୍ଗେ ସଙ୍ଗେ ତାଙ୍କର ବିଶାଳ ସାମ୍ରାଜ୍ୟ ଧ୍ୱଂସ ହୋଇଗଲା ।

Image

 

ଷୋଡ଼ଶ ଅଧ୍ୟାୟ

ମରହଟ୍ଟା ରାଜତ୍ୱ

 

ଛତ୍ରପତି ଶିବାଜୀ – ଦାକ୍ଷିଣାତ୍ୟରେ ସାତପୁରା ପର୍ବତର ଦକ୍ଷିଣରେ ମହାରାଷ୍ଟ୍ର ନାମକ ଦେଶ ଅବସ୍ଥିତ । ଏହା ପର୍ବତ ଓ ଅରଣ୍ୟରେ ପରିପୂର୍ଣ୍ଣ ଥିବାରୁ ଶତ୍ରୁମାନେ ଏଥିରେ ସହଜରେ ପଶି ପାରୁନଥିଲେ । ଏହାର ଭୂମି ବିଶେଷ ଉର୍ବର ନୁହେଁ । ବମ୍ବେ, ପୁନା, ସତାରା, କୋଲାପୁର, ସୋଲାପୁର, ନାସିକ ପ୍ରଭୃତି ଏହାର ପ୍ରଧାନ ସହର । ଏହି ଦେଶ ଲୋକମାନଙ୍କୁ ମରହଟ୍ଟା କହନ୍ତି । ସେମାନେ ବଡ଼ ବଳିଷ୍ଠ, କଷ୍ଟସହିଷ୍ଣୁ, ଅଧ୍ୟବସାୟୀ ଓ ଯୁଦ୍ଧପ୍ରିୟ ଥିଲେ । ସେମାନେ ଭାରତର ଗୋଟିଏ ପ୍ରାଚୀନ ଜାତି । ହିନ୍ଦୁ, ରାଜତ୍ୱକାଳରେ ସେମାନେ ବଡ଼ ଶକ୍ତିଶାଳୀ ଥିଲେ । କିନ୍ତୁ ବହୁ ଶତାବ୍ଦୀ ପର୍ଯ୍ୟନ୍ତ ମୁସଲମାନଙ୍କ ଦ୍ୱାରା ପ୍ରପୀଡ଼ିତ ହୋଇ ସେମାନେ କ୍ରମଶଃ ଦୁର୍ବଳ ହୋଇଯାଇଥିଲେ । ମହାବୀର ଶିବାଜୀ ନିଜର ଅସାଧାରଣ ପ୍ରତିଭା ଓ ଶକ୍ତିବଳରେ ଏହି ଜାତିକୁ ପୁନର୍ବାର ଶକ୍ତିଶାଳୀ କରିପାରିଥିଲେ ।

 

ଶିବାଜୀ ୧୬୨୭ ଖ୍ରୀଷ୍ଟାବ୍ଦରେ ମହାରାଷ୍ଟ୍ର ପ୍ରଦେଶର ଜୁନ୍ନାର ନାମକ ପାର୍ବତ୍ୟ ଦୂର୍ଗରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପିତାଙ୍କ ନାମ ସାହାଜୀ ଓ ସେ ଜାତିର କ୍ଷତ୍ରିୟ ଥିଲେ । ସେ ବିଜାପୁରର ସୁଲତାନଙ୍କ ଅଧୀନରେ ଚାକିରୀ କରୁଥିଲେ ଓ ତାଙ୍କଠାରୁ କେତେକ ଜାୟଗିରୀ ପାଇଥିଲେ । ଶିବାଜୀଙ୍କ ମାତା ବୁଦ୍ଧିମତୀ, ଶିକ୍ଷିତା ଓ ବୀରା ଥିଲେ । ସେ ପୁତ୍ରକୁ ହିନ୍ଦୁ ଧର୍ମ, ଗୋ ଓ ବ୍ରାହ୍ମଣ ଜାତିକୁ ମୁସଲମାନମାନଙ୍କ ହସ୍ତରୁ ରକ୍ଷା କରିବାପାଇଁ ଶିକ୍ଷା ଦେଇଥିଲେ । ଦାଦାଜୀ କୋଣ୍ଡଦେବ ନାମକ ଜଣେ ବ୍ରାହ୍ମଣ ତାଙ୍କର ଗୁରୁ ଥିଲେ । ଶିବାଜୀ ପିଲାଦିନେ ବିଶେଷ ପାଠଶାଠ ପଢ଼ି ନ ଥିଲେ । ରାମାୟଣ, ମହାଭାରତ ଓ ପୁରାଣମାନଙ୍କରୁ ହିନ୍ଦୁ ବୀରମାନଙ୍କ କଥା ଶୁଣି ସେ ବାଲ୍ୟକାଳରୁ ଜଣେ ପ୍ରସିଦ୍ଧ ବୀର ହେବାକୁ ଅଭିଳାଷ କରିଥିଲେ । ଭାରତରେ ହିନ୍ଦୁ ରାଜ୍ୟ ସ୍ଥାପନ ତାଙ୍କ ଜୀବନର ମୁଖ୍ୟ ବ୍ରତ ଥିଲା । ସେ ଯୁଦ୍ଧବିଦ୍ୟା ଭଲରୂପେ ଶିଖିଥିଲେ । ଅଶ୍ୱାରୋହଣ, ମଲ୍ଲଯୁଦ୍ଧ, ବନ୍ଧୁକଚାଳନ, ଅସିଯୁଦ୍ଧ, ବର୍ଚ୍ଛାନିକ୍ଷେପ ପ୍ରଭୃତିରେ ସେ ଅତି ପ୍ରବୀଣ ଥିଲେ ।
 

Image

(ଶିବାଜୀ)

 

ସେ ପ୍ରଥମେ ଗୋଟିଏ ପାର୍ବତ୍ୟ ଜାତିକୁ, ଯୁଦ୍ଧବିଦ୍ୟା ଶିକ୍ଷା ଦେଇଥିଲେ । ସେମାନଙ୍କ ସାହାଯ୍ୟରେ ସେ ୧୯ବର୍ଷ ବୟସରେ ବିଜାପୁର ରାଜ୍ୟରେ ଥିବା ତୋର୍ଣ୍ଣା ଓ ରାୟଗଡ଼ା କେତେକ ଦୁର୍ଗ ଅଧିକାର କରିଥିଲେ । ଏଥିରେ ବିଜାପୁରର ସୁଲତାନ ରାଗିଯାଇ ତାଙ୍କର ପିତା ସାହାଜୀଙ୍କୁ ବନ୍ଦୀ କରିଥିଲେ । କିନ୍ତୁ ଶିବାଜୀ ସମ୍ରାଟ୍‌ସାହାଜାହାନଙ୍କ ସଙ୍ଗେ ସନ୍ଧି କରିବାରୁ ସୁଲତାନ ଭୟରେ ସାହାଜୀଙ୍କୁ ଛାଡ଼ିଦେଲେ । ଏଥିରେ ତାଙ୍କର ସାହସ ଓ ଦମ୍ଭ ବଢ଼ିଗଲା ଏବଂ ସେ ବିଜାପୁର ରାଜ୍ୟରେ ନିଜର କ୍ଷମତା ବଢ଼ାଇବାକୁ ଲାଗିଲେ । ସେ ସୈନ୍ୟମାନଙ୍କୁ ଏପରି ଶିକ୍ଷା ଦେଇଥିଲେ ଯେ ସେମାନେ ସଙ୍କେତ ପାଇବା ମାତ୍ରେ ଏକତ୍ର ହୋଇ ଯାଉଥିଲେ ଏବଂ ସଙ୍କେତ ମାତ୍ରେ କେଉଁଆଡ଼େ ଅଦୃଶ୍ୟ ହେଉଥିଲେ । ସେମାନେ ଛୋଟ ଛୋଟ ଘୋଡ଼ା ଚଢ଼ି, ବର୍ଚ୍ଛା ଓ ଖଣ୍ଡା ଧରି ଯୁଦ୍ଧ କରୁଥିଲେ । ସେମାନେ ବିଜାପୁରର ନାନା ସ୍ଥାନରେ ଉପଦ୍ରବ କରିବାରୁ ବିଜାପୁର ସୁଲତାନ ଆଫଜଲ୍‌ଖାଁ ନାମକ ସେନାପତିଙ୍କୁ ତାଙ୍କୁ ପରାସ୍ତ କରିବାକୁ ପଠାଇଲେ । ଚତୁର ଶିବାଜୀ ସନ୍ଧି କରିବା ଛଳନାରେ ଆଫଜଲ୍‌ଖାଁଙ୍କୁ ଗୋଟିଏ ନିର୍ଜନ ଜାଗାରେ ଭେଟି ଥିଲେ । ସେଠାରେ ସେ ଗୋଟିଏ ଛୋରା ଓ ବାଘନଖ ନାମକ ହତିଆର ସାହାଯ୍ୟରେ ତାଙ୍କୁ ମାରି ପକାଇଲେ । ତାହାପରେ ସେ ଆଫଜଲ୍‌ଙ୍କ ସୈନ୍ୟମାନଙ୍କୁ ପରାସ୍ତ କରିବାରୁ ବିଜାପୁର ସୁଲତାନ ବାଧ୍ୟ ହୋଇ ତାଙ୍କ ସହିତ ସନ୍ଧି କରିଥିଲେ ।

 

ବିଜାପୁର ସୁଲତାନଙ୍କୁ ଦମନ କରି ସେ ନିଜ ରାଜ୍ୟ ବୃଦ୍ଧି କରିବାପାଇଁ ମୋଗଲ ସାମ୍ରାଜ୍ୟ ଆକ୍ରମଣ ଓ ଲୁଣ୍ଠନ କରିବାକୁ ଲାଗିଲେ । ଏଥିରେ ଆଓରଙ୍ଗଜେବ ବିରକ୍ତ ହୋଇ ସାୟସ୍ତ ଖାଁ ନାମକ ସେନାପତିଙ୍କୁ ତାଙ୍କ ସହିତ ଯୁଦ୍ଧ କରିବାକୁ ପଠାଇଲେ । ଦିନେ ରାତିରେ ସାୟସ୍ତ ଖାଁ ଶୋଇଥିବାବେଳେ ଶିବାଜୀ ତାଙ୍କ ଶିବିରରେ ପଶି ତାଙ୍କୁ ଆକ୍ରମଣ କଲେ । ସାୟସ୍ତ ଖାଁ ନିଦବାଉଳାରେ ଝରକା ବାଟେ ପଳାଇ ଗଲେ । କିନ୍ତୁ ତାଙ୍କର ତିନୋଟି ଅଙ୍ଗୁଳି କଟି ଯାଇଥିଲା ଓ ତାଙ୍କ ପୁଅ ହାଣ ଖାଇଲେ । ସାୟସ୍ତ ଖାଁ ଭୟରେ ଦିଲ୍ଲୀକୁ ପଳାଇଗଲେ । ଏହା ପରେ ଶିବାଜୀ ସମୃଦ୍ଧିଶାଳୀ ସୁରାଟ ନଗର ଲୁଣ୍ଠନ କଲେ । ଏ ଖବର ପାଇ ବାଦସାହ ବିଶେଷ ବିରକ୍ତ ହେଲେ ଓ ତାଙ୍କୁ ଦମନ କରିବାପାଇଁ ଜୟପୁରର ରାଜା ଜୟସିଂହଙ୍କୁ ପଠାଇଲେ ।

 

ଜୟସିଂହ ଶିବାଜୀଙ୍କୁ ପରାସ୍ତ କରିବାରୁ ପୁରନ୍ଦଠାରେ ଉଭୟଙ୍କ ମଧ୍ୟରେ ଗୋଟିଏ ସନ୍ଧି ହୋଇଥିଲା (ଖ୍ରୀ: ୧୬୬୫) । ଶିବାଜୀ ବାରଟି ଦୁର୍ଗ ବ୍ୟତୀତ ଆଉ ସମସ୍ତ ଦୁର୍ଗ ଛାଡ଼ି ଦେଇଥିଲେ-। ସେ ଜୟସିଂହଙ୍କ ବିଜାପୁର ଆକ୍ରମଣରେ ସାହାଯ୍ୟ ଦେବାରୁ ଆଓରଙ୍ଗଜେବ ତାଙ୍କୁ ଭାରି ପ୍ରଶଂସା କଲେ ଓ ଦିଲ୍ଲୀକୁ ଡକାଇ ଆଣିଲେ । ସେ ଶିବାଜୀଙ୍କୁ ଉପଯୁକ୍ତ ସମ୍ମାନ ଦେଖାଇବା ପରିବର୍ତ୍ତରେ ତାଙ୍କୁ ବନ୍ଦୀ କରି ପକାଇଲେ । କିନ୍ତୁ ଶିବାଜୀ କୌଶଳକ୍ରମେ ବନ୍ଦୀଶାଳାରୁ ପଳାଇଗଲେ । ସ୍ୱଦେଶରେ ପହଞ୍ଚି ଶିବାଜୀ ରାୟଗଡ଼ଠାରେ ନିଜକୁ ରାଜା ବୋଲି ଘୋଷଣା କଲେ । ଏହା ପରେ ସେ ମୋଗଲମାନଙ୍କ ସହିତ ଏପରି ଘୋର ଯୁଦ୍ଧ କଲେ ଯେ ଆଓରଙ୍ଗଜେବ ତାଙ୍କୁ ବାଧ୍ୟ ହୋଇ ରାଜା ବୋଲି ସ୍ୱୀକାର କଲେ (ଖ୍ରୀ: ୧୬୭୭) । ୧୬୮୦ ଖ୍ରୀଷ୍ଟାବ୍ଦରେ ଶିବାଜୀ ପ୍ରାଣତ୍ୟାଗ କଲେ । ମୃତ୍ୟୁ ପୂର୍ବରୁ ତାଙ୍କର ରାଜ୍ୟ ସାତପୁରା ପର୍ବତଠାରୁ ତୁଙ୍ଗଭଦ୍ରା ନଦୀ ପର୍ଯ୍ୟନ୍ତ ଓ ଆରବସାଗରଠାରୁ ପେନଗଙ୍ଗା ନଦୀ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ତାଙ୍କ ପରେ ତାଙ୍କ ପୁତ୍ର, ଶମ୍ଭୁଜୀ, ରାଜାରାମ ଓ ରାଣୀ ତାରାବାଈ ବହୁକାଳ ଆଓରଙ୍ଗଜେବଙ୍କ ସହିତ ଯୁଦ୍ଧ କଲେ । ଆଓରଙ୍ଗଜେବଙ୍କ ମୃତ୍ୟୁବେଳକୁ ମରହଟ୍ଟାମାନେ ବିଶେଷ ଶକ୍ତିଶାଳୀ ହୋଇଥିଲେ ।

 

ଶିବାଜୀଙ୍କ ରାଜ୍ୟ ଶାସନ – ଶିବାଜୀ ଜଣେ ନୈଷ୍ଠିକ ହିନ୍ଦୁ ଥିଲେ । ହିନ୍ଦୁମାନେ ତାଙ୍କୁ ଶିବଙ୍କ ଅବତାର ଓ ହିନ୍ଦୁ ଧର୍ମର ରକ୍ଷକ ବୋଲି ଭାବୁଥିଲେ । କିନ୍ତୁ ସେ ମୁସଲମାନ ବା ଖ୍ରୀଷ୍ଟିୟାନମାନଙ୍କ ପ୍ରତି ଅତ୍ୟାଚାର କରୁ ନ ଥିଲେ । ସେ ରାଜ୍ୟ ଜୟ କଲାବେଳେ ମୁସଲମାନ ସ୍ତ୍ରୀ, ବାଳକ, ମସଜିଦ ଓ କୋରାନର କୌଣସି ଅନିଷ୍ଟ କରୁ ନ ଥିଲେ । ତାଙ୍କର ଏ ଉଦାର ନୀତି ଯୋଗୁଁ ମୁସଲମାନମାନେ ମଧ୍ୟ ତାଙ୍କୁ ଭକ୍ତି କରୁଥିଲେ ।

 

ସେ ହିନ୍ଦୁ ଶାସ୍ତ୍ର ନିୟମାନୁଯାୟୀ ରାଜ୍ୟ ଶାସନ କରୁଥିଲେ । ତାଙ୍କର ଗୋଟିଏ ମନ୍ତ୍ରୀ ସଭା ଥିଲା । ସେଥିରେ ୮ଜଣ ମନ୍ତ୍ରୀ ବା ପ୍ରଧାନ ଥିଲେ । ତାଙ୍କର ପ୍ରାୟ ୩୦ଟି ଶାସନ ବିଭାଗ ଥିଲା । ମନ୍ତ୍ରୀମାନେ ଏହି ବିଭାଗ ସବୁର ତତ୍ତ୍ୱ ନେଉଥିଲେ ଓ ପ୍ରାଦେଶିକ ଶାସନ ବିଷୟ ବୁଝୁଥିଲେ । ତାଙ୍କର ଗୋଟିଏ ସୁଗଠିତ ସେନା ଥିଲା । ସେ ସୈନ୍ୟମାନଙ୍କୁ ଦରମା ଦେଉଥିଲେ ଓ ଜାଗିର ପ୍ରଥା ଉଠାଇ ଦେଇଥିଲେ । ସୈନ୍ୟମାନେ ବର୍ଗୀ ନାମରେ ପରିଚିତ ଥିଲେ । ସେମାନଙ୍କ ମଧ୍ୟରେ ବିଶେଷ ଶୃଙ୍ଖଳା ଥିଲା । ତାଙ୍କର ଅନେକଗୁଡ଼ିଏ ଯୁଦ୍ଧ ଜାହାଜ ଥିଲା । ଦଶଜଣ ସୈନିକଙ୍କ ଉପରେ ଜଣେ ନାୟକ, ପାଞ୍ଚଜଣ ନାୟକଙ୍କ ଉପରେ ଜଣେ ହବେଲଦାର, ଦୁଇଜଣ ହବେଲଦାରଙ୍କ ଉପରେ ଜଣେ ଜୁମଲାଦାର ଓ ଦଶଜଣ ଜୁମଲାଦାରଙ୍କ ଉପରେ ଜଣେ ଏକହଜାରୀ ସେନାପତି ଥିଲେ । ୫ହଜାର ସୈନ୍ୟଙ୍କ ଉପରେ ଜଣେ ‘ସରି ନୌବତ୍‌’ ବା ମୁଖ୍ୟ ଥିଲେ । ସେ ଶାସନ ପାଇଁ ରାଜ୍ୟକୁ ପ୍ରାନ୍ତ, ତାଲୁକ, ପ୍ରଗନ୍ନା ଓ ମୌଜାରେ ବିଭକ୍ତ କରିଥିଲେ । ପ୍ରତ୍ୟେକ ଗ୍ରାମରେ ଜଣେ ପଟେଲ ବା ମାଲିକ ଥିଲେ । କେତେକ ପଟେଲଙ୍କ ଉପରେ ଜଣେ ଦେଶାଧିକାରୀ ଥିଲେ । ପଞ୍ଚାୟତମାନେ ମୋକଦ୍ଦମା ବିଚାର କରୁଥିଲେ । ପ୍ରଜାମାନେ ଭୂମିର ଆୟର ପଞ୍ଚଭାଗରୁ ଦୁଇ ଭାଗ କର ସ୍ୱରୂପ ଦେଉଥିଲେ । ସେ ପଡ଼ୋଶୀ ରାଜ୍ୟମାନଙ୍କଠାରୁ ‘ଚୌଥ’ ଓ ‘ସରଦେଶମୁଖୀ’ ନାମକ ଦୁଇଟି କର ଅସୁଲ କରୁଥିଲେ । କୌଣସି ରାଜ୍ୟ ଆୟର ଚଉଠ ବା ଚୌଥ ଦେଲେ ମରହଟ୍ଟାମାନେ ସେ ରାଜ୍ୟ ଆକ୍ରମଣ କରୁ ନ ଥିଲେ । ଶିବାଜୀଙ୍କ ଶାସନ ଅତି ଉତ୍କୃଷ୍ଟ ଧରଣର ଥିଲା ।

 

ଆଓରଙ୍ଗଜେବଙ୍କ ପରେ ମୋଗଲସାମ୍ରାଜ୍ୟ

 

ଆଓରଙ୍ଗଜେବଙ୍କ ପରେ ମୋଗଲ ସାମ୍ରାଜ୍ୟର ପତନ ଆରମ୍ଭ ହେଲା । ତାଙ୍କର ବଂଶଧରମାନେ ତାଙ୍କ ପରି ଶକ୍ତିଶାଳୀ ନ ଥିଲେ । ତାଙ୍କ ପରେ ମୋଗଲ ବଂଶର ତେରଜଣ ରାଜା ରାଜତ୍ୱ କରିଥିଲେ । (୧) ପ୍ରଥମ ବାହାଦୂରସାହ ବା ପ୍ରଥମ ସାହାଆଲାମ (୨) ଜାହାନ୍ଦରସାହ (୩) ଫରକଶିୟାର (୪) ଦ୍ୱିତୀୟ ସାହାଜାହାନ୍‌(୫) ରଫିଉଦ୍ଦୌଲତ (୬) ନେକୁଶିୟାର (୭) ମହମ୍ମଦ ଇବ୍ରାହୀମ (୮) ମହମ୍ମଦସାହ (୯) ଆହମଦସାହ (୧୦) ଦ୍ୱିତୀୟ ଆଲମଗିରି (୧୧) ଦ୍ୱିତୀୟ ସାହାଆଲାମ (୧୨) ଦ୍ୱିତୀୟ ଆକବର (୧୩) ଦ୍ୱିତୀୟ ବାହାଦୂରଶାହ । ସେମାନେ ନାମକୁ ମାତ୍ର ଦିଲ୍ଲୀର ସମ୍ରାଟ ଥିଲେ । ପ୍ରାଦେଶିକ ଶାସନକର୍ତ୍ତାମାନେ କ୍ରମଶଃ ସ୍ୱାଧୀନ ହୋଇଗଲେ । ଦାକ୍ଷିଣାତ୍ୟର ସୁବାଦାର ଆସଫଝା ୧୭୨୩ ଖ୍ରୀଷ୍ଟାବ୍ଦରେ ହାଇଦ୍ରାବାଦରେ ନିଜାମ ରାଜ୍ୟ ସ୍ଥାପନ କଲେ । ପେଶବାମାନଙ୍କ ଅଧୀନରେ ମରହଟ୍ଟାମାନେ ଶକ୍ତିଶାଳୀ ହୋଇ ମୋଗଲ ସାମ୍ରାଜ୍ୟର ଖଣ୍ଡିଏ ଖଣ୍ଡିଏ ଅଧିକାର କରି ବିଶାଳ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ରାଜପୁତ ଓ ଶିଖମାନେ ସ୍ୱାଧୀନ ହୋଇଗଲେ । ଇଂରେଜ ଓ ଫରାସିମାନେ ଭାରତରେ ସାମ୍ରାଜ୍ୟ ସ୍ଥାପନ ପାଇଁ ପରସ୍ପର ମଧ୍ୟରେ ଯୁଦ୍ଧ କଲେ । କିନ୍ତୁ ମରହଟ୍ଟାମାନେ ଏପରି ଶକ୍ତିଶାଳୀ ହୋଇଥିଲେ ଯେ ଭାରତରେ ପୁନର୍ବାର ହିନ୍ଦୁ ରାଜତ୍ୱ ହେବାର ଆଶା ଦେଖାଯାଉଥିଲା ।

 

ମୋଗଲସାମ୍ରାଜ୍ୟ ପତନର କାରଣ – ଆଓରଙ୍ଗଜେବଙ୍କ ହିନ୍ଦୁ ଧର୍ମ ଧ୍ୱଂସ ନୀତି ସାମ୍ରାଜ୍ୟ ପତନର ପ୍ରଧାନ କାରଣ । ତାଙ୍କର ଧର୍ମବିଦ୍ୱେଷ ଯୋଗୁଁ ମରହଟ୍ଟା ଓ ଶିଖମାନେ ପ୍ରାଣପଣେ ଯୁଦ୍ଧ କରି ଏହାକୁ ଧ୍ୱଂସ କରିଥିଲେ । ଆଓରଙ୍ଗଜେବଙ୍କ ଦୁର୍ବଳ ବଂଶଧରମାନେ ତାଙ୍କ ବିରାଟ ସାମ୍ରାଜ୍ୟ ଶାସନ ଓ ବିଦ୍ରୋହୀ ପ୍ରଦେଶମାନଙ୍କୁ ଦମନ କରିବାକୁ ଅସମର୍ଥ ହୋଇଥିଲେ । ନାଦୀରସାହ ଓ ଆହମ୍ମଦସାହ ମୋଗଲ ରାଜ୍ୟ ଆକ୍ରମଣ କରି ରାଜଶକ୍ତିକୁ ଏକାବେଳକେ ଦୁର୍ବଳ କରି ଦେଇଥିଲେ । ପରିଶେଷରେ ଇଂରେଜମାନେ ବୁଦ୍ଧି ଓ କୌଶଳରେ ଭାରତରେ ଶାସନ ପ୍ରତିଷ୍ଠା କରି ମୋଗଲ କ୍ଷମତା ଏକାବେଳକେ ନଷ୍ଟ କରି ଦେଲେ ।

 

ନାଦୀରସାହ – ମୋଗଲମାନେ ଦୁର୍ବଳ ହୋଇପଡ଼ିବାରୁ ପାରସ୍ୟର ରାଜା ନାଦୀରସାହ ୧୭୩୯ ଖ୍ରୀଷ୍ଟାବ୍ଦରେ ଭାରତ ଆକ୍ରମଣ କରିଥିଲେ । ସେ ଦିଲ୍ଲୀ ଅଧିକାର କରି ପ୍ରଚୁର ଧନରତ୍ନ, ମୟୂର, ସିଂହାସନ, କୋହିନୂର ନାମକ ଜଗଦପ୍ରସିଦ୍ଧ ହୀରକଖଣ୍ଡ ନେଇ ସ୍ୱଦେଶକୁ ଫେରିଗଲେ । ସିନ୍ଧୁନଦୀର ପଶ୍ଚିମ ତୀରବର୍ତ୍ତୀ ପ୍ରଦେଶ ପାରସ୍ୟ ରାଜ୍ୟଭୁକ୍ତ ହୋଇଥିଲା-। ନାଦୀରସାହଙ୍କ ଆକ୍ରମଣ ପରେ ମୋଗଲ ଶକ୍ତିର ଅବସାନ ଘଟିଥିଲା ।

 

ମରହଟ୍ଟାମାନଙ୍କର ଉତ୍ଥାନ

 

ଶିବାଜୀଙ୍କ ମୃତ୍ୟୁ (ଖ୍ରୀ: ୧୬୮୦) ପରେ ତାଙ୍କ ପୁତ୍ର ଶମ୍ଭୁଜୀଙ୍କୁ ଆଓରଙ୍ଗଜେବ ମାରି ଦେଇଥିଲେ ଓ ତାଙ୍କ ନାତି ସାହୁଜୀଙ୍କୁ ବନ୍ଦୀ କରି ଦେଲେ । କିନ୍ତୁ ବାଦସାହଙ୍କ ମୃତ୍ୟୁ (ଖ୍ରୀ: ୧୭୦୭) ପରେ ସାହୁଜୀ କାରାମୁକ୍ତ ହେଲେ । ସେ ରାଜ୍ୟଶାସନ ପାଇଁ ଏକାନ୍ତ ଅକ୍ଷମ ଥିଲେ । ତେଣୁ ସେ ବାଲାଜୀ ବିଶ୍ୱନାଥ ନାମକ ଜଣେ ବ୍ରାହ୍ମଣ ମନ୍ତ୍ରୀଙ୍କ ହାତରେ ରାଜ୍ୟର ଶାସନଭାର ଅର୍ପଣ କରିଥିଲେ । ସେ ପ୍ରଧାନମନ୍ତ୍ରୀ ବା ପେଶବା ଥିଲେ ଓ ରାଜ୍ୟର ସମସ୍ତ କ୍ଷମତା ତାଙ୍କ ହାତରେ ରହିଲା । ତାଙ୍କ ପରେ ଏହି ପେଶବା ପଦ ପୁରୁଷାନୁକ୍ରମିକ ହୋଇଗଲା । ପେଶବାବଂଶ ମରହଟ୍ଟା ରାଜ୍ୟରେ ସର୍ବେସର୍ବା ହେଲେ । ଶିବାଜୀଙ୍କ ବଂଶଧରମାନେ କେବଳ ସତାରା ଓ କୋହ୍ଲାପୁରରେ ରାଜତ୍ୱ କରୁଥିଲେ ।

 

ବାଲାଜୀବିଶ୍ୱନାଥଙ୍କ ପରେ ତାଙ୍କ ପୁତ୍ର ବାଜୀରାଓ ପେଶବା ହେଲେ । ସେ ଶିବାଜୀଙ୍କ ବଂଶଧରଙ୍କୁ ନ ମାନି ସ୍ୱାଧୀନ ହୋଇଗଲେ । ବାଜୀରାଓଙ୍କ ପରେ ତାଙ୍କ ପୁତ୍ର ବାଲାଜୀବାଜୀରାଓ ପେଶବା ହେଲେ । ପୁନା ତାଙ୍କର ରାଜଧାନୀ ଥିଲା । ବାଜୀରାଓ ଓ ବାଲାଜୀବାଜୀରାଓଙ୍କ ସମୟରେ ମରହଟ୍ଟାମାନେ ଗୁଜରାଟ, ମାଳବ, ବେରାର, ଗଣ୍ଡବାନା ଓ ଓଡ଼ିଶା ଜୟ କରିଥିଲେ । ପର୍ତ୍ତୁଗୀଜମାନଙ୍କୁ ସାଲସେଟ ଓ ବେସିନରୁ ତଡ଼ି ଦେଇଥିଲେ । ପେଶବାମାନଙ୍କର ରାଜ୍ୟ ବିଶାଳ ହୋଇଯିବାରୁ ସେମାନେ ମରହଟ୍ଟା ରାଜ୍ୟକୁ ଚାରି ଭାଗ କରି ପ୍ରତ୍ୟେକ ବିଭାଗରେ ଜଣେ ଜଣେ ସେନାପତି ରଖିଲେ । ଏହି ସେନାପତିମାନେ କାଳକ୍ରମେ ସ୍ୱାଧୀନ ହୋଇଗଲେ ଓ ପାଞ୍ଚଟି ମରହଟ୍ଟା ରାଜ୍ୟର ସୃଷ୍ଟି ହେଲା । ପୁନାରେ ପେଶବାବଂଶ, ନାଗପୁରରେ ଭୋନ୍‌ସଲାବଂଶ, ଗୁଆଲିୟରରେ ସିନ୍ଧିଆବଂଶ, ଇନ୍ଦୋରରେ ହୋଲକାରବଂଶ ଓ ବରୋଦାରେ ଗାଇକବାର୍ଡ଼ବଂଶ ଶାସନ କଲେ । ଏହି ପଞ୍ଚମରହଟ୍ଟା ଦଳ ଶେଷରେ ଅତି ପରାକ୍ରମୀ ହୋଇ ସମଗ୍ର ଭାରତରେ କ୍ଷମତା ବିସ୍ତାର କଲେ । ଓଡ଼ିଶା ନାଗପୁରର ଭୋନସଲାବଂଶର ଅଧୀନରେ ଥିଲା । ଦିଲ୍ଲୀର ଦୁର୍ବଳ ମୋଗଲ ସମ୍ରାଟ ମରହଟ୍ଟାମାନଙ୍କୁ ଚୌଥ ଦେଇଥିଲେ । ଏହି ସମୟରେ ମରହଟ୍ଟାମାନେ ଭାରତରେ ଶ୍ରେଷ୍ଠଶକ୍ତି ହୋଇ ପଞ୍ଜାବ ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କଲେ ।

 

ଆହମଦସାହ ଦୁରାନୀ – ଆହମଦସାହ ଦୁରାନୀ ନାମକ ପାରସ୍ୟର ଜଣେ ଶକ୍ତିଶାଳୀ ରାଜା ପଞ୍ଜାବ ଜୟକରି ତାଙ୍କ ପୁତ୍ରଙ୍କ ପଞ୍ଜାବର ଶାସନକର୍ତ୍ତାରୂପେ ନିଯୁକ୍ତ କରିଥିଲେ । ମରହଟ୍ଟାମାନେ ୧୭୫୮ ଖ୍ରୀଷ୍ଟାବ୍ଦରେ ରାଜ୍ୟ ବିସ୍ତାର କରି ପଞ୍ଜାବରୁ ଆହମଦସାହଙ୍କ ପୁତ୍ରଙ୍କୁ ତଡ଼ି ଦେଇଥିଲେ । ସେ ଏଥିରେ କ୍ରୁଦ୍ଧ ହୋଇ ଭାରତ ଆକ୍ରମଣ କଲେ । ଆହମଦସାହ ଓ ମରହଟ୍ଟାମାନଙ୍କ ମଧ୍ୟରେ ପାନିପଥ ଯୁଦ୍ଧକ୍ଷେତ୍ରରେ ଭୀଷଣ ଯୁଦ୍ଧ ହେଲା (ଖ୍ରୀ:୧୭୬୧) । ଏହି ଯୁଦ୍ଧକୁ ତୃତୀୟ ପାନିପଥ ଯୁଦ୍ଧ କହନ୍ତି । ସେତେବେଳେ ବାଲାଜୀବାଜୀରାଓ ପେଶବା ଥିଲେ । ସେ ସର୍ବଦା ବିଳାସରେ କାଳ କଟାଉଥିଲେ । ସେ ନିଜେ ଯୁଦ୍ଧକ୍ଷେତ୍ରକୁ ନ ଆସି ତାଙ୍କର ଭାଇ ସଦାଶିବ ରାଓ ଭାଓଙ୍କ ଉପରେ ଯୁଦ୍ଧର ସମସ୍ତ ଭାର ଛାଡ଼ି ଦେଇଥିଲେ । ସଦାଶିବ ଜଣେ ସୁଦକ୍ଷ ସେନାପତି ଥିଲେ ଓ ସୈନ୍ୟମାନଙ୍କୁ ପାଶ୍ଚାତ୍ୟ ଧରଣରେ ଯୁଦ୍ଧ ଶିକ୍ଷା ଦେଇଥିଲେ । ସଦାଶିବ ବହୁସହସ୍ର ସୈନ୍ୟ ନେଇ ଯୁଦ୍ଧକ୍ଷେତ୍ରରେ ପହଞ୍ଚିଲେ ।

 

ଏହି ଯୁଦ୍ଧ ତିନିମାସକାଳ ଚାଲିଲା । ମରହଟ୍ଟାମାନେ ଦାକ୍ଷିଣାତ୍ୟରୁ ଯେଉଁ ଖାଦ୍ୟ ଆଣିଥିଲେ ତାହା ଶେଷ ହୋଇଆସିଲା । ଶେଷ ଦିନ ମରହଟ୍ଟା ସୈନ୍ୟମାନେ ପେଟପୂରା ଭୋଜନ କରି ଯୁଦ୍ଧ କ୍ଷେତ୍ରକୁ ଗଲେ । ଆହମଦସାହ ଗୋଟିଏ କୌଶଳ କଲେ । ସେ ଅଧେ ସୈନ୍ୟ ଯୁଦ୍ଧକ୍ଷେତ୍ରକୁ ପଠାଇ ବାଛି ବାଛି ଅଧେ ସୈନ୍ୟ ପଛକୁ ରଖିଥାନ୍ତି । ଦରଭୋକିଲା ମରହଟ୍ଟାମାନେ ଯୁଦ୍ଧ କରି ଥକି ଗଲାକ୍ଷଣି ଆହମଦସାହ ତାଙ୍କ ବାକୀ ଅଧିକ ସୈନ୍ୟ ଆଣି ମରହଟ୍ଟାମାନଙ୍କୁ ପରାସ୍ତ କରିଥିଲେ ।

 

ଏହି ଯୁଦ୍ଧରେ ସଦାଶିବ ରାଓ ଓ ବାଲାଜୀଙ୍କ ପୁତ୍ର ବିଶ୍ୱାସ ରାଓ ଉଭୟେ ପ୍ରାଣତ୍ୟାଗ କଲେ । ଅଧିକାଂଶ ମରହଟ୍ଟା ବୀର ଓ ସହସ୍ର ସହସ୍ର ମରହଟ୍ଟା ସୈନ୍ୟ ନିହତ ହୋଇଥିଲେ । ଯୁଦ୍ଧର ଖବର ପାଇ ବାଲାଜୀ ବାଜୀରାଓ ନୈରାଶ୍ୟ ଓ ଦୁଃଖରେ ପ୍ରାଣତ୍ୟାଗ କଲେ । ଏହି ଯୁଦ୍ଧରେ ମରହଟ୍ଟା ଶକ୍ତି ଏକାବେଳକେ ଦୁର୍ବଳ ହୋଇପଡ଼ିଲା । ତୁମ୍ଭେମାନେ ପଢ଼ିଛ ପ୍ରଥମ ପାନିପଥ ଯୁଦ୍ଧ ପରେ ଭାରତରେ ମୋଗଲ ଶାସନ ପ୍ରତିଷ୍ଠିତ ହେଲା, ଦ୍ୱିତୀୟ ପାନିପଥ ଯୁଦ୍ଧ ପରେ ମୋଗଲ ଶାସନ ସୁଦୃଢ଼ ହେଲା; ଏହି ତୃତୀୟ ପାନିପଥ ଯୁଦ୍ଧରେ ମରହଟ୍ଟାମାନଙ୍କର ଭାରତରେ ହିନ୍ଦୁ ସାମ୍ରାଜ୍ୟ ସ୍ଥାପନର କଳ୍ପନା ଚୂର୍ଣ୍ଣ ହୋଇଗଲା ।

 

ଏହି ଯୁଦ୍ଧ ପରେ ଆହମଦସାହ ନିଜ ଦେଶକୁ ଫେରିଗଲେ । ଭାରତରେ ରାଜ୍ୟ ସ୍ଥାପନ କରିବା ତାଙ୍କର ଇଚ୍ଛା ନ ଥିଲା । ସେତେବେଳକୁ ଇଂରେଜମାନେ ବଙ୍ଗଳା ଓ କର୍ଣ୍ଣାଟ ପ୍ରଦେଶରେ ନିଜ କ୍ଷମତା ବିସ୍ତାର କରିସାରିଥିଲେ । ଏଥିରେ ଶକ୍ତିଶାଳୀ ମରହଟ୍ଟାମାନେ ପରାସ୍ତ ହେବାରୁ ଭାରତରେ ଇଂରେଜମାନଙ୍କ ପକ୍ଷେ ରାଜ୍ୟ ବିସ୍ତାର କରିବା ସହଜ ହୋଇଥିଲା ।

 

ଶିଖଶକ୍ତି

 

ନାନକ ପଞ୍ଜାବରେ ଶିଖଧର୍ମ ପ୍ରଚାର କରିଥିଲେ । ଶିଖମାନଙ୍କ ମଧ୍ୟରେ ଜାତିଭେଦ ନାହିଁ । ସବୁ ଧର୍ମର ଲୋକେ ଶିଖ ହୋଇପାରନ୍ତି । ନାନକ ଶିଖମାନଙ୍କର ପ୍ରଥମ ଗୁରୁ । ସେମାନେ ପ୍ରଥମେ ନିରୀହ ଓ ଶାନ୍ତ ଭାବରେ ବାସ କରୁଥିଲେ । କିନ୍ତୁ ମୁସଲମାନମାନେ ସେମାନଙ୍କ ଉପରେ ଭୀଷଣ ଅତ୍ୟାଚାର କରିବାରୁ ସେମାନେ ଉତ୍ତ୍ୟକ୍ତ ହୋଇପଡ଼ିଲେ । ଜାହାଙ୍ଗୀର ଶିଖଗୁରୁ ଅର୍ଜୁନ ସିଂହଙ୍କୁ ମାରି ପକାଇଥିଲେ । ଆଓରଙ୍ଗଜେବ ଶିଖମାନଙ୍କର ନବମ ଗୁରୁ ତେଗବାହାଦୂରଙ୍କୁ ଧରିନେଇ ଇସ୍‌ଲାମ୍‌ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲେ । କିନ୍ତୁ ତେଗ୍‌କହିଲେ, ‘‘ଶିର ଦେଙ୍ଗ୍‌, ସାର ନେହିଁ ଦେଙ୍ଗ୍‌,’’ ଅର୍ଥାତ୍‌‘‘ମୋ ମୁଣ୍ଡ ପଛକେ କଟିଯାଉ, ଧର୍ମ ଛାଡ଼ିବି ନାହିଁ ।’’ ତହୁଁ ବାଦସାହ ତାଙ୍କୁ ନିଷ୍ଠୁର ଭାବରେ ବଧ କଲେ ।

 

ତାଙ୍କ ପରେ ତାଙ୍କ ପୁତ୍ର ଗୋବିନ୍ଦ ସିଂହ ଶିଖମାନଙ୍କର ଦଶମ ଗୁରୁ ହେଲେ । ସେ ପିତାଙ୍କ ହତ୍ୟାର ପ୍ରତିଶୋଧ ନେବାପାଇଁ ସରଳ ଶିଖମାନଙ୍କୁ ଯୁଦ୍ଧବିଦ୍ୟା ଶିଖାଇ ଗୋଟିଏ ବୀରଜାତିରୂପେ ଗଠନ କଲେ । ଶିଖମାନଙ୍କ ପ୍ରାଣରେ ସେ ନୂତନ ବଳ, ତେଜ ଓ ସାହସ ଆଣିଲେ । ସେହିଦିନଠାରୁ ଶିଖମାନେ ‘ଖାଲସା’ ବୋଲି କଥିତ ହେଲେ ଏବଂ ‘ସିଂହ’ ଆଖ୍ୟା ଗ୍ରହଣ କଲେ । ପ୍ରତ୍ୟେକ ଶିଖ ନିଜ ସଂପ୍ରଦାୟର ଚିହ୍ନସ୍ୱରୂପ କୃପାଣ (ଖଣ୍ଡା), କେଶ, କଚ୍ଛ (କାଚ୍ଛା), କଡ଼ (କଡ଼ା ବା ବଳୟ) ଓ କଙ୍ଗି (ପାନିଆଁ) ଧାରଣ କଲେ । ଆଜି ସୁଦ୍ଧା ଶିଖମାନେ ତାଙ୍କ ଧର୍ମର ଏହି ୫ଟି ଚିହ୍ନ ଧାରଣ କରନ୍ତି । ସେହିଦିନୁ ବୀର ଶିଖ ଜାତି ଧର୍ମପାଇଁ ପ୍ରାଣ ଦେବାକୁ ସର୍ବଦା ପ୍ରସ୍ତୁତ ରହିଲେ ।

 

ଗୁରୁ ଗୋବିନ୍ଦ ସିଂହଙ୍କ ନେତୃତ୍ୱରେ ଶିଖମାନେ ଆଓରଙ୍ଗଜେବଙ୍କ ସହିତ ଭୀଷଣ ଯୁଦ୍ଧ କଲେ । ସେ ବହୁ ଚେଷ୍ଟା କରି ମଧ୍ୟ ସେମାନଙ୍କ ଦମନ କରିପାରିଲେ ନାହିଁ । ଗୁରୁ ଗୋବିନ୍ଦ ସିଂହଙ୍କ ପରେ ଶିଖମାନେ ଆଉ ଗୁରୁ ଗ୍ରହଣ କଲେ ନାହିଁ । ଏହାପରେ ଅନେକ ଶିଖ ସର୍ଦ୍ଦାର ଏହାରି ଛୋଟ ଛୋଟ ଶିଖରାଜ୍ୟ ସ୍ଥାପନ କଲେ । ଗୁରୁ ଗୋବିନ୍ଦଙ୍କ ଶିଷ୍ୟ ବିନ୍ଦୁଙ୍କୁ ବାହାଦୂରସାହ ମାରି ପକାଇଥିଲେ । ଏହାପରେ ଶିଖ ଓ ମୋଗଲମାନଙ୍କ ମଧ୍ୟରେ ବହୁକାଳ ଯୁଦ୍ଧ ଚାଲିଥିଲା । ପରବର୍ତ୍ତୀକାଳରେ ରଣଜିତ୍‌ସିଂହ ନାମକ ଜଣେ ଶିଖ ସର୍ଦ୍ଦାର ଛୋଟ ଛୋଟ ଶିଖ ରାଜ୍ୟମାନଙ୍କୁ କରଗତ କରି ପଞ୍ଜାବ ଅଞ୍ଚଳରେ ଗୋଟିଏ ବଡ଼ ଶିଖ ରାଜ୍ୟ ସ୍ଥାପନ କରିଥିଲେ ।

 

ଶିଖମାନଙ୍କର ପ୍ରଧାନ ତୀର୍ଥସ୍ଥଳ ‘ଅମୃତ ସହର’ । ସେଠାରେ ସେମାନଙ୍କର ଗୋଟିଏ ସ୍ୱର୍ଣ୍ଣମନ୍ଦିର ଅଛି । ଶିଖମାନଙ୍କର ଧର୍ମଗ୍ରନ୍ଥକୁ ‘ଗ୍ରନ୍ଥ ସାହେବ’ କହନ୍ତି । ତାହାକୁ ସେମାନେ ଗାଦୀରେ ରଖି ପୂଜା କରନ୍ତି ।

Image

 

ତୃତୀୟ ଭାଗ

ସପ୍ତଦଶ ଅଧ୍ୟାୟ

 

ଭାରତକୁ ଜଳପଥ ଆବିଷ୍କାର ଓ ଇଉରୋପୀୟ

ଜାତିମାନଙ୍କର ଭାରତକୁ ଆଗମନ

 

ଅତି ପ୍ରାଚୀନ କାଳରୁ ଭାରତ ଓ ଇଉରୋପ ମଧ୍ୟରେ ବାଣିଜ୍ୟ ଚାଲୁଅଛି । ପୂର୍ବ କାଳରେ ଭାରତରୁ ସାଲ, ସୁନାକାମ, ଜରୀଲୁଗା, ଛିଟ, ପାଟ, ରେଶମ ଓ ମରିଚ, ଗୁଜରାତୀ, ଅଳାଇଚ, ଲଙ୍କା ଇତ୍ୟାଦି ମସଲା ଓ ଅନ୍ୟାନ୍ୟ ଅନେକ ପଦାର୍ଥ ଇଉରୋପକୁ ପଠା ହେଉଥିଲା । ଇଉରୋପୀୟମାନେ କାଚ, ପାରା ପ୍ରଭୃତି ପଦାର୍ଥମାନ ଭାରତକୁ ପଠାଉଥିଲେ ।

 

ଆଜିକାଲି ପରି ପୂର୍ବ କାଳରେ ଇଉରୋପୀୟମାନେ ଜଳ ପଥରେ ଭାରତକୁ ଆସି ପାରୁ ନ ଥିଲେ । ସେ କାଳରେ ବଡ଼ ବଡ଼ ଜାହାଜ ବା ଷ୍ଟିମାର ନ ଥିଲା । ପାଲବନ୍ଧା ଛୋଟ ଛୋଟ ବୋଇତରେ ସମୁଦ୍ର ବାଣିଜ୍ୟ ଚଳୁଥିଲା । ସେମାନେ ଭାରତକୁ ଜଳପଥ ମଧ୍ୟ ଜାଣି ନ ଥିଲେ, ତେଣୁ ପ୍ରାୟ ପଞ୍ଚଦଶ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ଭାରତ ଇଉରୋପ ମଧ୍ୟରେ ସ୍ଥଳ ପଥରେ ବାଣିଜ୍ୟ ଚଳୁଥିଲା । ଆରବ ଓ ପାରସ୍ୟ ଦେଶର ବଣିକମାନେ ସ୍ଥଳ ପଥରେ ଭାରତକୁ ଆସୁଥିଲେ-। ସେମାନେ ଶତ ଶତ ଓଟ ପିଠିରେ ମାଲ ଲଦି, ଖାଇବାର ଓ ବୋଲାନ ଗିରିସଂକଟ ବାଟେ ଆଫଗାନିସ୍ଥାନ, ପାରସ୍ୟ, ମେସୋପଟାମିଆ, ସିରିଆ, ତୁରସ୍କ ଅଞ୍ଚଳକୁ ଯାଉଥିଲେ । ସେଠାରୁ ଭୂମଧ୍ୟସାଗର ବାଟେ ଇଟାଲୀର ଭିନିସ, ଜେନୋଆ ପ୍ରଭୃତି ବନ୍ଦରମାନଙ୍କୁ ମାଲ ନିଆ ହେଉଥିଲା-। ସେହି ବନ୍ଦର ଗୁଡ଼ିକରୁ ଇଉରୋପର ବିଭିନ୍ନ ଅଞ୍ଚଳକୁ ମାଲ ପଠା ହେଉଥିଲା । ସ୍ଥଳପଥରେ ଚୋରି ଡକାୟତି ଭୟ ଥିଲା । ବାଟରେ ସୈନିକମାନେ ଜବରଦସ୍ତ ମାଲ ନେଇ ଯାଉଥିଲେ । ବାଟରେ ଥିବା ବାଣିଜ୍ୟ କେନ୍ଦ୍ରମାନଙ୍କରେ ମାହାସୁଲ ଦେବାକୁ ପଡ଼ୁଥିଲା । ତେଣୁ ଭାରତ ଜିନିଷ ଇଉରୋପରେ ବଡ଼ କଷ୍ଟରେ ପହଞ୍ଚୁଥିଲା । କିନ୍ତୁ ଇଉରୋପୀୟମାନେ ଭାରତ ଜିନିଷ ନ ନେଲେ ଚଳିପାରୁ ନ ଥିଲେ । ତେଣୁ ମୁସଲମାନ ବଣିକମାନେ ଖୁବ୍‌ଚଢ଼ା ଦାମରେ ଜିନିଷ ବିକୁଥିଲେ । ସ୍ଥଳ ପଥରେ ଇଉରୋପୀୟମାନେ ଭାରତକୁ ଆସିବାକୁ ସାହସ କରୁ ନ ଥିଲେ-। କାରଣ ଆରବ ପାରସ୍ୟ ପ୍ରଭୃତି ଦେଶର ମୁସଲମାନ ବଣିକମାନେ ଭାରତ ସହିତ ଏକଚାଟିଆ ବାଣିଜ୍ୟ କରୁଥିଲେ । ମୁସଲମାନ ଓ ଇଉରୋପୀୟ ଖ୍ରୀଷ୍ଟୀୟାନମାନଙ୍କ ମଧ୍ୟରେ ସର୍ବଦା ଧର୍ମଯୁଦ୍ଧ ଲାଗିଥିଲା । ତେଣୁ ମୁସଲମାନ ରାଜ୍ୟମାନ ଅତିକ୍ରମ କରି ଭାରତକୁ ଆସିବା ସେମାନଙ୍କ ପକ୍ଷେ ଅସମ୍ଭବ ଥିଲା ।

 

ମୁସଲମାନ ବଣିକମାନଙ୍କ ହସ୍ତରୁ ରକ୍ଷା ପାଇବା ପାଇଁ ଓ ଭାରତରୁ ଶସ୍ତାରେ ଜିନିଷ ନେବାପାଇଁ ଇଉରୋପୀୟମାନେ ସର୍ବଦା ଇଚ୍ଛା କରୁଥିଲେ । ତେଣୁ ସେମାନେ ଭାରତକୁ ଜଳପଥ ଆବିଷ୍କାର କରିବା ପାଇଁ ଚେଷ୍ଟା କଲେ । ପଞ୍ଚଦଶ ଶତାବ୍ଦୀରେ କେତେକ ଇଉରୋପୀୟ ନାବିକ ଉତ୍ତର ମେରୁ ବାଟେ ଭାରତକୁ ଆସିବାକୁ ଚେଷ୍ଟା କଲେ; କିନ୍ତୁ ପାରିଲେ ନାହିଁ । ୧୪୯୨ ଖ୍ରୀଷ୍ଟାବ୍ଦରେ ସ୍ପେନର ରାଜା କଲମ୍ବସ୍‌ନାମକ ପ୍ରସିଦ୍ଧ ଇତାଲୀୟ ନାବିକଙ୍କୁ ଭାରତକୁ ଜଳପଥ ଖୋଜିବା ପାଇଁ ପଠାଇଥିଲେ । କିନ୍ତୁ ତାଙ୍କ ଜାହାଜ ପବନରେ ଉଡ଼ିଯିବାରୁ ସେ ଭାରତକୁ ଆସି ନ ପାରି ଆମେରିକା ମହାଦେଶ ଆବିଷ୍କାର କଲେ ।

 

ପର୍ତ୍ତୂଗୀଜ ଆଗମନ – ୧୪୯୮ ଖ୍ରୀଷ୍ଟାବ୍ଦରେ ପ୍ରସିଦ୍ଧ ପ୍ରର୍ତ୍ତୁଗୀଜ ନାବିକ ଭାସ୍କୋଡାଗାମା ଆଫ୍ରିକାର ଉତ୍ତମାଶା ଅନ୍ତରୀପ ପାର ହୋଇ ଜଳ ପଥରେ ବମ୍ବେ ପ୍ରଦେଶର କାଲିକଟ ନାମକ ବନ୍ଦରରେ ପହଞ୍ଚିଲେ । କାଲିକଟର ହିନ୍ଦୁ ରାଜା ଜାମୋରିନ ତାଙ୍କୁ ଆଦର ସହିତ ଗ୍ରହଣ କଲେ । ପର୍ତ୍ତୁଗୀଜମାନେ ଖ୍ରୀ: ୧୫୦୦ରୁ ଖ୍ରୀ: ୧୬୦୦ ପର୍ଯ୍ୟନ୍ତ ପ୍ରାୟ ଶହେ ବର୍ଷକାଳ ଭାରତ ସହିତ ଏକଚାଟିଆ ବାଣିଜ୍ୟ କଲେ । ସେମାନେ କାଲିକଟ, କାନାନୋର, ଗୋଆ, ଓଡ଼ିଶାର ବାଲେଶ୍ୱର, ବଙ୍ଗଳାର ହୁଗୁଳି ପ୍ରଭୃତି ଅନେକ ସ୍ଥାନରେ ବାଣିଜ୍ୟ କୋଠିମାନ ନିର୍ମାଣ କରିଥିଲେ । ଭାରତରେ ସେମାନଙ୍କ ଅଧିକୃତ ସ୍ଥାନମାନଙ୍କ ନିମନ୍ତେ ଜଣେ ଜଣେ ଶାସନକର୍ତ୍ତା ନିଯୁକ୍ତ ହେଉଥିଲେ । ଗୋଆ ସେମାନଙ୍କର ରାଜଧାନୀ ଥିଲା । ସେମାନେ ହିନ୍ଦୁ ଓ ମୁସଲମାନମାନଙ୍କୁ ଖ୍ରୀଷ୍ଟୀୟାନ କରିବାକୁ ଚେଷ୍ଟା କଲେ ଓ ଭାରତୀୟ ବନ୍ଦରମାନ ଲୁଣ୍ଠନ କରୁଥିଲେ । ତେଣୁ ଏ ଦେଶର ଲୋକମାନେ ସେମାନଙ୍କୁ ବଡ଼ ଘୃଣା କରୁଥିଲେ । ୧୫୮୦ ଖ୍ରୀଷ୍ଟାବ୍ଦରେ ପର୍ତ୍ତୁଗାଲ ରାଜ୍ୟ ସ୍ପେନର ଅଧୀନ ହୋଇ ଯିବାରୁ ସେମାନଙ୍କର କ୍ଷମତା କମି ଗଲା । ତଥାପି ସେମାନେ ବହୁକାଳ ପର୍ଯ୍ୟନ୍ତ ଭାରତରେ ବାଣିଜ୍ୟ କରୁଥିଲେ । ଗୋଆ, ଡମନ, ଡିଉ ନାମକ ତିନୋଟି ସ୍ଥାନ ଅଦ୍ୟାପି ସେମାନଙ୍କର ଅଧୀନରେ ଅଛି । ପର୍ତ୍ତୁଗୀଜମାନେ ଭାରତୀୟ ବାଣିଜ୍ୟରେ ବହୁତ ଲାଭ କରିବାରୁ ଓଲନ୍ଦାଜ, ଦିନାମାର, ଫରାସୀ ଓ ଇଂରେଜମାନେ ଭାରତ ସହିତ ବାଣିଜ୍ୟ କରିବାକୁ ଚେଷ୍ଟା କଲେ ।

 

ଓଲନ୍ଦାଜ ବା ଡଚ୍‌ ଇଉରୋପର ହଲାଣ୍ଡ ନାମକ ଛୋଟିଆ ରାଜ୍ୟର ଲୋକମାନଙ୍କୁ ଡଚ୍‌ବା ଓଲନ୍ଦାଜ କହନ୍ତି । ୧୬୦୨ ଖ୍ରୀଷ୍ଟାବ୍ଦରେ ଭାରତ ସହିତ ବାଣିଜ୍ୟ କରିବାପାଇଁ ‘ଓଲନ୍ଦାଜ ଇଷ୍ଟଇଣ୍ଡିଆ କମ୍ପାନୀ’ ଗଠିତ ହୋଇଥିଲା । ସେମାନେ ବହୁ ଯୁଦ୍ଧ କରି ପର୍ତ୍ତୁଗୀଜମାନଙ୍କର କ୍ଷମତା ନଷ୍ଟ କରିଥିଲେ । ମୁସଲିପଟମ, ବାଲେଶ୍ୱର, ହୁଗୁଲି, ଚିନିସୁରା, କାସିମବଜାର ପ୍ରଭୃତି ଭାରତର ନାନା ସ୍ଥାନରେ ସେମାନଙ୍କର ବାଣିଜ୍ୟ କୋଠିମାନ ନିର୍ମିତ ହୋଇଥିଲା । ଭାରତ ମହାସାଗରର ଦ୍ୱୀପପୁଞ୍ଜରେ ମଧ୍ୟ ସେମାନେ ବାଣିଜ୍ୟ କରୁଥିଲେ । କିନ୍ତୁ ଇଂରେଜ ଓ ଫରାସୀମାନଙ୍କଦ୍ୱାରା ବହୁ ଜଳଯୁଦ୍ଧରେ ପରାସ୍ତ ହେବାରୁ ସେମାନଙ୍କ କ୍ଷମତା କମିଗଲା । ଇଂରେଜମାନେ ସେମାନଙ୍କ ଭାରତୀୟ ଉପନିବେଶମାନ ଅଧିକାର କରିନେଲେ ।

 

ଦିନାମାର – ଇଉରୋପର ଡେନମାର୍କ ଦେଶର ଲୋକମାନଙ୍କୁ ଦିନାମାର କହନ୍ତି । ସେମାନେ ଭାରତର ନାନାସ୍ଥାନରେ ବାଣିଜ୍ୟ କୋଠିମାନ ନିର୍ମାଣ କରିଥିଲେ । ଶ୍ରୀରାମପୁର ସେମାନଙ୍କର ପ୍ରଧାନ କୋଠି ଥିଲା । ଖ୍ରୀ: ୧୮୪୫ରେ ଇଂରେଜମାନେ ଏହାକୁ କିଣିନେଲେ ।

 

ଇଂରେଜ – ୧୬୦୦ ଖ୍ରୀଷ୍ଟାବ୍ଦରେ ‘ଇଷ୍ଟଇଣ୍ଡିଆ କୋମ୍ପାନୀ’ ନାମକ ଗୋଟିଏ ଇଂରେଜ ବଣିକଦଳ ଇଂଲଣ୍ଡର ରାଣୀ ଏଲିଜାବେଥଙ୍କଠାରୁ ଭାରତରେ ବାଣିଜ୍ୟ କରିବାକୁ ସନନ୍ଦ ପାଇଲେ-। ଖ୍ରୀ: ୧୬୦୮ରେ କପ୍ତାନ ହକିନ୍ସ ଓ ୧୬୧୫ ଖ୍ରୀଷ୍ଟାବ୍ଦରେ ସର ଠୋମାସ ରୋ ନାମକ ଦୁଇଜଣ ଇଂରେଜ ରାଜଦୂତ ଜାହାଙ୍ଗୀରଙ୍କ ଦରବାରକୁ ଆସିଥିଲେ । ସେମାନଙ୍କ ଅନୁରୋଧରେ ଜାହାଙ୍ଗୀର ଇଂରେଜମାନଙ୍କୁ ବାଣିଜ୍ୟ କରିବାପାଇଁ କେତେକ ସୁବିଧା ଦେଇଥିଲେ-। ପର୍ତ୍ତୁଗୀଜମାନେ ପ୍ରଥମେ ପ୍ରଥମେ ଇଂରେଜମାନଙ୍କୁ ବାଧା ଦେଇଥିଲେ । କିନ୍ତୁ ସେମାନେ ବହୁ ଜଳଯୁଦ୍ଧରେ ପରାସ୍ତ ହେବାରୁ ଇଂରେଜମାନେ କ୍ରମଶଃ କ୍ଷମତାଶାଳୀ ହେଲେ । ସେମାନେ ସୁରାଟ, ମୁସଲିପଟମ, ଓଡ଼ିଶାର ପିପିଲ, ବାଲେଶ୍ୱର, ବଙ୍ଗଳାର ହୁଗୁଲି, କାସିମବଜାର, ଢାକା ଓ ପାଟଣା ପ୍ରଭୃତିରେ ବାଣିଜ୍ୟ କୋଠିମାନ ନିର୍ମାଣ କଲେ । ଖ୍ରୀ: ୧୬୪୦ରେ ଚନ୍ଦ୍ରଗିରି ରାଜାଙ୍କଠାରୁ ଚିନ୍ନାପଟମ ନାମକ ଗୋଟିଏ ସ୍ଥାନ କିଣିନେଇ ସେଠାରେ ସେଣ୍ଟଜର୍ଜ ଦୂର୍ଗ ଓ ମାନ୍ଦ୍ରାଜ ନଗର ସ୍ଥାପନ କରିଥିଲେ । ଖ୍ରୀ: ୧୬୬୮ରେ ଇଷ୍ଟଇଣ୍ଡିଆ କମ୍ପାନୀ ଇଂଲଣ୍ଡରାଜା ଦ୍ୱିତୀୟ ଚାର୍ଲସଙ୍କ ଠାରୁ ବାର୍ଷିକ ଦଶ ପାଉଣ୍ଡ ଖଜଣାରେ ବମ୍ବେଇ କିଣିନେଲେ । ଖ୍ରୀ: ୧୬୯୦ରେ ଇଂରେଜମାନେ ସୂତାନଟୀ, ଗୋବିନ୍ଦପୁର, କାଲିକାଟା ନାମକ ତିନୋଟି ଛୋଟ ଗ୍ରାମ କିଣିନେଇ ସେଠାରେ ଇଂରେଜ ରାଜା ତୃତୀୟ ଉଇଲିୟମଙ୍କ ନାମ ଅନୁସାରେ ଫୋର୍ଟଉଇଲିୟମ ଦୁର୍ଗ ଓ କଲିକତା ନଗର ପ୍ରତିଷ୍ଠା କଲେ । କାଳକ୍ରମେ ମାନ୍ଦ୍ରାଜ, ବମ୍ବେ ଓ କଲିକତା ତିନୋଟି ପ୍ରସିଦ୍ଧ ନଗର ହେଲା ।

 

ଫରାସୀ – ଫରାସୀମାନେ ସମୁଦ୍ର ବାଣିଜ୍ୟରେ ଇଂରେଜମାନଙ୍କର ବଡ଼ ପ୍ରତିଦ୍ୱନ୍ଦୀ ଥିଲେ । ସେମାନେ କାରିକେଲ, ମାହୀ, ଚନ୍ଦନନଗର, ପଣ୍ଡିଚେରୀ ପ୍ରଭୃତିରେ ବାଣିଜ୍ୟକୋଠି ନିର୍ମାଣ କରିଥିଲେ । ସେଗୁଡ଼ିକ ଆଜିପର୍ଯ୍ୟନ୍ତ ସେମାନଙ୍କ ଅଧୀନରେ ଅଛି । ଫରାସୀମାନେ ଇଂରେଜମାନଙ୍କୁ ତଡ଼ି ଭାରତରେ ସର୍ବେସର୍ବା ହେବାପାଇଁ ଚେଷ୍ଟା କରିଥିଲେ । ସେଥିପାଇଁ ଦୁଇଜାତି ମଧ୍ୟରେ ବହୁତ ଯୁଦ୍ଧ ଲାଗିଥିଲା ।

 

ଏହି ଇଉରୋପୀୟ ଜାତିମାନେ ସର୍ବପ୍ରଥମ ସମୁଦ୍ର କୂଳବର୍ତ୍ତୀ ସ୍ଥାନମାନ ଅଧିକାର କରି ପରେ ଦେଶ ମଧ୍ୟରେ ଅଧିକାର ବିସ୍ତାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପୂର୍ବେ ତୁମ୍ଭେମାନେ ପଢ଼ିଛ ଯେ ଆର୍ଯ୍ୟ, ଗ୍ରୀକ, ଶକ, କୁଶାଣ, ହୁଣ, ପଠାଣ, ମୋଗଲ ପ୍ରଭୃତି ଜାତି ଖାଇବାର ବାଟେ ପଞ୍ଜାବକୁ ଆସୁଥିଲେ ଓ ସେଠାରୁ ସେମାନେ ଭାରତର ନାନାସ୍ଥାନକୁ ଯାଉଥିଲେ । ଇଉରୋପୀୟମାନେ ଆସିବା ପୂର୍ବରୁ ଜଳ ପଥରେ ଭାରତ ଆକ୍ରମଣର ବିଶେଷ ଭୟ ନ ଥିଲା କିନ୍ତୁ ବର୍ତ୍ତମାନ ଜଳ ପଥରେ ଭାରତ ଆକ୍ରମଣର ସମ୍ଭାବନା ସବୁଠାରୁ ବେଶୀ ।

 

ଇଂରେଜମାନେ ଅନ୍ୟ ଇଉରୋପୀୟ ଜାତିମାନଙ୍କୁ ପରାସ୍ତ କରି ବାଣିଜ୍ୟରେ ଏକାଧିପତ୍ୟ ଲାଭ କରିଥିଲେ । ଭାରତ ବାଣିଜ୍ୟଦ୍ୱାରା ବିଶେଷ ଲାଭବାନ୍‌ହେବାରୁ ସେମାନେ ଏ ଦେଶ ଅଧିକାର କରିବାକୁ ଇଚ୍ଛା କଲେ । ସେମାନେ ବୁଦ୍ଧି ଓ କୌଶଳରେ ଖଣ୍ଡିଏ ଖଣ୍ଡିଏ ରାଜ୍ୟ ଦଖଲ କରି ଭାରତରେ ବିଶାଳ ସାମ୍ରାଜ୍ୟ ପ୍ରତିଷ୍ଠାକଲେ । ଉତ୍ତମାଶା ଅନ୍ତରୀପ ବାଟେ ଭାରତକୁ ଆସିବାକୁ ବହୁତ ଦିନ ଲାଗୁଥିଲା । ଖ୍ରୀ: ୧୮୬୯ରେ ସୁଏଜ କେନାଲ ଖୋଳାହେବାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦୂରତ୍ୱ କମିଗଲା, ତେଣୁ ଇଂରେଜମାନଙ୍କୁ ଭାରତରେ ବାଣିଜ୍ୟ କରିବାପାଇଁ ବିଶେଷ ସୁବିଧା ହେଲା ।

 

ଦାକ୍ଷିଣାତ୍ୟରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ଯୁଦ୍ଧ

 

ଇଉରୋପୀୟ ଜାତିମାନଙ୍କ ମଧ୍ୟରେ କେବଳ ଇଂରେଜ ଓ ଫରାସୀମାନେ ଭାରତରେ ଶେଷ ପର୍ଯ୍ୟନ୍ତ ରହିଲେ । ଅନ୍ୟାନ୍ୟ ଜାତିମାନେ ଆସ୍ତେ ଆସ୍ତେ ଭାରତରୁ ଚାଲିଗଲେ । ଏହି ଦୁଇ ଜାତି ମଧ୍ୟରେ ଭାରତବାଣିଜ୍ୟ ପାଇଁ ଭୀଷଣ ପ୍ରତିଯୋଗିତା ଲାଗିଲା । ପରସ୍ପର ଦେଶୀୟ ରାଜା ଓ ନବାବମାନଙ୍କର ସାହାଯ୍ୟ ନେଇ ବିବାଦ କରିବାକୁ ଲାଗିଲେ । ଏହି ବିବାଦ ଯୋଗୁଁ ସେମାନେ ବହୁ ସଂଖ୍ୟକ ସୈନ୍ୟ ରଖିବାକୁ ବାଧ୍ୟ ହେଲେ । ସେ କାଳରେ ଇଉରୋପରେ ଏହି ଦୁଇ ଶକ୍ତିଶାଳୀ ଜାତି ମଧ୍ୟରେ ଭୀଷଣ ଯୁଦ୍ଧ ଚାଲିଥାଏ । ସେତେବେଳେ ଡୁପ୍ଲେ ପଣ୍ଡିଚେରୀର ଫରାସୀ ଶାସନକର୍ତ୍ତା ଥିଲେ । ସେ ବଡ଼ ବୁଦ୍ଧିମାନ ଓ ଚତୁର ଥିଲେ । ଭାରତୀୟ ସିପାହୀମାନଙ୍କ ସାହାଯ୍ୟରେ ସେ ଏଠାରେ ଗୋଟିଏ ରାଜ୍ୟ ସ୍ଥାପନ କରିବାକୁ କଳ୍ପନା କରୁଥିଲେ ।

 

ପ୍ରଥମ କର୍ଣ୍ଣାଟ ସମର – ଖ୍ରୀ: ୧୭୪୪ରୁ ଖ୍ରୀ: ୧୭୪୮ ପର୍ଯ୍ୟନ୍ତ ଇଉରୋପରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ଯୁଦ୍ଧ ଲାଗିଥିଲା । ତେଣୁ ଭାରତରେ ମଧ୍ୟ ପରସ୍ପର ଯୁଦ୍ଧ କଲେ । ଫରାସୀମାନେ ଇଂରେଜମାନଙ୍କଠାରୁ ମାନ୍ଦ୍ରାଜ ଅଧିକାର କରି ନେଲେ । ଇଂରେଜମାନେ ଯୁଦ୍ଧରେ ଜୟୀ ହୋଇ ପାରିଲେ ନାହିଁ । କର୍ଣ୍ଣାଟର ନବାବ ଅନଉଆରୁଦ୍ଦିନ୍‌ଭାବିଲେ, ଦୁଇଟି ବିଦେଶୀ ଜାତି ତାଙ୍କ ରାଜ୍ୟ ମଧ୍ୟରେ ଯୁଦ୍ଧ କଲେ ତାଙ୍କର କ୍ଷତି ହୋଇପାରେ; ତେଣୁ ସେ ସେମାନଙ୍କୁ ଯୁଦ୍ଧ ବନ୍ଦ କରିବାକୁ ହୁକୁମ ଦେଲେ । କିନ୍ତୁ ଫରାସୀ ଶାସନକର୍ତ୍ତା ଡୁପ୍ଲେ ତାଙ୍କ କଥା ମାନିଲେ ନାହିଁ । ତେଣୁ ନବାବ ଫରାସୀ କ୍ଷମତା ଧ୍ୱଂସ କରିବା ସକାଶେ ୧୦୦୦୦ ସୈନ୍ୟ ପଠାଇଲେ । କିନ୍ତୁ ଡୁପ୍ଲେ ଅଳ୍ପ ସୁଶିକ୍ଷିତ ସୈନ୍ୟଦ୍ୱାରା ‘ସେନଥମୀ’ ଯୁଦ୍ଧ କ୍ଷେତ୍ରରେ ଏହି ବିଶାଳ ସେନାକୁ ପରାସ୍ତ କଲେ । ୧୭୪୮ ଖ୍ରୀଷ୍ଟାବ୍ଦରେ ଇଉରୋପରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ସନ୍ଧି ହେବାରୁ ଭାରତରେ ମଧ୍ୟ ଯୁଦ୍ଧ ବନ୍ଦ ହେଲା । ଇଂରେଜମାନେ ମାନ୍ଦ୍ରାଜ ଫେରି ପାଇଲେ ।

 

ପ୍ରଥମେ କର୍ଣ୍ଣାଟ ଯୁଦ୍ଧରେ ଜୟଲାଭ କରି ଡୁପ୍ଲେ ଦାକ୍ଷିଣାତ୍ୟରେ ସାମ୍ରାଜ୍ୟ ସ୍ଥାପନ କରିବାକୁ କଳ୍ପନା କଲେ । ସେନଥମୀ ଯୁଦ୍ଧରେ କର୍ଣ୍ଣାଟ ନବାବଙ୍କ ବିଶାଳ ବାହିନୀକୁ ପରାସ୍ତ କରି ସେ ଭାବିଲେ, ଅତି ଅଳ୍ପ ଦେଶୀୟ ସିପାହୀଙ୍କୁ ପାଶ୍ଚାତ୍ୟ ଧରଣରେ ଯୁଦ୍ଧ ଶିକ୍ଷା ଦେଲେ ସେମାନେ ଅକ୍ଳେଶରେ ବିଶାଳ ଦେଶୀ ସେନାକୁ ପରାସ୍ତ କରିପାରିବେ । ଡୁପ୍ଲେ ସୈନ୍ୟ ସଂଖ୍ୟା ବଢ଼ାଇ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦେଲେ । ଦାକ୍ଷିଣାତ୍ୟର ଦେଶୀୟରାଜାମାନେ ଫରାସୀମାନଙ୍କୁ ବଡ଼ ଭୟ କଲେ ।

 

ଦ୍ୱିତୀୟ କର୍ଣ୍ଣାଟ ସମର – ୧୭୪୮ ଖ୍ରୀଷ୍ଟାବ୍ଦରେ ହାଇଦ୍ରାବାଦର ନିଜାମ ଆସଫଝା ମରିଗଲେ । ତାଙ୍କ ପୁଅ ନଜିର ଜଙ୍ଗ ଓ ନାତି ମୁଜଫର୍‌ଜଙ୍ଗଙ୍କ ମଧ୍ୟରେ ସିଂହାସନ ପାଇଁ ବିବାଦ ଲାଗିଲା । ଠିକ ସେହି ସମୟରେ କର୍ଣ୍ଣାଟର ବୃଦ୍ଧ ନବାବ ଅନଉଆରୁଦ୍ଦିନ ମରିଗଲେ । ସେଠାରେ ନବାବ ହେବାପାଇଁ ମୃତ ନବାବଙ୍କ ଜାମାତା ଚାନ୍ଦା ସାହେବ ଓ ପୁଅ ମହମ୍ମଦଅଲିଙ୍କ ମଧ୍ୟରେ କଳହ ଉପସ୍ଥିତ ହେଲା । ମୁଜଫରଜଙ୍ଗ ଓ ଚାନ୍ଦା ସାହେବ ଫରାସୀ ସୈନ୍ୟ ନେଇ କର୍ଣ୍ଣାଟ ଆକ୍ରମଣ କଲେ । ମହମ୍ମଦଅଲି ଭୀତ ହୋଇ ତ୍ରିଚିନାପଲ୍ଲୀକୁ ପଳାଇଗଲେ ଓ ଚାନ୍ଦା ସାହେବ କର୍ଣ୍ଣାଟର ନବାବ ହେଲେ । ତତ୍‌ପରେ ନଜିର୍‌ଜଙ୍ଗକୁ ହତ୍ୟା କରି ମୁଜଫର୍‌ଜଙ୍ଗ ହାଇଦ୍ରାବାଦର ନିଜାମ ହେଲେ । ମାତ୍ର ଅଳ୍ପଦିନ ମଧ୍ୟରେ ମୁଜଫର ମରିଯିବାରୁ ଡୁପ୍ଲେଙ୍କ ପରାମର୍ଶରେ ସଲାଓତଜଙ୍ଗ ନିଜାମ ହେଲେ । ମହମ୍ମଦଅଲି ତ୍ରିଚନାପଲ୍ଲୀକୁ ଯାଇ ଇଂରେଜମାନଙ୍କର ସାହାଯ୍ୟ ପ୍ରାର୍ଥନା କଲେ । ଦାକ୍ଷିଣାତ୍ୟରେ ଫରାସୀମାନଙ୍କର କ୍ଷମତାକୁ ଦବାଇବାପାଇଁ ଇଂରେଜମାନେ ତାଙ୍କୁ ସାହାଯ୍ୟ ଦେଲେ ।

 

କ୍ଲାଇବ – ସେ ସମୟରେ କମ୍ପାନୀ ଅଧୀନରେ କ୍ଲାଇବ ନାମକ ଜଣେ କିରାନୀ କାର୍ଯ୍ୟ କରୁଥିଲେ । ସେ ଇଂରେଜମାନଙ୍କ ଉପରେ ବିପଦ ପଡ଼ିବାର ଦେଖି କଲମ ଛାଡ଼ି ବନ୍ଧୁକ ଧରିଲେ । ସେ ଅତି ଅଳ୍ପସଂଖ୍ୟକ ସୈନ୍ୟ ନେଇ ଚାନ୍ଦା ସାହେବଙ୍କ ରାଜଧାନୀ ଆର୍କଟ ଅଧିକାର କଲେ । କ୍ଲାଇବ ଭାବିଥିଲେ, ତ୍ରିଚନାପଲ୍ଲୀରୁ ଚାନ୍ଦା ସାହେବଙ୍କୁ ତଡ଼ିବା ସହଜ ନୁହେଁ, କାରଣ ତାଙ୍କର ବହୁତ ସୈନ୍ୟ ଥିଲେ । କିନ୍ତୁ ତାଙ୍କ ରାଜଧାନୀ ଆର୍କଟ ଅବରୋଧ କଲେ ସେ ତ୍ରିଚନାପଲ୍ଲୀ ଛାଡ଼ି ପଳାଇବେ । କ୍ଲାଇବଙ୍କର ଏହି କୌଶଳ ସଫଳ ହେଲା । ଚାନ୍ଦାସାହେବ ତ୍ରିଚନାପଲ୍ଲୀ ଛାଡ଼ି ଆର୍କଟ ରକ୍ଷା କରିବାକୁ ପଳାଇ ଆସିଲେ । କିନ୍ତୁ ସେ କ୍ଲାଇବଙ୍କୁ ଦୁର୍ଗ ମଧ୍ୟରୁ ତଡ଼ିଦେଇ ପାରିଲେ ନାହିଁ । କ୍ଲାଇବ ୫୩ ଦିନ ପରେ ଦୁର୍ଗ ଭିତରୁ ବାହାରି ଚାନ୍ଦାସାହେବଙ୍କୁ ପରାସ୍ତ କଲେ । ଚାନ୍ଦାସାହେବ ତାଞ୍ଜୋରକୁ ପଳାଇଲେ, କିନ୍ତୁ ମହମ୍ମଦ ଅଲିଙ୍କ ଷଡ଼ଯନ୍ତ୍ର ଯୋଗୁଁ ନିହତ ହେଲେ । ମହମ୍ମଦ କର୍ଣ୍ଣାଟର ନବାବ ହେଲେ । କ୍ଲାଇବଙ୍କର ଯଶଃ ଚାରିଆଡ଼େ ବ୍ୟାପିଗଲା । ଡୁପ୍ଲେ ଦେଶୀୟ ରାଜାମାନଙ୍କ ସଙ୍ଗେ ସର୍ବଦା ଯୁଦ୍ଧ କରି ବହୁ ଧନ ବ୍ୟୟ କରୁଥିବାରୁ ଫରାସୀ ସରକାର ତାଙ୍କ ଉପରେ ବିରକ୍ତ ହୋଇ ୧୭୫୪ ଖ୍ରୀଷ୍ଟାବ୍ଦରେ ତାଙ୍କୁ ଫ୍ରାନ୍ସକୁ ଡକାଇ ନେଇଗଲେ । ତାଙ୍କର ଯିବା ପରେ ଦାକ୍ଷିଣାତ୍ୟରେ ଫରାସୀ କ୍ଷମତା ଦୁର୍ବଳ ହୋଇଗଲା ।

 

Image

(ଲର୍ଡ଼ କ୍ଲାଇବ)

 

ତୃତୀୟ କର୍ଣ୍ଣାଟ ସମର – ଖ୍ରୀ: ୧୭୫୮ରେ ଫ୍ରାନ୍‌ସ ଓ ଇଂଲଣ୍ଡ ମଧ୍ୟରେ ପୁଣି ଯୁଦ୍ଧ ହେଲା । ଡୁପ୍ଲେଙ୍କ ପରେ କାଉଣ୍ଟ ଲାଲି ଫରାସୀ ଶାସନକର୍ତ୍ତା ହୋଇ ପଣ୍ଡିଚେରୀକୁ ଆସିଥିଲେ । ଲାଲି ମାନ୍ଦ୍ରାଜ ଓ ମାନ୍ଦ୍ରାଜର ୧୦୦ ମାଇଲ ଦକ୍ଷିଣରେ ଥିବା ଇଂରେଜମାନଙ୍କର ସେଣ୍ଟଡେଭିଡ ଦୁର୍ଗ ଆକ୍ରମଣ କଲେ । କିନ୍ତୁ ଖ୍ରୀ: ୧୭୫୯ରେ ବିଲାତରୁ କେତେଟା ଯୁଦ୍ଧ ଜାହାଜ ଆସିବାରୁ ଫରାସୀମାନେ ମାନ୍ଦ୍ରାଜ ଅବରୋଧ ତ୍ୟାଗ କଲେ । ଖ୍ରୀ: ୧୭୬୦ରେ କର୍ଣ୍ଣେଲ ଏୟାରକୁଟ ‘ବ୍ୱାଣ୍ଡିବ୍ୱାସ’ ଯୁଦ୍ଧରେ ଲାଲିଙ୍କୁ ସଂପୂର୍ଣ୍ଣରୂପେ ପରାସ୍ତ କଲେ ଓ ପଣ୍ଡିଚେରୀ ଅବରୋଧ କଲେ । କିନ୍ତୁ ଖ୍ରୀ: ୧୭୬୧ରେ ଇଉରୋପରେ ସନ୍ଧି ହେବାରୁ ଫରାସୀମାନେ ପଣ୍ଡିଚେରୀ ଫେରି ପାଇଲେ । ଏହି ଯୁଦ୍ଧ ପରେ ଦାକ୍ଷିଣାତ୍ୟରେ ଫରାସୀ କ୍ଷମତା ଲୋପ ପାଇଲା ଓ ଇଂରେଜମାନଙ୍କର ଶକ୍ତି ବଢ଼ିଗଲା । ଖ୍ରୀ: ୧୭୬୧ରେ ତୃତୀୟ ପାନିପଥ ଯୁଦ୍ଧରେ ମରହଟ୍ଟା କ୍ଷମତା ଚୂର୍ଣ୍ଣ ହୋଇଥିଲା । ତେଣୁ ଇଂରେଜମାନଙ୍କୁ ଭାରତରେ ରାଜ୍ୟବିସ୍ତାର ସହଜ ହୋଇଗଲା ।

 

ବଙ୍ଗଳାରେ ଇଂରେଜ ଶକ୍ତିର ପ୍ରତିଷ୍ଠା

 

ଖ୍ରୀ: ୧୭୪୦ରେ ଆଲିବର୍ଦ୍ଦି ଖାଁ ବଙ୍ଗଳାର ନବାବ ହେଲେ । ମୋଗଲମାନେ ହୀନବଳ ହୋଇଯିବାର ସେ ସ୍ୱାଧୀନ ଭାବରେ ବଙ୍ଗ, ବିହାର ଓ ଓଡ଼ିଶା ଶାସନ କଲେ । ମାତ୍ର ମରହଟ୍ଟାମାନେ ବଙ୍ଗଦେଶ ଲୁଣ୍ଠନ କରିବାରୁ ସେ ସେମାନଙ୍କ ସହିତ ସନ୍ଧି କରି ସେମାନଙ୍କୁ ସୁବର୍ଣ୍ଣରେଖା ନଦୀର ଦକ୍ଷିଣରେ ଥିବା ଓଡ଼ିଶାର ଅଂଶତକ ଦେଇଥିଲେ । କିନ୍ତୁ ଓଡ଼ିଶାର ଉତ୍ତରାଂଶ ‘ହଜିଲି ସରକାର’ ବା ମେଦିନୀପୁର ଦେଲେ ନାହିଁ । ସେହିଦିନୁ ମେଦିନୀପୁର ଓଡ଼ିଶାଠାରୁ ବିଚ୍ଛିନ୍ନ ରହିଲା । ମରହଟ୍ଟାମାନେ ଓଡ଼ିଶା ଶାସନ କଲେ ।

 

ସିରାଜଉଦ୍ଦୌଲା – ଆଲିବର୍ଦ୍ଦି ଖାଁ ଖ୍ରୀ: ୧୭୫୬ ରେ ମରିଯିବାରୁ ତାଙ୍କର ନାତି ମିର୍ଜାମହମ୍ମଦ ସିରାଜଉଦ୍ଦୌଲା ନାମ ଗ୍ରହଣକରି ବଙ୍ଗଳାର ନବାବ ହେଲେ । ସିରାଜଉଦ୍ଦୌଲାର ଅର୍ଥ ରାଜ୍ୟ ପ୍ରଦୀପ । ସେ ଅତି ଅଳ୍ପବୟସରେ ନବାବ ହୋଇଥିବାରୁ ଗର୍ବୀ ଓ ଚଞ୍ଚଳସ୍ୱଭାବ ଥିଲେ-। ସେ ନାନା କାରଣବଶତଃ ଇଂରେଜମାନଙ୍କ ସହିତ ଯୁଦ୍ଧ କରିବାକୁ ବାଧ୍ୟ ହୋଇଥିଲେ ।

 

କୃଷ୍ଣଦାସ ନାମକ ଢାକାର ଜଣେ ଧନୀଲୋକ ନବାବଙ୍କ ଭୟରେ ପଳାଇଯାଇ କଲିକତାରେ ଇଂରେଜମାନଙ୍କର ଆଶ୍ରୟ ନେଲେ । ସିରାଜ କୃଷ୍ଣଦାସଙ୍କୁ ଫେରାଇ ଦେବାକୁ କହିଲେ । କିନ୍ତୁ ଇଂରେଜମାନେ ରାଜି ହେଲେ ନାହିଁ । ଏହାର ଅଳ୍ପଦିନ ପରେ ଇଂରେଜମାନେ କଲିକତାର ଫୋର୍ଟ ଉଇଲିୟମ ଦୁର୍ଗ ସଂସ୍କାର କଲେ । ସିରାଜ ସେମାନଙ୍କୁ ସନ୍ଦେହ କରି ଦୁର୍ଗର ପ୍ରାଚୀର ଭାଙ୍ଗି ଦେବାକୁ କହିଲେ କିନ୍ତୁ ଇଂରେଜମାନେ ବିରକ୍ତ ହୋଇ ସିରାଜଙ୍କୁ କଡ଼ା ଭାଷାରେ ଉତ୍ତର ଲେଖି ପଠାଇଲେ ।

 

ଏଥିରେ ସିରାଜ ରାଗିଯାଇ କଲିକତା ଆକ୍ରମଣ କଲେ । ଅନେକ ଇଂରେଜ ନଦୀ ବାଟେ ପଳାଇଗଲେ ଓ କେତେକ ଉପାୟ ନ ଦେଖି ଆତ୍ମସମର୍ପଣ କଲେ । ନବାବଙ୍କର ଜଣେ ସେନାପତି ଫୋର୍ଟ ଉଇଲିୟମ ଦୁର୍ଗର ଗୋଟିଏ ଅପ୍ରଶସ୍ତ କୋଠରୀରେ ୧୪୬ ଜଣ ଇଂରେଜଙ୍କୁ ଗୋଟିଏ ରାତି ବନ୍ଦୀ କରି ରଖିଦେଲେ । ସକାଳକୁ କେବଳ ୨୩ ଜଣ ମାତ୍ର ବଞ୍ଚିଥିଲେ । ଏହାକୁ ଅନ୍ଧକୂପହତ୍ୟା କହନ୍ତି । ଅନେକ ପ୍ରସିଦ୍ଧ ଐତିହାସିକ ଏହି ଅନ୍ଧକୂପହତ୍ୟା ଘଟଣାକୁ କାଳ୍ପନିକ ବୋଲି ମନେ କରନ୍ତି ।

 

ସିରାଜଙ୍କ କଲିକତା ଆକ୍ରମଣ ଖବର ପାଇ ମାନ୍ଦ୍ରାଜରୁ କ୍ଲାଇବ ଓ ବଙ୍ଗଳାରୁ ଓୟାଟସନ୍ ନାମକ ଆଉ ଜଣେ ସେନାପତି ସୈନ୍ୟସହ କଲିକତାରେ ପହଞ୍ଚିଲେ । ସେମାନେ ସିରାଜଙ୍କ ସୈନ୍ୟମାନଙ୍କୁ ପରାସ୍ତ କରି କଲିକତା ପୁନର୍ବାର ଅଧିକାର କଲେ । ନବାବ ଓ ଇଂରେଜଙ୍କ ମଧ୍ୟରେ ସନ୍ଧି ହେଲା ।

 

ପଲାସି ଯୁଦ୍ଧ – ସିରାଜଙ୍କ ଶାସନରେ ଅସନ୍ତୁଷ୍ଟ ହୋଇ ତାଙ୍କ କର୍ମଚାରୀମାନେ ସେନାପତି ମିର୍ଜାଫର୍ ଙ୍କୁ ନବାବ କରିବାପାଇଁ ଷଡ଼ଯନ୍ତ୍ର କଲେ । କ୍ଲାଇବ୍ ଏହି ଷଡ଼ଯନ୍ତ୍ରରେ ଆନନ୍ଦରେ ଯୋଗ ଦେଲେ । ମୁର୍ଶିଦାବାଦର ପଲାସି ନାମକ ସ୍ଥାନରେ କ୍ଲାଇବ ଓ ସିରାଜଙ୍କ ମଧ୍ୟରେ ଯୁଦ୍ଧ ହେଲା (ଖ୍ରୀ: ୧୭୫୬) । ସେନାପତି ମିର୍ଜାଫର୍ ବିଶ୍ୱାସଘାତକତା କରି ସିରାଜଙ୍କ ପକ୍ଷରେ ଯୋଗ ଦେଲେନାହିଁ । ଶେଷରେ କ୍ଲାଇବଙ୍କୁ ଜିଣିବାର ଦେଖି ସେ ତାଙ୍କ ପକ୍ଷ ଗ୍ରହଣ କଲେ । ସିରାଜ ପରାସ୍ତ ହୋଇ ଯୁଦ୍ଧକ୍ଷେତ୍ରରୁ ପଳାୟନ କଲେ । ମାତ୍ର ବାଟରେ ମିର୍ଜାଫରଙ୍କ ପୁତ୍ର ମିରମଦନ ତାଙ୍କୁ ମାରି ପକାଇଲେ । ମିର୍ଜାଫର୍ ବିହାର, ଓଡ଼ିଶା ଓ ବଙ୍ଗଳାର ନବାବ ହେଲେ । ସେ ଇଂରେଜଙ୍କୁ ପୁରସ୍କାର ସ୍ୱରୂପ ଚବିଶ ପ୍ରଗନ୍ନା ଜମିଦାରୀ ଓ ବହୁଲକ୍ଷ ଟଙ୍କା ଦେଇଥିଲେ । ସେହିଦିନୁ ବଙ୍ଗଳାରେ ଇଂରେଜ ଶକ୍ତି ପ୍ରତିଷ୍ଠିତ ହେଲା । ଖ୍ରୀ: ୧୭୫୮ରେ କମ୍ପାନୀର ଡିରେକ୍ଟରମାନେ କ୍ଲାଇବଙ୍କୁ ବଙ୍ଗଦେଶର ଗଭର୍ଣ୍ଣର କଲେ ।

 

ମିର୍ଜାଫର୍ ଚିନ୍ସୁରାର ଓଲନ୍ଦାଜମାନଙ୍କ ସହିତ ଇଂରେଜମାନଙ୍କୁ ତଡ଼ିବାକୁ ଷଡ଼ଯନ୍ତ୍ର କରିବାରୁ କ୍ଲାଇବ ତାଙ୍କୁ ତଡ଼ିଦେଇ ତାଙ୍କ ଜୋଇଁ ମିର୍ କାସିମ୍ ଙ୍କୁ ବଙ୍ଗଳାର ନବାବ କଲେ । ସେ ପୁରସ୍କାରସ୍ୱରୂପ କମ୍ପାନୀଙ୍କୁ ବର୍ଦ୍ଧମାନ, ମେଦିନୀପୁର ଓ ଚଟ୍ଟଗ୍ରାମ ନାମକ ତିନୋଟି ଜିଲା ଓ ବହୁତ ଟଙ୍କା ଦେଲେ । ସେ ମୁର୍ଶିଦାବାଦରୁ ମୁଙ୍ଗେରକୁ ରାଜଧାନୀ ଉଠାଇ ନେଲେ । ଖ୍ରୀ: ୧୭୬୦ ରେ କ୍ଳାଇବ ବିଲାତ ଗଲେ ।

 

ଅଳ୍ପଦିନ ପରେ ମିର୍ କାସିମଙ୍କ ସହିତ ଇଂରେଜ ବଣିକମାନଙ୍କର କଳହ ଲାଗିଲା । ସେ ବଙ୍ଗଳାରୁ ବାଣିଜ୍ୟ କର ଏକାବେଳକେ ଉଠାଇ ଦେବାରୁ ଇଂରେଜ ବଣିକମାନଙ୍କର କ୍ଷତି ହେଲା । ତହୁଁ କମ୍ପାନୀ ଓ ମିର୍ କାସିମଙ୍କ ମଧ୍ୟରେ ‘ଉଦୟନାଳ’ ଠାରେ ଯୁଦ୍ଧ ହେଲା । ଏଥିରେ ସେ ପରାସ୍ତ ହୋଇ ଅଯୋଧ୍ୟା ନବାବଙ୍କ ଆଶ୍ରୟ ଗ୍ରହଣ କଲେ । ମିର୍ ଜାଫର୍ ପୁନର୍ବାର ବଙ୍ଗଳାର ନବାବ ହେଲେ । ମିର୍ କାସିମ୍ ଅଯୋଧ୍ୟାର ନବାବ ଓ ଦିଲ୍ଲୀର ମୋଗଲ ସମ୍ରାଟ ସାହଆଲମଙ୍କ ସହ ମିଳିତ ହୋଇ ପାଟଣା ଆକ୍ରମଣ କଲେ । କିନ୍ତୁ ମେଜର୍ ମନରୋ ଏମାନଙ୍କୁ ୧୭୬୪ ଖ୍ରୀଷ୍ଟାବ୍ଦରେ ‘ବକ୍ଷାର’ ଯୁଦ୍ଧରେ ସମ୍ପୂର୍ଣ୍ଣରୂପେ ପରାସ୍ତ କଲେ । ପଲାସି ଯୁଦ୍ଧରେ ବଙ୍ଗଳାର ନବାବ ପରାସ୍ତ ହୋଇଥିଲେ । କିନ୍ତୁ ଏହି ଯୁଦ୍ଧରେ ବଙ୍ଗର ନବାବ, ଅଯୋଧ୍ୟାର ନବାବ ଓ ଦିଲ୍ଲୀର ସମ୍ରାଟ ତିନିହେଁ ପରାସ୍ତ ହେବାରୁ ଇଂରେଜମାନଙ୍କର ଶକ୍ତି ଯଥେଷ୍ଟ ବଢ଼ିଗଲା । ଅଯୋଧ୍ୟା ଇଂରେଜମାନଙ୍କର ଅଧିକୃତ ହେଲା ।

 

ଲର୍ଡ କ୍ଲାଇବ – କ୍ଲାଇବ ନିଜର କାର୍ଯ୍ୟକୁଶଳତା ଯୋଗୁଁ ଲର୍ଡ ଉପାଧି ପାଇ ବଙ୍ଗର ଗଭର୍ଣ୍ଣରରୂପେ ନିଯୁକ୍ତ ହେଲେ । ଭାରତକୁ ଆସି ସେ ଅଯୋଧ୍ୟାର ନବାବଙ୍କ ସଙ୍ଗେ ସନ୍ଧି କଲେ । କୋରା ଓ ଏଲାହାବାଦ ଏବଂ ଯୁଦ୍ଧର କ୍ଷତିପୂରଣସ୍ୱରୂପ ୫୦ ଲକ୍ଷ ଟଙ୍କା ପାଇ ସେ ନବାବଙ୍କୁ ଅଯୋଧ୍ୟା ଫେରାଇ ଦେଲେ । କ୍ଲାଇବ ଦିଲ୍ଲୀର ନାମମାତ୍ର ସମ୍ରାଟଙ୍କୁ କୋରା, ଏଲାହାବାଦ ଦେଇ ଓ ବାର୍ଷିକ ୨୬ ଲକ୍ଷ ଟଙ୍କା ବୃତ୍ତି ଦେବାକୁ ସମ୍ମତ ହୋଇ ବଙ୍ଗ, ବିହାର, ଓଡ଼ିଶା (ମେଦିନୀପୁର) ର ଦେବାନୀ ପାଇଲେ । ସେ ତାଙ୍କଠାରୁ ଉତ୍ତର ସରକାର (ଗୋଦାବରୀ ଓ ଚିଲିକା ମଧ୍ୟବର୍ତ୍ତୀ ଅଞ୍ଚଳ ବା ଦକ୍ଷିଣ ଓଡ଼ିଶା) ମଧ୍ୟ ପାଇଲେ । ଏହା ପରେ କ୍ଲାଇବ ‘ଦ୍ୱିଶାସନ ପ୍ରାଣାଳୀ’ ଚଳାଇଲେ । ଅର୍ଥାତ୍ ଦେବାନୀ ବା ପ୍ରଜାମାନଙ୍କଠାରୁ ଖଜଣା ଅସୁଲ କ୍ଷମତା କମ୍ପାନୀ ହାତରେ ରହିଲା । ଏହାଦ୍ୱାରା ଇଂରେଜମାନେ ସର୍ବୋସର୍ବା ହେଲେ । ବଙ୍ଗନବାବଙ୍କର କେବଳ ଫୌଜଦାରୀ ମକଦମା ବୁଝିବାର କ୍ଷମତା ରହିଲା ଓ ସେ ପେନ୍ସନ ପାଇ ରହିଲେ । ଏହି ଦ୍ୱିଶାସନପ୍ରାଣାଳୀ ଯୋଗୁଁ ପ୍ରଜାମାନଙ୍କର ବିଶେଷ ଅସୁବିଧା ହୋଇଥିଲା । କ୍ଲାଇବଙ୍କ ବୁଦ୍ଧି, କୌଶଳ, ବିଚକ୍ଷଣତା ଓ ସାହସ ଯୋଗୁଁ ଭାରତରେ ଇଂରେଜ ରାଜ୍ୟ ପ୍ରତିଷ୍ଠିତ ହେଲା ।

 

ପ୍ରଥମ ମହୀଶୂର ଯୁଦ୍ଧ – କ୍ଲାଇବ ଇଂଲଣ୍ଡକୁ ଫେରିଯିବାବେଳେ ପ୍ରଥମ ମହୀଶୂର ଯୁଦ୍ଧ (ଖ୍ରୀ: ୧୭୬୭ –୧୭୬୯) ହୋଇଥିଲା । ହାଇଦରଅଲି ମହୀଶୂରର ହିନ୍ଦୁରାଜାଙ୍କୁ ତଡ଼ି ନିଜେ ମହୀଶୂରର ନବାବ ହୋଇଥିଲେ । ସେ ବିଶେଷ ପରାକ୍ରମଶାଳୀ ଥିଲେ ଓ କୃଷ୍ଣାନଦୀ ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର କରିଥିଲେ । ଇଂରେଜମାନେ ହାଇଦରଙ୍କ ବିରୁଦ୍ଧରେ ମରହଟ୍ଟା ଓ ନିଜାମଙ୍କୁ ସାହାଯ୍ୟ ଦେଇଥିବାରୁ ସେ ୧୭୬୯ ଖ୍ରୀଷ୍ଟାବ୍ଦରେ ମାନ୍ଦ୍ରାଜ ଆକ୍ରମଣ କଲେ । ଯୁଦ୍ଧରେ ପରାସ୍ତ ହୋଇ ଇଂରେଜମାନେ ହାଇଦରଙ୍କ ସଙ୍ଗେ ସନ୍ଧି କଲେ । ଇଂରେଜମାନେ ହାଇଦରଙ୍କୁ ଯୁଦ୍ଧ ସମୟରେ ଶତ୍ରୂ ହସ୍ତରୁ ରକ୍ଷା କରିବାପାଇଁ ସ୍ୱୀକାର କରିଥିଲେ । ଏହି ଯୁଦ୍ଧକୁ ପ୍ରଥମ ମହୀଶୂର ଯୁଦ୍ଧ କହନ୍ତି । ଏଥିରେ ଇଂରେଜମାନଙ୍କର କିଛି ଲାଭ ହୋଇ ନ ଥିଲା ।

 

ଖ୍ରୀ ୧୭୭୦ ରେ ବଙ୍ଗଳାରେ ଗୋଟିଏ ଭୀଷଣ ଦୁର୍ଭିକ୍ଷ ହୋଇଥିଲା ଓ ଏଥିରେ ବଙ୍ଗଳାର ପ୍ରାୟ ଏକ ତୃତୀୟାଂଶ ଲୋକ ମରିଯାଇଥିଲେ । କ୍ଲାଇବ ଭାରତର ସମସ୍ତ କାର୍ଯ୍ୟ ଦୁଇଜଣ କର୍ମଚାରୀଙ୍କ ହାତରେ ଛାଡ଼ିଦେଇ ଖ୍ରୀ: ୧୭୬୭ ରେ ବିଲାତକୁ ଯାଇଥିଲେ, କିନ୍ତୁ ସେଠାରେ ସେ ଆତ୍ମହତ୍ୟା କରିଥିଲେ (ଖ୍ରୀ: ୧୭୭୪) ।

 

ଉଆରେନ ହେଷ୍ଟିଙ୍ଗସ୍ – (ଖ୍ରୀ: ୧୭୭୨– ଖ୍ରୀ: ୧୭୮୫) – ଲର୍ଡକ୍ଲାଇବଙ୍କ ପରି ଉଆରେନ ହେଷ୍ଟିଙ୍ଗସ୍ ମଧ୍ୟ ପ୍ରଥମେ ଜଣେ ସାମାନ୍ୟ କିରାନୀ ଥିଲେ । କିନ୍ତୁ ନିଜର ପ୍ରତିଭାବଳରେ ସେ କ୍ରମଶଃ ଉନ୍ନତି କରିଥିଲେ ଓ କ୍ଲାଇବଙ୍କ ପରେ ବଙ୍ଗଳାର ଗଭର୍ଣ୍ଣର ପଦରେ ନିଯୁକ୍ତ ହେଲେ ।

 

Image

(ଉଆରେନ ହେଷ୍ଟିଙ୍ଗସ୍)

 

ହେଷ୍ଟିଙ୍ଗ୍ସ୍‌ଙ୍କର ଶାସନ ସଂସ୍କାର – ସେ ଭାରତକୁ ଆସି ଦେଖିଲେ ଯେ କମ୍ପାନୀର କର୍ମଚାରୀମାନେ କର ଆଦାୟ ପାଇଁ ପ୍ରଜାମାନଙ୍କ ଉପରେ ବଡ଼ ଅତ୍ୟାଚାର କରୁଛନ୍ତି । ତେଣୁ ସେ ପ୍ରଥମେ ଡେପୁଟୀ ବା ସହକାରୀ ନବାବ, ମହମଦରେଜାଖାଁ ଓ ରାଜା ସୀତାବରାୟଙ୍କୁ କାର୍ଯ୍ୟରୁ ତଡ଼ିଦେଲେ । ମୁର୍ଶିଦାବାଦରୁ କଲିକତାକୁ ରାଜକୋଷ ଉଠାଇ ଆଣିଲେ । ବିହାର ଓ ବଙ୍ଗଳାକୁ ଅନେକ ଗୁଡ଼ିଏ ଜିଲାରେ ବିଭକ୍ତ କରିଥିଲେ । ପ୍ରତ୍ୟେକ ଜିଲାରେ ଜଣେ ଜଣେ କଲେକ୍ଟର ଖଜଣା ଆଦାୟ ସକାଶେ ରଖିଲେ । ସେମାନେ ମୋଟା ଦରମା ଓ ବିଶେଷ କ୍ଷମତା ପାଇ ଭଲରୂପେ ରାଜସ୍ୱ ଆଦାୟ କଲେ । ସେମାନେ ଦେବାନୀ ଓ ଫୌଜଦାରୀ ମକଦ୍ଦମା ବୁଝିଲେ ଏବଂ ଜିଲାରେ ଶାନ୍ତି ଶୃଙ୍ଖଳା ରକ୍ଷାକଲେ । ତଳ ଅଦାଲତମାନଙ୍କରୁ ଅପିଲ ଶୁଣିବାପାଇଁ ହେଷ୍ଟିଙ୍ଗସ୍ କଲିକତାରେ ‘ସଦର ଦେବାନୀ ଅଦାଲତ’ ଓ ‘ସଦର ନିଜାମତ୍ ଅଦାଲତ’ ସ୍ଥାପନ କଲେ । କଲିକତାରେ ଗୋଟିଏ ‘ରେଭେନିଉବୋର୍ଡ’ ବସାଇଥିଲେ । ଏହା ରାଜସ୍ୱ ବିଷୟ ବିଚାର କରୁଥିଲା । ସେ ଜମିଦାର ଓ ନିଲାମଦାରମାନଙ୍କ ସହିତ ଗୋଟିଏ ୫ ବର୍ଷିଆ ବନ୍ଦୋବସ୍ତ କରିଥିଲେ ।

 

ରେଗୁଲେଟିଙ୍ଗ୍ ଆକ୍‌ଟ – ୧୭୭୩ ଖ୍ରୀଷ୍ଟାବ୍ଦରେ ବିଲାତ ପାର୍ଲିଆମେଣ୍ଟ କମ୍ପାନୀର ଶାସନ ସକାଶେ ଏହି ଆଇନଟି କରିଥିଲେ । ଏହି ଆଇନ ଅନୁସାରେ ବଙ୍ଗର ଗଭର୍ଣ୍ଣର ଭାରତର ଗଭର୍ଣ୍ଣର–ଜେନେରାଲ (ବଡଲାଟ) ହେଲେ । ତାଙ୍କ ତଳେ ମାନ୍ଦ୍ରାଜ ଓ ବମ୍ବେ ପ୍ରଦେଶଦ୍ୱୟ ରହିଲା-। ଗଭର୍ଣ୍ଣର ଜେନେରାଲଙ୍କୁ ସାହାଯ୍ୟ କରିବାପାଇଁ ଗୋଟିଏ ଚାରିଜଣିଆ ସଭା ରହିଲା । ସେମାନଙ୍କ ଭୋଟ ଅନୁସାରେ ଶାସନ ଚଳିଲା । କଲିକତାରେ ଗୋଟିଏ ସୁପ୍ରୀମକୋର୍ଟ ବା ପ୍ରଧାନ ବିଚାରଳୟ ସ୍ଥାପିତ ହେଲା । ସେଥିରେ ଜଣେ ପ୍ରଧାନ ବିଚାରପତି ଓ ତିନିଜଣ ସହକାରୀ ଜଜ ରହିଲେ । ଏଇ ଆଇନ ଅନୁସାରେ ହେଷ୍ଟିଙ୍ଗସ୍ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ହେଲେ ଓ ଇଷ୍ଟଇଣ୍ଡିଆ କମ୍ପାନୀ ଇଂଲଣ୍ଡ ସରକାରଙ୍କ ଅଧୀନରେ ରହିଲା । କମ୍ପାନୀ ଭାରତ ସମ୍ବନ୍ଧୀୟ ସମସ୍ତ ବିଷୟ ବିଲାତ ମନ୍ତ୍ରୀମାନଙ୍କ ନିକଟରେ ଆଗତ କରିବାକୁ ବାଧ୍ୟ ହେଲେ ।

 

ରୋହିଲା ଯୁଦ୍ଧ – ଆଧୂନିକ ଯୁକ୍ତ ପ୍ରଦେଶରେ ରୋହିଲାଖଣ୍ଡ ନାମକ ଗୋଟିଏ କ୍ଷୁଦ୍ର ରାଜ୍ୟ ଥିଲା । ଅଯୋଧ୍ୟାର ନବାବ ଏହା ଅଧିକାର କରିବା ପାଇଁ ହେଷ୍ଟିଙ୍ଗ୍ସ୍ ଙ୍କର ସାହାଯ୍ୟ ମାଗିଲେ-। ସେ ୪୦ ଲକ୍ଷ ଟଙ୍କା ଆଣି ନବାବଙ୍କୁ ସାହାଯ୍ୟ ଦେଲେ ଓ ଇଂରେଜ ସୈନ୍ୟମାନଙ୍କ ଦ୍ୱାରା ରୋହିଲାମାନେ ପରାସ୍ତ ହୋଇଥିଲେ (ଖ୍ରୀ: ୧୭୭୪) । ରୋହିଲାଖଣ୍ଡ ନବାବଙ୍କ ହସ୍ତଗତ ହେଲା-

 

ନନ୍ଦକୁମାରଙ୍କ ଫାଶୀ – କଲିକତାର ନନ୍ଦକୁମାର ନାମକ ଜଣେ ଧନୀ ବ୍ରାହ୍ମଣ ହେଷ୍ଟିଙ୍ଗ୍ସ୍ ଙ୍କ ବିରୁଦ୍ଧରେ ଲାଞ୍ଚ ନେଇଥିବା ଅଭିଯୋଗ ଆଣିଲେ । ହେଷ୍ଟିଙ୍ଗ୍ସ୍ ଙ୍କ ସଭାର ତିନି ଜଣ ମେମ୍ବର ତାଙ୍କୁ ସାହାଯ୍ୟ ଦେଇଥିଲେ । ମୋହନପ୍ରସାଦ ନାମକ ଜଣେ ଲୋକ ସମ୍ଭତଃ ହେଷ୍ଟିଙ୍ଗ୍ସ୍ ଙ୍କ ଶିକ୍ଷାରେ ପଡ଼ି ନନ୍ଦକୁମାରଙ୍କ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଗୋଟିଏ ଜାଲ୍ ମକଦମା କଲେ । ନନ୍ଦକୁମାର ଏହି ମକଦମାରେ ଫାଶୀ ପାଇଲେ । ଏଥିରେ ଉପଯୁକ୍ତ ବିଚାର ହୋଇନଥିଲା ଓ ଏଥିପାଇଁ ହେଷ୍ଟିଙ୍ଗ୍ସ୍ ପରେ ନିନ୍ଦା ପାଇଥିଲେ ।

 

ପ୍ରଥମ ମରହଟ୍ଟା ସମର – ତୃତୀୟ ପାନିପଥ ଯୁଦ୍ଧ ସମୟରେ ପେଶବା ବାଲଜିବାଜିରାଓ ପ୍ରାଣତ୍ୟାଗ କରିଥିଲେ । ତାଙ୍କ ପରେ ମଧୂରାଓ ଓ ନାରାୟଣ ରାଓ ଯଥାକ୍ରମେ ପେଶବା ହୋଇଥିଲେ । କିନ୍ତୁ ନାରାୟଣ ରାଓ ନଅମାସ ପରେ ନିହତ ହେବାରୁ ତାଙ୍କ ଖୂଡ଼ୁତା ରାଘବ ରାଓ ପେଶବା ହେଲେ; ମାତ୍ର ନାରାୟଣରାଓଙ୍କ ମୃତ୍ୟୁର ଅଳ୍ପଦିନ ପରେ ତାଙ୍କର ଗୋଟିଏ ପୁଅ ହେଲା । ପ୍ରଧାନ ମନ୍ତ୍ର ନାନାଫର୍ଣ୍ଣାବିସ୍ ସେହି ଶିଶୁ ମଧୁରାଓ ଓ ନାରାୟଣଙ୍କୁ ପେଶବା କଲେ-

 

ସିଂହାସନରୁ ତଡ଼ାଖାଇ ରାଘବ ରାଓ ବମ୍ବେ ଗଭର୍ଣ୍ଣରଙ୍କୁ ସାହାଯ୍ୟ ମାଗିଲେ । ସେ ଇଂରେଜମାନଙ୍କୁ ସାଲସେଟ ଓ ବେସିନ ଦେବାକୁ ସ୍ୱୀକାର କରିବାରୁ ସେମାନେ ତାଙ୍କୁ ଯୁଦ୍ଧରେ ସାହାଯ୍ୟ ଦେଲେ । ଶିଶୁ ପେଶବାଙ୍କୁ ସିନ୍ଧିଆ ଓ ହୋଲକାର ସାହାଯ୍ୟ ଦେଇଥିଲେ । ପ୍ରାୟ ୬ବର୍ଷ କାଳ ଯୁଦ୍ଧ ଲାଗିଲା । ଏହି ଯୁଦ୍ଧକୁ ପ୍ରଥମ ମରହଟ୍ଟା ଯୁଦ୍ଧ କହନ୍ତି । ଶେଷରେ ମହାଦାବୀ ସିନ୍ଧିଆ ମଧ୍ୟସ୍ଥ ହୋଇ ଇଂରେଜ ଓ ମରହଟ୍ଟାମାନଙ୍କ ମଧ୍ୟରେ ସାଲବାଇନାମକ ସ୍ଥାନରେ ୧୭୮୨ ଖ୍ରୀଷ୍ଟାବ୍ଦରେ ଗୋଟିଏ ସନ୍ଧି କରାଇଲେ । ଏହି ସନ୍ଧି ଅନୁଯାୟୀ ଇଂରେଜମାନେ ସାଲସେଟ ଓ ଏଲିଫାଣ୍ଟାନାମକ ଦୁଇଟି କ୍ଷୁଦ୍ର ଦ୍ୱୀପ ପାଇଲେ । ମଧୁରାଓ ନାରାୟଣ ପେଶବା ହେଲେ ଓ ରାଘବରାଓ ବା ରାଘବା ପେନ୍ସନ ପାଇଲେ ।

Image

(ଟିପୁ ସୁଲତାନ)

 

ଦ୍ୱିତୀୟ ମହୀଶୂର ଯୁଦ୍ଧ (ଖ୍ରୀ: ୧୭୮୦–ଖ୍ରୀ: ୧୭୮୫) – ପ୍ରଥମ ମହୀଶୂର ଯୁଦ୍ଧର ସନ୍ଧି ଅନୁସାରେ ଇଂରେଜମାନେ ହାଇଦରଙ୍କୁ ଯୁଦ୍ଧ ସମୟରେ ସାହାଯ୍ୟ ଦେବାକୁ ସ୍ୱୀକାର କରିଥିଲେ । କିନ୍ତୁ ମରହଟ୍ଟାମାନେ ମହୀଶୂର ଆକ୍ରମଣ କଲାବେଳେ ସେମାନେ ହାଇଦରଙ୍କୁ ସାହାଯ୍ୟ ଦେଲେ ନାହିଁ । ଏଥିରେ ହାଇଦର ବିରକ୍ତ ଥିଲେ । ସେ ସମୟରେ ଇଂରେଜ ଓ ଫରାସୀମାନଙ୍କ ମଧ୍ୟରେ ଯୁଦ୍ଧ ଲାଗିଥିଲା । ଇଂରେଜମାନେ ହାଇଦରଙ୍କ ରାଜ୍ୟରେ ଥିବା ଫରାସୀମାନଙ୍କର ପଣ୍ଡିଚେରୀ ଓ ମାହୀ ଆକ୍ରମଣ କରିବାରୁ ହାଇଦର ଯୁଦ୍ଧ ଘୋଷଣା କଲେ । ସେ ୮୦ ବର୍ଷର ବୁଢ଼ା ହୋଇ ମଧ୍ୟ ଖୁବ୍ ସାହସ ଓ ବୀରତ୍ୱ ସହକାରେ ଯୁଦ୍ଧ କରିଥିଲେ । କିନ୍ତୁ ସେ ଖ୍ରୀ: ୧୭୮୨ ରେ ମରିଯିବାରୁ ତାଙ୍କର ପୁଅ ଟିପୁସୁଲତାନ ଖୁବ୍ ସାହସ ସହି ଯୁଦ୍ଧ ଚଳାଇଥିଲେ । ଶେଷରେ ଖ୍ରୀ: ୧୭୮୪ ରେ ମାଙ୍ଗାଲୋର ଠାରେ ସନ୍ଧି ହେଲା । ସନ୍ଧି ଅନୁସାରେ ଯେଝା ରାଜ୍ୟ ଯେ ଫେରିପାଇଲେ ।

 

ଚୈତସିଂହ – ବହୁ ଯୁଦ୍ଧ କରି ହେଷ୍ଟିଙ୍ଗ୍ସ୍ ଙ୍କ ଟଙ୍କା ଅଭାବ ହେଲା । ସେତେବେଳେ ବନାରସର ରାଜା ଚୈତସିଂହ ଖୁବ୍ ଧନବାନ୍ ଥିଲେ । ସେ କମ୍ପାନୀର ଅଧୀନ ଥିଲେ । ହେଷ୍ଟିଙ୍ଗ୍ସ୍ ତାଙ୍କଠାରୁ ବାର୍ଷିକ ରାଜସ୍ୱଛଡ଼ା ଯୁଦ୍ଧବ୍ୟୟ ସକାଶେ ଅଧିକ କର ଦାବୀ କଲେ । ସେ ଦୁଇଥର ଏହି ଅଧିକ କର ଦେଇଥିଲେ । ତୃତୀୟଥର କର ଦାବୀ କରିବାରୁ ସେ ଟିକିଏ ବିଳମ୍ବ କରିଥିଲେ । ତେଣୁ ହେଷ୍ଟିଙ୍ଗ୍ସ୍ ତାଙ୍କୁ ବନ୍ଦୀ କରିଦେଲେ । ସେ କୌଣସି ପ୍ରକାରେ ମୁକ୍ତିଲାଭ କରି ବିଦ୍ରୋହ କଲେ-। ହେଷ୍ଟିଙ୍ଗ୍ସ୍ ତାଙ୍କୁ ତଡ଼ିଦେଇ ତାଙ୍କ ବଂଶର ଆଉ ଜଣଙ୍କୁ ରାଜା କଲେ । ତାଙ୍କର ଏହି କାର୍ଯ୍ୟ ଅନ୍ୟାୟ ବୋଲି ବିବେଚିତ ହୋଇଥିଲା ।

 

ଅଯୋଧ୍ୟାର ବେଗମ – ଅଯୋଧ୍ୟାର ନବାବ ଇଂରେଜମାନଙ୍କର ଅନେକ ଟଙ୍କା ବାକୀ ରଖିଥିଲେ । ସେହି ଟଙ୍କା ଆଦାୟ କରିବାପାଇଁ ହେଷ୍ଟିଙ୍ଗ୍ସ୍ ନବାବଙ୍କ ବିଧବା ମାତା ଓ ମାତାମହୀଙ୍କ ଉପରେ ନାନା ପ୍ରକାର ଅତ୍ୟାଚାର କରି ସେମାନଙ୍କର ବ୍ୟକ୍ତିଗତ ସମ୍ପତ୍ତି ପ୍ରାୟ ୭୬ ଲକ୍ଷ ଟଙ୍କା ବଳାତ୍କାର ନେଇଯାଇଥିଲେ । ଏଥିପାଇଁ ହେଷ୍ଟିଙ୍ଗ୍ସ୍ ବିଶେଷ ନିନ୍ଦା ପାଇଥିଲେ ।

 

ପିଟ୍ସ୍ ଇଣ୍ଡିଆ ଆକ୍ଟ ବା ପିଟ୍ ଙ୍କ ଭାରତ ଆଇନ୍ – ଇଂଲଣ୍ଡର ପ୍ରଧାନ ମନ୍ତ୍ରୀ ପିଟ୍ ସାହେବ ୧୭୮୪ ଖ୍ରୀଷ୍ଟାବ୍ଦରେ ଭାରତଶାସନ ପାଇଁ ଏହି ଆଇନ କରିଥିଲେ । ବିଲାତରେ ଗୋଟିଏ ଛଅ–ଜଣିଆ ସଭା ରହିଲା । ତାହାର ନାମ ‘ବୋର୍ଡ ଅଫ୍ କଣ୍ଟ୍ରୋଲ’ । ଏହା ହାତରେ ଭାରତର ପ୍ରକୃତ ଶାସନଭାର ରହିଲା । ଏହିପ୍ରକାରେ ଭାରତଶାସନ ବ୍ରିଟିଶ ସରକାରର ଏକ ଅଙ୍ଗ ହେଲା ।

ହେଷ୍ଟିଙ୍ଗ୍ସ୍ ଙ୍କ ପ୍ରିତି ଅଭିଯୋଗ – ହେଷ୍ଟିଙ୍ଗ୍ସ୍ ଖ୍ରୀ: ୧୭୮୫ ରେ ଭାରତ ଛାଡ଼ି ବିଲାତ ଗଲେ । ସେଠାରେ ଯୁଦ୍ଧ, ନନ୍ଦକୁମାର ଫାଶୀ, ଚୈତସିଂହ ଓ ଅଯୋଧ୍ୟାର ବେଗମମାନଙ୍କ ପ୍ରତି ଅତ୍ୟାଚାର ଯୋଗୁଁ ତାଙ୍କ ନାମରେ ପାର୍ଲିଆମେଣ୍ଟରେ ଅନେକ ଅଭିଯୋଗ ଆସିଲା । ଏହି ମକଦ୍ଦମା ୭ ବର୍ଷ ଚାଲିଲା । ଶେଷରେ ସେ ନିର୍ଦ୍ଦୋଷ ବୋଲି ଖଲାସ ପାଇଲେ । ସେ ଏଥିରେ ସର୍ବସ୍ୱାନ୍ତ ହୋଇଗଲେ ଓ ବଡ଼ ଦରିଦ୍ର ଅବସ୍ଥାରେ ପ୍ରାଣତ୍ୟାଗ କଲେ ।

 

ଲର୍ଡ କର୍ଣ୍ଣଉଆଲିସ (ଖ୍ରୀ ୧୭୮୬– ଖ୍ରୀ : ୧୭୯୩) – ହେଷ୍ଟିଙ୍ଗ୍ସ୍ ଙ୍କ ପରେ କର୍ଣ୍ଣଉଆଲିସ ଭାରତର ଗଭର୍ଣ୍ଣର ଜେନେରାଲ ହେଲେ । ସେ ଜଣେ ନ୍ୟାୟପରାୟଣ ଲୋକ ଥିଲେ । ଚିରସ୍ଥାୟୀ ବନ୍ଦୋବସ୍ତ, ତୃତୀୟ ମହୀଶୂର ଯୁଦ୍ଧ ଓ ଶାସନ ସଂସ୍କାର ତାଙ୍କ ଅମଳର ପ୍ରଧାନ ଘଟଣା ।

Image

(ଲର୍ଡ କର୍ଣ୍ଣଉଆଲିସ)

 

ଚିରସ୍ଥାୟୀ ବନ୍ଦୋବସ୍ତ – ହେଷ୍ଟିଙ୍ଗ୍ସ୍ ଙ୍କ ଅମଳରେ ଜମି ସବୁ ଜମିଦାରମାନଙ୍କୁ ପ୍ରତିବର୍ଷ ନଲାମ ଦିଆ ହେଉଥିଲା । ଏହାଦ୍ୱାରା ପ୍ରଜାମାନଙ୍କର ଭାରି କ୍ଷତି ହେଉଥିଲା । ବର୍ଷିକିଆ ଜମିଦାରମାନେ ପ୍ରଜାଙ୍କ ଅବସ୍ଥା ପ୍ରତି ଦୃଷ୍ଟି ନ ଦେଇ ଅତି ନିଷ୍ଠୁରଭାବରେ କର ଆଦାୟ କରୁଥିଲେ-। ବର୍ଷକୁ ବର୍ଷ ଜମିଦାର ବଦଳିବାରୁ କାଗଜ ପତ୍ରରେ ଗୋଳମାଳ ହେଉଥିଲା । ସରକାରଙ୍କ ଭୂରାଜସ୍ୱ ମଧ୍ୟ ବର୍ଷକୁ ବର୍ଷ କମ୍ ବେଶୀ ହେଉଥିଲା । ଏହି ସବୁ ଗୋଳମାଳ ଦୂର କରିବାପାଇଁ କର୍ଣ୍ଣଉଆଲିସ ଖ୍ରୀ: ୧୭୯୩ ରେ ଜମିଦାରମାନଙ୍କ ସଙ୍ଗେ ଚିରସ୍ଥାୟୀ ବନ୍ଦୋବସ୍ତ କରିଦେଲେ । ଅର୍ଥାତ୍ ଜମିଦାରଙ୍କ ଠାରୁ ସରକାରଙ୍କ ପ୍ରାପ୍ୟ ଚିରକାଳ ପାଇଁ ନିର୍ଦ୍ଦିଷ୍ଟ ହୋଇଗଲା । ଏହାଦ୍ୱାରା ପ୍ରଜାମାନଙ୍କର ଆଦୌ ଲାଭ ହେଲା ନାହିଁ । କାରଣ ଜମିଦାରମାନେ ସରକାରଙ୍କୁ ସବୁକାଳେ ସମାନ ଖଜଣା ଦେଲେ ମଧ୍ୟ ପ୍ରଜାମାନଙ୍କ ଉପରେ ପ୍ରତି ୧୫ ବା ୨୦ ବର୍ଷରେ ଖଜଣା ବଢ଼ାଇବାକୁ ଲାଗିଲେ ଓ ସେମାନେ ପ୍ରଜାଙ୍କଠାରୁ ନାନା ପ୍ରକାର ଅନ୍ୟାୟ ପାଉଣା ଅସୁଲ କଲେ । ଏହି ଚିରସ୍ଥାୟୀ ବନ୍ଦୋବସ୍ତ ବଙ୍ଗଳା, ବିହାର,ମାନ୍ଦ୍ରାଜର କେତେକାଂଶରେ ଚଳିଥିଲା । ଆମ୍ଭ ଓଡ଼ିଶାରେ କନିକା, କୁଜଙ୍ଗ, ପାରଳା,ଖଲିକୋଟ, ଜୟପୁର ପ୍ରଭୃତି କେତୋଟି ଚିରସ୍ଥାୟୀ ଜମିଦାରୀ ମାହାଲ ଅଛି ।

 

ତୃତୀୟ ମହୀଶୂର ଯୁଦ୍ଧ – ଟିପୁସୁଲତାନ ଖ୍ରୀ: ୧୭୯୦ ରେ ଇଂରେଜମାନଙ୍କର ମିତ୍ର ରାଜ୍ୟ କ୍ରିବାଙ୍କୋଡ଼ ଆକ୍ରମଣ କରିବାରୁ ଇଂରେଜମାନେ ତାଙ୍କ ସହିତ ଯୁଦ୍ଧ କଲେ । ନିଜାମ ଓ ମରହଟ୍ଟାମାନେ ଇଂରେଜମାନଙ୍କୁ ସାହାଯ୍ୟ ଦେଲେ । କର୍ଣ୍ଣଉଆଲିସ ଟିପୁଙ୍କ ରାଜଧାନୀ ଶ୍ରୀରଙ୍ଗପତ୍ତନ ଅବରୋଧ କରିବାରୁ ଖ୍ରୀ: ୧୭୯୨ ରେ ଶ୍ରୀରଙ୍ଗପତ୍ତନଠାରେ ସନ୍ଧି ହେଲା । ଟିପୁ ଯୁଦ୍ଧ ସକାଶେ ୩୩୦ ଲକ୍ଷ ଟଙ୍କା ଓ ରାଜ୍ୟରୁ ଅଧେ ଦେଲେ । ଏହି ରାଜ୍ୟ ଇଂରେଜ, ନିଜାମ ଓ ମରହଟ୍ଟାମାନଙ୍କ ଭିତରେ ବଣ୍ଟା ହେଲା । ଇଂରେଜମାନେ ମାଲଦାର ଓ କୁର୍ଗ ପାଇଲେ ।

 

ଶାସନ ସଂସ୍କାର – ସେ ଆଇନ ଦ୍ୱାରା ଲାଞ୍ଚ ନେବା ଏକାବେଳକେ ବନ୍ଦ କରିଥିଲେ । ସେ କଲେକ୍ଟରମାନଙ୍କ ହାତରୁ ବିଚାର ଭାର କାଢ଼ିନେଲେ ଓ ପ୍ରତ୍ୟେକ ଜିଲାରେ ଜଣେ ଲେଖାଏଁ ଜଜ୍ ବା ବିଚାରପତି ନିଯୁକ୍ତ କଲେ । ପ୍ରତ୍ୟେକ ଜଜ୍ ଙ୍କୁ ଜଣେ ହିନ୍ଦୁ ପଣ୍ଡିତ ହିନ୍ଦୁଆଇନ ଓ ଜଣେ କାଜୀ ମୁସଲମାନ ଆଇନ ବୁଝାଇବା ପାଇଁ ନିଯୁକ୍ତ ହେଲେ । ସେ ପୁଲିସ ବିଭାଗର ବିଶେଷ ଉନ୍ନତି କରିଥିଲେ । ପ୍ରତ୍ୟେକ ଜିଲା ଅନେକଗୁଡ଼ିଏ ଥାନାରେ ବିଭକ୍ତ ହୋଇଥିଲା ଓ ପ୍ରତ୍ୟେକ ଥାନାରେ ଜଣେ ଜଣେ ଦାରୋଗା ରହିଲେ । ତାଙ୍କର ଶାସନ ପ୍ରଣାଳୀ ପରବର୍ତ୍ତୀ କାଳରେ କେତେକାଂଶରେ ପରିବର୍ତ୍ତିତ ହୋଇଥିଲା ।

 

ସର ଜନ୍ ଶୋର – ସର ଜନ୍ ଶୋର୍ କର୍ଣ୍ଣଉଆଲିସଙ୍କ ପରେ ଖ୍ରୀ: ୧୭୯୩ ଠାରୁ ଖ୍ରୀ ୧୭୯୮ ପର୍ଯ୍ୟନ୍ତ ପାଞ୍ଚବର୍ଷ ଗଭର୍ଣ୍ଣର ଜେନେରାଲ ହୋଇଥିଲେ । ସେ ‘ଉଦାସୀନ ନୀତି’ ଅବଲମ୍ବନ କରିଥିଲେ । ଅର୍ଥାତ୍ ଭାରତୀୟ କୌଣସି ଯୁଦ୍ଧରେ ଯୋଗ ନ ଦେଇ ନୀରବ ରହୁଥିଲେ-। ତାଙ୍କର ଏହି ନୀତି ଯୋଗୁଁ ମରହଟ୍ଟାମାନେ ଶକ୍ତିଶାଳୀ ହୋଇ, ନିଜାମଙ୍କ ଠାରୁ ତାଙ୍କର ଅଧେ ରାଜ୍ୟ ଛଡ଼ାଇ ନେଇଥିଲେ ।

Image

 

Unknown

ଅଷ୍ଟାଦଶ ଅଧ୍ୟାୟ

 

ଲର୍ଡ ଓଏଲେସ୍ଲି ( ଖ୍ରୀ: ୧୭୯୮– ଖ୍ରୀ: ୧୮୦୫) – ଲର୍ଡ ଓଏଲେସ୍ଲି ଜଣେ ଦୂରଦର୍ଶିୀ ରାଜନୀତିଜ୍ଞ ଓ କୌଶଳୀ ଲୋକ ଥିଲେ । ସେ ଭାରତରେ ବିଶାଳ ଇଂରେଜ ସାମାଜ୍ର୍ୟ ସ୍ଥାପନ କରିବାପାଇଁ କଳ୍ପନା କରିଥିଲେ । ସେ ପର୍ଯ୍ୟନ୍ତ ଭାରତର ନାନାସ୍ଥାନରେ ଫରାସୀମାନଙ୍କର ପ୍ରତିପତ୍ତ ଥିଲା । ଖ୍ରୀ: ୧୭୯୮ରେ ଇଂରେଜମାନଙ୍କର ଶତ୍ରୂ ଫ୍ରାନ୍ସର ସମ୍ରାଟ ନେପୋଲିର୍ୟନ ଭାରତ ଜୟ କରିବାକୁ ନୀଳନଦୀ ପର୍ଯ୍ୟନ୍ତ ଆସିଥିଲେ, କିନ୍ତୁ ପରାସ୍ତ ହୋଇ ଫେରିଗଲେ । ଓଏଲେସ୍ଲି ଭାରତରୁ ଫରାସୀ କ୍ଷମତା ଏକାବେଳକେ ନଷ୍ଟ କରିବାପାଇଁ ଇଚ୍ଛା କରିଥିଲେ । ଭାରତୀୟ ରାଜାମାନଙ୍କ ମଧ୍ୟରେ ଆଦୌ ଏକତା ନ ଥିଲା । ସେମାନେ ଆପଣା ଆପଣା ମଧ୍ୟରେ ସର୍ବଦା ଯୁଦ୍ଧ କରୁଥିଲେ । ସେତେବେଳେ ମରହଟ୍ଟା ଓ ଟିପୁ ବିଶେଷ ଶକ୍ତିଶାଳୀ ଥିଲେ । ଓଏଲେସ୍ଲି ଛଳେ ବଳେ କୌଶଳେ ସେମାନଙ୍କୁ ଆୟତ୍ତ କରିବାକୁ ଗୋଟିଏ ସୂତ୍ର ଖଞ୍ଜିଲେ । ତାହାର ନାମ ‘ସବସିଡିଏରୀ ଏଲାଏନ୍ସ’ ବା ‘ସାମନ୍ତ ସନ୍ଧି’ ବା ‘ପରସ୍ପର ସାହାଯ୍ୟ କୃତ ସନ୍ଧି’ ।

 

ସାମନ୍ତ ସନ୍ଧି – ଏହାର ସର୍ତ୍ତ ହେଉଛି, ‘ଯେଉଁ ରାଜା ଏହି ସନ୍ଧି ଗ୍ରହଣ କରିବ ସେ ଇଂରେଜମାନଙ୍କର ଆଧିପତ୍ୟ ସ୍ୱୀକାର କରିବ । ଇଂରେଜସରକାରଙ୍କ ବିନା ଅନୁମତିରେ କାହାରି ସଙ୍ଗେ ଯୁଦ୍ଧ ବା ସନ୍ଧି କରିପାରିବ ନାହିଁ । ଇଂରେଜଛଡ଼ା ଅନ୍ୟ କୌଣସି ବିଦେଶୀ ଜାତିର ଲୋକଙ୍କୁ ନିଜ ରାଜ୍ୟରେ କର୍ମଚାରୀ ରଖି ପାରିବ ନାହିଁ । ନିଜ ରାଜ୍ୟ ରକ୍ଷା ପାଇଁ ଏକଦଳ ଇଂରେଜ ସେନା ରଖିବ । ସେନାର ବ୍ୟୟ ସକାଶେ ନିର୍ଦ୍ଦିଷ୍ଟ କର ବା ରାଜ୍ୟର କେତେକାଂଶ ଦେବ ।’ ସେ ଦେଶୀୟ ରାଜ୍ୟମାନଙ୍କ, ଏହି ସନ୍ଧିରେ ଆବଦ୍ଧ କରି ସେମାନଙ୍କର ରାଜ୍ୟମାନ କରଦ ବା ସାମନ୍ତ ରାଜ୍ୟରେ ପରିଣତ କରିବାକୁ ଚେଷ୍ଟା କଲେ । ନିଜାମ ସବୁଠାରୁ ଦୁର୍ବଳ ଥିବାରୁ ପ୍ରଥମେ ଏହି ସନ୍ଧି ସ୍ୱୀକାର କଲେ (ଖ୍ରୀ: ୧୭୯୮) ।

 

ଚତୁର୍ଥ ମହୀଶୂର ଯୁଦ୍ଧ – ମହୀଶୂରର ଟିପୁସୁଲତାନ ଏହି ସନ୍ଧି ଗ୍ରହଣ କରିବାକୁ ଅସ୍ୱୀକାର କରିବାରୁ ତାଙ୍କ ସହିତ ଯୁଦ୍ଧ ହେଲା (ଖ୍ରୀ: ୧୭୯୯) । ଏହାକୁ ଚତୁର୍ଥ ମହୀଶୂର ଯୁଦ୍ଧ କହନ୍ତି । ନିଜାମ ଓ ମରହଟ୍ଟାମାନେ ଇଂରେଜଙ୍କୁ ସାହାଯ୍ୟ ଦେଲେ । ଟିପୁ ଯୁଦ୍ଧରେ ନିହତ ହେଲେ-। ମଝିରେ ଖଣ୍ଡିଏ ଅଂଶ (ଆଧୁନିକ ମହୀଶୂର ରାଜ୍ୟ) ସେ ହାଇଦରଙ୍କ ଦ୍ୱାରା ପଦଚ୍ୟୁତ ହିନ୍ଦୁରାଜାଙ୍କ ଜଣେ ବଂଶଧରକୁ ଦେଲେ । ଅବଶିଷ୍ଟ ରାଜ୍ୟ ଇଂରେଜ, ମରହଟ୍ଟା ଓ ନିଜାମ ବାଣ୍ଟି ନେଲେ ।

 

ଦ୍ୱିତୀୟ ମରହଟ୍ଟା ସମର (ଖ୍ରୀ: ୧୮୦୨–ଖ୍ରୀ: ୧୮୦୪) – ମରହଟ୍ଟାମାନଙ୍କ ମଧ୍ୟରେ ପେଶବା ଦ୍ୱିତୀୟ ବାଜିରାଓ ସବୁଠାରୁ ଦୁର୍ବଳ ଥିଲେ । ସେ ହୋଲକାରଙ୍କ ଦ୍ୱାରା ପରାସ୍ତ ଇଂରେଜମାନଙ୍କର ଶରଣାପନ୍ନ ହେଲେ ଓ ବେସିନ୍ ଠାରେ ସାମନ୍ତ ସନ୍ଧି ସ୍ୱୀକାର କଲେ । (ଖ୍ରୀ: ୧୮୦୨) । ତାଙ୍କର ଏହି ଦୁର୍ବଳତା ଦେଖି ସିନ୍ଧିଆ ଓ ହୋଲକାର ବଡ଼ ବିରକ୍ତ ହେଲେ । ତେଣୁ ପେଶବା ଏହି ସନ୍ଧି ଭଙ୍ଗ କଲେ । ତହୁଁ ଓଏଲେସ୍ଲି ପେଶବାଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କଲେ । ଏହାକୁ ଦ୍ୱିତୀୟ ମରହଟ୍ଟା ସମର କହନ୍ତି । ପେଶବାଙ୍କୁ ସିନ୍ଧିଆ ଓ ଭୋନ୍ସଲା ସାହାଯ୍ୟ ଦେଇଥିଲେ-। କିନ୍ତୁ ଅସାଇଠାରେ ସିନ୍ଧିଆଙ୍କର ଓ ଆରଗାଁଓଠାରେ ଭୋନ୍ସଲାଙ୍କର ସୈନ୍ୟମାନେ ସଂପୂର୍ଣ୍ଣରୂପେ ପରାଜିତ ହେଲେ । ସେନାପତି ଲର୍ଡ ଲେକ ଉତ୍ତରାଭାରତରେ ସିନ୍ଧିଆଙ୍କ ଦିଲ୍ଲୀ ଓ ଆଗ୍ରା ଦଖଲ କଲେ । ଭୋନ୍ସଲା ଦେବଗ୍ରାମ ସନ୍ଧିରେ (ଖ୍ରୀ: ୧୮୦୩) ଓଡ଼ିଶାରେ ମରହଟ୍ଟା ଅଧିକୃତ ସ୍ଥାନ (ପୁରୀ, କଟକ, ବାଲେଶ୍ୱର ଜିଲା) ଇଂରେଜମାନଙ୍କୁ ଦେଲେ ଓ ସାମନ୍ତ ସନ୍ଧୀ ସ୍ୱୀକାର କଲେ । ହୋଲକାର ଏପର୍ଯ୍ୟନ୍ତ ଯୁଦ୍ଧରେ ଯୋଗ ଦେଇ ନ ଥିଲେ । ଶେଷରେ ସେ ଇଂରେଜମାନଙ୍କ ସଙ୍ଗେ ଯୁଦ୍ଧ କରି ପରାସ୍ତ ହେଲେ ଓ ଭରତପୁର ଦୁର୍ଗରେ ଆଶ୍ରୟ ନେଲେ । ଗାଇକୁଆଡ ଇଂରେଜଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ । ମରହଟ୍ଟାମାନଙ୍କ ମଧ୍ୟରେ ଏକତା ନ ଥିବାରୁ ସେମାନେ ଇଂରେଜମାନଙ୍କ ଦ୍ୱାରା ପରାସ୍ତ ହେଲେ । ଏହାପରେ ଅଯୋଧ୍ୟା ଓ ଅନ୍ୟାନ୍ୟ ଛୋଟ ଛୋଟ ରାଜ୍ୟର ରାଜାମାନେ ସାମନ୍ତ ସନ୍ଧି ସ୍ୱୀକାର କଲେ । ଓଏଲେସ୍ଲି ଖ୍ରୀ: ୧୮୦୫ ରେ ଭାରତ ତ୍ୟାଗ କରି ବିଲାତ ଗଲେ । ସେତେବେଳକୁ ମରହଟ୍ଟାମାନେ ହୀନବଳ ହୋଇଯାଇଥିଲେ-। ଇଂରେଜଙ୍କ ପ୍ରଧାନ ଶତ୍ରୂ ଟିପୁସୁଲତାନ ନିହତ ହୋଇଥିଲେ । ଭାରତରେ ଇଂରେଜ ଶକ୍ତି ସୁଦୃଢ଼ ହୋଇଥିଲା । ତାଙ୍କର ଇଂରେଜ ରାଜ୍ୟ ସ୍ଥାପନ କଳ୍ପନା ପୂର୍ଣ୍ଣ ହୋଇଥିଲା ।

 

ଲର୍ଡ କର୍ଣ୍ଣଉଆଲିସ୍ – ସେ ଖ୍ରୀ: ୧୮୫୦ ରେ ଦ୍ୱିତୀୟ ଥର ପାଇଁ ଭାରତର ଶାସନକର୍ତ୍ତା ହେଲେ । ସେ ଭାରତର ଗାଜୀପୁରଠାରେ ପ୍ରାଣତ୍ୟାଗ କଲେ ।

 

ସର୍ ଜର୍ଜ ବାର୍ଲୋ – (ଖ୍ରୀ: ୧୮୦୫– ଖ୍ରୀ: ୧୮୦୭) – ଏହାଙ୍କର ଦୁଇବର୍ଷ ଶାସନ କାଳ ମଧ୍ୟରେ ବିଶେଷ କିଛି ଘଟି ନ ଥିଲା ।

 

ଲର୍ଡ ମିଣ୍ଟୋ – (ଖ୍ରୀ: ୧୮୦୭ – ଖ୍ରୀ: ୧୮୧୩) – ଲର୍ଡ ମିଣ୍ଟୋ ଜଣେ ଚତୁର ଶାସକ ଥିଲେ । କମ୍ପାନୀର ଆଦେଶମତେ ସେ ଶାନ୍ତନୀତି ଅବଲମ୍ବନ କରିଥିଲେ । ସେତେବେଳେ ନେପୋଲିୟନ ଇଉରୋପରେ ବିଶେଷ ଶକ୍ତିଶାଳୀ ଥିଲେ ଓ ଭାରତ ଆକ୍ରମଣ କରିବାକୁ ତାଙ୍କର ଇଚ୍ଛା ଥିଲା । ନେପୋଲିୟନ କାଳେ ଖାଇବାର ବାଟେ ଭାରତ ଆକ୍ରମଣ କରିବେ ସେହି ଭୟରେ ମିଣ୍ଟୋ ଖାଇବାର ଗିରିସଙ୍କଟ ନିରାପଦରେ ରଖିବାକୁ ଚେଷ୍ଟାକଲେ । ତେଣୁ ସେ ପଞ୍ଜାବର ଶିଖରାଜା ରଣଜିତ ସିଂହ, କାବୁଲର ଅମୀର ଓ ପାରସ୍ୟର ସମ୍ରାଟଙ୍କ ନିକଟକୁ ଦୂତ ପଠାଇଲେ । ପଞ୍ଜାବ ଓ ପାରସ୍ୟର ରାଜା, ଇଂରେଜମାନଙ୍କ ସହିତ ବନ୍ଧୁତା କରିଥିଲେ, କିନ୍ତୁ କାବୁଲର ଅମୀର ତାହା କଲେ ନାହିଁ ।

 

ରଣଜିତ୍ ସିଂହ – (ଖ୍ରୀ: ୧୭୮୦ – ଖ୍ରୀ: ୧୮୩୯) – ରଣଜିତ୍ ସିଂହ ନାମକ ଜଣେ ଶକ୍ତିଶାଳୀ ଶିଖ ସର୍ଦ୍ଦାର ପଞ୍ଜାବ, ସୀମାନ୍ତ ଓ କାଶ୍ମୀରର ଅଧିକାଂଶ ଅଧିକାର କରି ଗୋଟିଏ ବଡ଼ ଶିଖ ରାଜ୍ୟ ପ୍ରତିଷ୍ଠା କରିଥିଲେ । ସେ ଶିଖମାନଙ୍କୁ ପାଶ୍ଚାତ୍ୟଧରଣର ଯୁଦ୍ଧ ଶିକ୍ଷା ଦେଇଥିଲେ । ସେ ସତଲେଜ୍ ନଦୀ ପାର ହୋଇ ଅନ୍ୟ ଶିଖ ରାଜ୍ୟ ଦଖଲ କରିବାରୁ ସେଠାରେ ଶିଖ ସର୍ଦ୍ଦାରମାନେ ମିଣ୍ଟୋଙ୍କୁ ସାହାଯ୍ୟ ମାଗିଲେ । ମିଣ୍ଟୋ ରଣଜିତଙ୍କ ନିକଟକୁ ଦୂତ ପଠାଇ ତାଙ୍କ ସଙ୍ଗେ ବନ୍ଧୁତା ସ୍ଥାପନ କଲେ । ରଣଜିତ୍ ସତଲେଜ୍ ନଦୀ ପାର ହେବେ ନାହିଁ ବୋଲି ସ୍ୱୀକାର କଲେ ।

 

ଖ୍ରୀ: ୧୮୧୩ ରେ କଂପାନୀଙ୍କୁ ନୂଆ ସନନ୍ଦ ଦିଆ ହୋଇଥିଲା । ଏଥିରେ କମ୍ପାନୀଙ୍କଠାରୁ ଭାରତରେ ଏକଚାଟିଆ ବାଣିଜ୍ୟ କରିବାର ଅଧିକାର କାଢ଼ି ନିଆଗଲା ।

 

ଲର୍ଡ ହେଷ୍ଟିଙ୍ଗ୍ସ୍ – (ଖ୍ରୀ: ୧୮୧୩– ଖ୍ରୀ: ୧୮୨୩) – ଲର୍ଡ ହେଷ୍ଟିଙ୍ଗ୍ସ୍ ଇଂରେଜ ରାଜ୍ୟ ପ୍ରତିଷ୍ଠାତାମାନଙ୍କ ମଧ୍ୟରେ ଏକତମ । ତାଙ୍କ ଅମଳରେ ମରହଟ୍ଟା ଓ ପିଣ୍ଡାରିମାନଙ୍କ କ୍ଷମତା ଧ୍ୱଂସ ହୋଇଥିଲା । ଗୁର୍ଖାମାନେ ବଶୀଭୂତ ହେଲେ ।

 

ନେପାଳ ସମର (ଖ୍ରୀ: ୧୮୧୪– ଖ୍ରୀ: ୧୮୧୬) – ନେପାଲର ଅଧିବାସୀମାନଙ୍କୁ ଗୁର୍ଖା କହନ୍ତି । ମରହଟ୍ଟା ଓ ଶିଖମାନଙ୍କ ପରି ସେମାନେ ମଧ୍ୟ ଶକ୍ତିଶାଳୀ ଥିଲେ । ଗୁର୍ଖାମାନେ ନେପାଳ ନିକଟବର୍ତ୍ତୀ ଇଂରେଜ ଅଧିକୃତ ସ୍ଥାନମାନଙ୍କରେ ବିଶେଷ ଉପଦ୍ରବ କରୁଥିଲେ । ହେଷ୍ଟିଙ୍ଗ୍ସ୍ ମନା କଲେ ସୁଦ୍ଧା ସେମାନେ ମାନିଲେ ନାହିଁ, ତେଣୁ ଯୁଦ୍ଧ ହେଲା । ମେଜର ଅକ୍ଟରଲୋନି ନେପାଳର ରାଜଧାନୀ କାଠମାଣ୍ଡୁ ଆଡ଼କୁ ଯୁଦ୍ଧଯାତ୍ରା କଲେ । ତେଣୁ ନେପାଳର ରାଜା ବାଧ୍ୟ ହୋଇ ଖ୍ରୀ: ୧୮୧୬ ରେ ସଗୌଲିଠାରେ ସନ୍ଧି କଲେ । ଏହି ସନ୍ଧି ଫଳରେ ଇଂରେଜମାନେ କୁମାୟୁନ ଓ ଘରବାଲ ପ୍ରଦେଶ ପାଇଲେ । ସିମଲା, ମସୁରି, ନୈନିତାଲ ପ୍ରଭୃତି ସ୍ୱାସ୍ଥ୍ୟକର ସ୍ଥାନ ଏହି ବିଜିତ ରାଜ୍ୟରେ ଅବସ୍ଥିତ ।

 

ପିଣ୍ଡାରୀ ଯୁଦ୍ଧ (ଖ୍ରୀ: ୧୮୧୬–ଖ୍ରୀ: ୧୮୧୮) – ମଧ୍ୟ ଭାରତରେ ପିଣ୍ଡାରୀ ବୋଲି ଏକ ଦଳ ଦସ୍ୟୁ ଥିଲେ । ଆଫଗାନ, ମରହଟ୍ଟା, ଜାଠ, ପଠାଣ ପ୍ରଭୃତି ନାନାଜାତିର ଲୋକ ଏହି ଦଳରେ ଥିଲେ । ସେମାନେ ପ୍ରଥମେ ସିନ୍ଧିଆ, ହୋଲକାର ପ୍ରଭୃତ ମରହଟ୍ଟା ରାଜାମାନଙ୍କ ଅଧୀନରେ ସୈନିକ କାର୍ଯ୍ୟ କରୁଥିଲେ । କିନ୍ତୁ ମରହଟ୍ଟାମାନେ ରାଜ୍ୟହୀନ ଓ ଦୁର୍ବଳ ହୋଇଯିବାରୁ ସେମାନଙ୍କୁ ସୈନିକରୂପେ ରଖିଲେ ନାହିଁ । ତେଣୁ ଲୁଣ୍ଠନ ସେମାନଙ୍କର ପ୍ରଧାନ ବ୍ୟବସାୟ ହେଲା-। ସେମାନେ ନିଷ୍ଠୁରଭାବରେ ଲୋକମାନଙ୍କୁ ମାରିପକାଇ ଧନସମ୍ପତ୍ତି ଲୁଟି ଭାରତର ଚାରିଆଡ଼େ ଉପଦ୍ରବ କରୁଥିଲେ । ହେଷ୍ଟିଙ୍ଗ୍ସ୍ ବହୁ ସୈନ୍ୟ ପଠାଇ ଏମାନଙ୍କୁ ସଂପୂର୍ଣ୍ଣରୂପେ ପରାସ୍ତ କଲେ । ଯୁଦ୍ଧରେ ଅନେକ ପିଣ୍ଡାରୀ ନିହତ ହେଲେ । ସେମାନଙ୍କର ସର୍ଦ୍ଦାର କରିମ, ଖାଁ, ଚିଟୁ ଓ ଅମୀର ଖାଁ ପରାସ୍ତ ହୋଇ ଆତ୍ମସମର୍ପଣ କଲେ । ଅମୀର ଖାଁ ଇଂରେଜଙ୍କ ଅଧୀନତା ସ୍ୱୀକାର କରି ଟଙ୍କର ନବାବ ହେଲେ । ପଳାଇବାବେଳେ ଚିଟୁଙ୍କୁ ବାଘ ଖାଇଗଲା । କରିମ ଖାଁ ଇଂରେଜଙ୍କ ଅଧୀନ ହେଲେ । ପିଣ୍ଡାରୀ ଦଳ ଭାଙ୍ଗିଗଲା ଓ ସେମାନେ ଦସ୍ୟୁବୃତ୍ତ ଛାଡ଼ି କୃଷିକାର୍ଯ୍ୟ କଲେ । ଦେଶରେ ଶାନ୍ତି ସ୍ଥାପିତ ହେଲା ।

 

ତୃତୀୟ ମରହଟ୍ଟା ସମର ( ଖ୍ରୀ: ୧୮୧୭– ଖ୍ରୀ: ୧୮୧୮) – ପେଶବା ଇଂରେଜମାନଙ୍କର ଅଧୀନରେ ରହିବାପାଇଁ ଆଦୌ ଇଚ୍ଛା କରୁ ନ ଥିଲେ । ତେଣୁ ସେ ପୂର୍ବ ସନ୍ଧି ଅନୁସାରେ ବାଧ୍ୟ ନ ରହି ଯୁଦ୍ଧ ଘୋଷଣା କଲେ । ତାହାପରେ ଭୋନ୍ସ୍ଳା ଓ ହୋଲକାର ମଧ୍ୟ ଯୁଦ୍ଧ ଘୋଷଣା କଲେ । ଭୋନ୍ସ୍ଳା ସୀତାବାଲ୍ଦି ଓ ନାଗପୁରଠାରେ ଏବଂ ହୋଲକାର ମେହିଦପୁରଠାରେ ସଂପୂର୍ଣ୍ଣରୂପେ ପରାସ୍ତ ହେଲେ । ପେଶବା ସିଂହାସନରୁ ବିତାଡ଼ିତ ହେଲେ । ତାଙ୍କ ରାଜ୍ୟରୁ ଖଣ୍ଡିଏ ଶିବାଜୀଙ୍କ ଜଣେ ବଂଶଧରଙ୍କୁ ଦିଆଗଲା ଓ ସେ ସତାରାର ରାଜା ହେଲେ । ପେଶବାଙ୍କ ସମଗ୍ର ରାଜ୍ୟ ବମ୍ବେ ପ୍ରଦେଶରେ ମିଶାଇ ଦିଆଗଲା । ପେଶବା ବର୍ଷକୁ ଲକ୍ଷ ଟଙ୍କା ପେନସନ୍ ସ୍ୱରୂପ ପାଇଲେ । ହୋଲକାର ଇଂରେଜମାନଙ୍କର କରଦରାଜା ହେଲେ । ଭୋନ୍ସ୍ଳାଙ୍କ ସମସ୍ତ ରାଜ୍ୟ ଇଂରେଜମାନେ ଅଧିକାର କଲେ । ଯେଉଁ ମରହଟ୍ଟାମାନେ ପ୍ରାୟ ଏକ ଶତାବ୍ଦୀକାଳ ଭାରତରେ ସବୁଠାରୁ ଶକ୍ତିଶାଳୀ ହୋଇଥିଲେ, ସେମାନଙ୍କର ସମସ୍ତ କ୍ଷମତା ଏହି ଯୁଦ୍ଧରେ ଚୂର୍ଣ୍ଣ ହୋଇଗଲା । ମରହଟ୍ଟା ରାଜ୍ୟ ଧ୍ୱଂସ ହେଲା । ଉଏଲେସ୍ଲି ଯେଉଁ କାର୍ଯ୍ୟ ଆରମ୍ଭ କରିଥିଲେ, ଲର୍ଡ ହେଷ୍ଟିଙ୍ଗ୍ସ୍ ତାହା ସଂପୂର୍ଣ୍ଣ କରିଥିଲେ ।

 

ଲର୍ଡ ଆମହର୍ଷ୍ଟ ( ଖ୍ରୀ: ୧୮୨୩– ଖ୍ରୀ: ୧୮୨୮) – ତାଙ୍କ ଶାସନ କାଳରେ ପ୍ରଥମ ବ୍ରହ୍ମ ସମର ହୋଇଥିଲା । ବ୍ରହ୍ମଦେଶର ଲୋକମାନେ ଆସାମ, ମଣିପୁର ଅତିକ୍ରମ କରି ବଙ୍ଗଦେଶରେ ଉପଦ୍ରବ କରିବାରୁ ଏହି ଯୁଦ୍ଧ ହେଲା । ଏକ ଦଳ ଇଂରେଜ ସୈନ୍ୟ ରେଙ୍ଗୁନ ଅଧିକାର କରିବାରୁ ବ୍ରହ୍ମଦେଶର ରାଜା ସନ୍ଧି କଲେ । ସନ୍ଧିରେ ଇଂରେଜମାନେ ଆସାମ, ଆରାକାନ, ଟେନାସରିମ ଓ ଏକକୋଟି ଟଙ୍କା କ୍ଷତିପୂରଣ ପାଇଲେ ।

 

ସେ କାଳର ଅଜେୟ ଓ ଅଭେଦ୍ୟ ବୋଲି ବିବେଚିତ ଭରତପୁର ଦୁର୍ଗକୁ ଖ୍ରୀ: ୧୮୨୬ ରେ ଇଂରେଜମାନେ ଅଧିକାର କରିଥିଲେ । ସିମଳା ତାଙ୍କ ସମୟରେ ବଡଲାଟଙ୍କ ଗ୍ରୀଷ୍ମନିବାସ ହେଲା ।

Image

 

ଊନବିଂଶ ଅଧ୍ୟାୟ

 

ଲର୍ଡ ଉଇଲିୟମ ବେଣ୍ଟିକ୍ ( ଖ୍ରୀ: ୧୮୨୮ – ଖ୍ରୀ: ୧୮୩୫ ) – ଭାରତର ଗଭର୍ଣ୍ଣର ଜେନେରଲମାନଙ୍କ ମଧ୍ୟରେ ବେଣ୍ଟିକ୍ ତାଙ୍କର ବହୁକିଛି ଲୋକହିତକର କାର୍ଯ୍ୟ ଓ ସଂସ୍କାର ଯୋଗୁଁ ବିଶେଷ ଖ୍ୟାତି ଅର୍ଜନ କରିଅଛନ୍ତି । ତାଙ୍କ ସମୟକୁ ବ୍ରିଟିଶମାନଙ୍କର କ୍ଷମତା ଭାରତର ଚତୁର୍ଦ୍ଦିଗରେ ବ୍ୟାପି ଯାଇଥିଲା; ତେଣୁ ସେ ଯୁଦ୍ଧ ବା ରାଜ୍ୟ ଜୟ କରିବାକୁ ମନ ନ ବଳାଇ ଲୋକହିତକର କାର୍ଯ୍ୟମାନ କରିଥିଲେ ।

 

Image

(ଲର୍ଡ ଉଇଲିୟମ ବେଣ୍ଟିକ୍)

 

ସତୀଦାହ ନିବାରଣ – ହିନ୍ଦୁମାନଙ୍କ ମଧ୍ୟରେ ସତୀଦାହ ନାମକ ନିଷ୍ଠୁର ପ୍ରଥା ବହୁକାଳରୁ ପ୍ରଚଳିତ ଥିଲା । ଅର୍ଥାତ୍ ସ୍ୱାମୀ ମରିଗଲେ ତାର ବିଧବା ସ୍ତ୍ରୀ ସ୍ୱାମୀର ଚିତାରେ ପଡ଼ି ଆତ୍ମହତ୍ୟା କରୁଥିଲା । ଏପରି କରିବା ଧର୍ମ କାର୍ଯ୍ୟ ବୋଲି ହିନ୍ଦୁମାନଙ୍କର ବିଶ୍ୱାସ ଥିଲା । ପ୍ରତି ବର୍ଷ ସହସ୍ର ସହସ୍ର ହିନ୍ଦୁବିଧବା ଏହିପରି କରୁଣ ଭାବରେ ଆତ୍ମହତ୍ୟା କରୁଥିଲେ । ବେଣ୍ଟିକ୍ ଏହି ନିଷ୍ଠୁର ପ୍ରଥା ଖୁବ୍ ସାହସ ଓ ଦମ୍ଭର ସହିତ ଉଠାଇ ଦେଇଥିଲେ । ସେ ବ୍ରାହ୍ମଧର୍ମ ପ୍ରତିଷ୍ଠାତା ରାମମୋହନ ରାୟଙ୍କ ଠାରୁ ଏ ବିଷୟରେ ଉପଦେଶ ଗ୍ରହଣ କରିଥିଲେ । ସେ ଖ୍ରୀ: ୧୮୨୯ ରେ ଏହା ବିରୁଦ୍ଧରେ ଗୋଟିଏ କଡ଼ା ଆଇନ ଚଳାଇ କଠିନ ଶାସ୍ତିର ବ୍ୟବସ୍ଥା କରିବାରୁ ଏହା ଲୋପ ପାଇଲା-

 

ଠଗ ଦମନ – ସେକାଳରେ ଠଗ ବୋଲି ଗୋଟିଏ ଡକାୟତ ଦଳ ଥିଲେ । ସେମାନେ ଭାରତର ଚାରିଆଡ଼େ ବୁଲି ଉତ୍ପାତ କରୁଥିଲେ । ଚଦ୍ମବେଶରେ ବାଟୋଇମାନଙ୍କ ସଙ୍ଗେ ମିଶି ସେମାନଙ୍କୁ ଭୁଲାଇ ଜଙ୍ଗଲ ଭିତରକୁ ନେଇ ଯାଉଥିଲେ । ଜଙ୍ଗଲରେ ସେମାନଙ୍କ ତଣ୍ଟି କାଟି ସର୍ବସ୍ୱ ଅପହରଣ କରୁଥିଲେ । ବେଣ୍ଟିକ୍ ଚାରିଆଡ଼େ ଲୋକ ପଠାଇ ସେମାନଙ୍କୁ ଧଇଲେ । ଅନେକ ବନ୍ଦୀ ହେଲେ ଓ ଅନେକ ପାଶୀ ପାଇଲେ ।

 

ଓଡ଼ିଶାର ଗଡ଼ଜାତମାନଙ୍କରେ କନ୍ଧମାନେ ହଳଦୀ କିଆରୀରେ ଲୋକମାନଙ୍କୁ ବଳିଦେଉଥିଲେ । ସେମାନେ ବେଶୀ ଫସଲ ପାଇବା ଆଶାରେ ଏପରି କରୁଥିଲେ । ବେଣ୍ଟିକ୍ ଏହି ପ୍ରଥା ଉଠାଇ ଦେଇଥିଲେ । ପଞ୍ଜାବ ଓ ରାଜପୁତନା ଅଞ୍ଚଳରେ କେତେକ ଲୋକ ଝିଅ ଜନ୍ମ ହେବା ସଙ୍ଗେ ସଙ୍ଗେ ମାରିପକାଉଥିଲେ ବା ନଈରେ ଫୋପାଡ଼ି ଦେଉଥିଲେ । ଏହି ନିଷ୍ଠୁର ପ୍ରଥା ମଧ୍ୟ ସେ ବନ୍ଦ କରିଥିଲେ ।

 

ବହୁ ଆଲୋଚନା ପରେ ବେଣ୍ଟିକ୍ ଭାରତରେ ସର୍ବପ୍ରଥମେ ଇଂରେଜିଶିକ୍ଷା ପ୍ରଚଳନ କରିଥିଲେ । ତାଙ୍କର ଏହି କାର୍ଯ୍ୟଦ୍ୱାରା ଭାରତରେ ନବଯୁଗ ଆରମ୍ଭ ହେଲା, ଏ ଦେଶରେ ଜ୍ଞାନର ପ୍ରସାର ହେଲା । ତାଙ୍କ ପୂର୍ବରୁ କଚେରୀମାନଙ୍କରେ ପାର୍ସି ଭାଷା ଚଳୁଥିଲା । ବେଣ୍ଟିକଙ୍କ ଆଦେଶ ଅନୁସାରେ ଏହା ଉଠାଇ ଦିଆଯାଇ କଚେରୀମାନଙ୍କରେ ପ୍ରାଦେଶିକ ଭାଷାମାନ ପ୍ରଚଳିତ ହେଲା । ଏହାଦ୍ୱାରା ଲୋକମାନଙ୍କର ବିଶେଷ ସୁବିଧା ହେଲା । ତାଙ୍କ ପୂର୍ବରୁ ଭାରତବାସୀମାନେ ବଡ଼ ରାଜକାର୍ଯ୍ୟ ପାଉ ନ ଥିଲେ । କିନ୍ତୁ ବେଣ୍ଟିକଙ୍କ ସମୟରୁ ଭାରତୀୟମାନଙ୍କର ଯୋଗ୍ୟତା ବିବେଚନା କରି ବଡ଼ ରାଜକାର୍ଯ୍ୟମାନ ଦିଆଗଲା ।

 

କାଚାରର ରାଜା ନିଃସନ୍ତାନ ହୋଇ ମରିଗଲେ । କୁର୍ଗ ଓ ମହୀଶୂରର ରାଜାମାନେ ପ୍ରଜାମାନଙ୍କ ଉପରେ ବିଶେଷ ଅତ୍ୟାଚାର କରୁଥିଲେ । ତେଣୁ ବେଣ୍ଟିକ୍ କାଚାର, କୁର୍ଗ ଓ ମହୀଶୂରକୁ ବ୍ରିଟିଶରାଜ୍ୟରେ ମିଶାଇଦେଲେ ।

 

୧୮୩୩ ସାଲରେ କମ୍ପାନୀକୁ ଗୋଟିଏ ନୂଆ ସନନ୍ଦ ଦିଆଗଲା । ଏଥିରେ କଂପାନୀର ବାଣିଜ୍ୟ କରିବା କ୍ଷମତା ରହିତ ହେଲା ଓ ଗଭର୍ଣ୍ଣର ଜେନେରାଲଙ୍କ ସଭାରେ ଜଣେ ଆଇନ-ମନ୍ତ୍ରୀ ରହିଲେ ।

 

ବେଣ୍ଟିକ୍ ସିନ୍ଧୁର ଅମୀର ଓ ରଣଜିତ୍ ସିଂହଙ୍କ ସହିତ ‘ବାଣିଜ୍ୟ ସନ୍ଧି’ କରିଥିଲେ । ଏହାଦ୍ୱାରା ଇଂରେଜମାନ ସିନ୍ଧୁ, ପଞ୍ଜାବ ଓ ସୀମାନ୍ତ ଅଞ୍ଚଳରେ ବାଣିଜ୍ୟ କ୍ଷମତା ପାଇଲେ ।

 

ସର୍ ଚାର୍ଲସ୍ ମେଟ୍ କାଫ୍ ( ଖ୍ରୀ: ୧୮୩୫ – ଖ୍ରୀ: ୧୮୩୬ ) – ତାଙ୍କର ଦୁଇବର୍ଷ ଶାସନ କାଳ ମଧ୍ୟରେ ବିଶେଷ କିଛି ଘଟିନଥିଲା । ସେ ଭାରତ ବର୍ଷର ଖବରକାଗଜ ଓ ଛାପାଖାନାମାନଙ୍କୁ କେତେକ ସ୍ୱାଧୀନତା ଦେଇଥିଲେ । କିନ୍ତୁ ବିଲାତରେ ତାଙ୍କ କାର୍ଯ୍ୟକୁ ପସନ୍ଦ ନ କରିବାରୁ ସେ ଇସ୍ତଫା ଦେଇଥିଲେ ।

 

ଲର୍ଡ ଅକ୍‌ଲାଣ୍ଡ (ଖ୍ରୀ: ୧୮୩୭ – ଖ୍ରୀ: ୧୮୪୨) – ମେଟ୍ କାଫଙ୍କ ପରେ ଅକ୍ଲାଣ୍ଡ ଭାରତର ଗଭର୍ଣ୍ଣର ଜେନେରଲ ହେଲେ । ତାଙ୍କ ସମୟରେ ଋଷୀୟମାନେ ବିଶେଷ କ୍ଷମତାଶାଳୀ ହୋଇ ଆଫଗାନିସ୍ଥାନ ପର୍ଯ୍ୟନ୍ତ ଅଧିକାର କରିଥିଲେ । ଇଉରୋପରେ ଋଷୀୟ ଓ ଇଂରେଜମାନଙ୍କ ମଧ୍ୟରେ ବିବାଦ ଲାଗିଥିଲା । ସେମାନେ ଆଫଗାନିସ୍ଥାନ ବାଟେ ଭାରତ ଆକ୍ରମଣ କରିବେ ବୋଲି ଇଂରେଜମାନ ଭୟ କରୁଥିଲେ । ତେଣୁ ସେ ଆଫଗାନିସ୍ଥାନର ଅମୀରଙ୍କ ସହିତ ବନ୍ଧୁତା ରଖିବାକୁ ଚେଷ୍ଟା କଲେ ।

 

ପ୍ରଥମ ଆଫଗାନ ସମର – ପ୍ରଥମେ ଅହମ୍ମଦ ସାହ ଦୁରାଣୀଙ୍କ ବଂଶଧର ସାହସୁଜା କାବୁଲର ଅମୀର ଥିଲେ । ଦୋସ୍ତ ମହମ୍ମଦ ନାମକ ଆଉ ଜଣେ ଲୋକ ତାଙ୍କୁ ତଡ଼ିଦେଇ କାବୁଲର ଅମୀର ହେଲେ । ଅକ୍‌ଲାଣ୍ଡ୍‌ଋଷୀୟମାନଙ୍କ ବିରୁଦ୍ଧରେ ଦୋସ୍ତଙ୍କ ସହିତ ଗୋଟିଏ ସନ୍ଧି ପ୍ରସ୍ତାବକଲେ । କିନ୍ତୁ ସେ ଏଥିରେ ଅସମ୍ମତ ହେବାରୁ ଆକ୍‌ଲାଣ୍ଡ୍‌ଯୁଦ୍ଧ ଘୋଷଣା କଲେ (ଖ୍ରୀ: ୧୮୩୭) । ଇଂରେଜ ସୈନ୍ୟ କାନ୍ଦାହାର, ଗଜନୀ ଓ କାବୁଲ ଅଧିକାର କାଲେ । ଦୋସ୍ତ ବନ୍ଦୀ ହେଲେ ଓ ସାହସୁଜା ଅମୀର ହେଲେ; କିନ୍ତୁ କିଛିକାଳ ପରେ ଆଫଗାନମାନେ ବିଦ୍ରୋହୀ ହୋଇ କାବୁଲରେ ଥିବା ଇଂରେଜ ପ୍ରତିନିଧି ଓ ସାହସୁଜାଙ୍କୁ ମାରିପକାଇଲେ । ଏହି ଯୁଦ୍ଧରେ ଇଂରେଜମାନେ ପରାସ୍ତ ହେଲେ ଓ ସେମାନଙ୍କର ବହୁତ କ୍ଷତି ହୋଇଥିଲା । ଦୋସ୍ତ ଅହମ୍ମଦ ପୁଣି ଅମୀର ହେଲେ (ଖ୍ରୀ: ୧୮୪୨) । ସେ ଇଂରେଜମାନଙ୍କର ଶତ୍ରୁ ହୋଇ ରହିଲେ ।

 

ଲର୍ଡ ଏଲେନବରୋ (ଖ୍ରୀ:୧୮୪୨ – ଖ୍ରୀ: ୧୮୪୪) – ସିନ୍ଧୁସମର-ଲର୍ଡ ଏଲେନ୍‌ବରୋ ସିନ୍ଧୁପ୍ରଦେଶକୁ ଅଧିକାର କରିବାପାଇଁ ସୁଯୋଗ ଖୋଜୁଥିଲେ । ସେତେବେଳେ ସିନ୍ଧୁପ୍ରଦେଶ ଅମୀର ବା ମୀରମାନଙ୍କ ଦ୍ୱାରା ଶାସିତ ହେଉଥିଲା । ଇଂରେଜ ଦୂତ ସର ଚାର୍ଲସ ନେପୀୟରଙ୍କ ଉଦ୍ଧତ ବ୍ୟବହାରରେ ମୀରମାନେ ଉତ୍ତ୍ୟକ୍ତ ହୋଇ ଯୁଦ୍ଧ କରିଥିଲେ । କିନ୍ତୁ ସେମାନେ ପରାସ୍ତ ହେଲେ ଓ ସିନ୍ଧୁ ବମ୍ୱେପ୍ରଦେଶର ଅନ୍ତର୍ଭୁକ୍ତ ହେଲା ।

 

ଗୋୟାଲିୟର ଯୁଦ୍ଧରେ ଇଂରେଜମାନେ ଜୟଲାଭ କରିବାରୁ ସିନ୍ଧିଆ ଇଂରେଜମାନଙ୍କର କରଦ ରାଜା ହେଲେ।

 

ଲର୍ଡ ହାର୍ଡିଞ୍ଜ (ଖ୍ରୀ:୧୮୪୪–ଖ୍ରୀ:୧୮୪୮) – ପ୍ରଥମ ଶିଖ-ସମର-ଏହା ହାର୍ଡିଞ୍ଜଙ୍କ ସମୟର ପ୍ରଧାନ ଘଟଣା । ପୂର୍ବେ ତୁମ୍ଭେମାନେ ଶିଖ ଜାତି ଓ ରଣଜିତଙ୍କ ସମ୍ୱନ୍ଧରେ ପଢ଼ିଅଛ । ରଣଜିତ ସିଂହ ଖୁବ ବୀର ଓ ସାହାସୀ ଥିଲେ । ସେ ଥିବା ପର୍ଯ୍ୟନ୍ତ ସମଗ୍ର ଶିଖ ଶକ୍ତିକୁ ଆୟତ୍ତ କରି ରଖିଥିଲେ । କିନ୍ତୁ ସେ ଖ୍ରୀ: ୧୮୩୯ରେ ମରିଯିବାରୁ ଶିଖମାନେ ଉଦ୍ଧତ ଓ ଉଚ୍ଛୃଙ୍ଖଳ ହୋଇ ପଡ଼ିଲେ । ତାଙ୍କର ପୁଅମାନଙ୍କ ମଧ୍ୟରେ କଳହ ଲାଗିଲା । କିଛିକାଳ ପରେ ରଣଜିତସିଂହଙ୍କର ଗୋଟିଏ ରକ୍ଷିତା ସ୍ତ୍ରୀର ପୁତ୍ର ଦିଲ୍ଲୀପସିଂହ ପଞ୍ଜାବର ରାଜା ହେଲେ । ଶିଖସୈନ୍ୟମାନେ ଦିଲ୍ଲୀପଙ୍କୁ ମାନିଲେ ନାହିଁ ଓ ଶତଦ୍ରୂ ପାରିହୋଇ ଇଂରେଜରାଜ୍ୟ ଆକ୍ରମଣ କଲେ । ଇଂରେଜମାନେ ମଧ୍ୟ ଶିଖମାନଙ୍କ ସଙ୍ଗେ ଯୁଦ୍ଧ କରି ପଞ୍ଜାବ ଅଧିକାର କରିବାକୁ ଚେଷ୍ଟା କରୁଥିଲେ । ତେଣୁ ଯୁଦ୍ଧ ହେଲା (ଖ୍ରୀ: ୧୮୪୫–ଖ୍ରୀ:୧୮୪୬) । ଏହି ଯୁଦ୍ଧକୁ ପ୍ରଥମ ଶିଖସମର କହନ୍ତି । ମୁଦକି, ଫେରୋଜସାହ, ଆଲିବାଲ ଓ ସୋବ୍ରାଓନ୍‌ନାମକ ଚାରୋଟି ସ୍ଥାନରେ ଶିଖମାନେ ଖୁବ୍‌ସାହସ ଓ ବୀରତ୍ୱ ସହିତ ଯୁଦ୍ଧ କରି ଶେଷରେ ପରାସ୍ତ ହୋଇ ଲାହୋରଠାରେ ସନ୍ଧି କଲେ (ଖ୍ରୀ:୧୮୪୬) । ସନ୍ଧିରେ ଇଂରେଜମାନେ ଜଳନ୍ଧର, ଦୋଆବ (ଶତଦ୍ରୁ ଓ ବିପାସାନଦୀ ମଧ୍ୟବର୍ତ୍ତୀ ଅଞ୍ଚଳ) ଓ ଯୁଦ୍ଧବ୍ୟୟ ସକାଶେ କାଶ୍ମୀର ରାଜ୍ୟ ପାଇଲେ । ଇଂରେଜମାନେ କାଶ୍ମୀରକୁ ଏକକୋଟି ଟଙ୍କାରେ ଗୋଲାପସିଂହ ନାମକ ଜଣେ ହିନ୍ଦୁ ସର୍ଦ୍ଦାରଙ୍କୁ ବିକିଦେଲେ । ଦିଲ୍ଲୀପସିଂହ ରାଜା ହେଲେ । ଜଣେ ଇଂରେଜ କର୍ମଚାରୀ ତାଙ୍କ ଦରବାରରେ ରହିଲେ । ଶିଖ ସୈନ୍ୟମାନଙ୍କ ସଂଖ୍ୟା କମାଇ ଦିଆଗଲା ଓ ଲାହୋରରେ ଏକଦଳ ଇଂରେଜ ସୈନ୍ୟ ରଖାଯାଇଥିଲା ।

 

ଲର୍ଡ ଡେଲହାଉସୀ (ଖ୍ରୀ:୧୮୪୮–ଖ୍ରୀ:୧୮୫୬) – ଲର୍ଡ ଡେଲହାଉସୀ ଜଣେ ବିଚକ୍ଷଣ ଶାସକ ଥିଲେ । ସେ ଆସିବାର ଠିକ୍‌ଛଅମାସ ମଧ୍ୟରେ ଦ୍ୱିତୀୟ ଶିଖସମର ଆରମ୍ଭ ହେଲା ।

 

ଦ୍ୱିତୀୟ ଶିଖସମର (ଖ୍ରୀ: ୧୮୪୮–ଖ୍ରୀ: ୧୮୪୯) – ଦିଲ୍ଲୀପ ମୁଲତାନରେ ମୁଲରାଜ ନାମକ ଜଣେ ଶିଖ ଶାସନକର୍ତ୍ତା ରଖିଥିଲେ । ତାଙ୍କୁ ଇଂରେଜମାନେ ହିସାବ ମାଗିଲେ, କିନ୍ତୁ ସେ ଦେଲେ ନାହିଁ । ତେଣୁ ଦୁଇଜଣ ଇଂରେଜ କର୍ମଚାରୀ ତାଙ୍କଠାରୁ କାର୍ଯ୍ୟଭାର ନେବାକୁ ଗଲେ । ମୁଲରାଜ ବିଦ୍ରୋହୀ ହୋଇ ସେହି ଦୁଇଜଣ ଇଂରେଜ କର୍ମଚାରୀଙ୍କୁ ମାରିଦେଲେ । ପୁଣି ଭୀଷଣ ଯୁଦ୍ଧ ହେଲା । ଶିଖ ସେନାପତି ସେର୍‌ସିଂହ ବିଦ୍ରୋହୀ ଶିଖମାନଙ୍କ ସହିତ ଯୋଗଦେଲେ । ଶିଖମାନେ ଚିଲିୟାନବାଲା ଓ ଗୁଜୁରାଟ ନାମକ ଦୁଇଟି ସ୍ଥାନରେ ପ୍ରାଣପଣେ ଯୁଦ୍ଧ କରି ଶେଷରେ ପରାସ୍ତ ହେଲେ । ଖ୍ରୀ: ୧୮୪୯ରେ ପଞ୍ଜାବ ପ୍ରଦେଶ ଇଂରେଜ ରାଜ୍ୟଭୁକ୍ତ ହେଲା । ଦିଲ୍ଲୀପ ବାର୍ଷିକ ୫ଲକ୍ଷ ଟଙ୍କା ବୃତ୍ତି ପାଇ ବିଲାତକୁ ପଠାହେଲେ । ସେଠାରେ ସେ ଆଜୀବନ ରହିଥିଲେ । ଶିଖ ସୈନ୍ୟମାନଙ୍କର ସଂଖ୍ୟା ଏକାବେଳକେ କମାଇ ଦିଆଗଲା ।

 

ଦ୍ୱିତୀୟ ବ୍ରହ୍ମସମର (ଖ୍ରୀ: ୧୮୫୨) – ବ୍ରହ୍ମରାଜ ରେଙ୍ଗୁନର ଇଂରେଜ ବଣିକମାନଙ୍କ ଉପରେ ଅତ୍ୟାଚାର କରିବାକୁ ଦ୍ୱିତୀୟ ବ୍ରହ୍ମ ସମର ହୋଇଥିଲା । ଇଂରେଜମାନେ ରେଙ୍ଗୁନ ଦଖଲ କରିବାରୁ ବ୍ରହ୍ମରାଜ ସେମାନଙ୍କୁ ପେଗୁ ପ୍ରଦେଶ ଦେଲେ ।

 

Image

(ଲର୍ଡ ଡେଲହାଉସୀ)

 

ରାଜ୍ୟ ବିସ୍ତାର – ଡେଲହାଉସ ମନେ କରିଥିଲେ ଯେ ଦେଶୀୟ ରାଜାମାନଙ୍କର ଶାସନ ଅପେକ୍ଷା ଇଂରେଜଶାସନ ଭାରତୀୟମାନଙ୍କ ପକ୍ଷେ ଅଧିକ ହିତକର । ତେଣୁ ସେ ସାମାନ୍ୟ ସୁଯୋଗ ପାଇଲେ ଦେଶୀୟ ରାଜ୍ୟମାନ ଇଂରେଜ ଶାସନାଧୀନ କରିବାକୁ ଚେଷ୍ଟା କଲେ-। ଏଥିପାଇଁ ସେ ‘ରାଜ୍ୟସ୍ୱତ୍ୱଲୋପ ନୀତି’ ପ୍ରୟୋଗ କରିଥିଲେ ।

 

ରାଜ୍ୟସ୍ୱତ୍ୱଲୋପ ନୀତି – ଆମ୍ଭ ଦେଶରେ ବହୁ ପ୍ରାଚୀନ କାଳରୁ ପୋଷ୍ୟପୁତ୍ର ଗ୍ରହଣ ପ୍ରଥା ଚଳିଆସୁଅଛି । ପୋଷ୍ୟପୁତ୍ର ପାଳକ ପିତାର ମୃତ୍ୟୁ ପରେ ତାଙ୍କର ସ୍ଥାବର ଅସ୍ଥାବର ସମସ୍ତ ସମ୍ପତ୍ତିର ମାଲିକ ହୁଏ । ରାଜପରିବାରରେ ମଧ୍ୟ ପୋଷ୍ୟପୁତ୍ର ଗ୍ରହଣ ପ୍ରଥା ଚଳେ । କିନ୍ତୁ ଡେଲହାଉସୀ ଦେଶୀୟ ରାଜାମାନଙ୍କର ପୋଷ୍ୟପୁତ୍ର ଗ୍ରହଣ ପ୍ରଥା ମଞ୍ଜୁର କଲେ ନାହିଁ । କୌଣସି ରାଜା ଅପୁତ୍ରକ ହୋଇ ମଲେ ତାଙ୍କର ପୋଷ୍ୟ ପୁତ୍ରକୁ ରାଜ୍ୟ, ସମ୍ପତ୍ତି ବା ବୃତ୍ତି ଦେଲେ ନାହିଁ । ଏହାଦ୍ୱାରା ରାଜପରିବାରର ପୋଷ୍ୟପୁତ୍ରମାନଙ୍କର ରାଜ୍ୟରେ ସ୍ୱତ୍ୱ ବା ଅଧିକାର ଲୋପ ହେଲା । ତେଣୁ ଏହି ନୀତିକୁ ରାଜ୍ୟସ୍ୱତ୍ୱଲୋପ ନୀତି କହନ୍ତି । ଏହି ନୀତି ଅନୁସାରେ ସତାରା, ଝାନ୍‌ସି, ନାଗପୁର, ସମ୍ୱଲପୁର ପ୍ରଭୃତି କେତେକ ରାଜ୍ୟ ଇଂରେଜ ଅଧିକୃତ ହେଲା । ସେ ତାଞ୍ଜୋରର ରାଜା, କର୍ଣ୍ଣାଟର ନବାବ ପ୍ରଭୃତିଙ୍କ ବୃତ୍ତି କାଟିଦେଇ ସେମାନଙ୍କ ରାଜ୍ୟ ଅଧିକାର କଲେ । ପେଶବା ବାଜିରା ଓ ମରିଯିବାରୁ ତାଙ୍କ ପୋଷ୍ୟପୁତ୍ର ନାନାସାହେବଙ୍କୁ ବୃତ୍ତି ଦିଆଗଲା ନାହିଁ ।

 

ଅଯୋଧ୍ୟାର ନବାବ ଭଲରୂପେ ଶାସନ ନ କରିବାରୁ ଡେଲହାଉସୀ ଖ୍ରୀ: ୧୮୫୬ରେ ତାଙ୍କୁ ରାଜ୍ୟଚ୍ୟୁତ କରି ତାଙ୍କ ରାଜ୍ୟ ଅଧିକାର କଲେ । ହାଇଦ୍ରାବାଦର ନିଜାମ ଇଂରେଜ ସେନାର ଖର୍ଚ୍ଚ ରୀତିମତ ଯୋଗାଇ ନ ପାରିବାରୁ ଇଂରେଜମାନଙ୍କୁ ବେରାର ପ୍ରଦେଶ ଦେଇଦେଲେ (ଖ୍ରୀ:୧୮୫୦) । ଓଡ଼ିଶାର ଅନୁଗୁଳ ମଧ୍ୟ ଏହାଙ୍କ ସମୟରେ ଖାସ ହେଲା । ତାଙ୍କର ଏହି ରାଜସ୍ୱତ୍ୱଲୋପ ନୀତି ସିପାହୀ ବିଦ୍ରୋହର ପ୍ରଧାନ କାରଣ ହେଲା ।

 

ଲୋକହିତକର କାର୍ଯ୍ୟାବଳୀ – ସେ ତାଙ୍କର ଲୋକହିତକର କାର୍ଯ୍ୟ ଯୋଗୁଁ ବିଶେଷ ଖ୍ୟାତି ଲାଭ କରିଥିଲେ। ତାଙ୍କ ସମୟରେ ପ୍ରଥମେ ରେଲପଥ ଓ ଟେଲିଗ୍ରାଫ ନିର୍ମିତ ହୋଇଥିଲା । ଡାକଘରମାନ ବସାଇବା ଦ୍ୱାରା ଲୋକମାନେ ସହଜରେ ଚିଠିପତ୍ର ଦୂରଦେଶକୁ ପଠାଇପାରିଲେ । ସେ ରାସ୍ତା, ଘାଟ, ପୋଲ ଇତ୍ୟାଦିର ନିର୍ମାଣ ଓ ମରାମତି ପାଇଁ ପୂର୍ତ୍ତ ବିଭାଗ (P.W.D)ର ସୃଷ୍ଟି କରିଥିଲେ । ଗଙ୍ଗା ଓ ସିନ୍ଧୁନଦୀରେ କେତେକ କେନାଲ ମଧ୍ୟ ଖୋଳା ହୋଇଥିଲା । ସେ ଭାରତରେ ଉଚ୍ଚଶିକ୍ଷାର ପ୍ରବର୍ତ୍ତକ । ତାଙ୍କ ସମୟରେ କଲିକତା, ବମ୍ୱେ ଓ ମାନ୍ଦ୍ରାଜରେ ତିନୋଟି ‘ଇଉନିଭରସିଟି’ ବା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠିତ ହୋଇଥିଲା । ସ୍କୁଲ ଓ କଲେଜମାନ ରାଜ୍ୟର ନାନାସ୍ଥାନରେ ସ୍ଥାପିତ ହୋଇଥିଲା । ସେ ସ୍ତ୍ରୀ ଶିକ୍ଷାର ଉନ୍ନତି ପାଇଁ ମଧ୍ୟ ଦୃଷ୍ଟି ଦେଇଥିଲେ । ତାଙ୍କ ସଭାର ଆଇନ ମନ୍ତ୍ରୀ ବେଥୁନସାହେବ ବାଳିକା ଶିକ୍ଷାପାଇଁ କଲିକତାରେ ବେଥୁନ କଲେଜ ବସାଇଥିଲେ । ତାଙ୍କର ଏହି ସମସ୍ତ କାର୍ଯ୍ୟକଳାପକୁ ସେତେବେଳେ ଲୋକେ ସନ୍ଦେହ କରିଥିଲେ ସତ୍ୟ, କିନ୍ତୁ ଏହାଦ୍ୱାରା ପରବର୍ତ୍ତୀ କାଳରେ ଭାରତର ବିଶେଷ ଉନ୍ନତି ହୋଇଥିଲା । ତେଣୁ ତାଙ୍କୁ ନବଯୁଗର ପ୍ରବର୍ତ୍ତକ କୁହାଯାଇପାରେ । ସେ ୧୮୫୬ ଖ୍ରୀଷ୍ଟାବ୍ଦରେ ଭାରତ ଛାଡ଼ି ବିଲାତ ଚାଲିଗଲେ ।

 

ଲର୍ଡ କ୍ୟାନିଂ (ଖ୍ରୀ: ୧୮୫୬–ଖ୍ରୀ: ୧୮୬୨) – ଲର୍ଡ ଡେଲହାଉସୀଙ୍କ ପରେ ଲର୍ଡ କ୍ୟାନିଂ ଗଭର୍ଣ୍ଣର ଜେନେରଲ ହେଲେ । ତାଙ୍କ ସମୟରେ ଘଟିଥିବା ସିପାହୀ ବିଦ୍ରୋହ ଭାରତ ଇତିହାସର ଗୋଟିଏ ପ୍ରଧାନ ଘଟଣା । ଏହାଦ୍ୱାରା ଇଂରେଜ ଶାସନନୀତିରେ ଘୋର ପରିବର୍ତ୍ତନ ଘଟିଥିଲା ।

 

ସିପାହୀ ବିଦ୍ରୋହର କାରଣ – ଆମ୍ଭ ଦେଶର ଲୋକମାନେ ସର୍ବଦା ନୂତନ ଅଥଚ ହିତକର ସଂସ୍କାରକୁ ସନ୍ଦେହ କରନ୍ତି । ଦେଶରେ କୌଣସି ନୂତନ ସଂସ୍କାର ପ୍ରବର୍ତ୍ତିତ ହେଲେ ସେମାନେ ଧର୍ମର ଦ୍ୱାହି ଦେଇ ତାହାର ବିରୁଦ୍ଧାଚରଣ କରନ୍ତି । ବେଣ୍ଟିକ ଆମ୍ଭ ଦେଶରୁ ସତୀଦାହ ପ୍ରଥା ଉଠାଇ ଦେବାରୁ ଲୋକମାନେ ତାଙ୍କ ଉପରେ ଅସନ୍ତୁଷ୍ଟ ଥିଲେ । ଡେଲହାଉସୀ ଭାରତରେ ରେଲ, ତାରଡାକ ଚଳାଇବାରୁ ଓ ସ୍କୁଲ କଲେଜରେ ଉଚ୍ଚ ଇଂରେଜିଶିକ୍ଷାର ବ୍ୟବସ୍ଥା କରିବାରୁ ଲୋକେ ଭାବିଲେ, ସରକାର ଭାରତକୁ ବିଲାତ ଓ ଲୋକମାନଙ୍କୁ ଖ୍ରୀଷ୍ଟିୟାନ କରି ପକାଇବେ ।

 

ଡେଲହାଉସୀଙ୍କର ‘ରାଜ୍ୟ-ସ୍ୱତ୍ୱ-ଲୋପ ନୀତି’ ଯୋଗୁଁ ଲୋକେ ମନେକଲେ ଭାରତରେ ଆଉ ଦେଶୀୟ ରାଜ୍ୟ ରହିବ ନାହିଁ । ଯେଉଁମାନେ ରାଜ୍ୟ ଓ ବୃତ୍ତି ହରାଇଥିଲେ, ସେମାନେ ଚାରିଆଡ଼େ ବୁଲି ଇଂରେଜମାନଙ୍କ ବିରୁଦ୍ଧରେ ପ୍ରଚାର କଲେ ।

 

ଅଯୋଧ୍ୟାର ଅଧିକାଂଶ ଲୋକ ସୈନ୍ୟବିଭାଗରେ କାର୍ଯ୍ୟ କରୁଥିଲେ । ଡେଲହାଉସୀ ଅଯୋଧ୍ୟା ଅଧିକାର କରିବାରୁ ସେମାନେ ବଡ଼ ଅସନ୍ତୁଷ୍ଟ ହୋଇ ବିଦ୍ରୋହ କରିଥିଲେ ।

 

ସେକାଳରେ ଦେଶୀ ସିପାହୀମାନେ ଜାହାଜରେ ଚଢ଼ି ଅନ୍ୟ ଦେଶକୁ ଗଲେ ଜାତି ଧର୍ମ ନଷ୍ଟ ହୋଇଯିବ ବୋଲି ଭାବୁଥିଲେ । ସରକାର ଆଇନ କଲେ, ବିଦେଶକୁ ଯିବାକୁ ଶପଥ ଗ୍ରହଣ ନ କଲେ ସିପାହୀ କାର୍ଯ୍ୟ ମିଳିବ ନାହିଁ। ସେତେବେଳେ ସିପାହୀ କାର୍ଯ୍ୟ ପ୍ରାୟ ପୁରୁଷାନୁକ୍ରମିକ ଥିଲା । ସେମାନେ ଭାବିଲେ ଶପଥ ନ କଲେ ଚାକିରି ଯିବ, ଶପଥ କଲେ ଜାତି ଯିବ । ତେଣୁ ସେମାନେ ଏହି ଆଇନ ଯୋଗୁଁ ବିଶେଷ ଅସନ୍ତୁଷ୍ଟ ହେଲେ । ସେହି ସମୟରେ ରାଇଫଲ ନାମକ ବନ୍ଧୁକ ବାହାରିଥିଲା । ତହିଁରେ ଟୋଟାକୁ ଦାନ୍ତରେ କାମୁଡ଼ିବାକୁ ପଡ଼ୁଥିଲା । ଗୋଟାଏ ଜନରବ ଉଠିଲା, ଟୋଟାରେ ଜାତି ନେବାପାଇଁ ଗୋରୁ ଓ ଘୁଷୁରୀର ଚର୍ବି ଦିଆଯାଇଛି । ଏହା ଶୁଣି ସିପାହୀମାନେ ବେଶୀ ଉତ୍ତ୍ୟକ୍ତ ହେଲେ । ଏହିପରି କେତେକ କାରଣରୁ ସିପାହୀବିଦ୍ରୋହ ଘଟିଲା । ଏହି ବିଦ୍ରୋହରେ ସିପାହୀମାନେ ବିଶେଷଭାବରେ ଯୋଗ ଦେଇଥିବାରୁ ଏହାର ନାମ ସିପାହୀ ବିଦ୍ରୋହ ଏବଂ ଏହା କମ୍ପାନୀ ରାଜତ୍ୱରେ ପ୍ରସିଦ୍ଧ ଘଟନା ।

 

ବିଦ୍ରୋହ – ପ୍ରଥମେ ଖ୍ରୀ: ୧୮୫୭ ସାଲରେ ମିରଟରେ ବିଦ୍ରୋହ ଆରମ୍ଭ ହେଲା । ସିପାହୀମାନେ ଜେଲଖାନା ଭାଙ୍ଗି ଦେଇଥିଲେ ଓ ଇଂରେଜଙ୍କୁ ଦେଖିଲା ମାତ୍ରେ ମାରୁଥିଲେ । କ୍ରମେ କ୍ରମେ କଲିକତା, ଦିଲ୍ଲୀ, କାନପୁର, ଏଲାହାବାଦ, ଅଯୋଧ୍ୟା ପ୍ରଭୃତି ସ୍ଥାନମାନଙ୍କରେ ବିଦ୍ରୋହ ବ୍ୟାପିଗଲା । ପ୍ରାୟ ୨ ଲକ୍ଷ ସିପାହୀ ବିଦ୍ରୋହ କରିଥିଲେ । ସେତେବେଳେ ଭାରତରେ ପ୍ରାୟ ୨୪୦୦୦ ଗୋରା ସୈନ୍ୟ ଥିଲେ । ମୋଗଲ ସମ୍ରାଟଙ୍କର ବଂଶଧର ବାହାଦୂରସାହ, ମୃତପେଶବା ବାଜୀରାଓଙ୍କ ପୋଷ୍ୟପୁତ୍ର ନାନାସାହେବ, ଅଯୋଧ୍ୟାର ବେଗମ ଓ ଅନେକ ତାଲୁକଦାର, ବିଖ୍ୟାତ ମରହଟ୍ଟା ବ୍ରାହ୍ମଣ ତାନ୍ତିଆଟୋପି, ଝାନ୍‌ସିର ରାଣୀ ଲକ୍ଷ୍ମୀବାଈ, ଓଡ଼ିଶାର ଚାଖିଖୁଣ୍ଟିଆ ବିଦ୍ରୋହୀମାନଙ୍କର ନେତା ଥିଲେ । କାନପୁରରେ ନାନାସାହେବଙ୍କ ଶିକ୍ଷାରେ ସିପାହୀମାନେ ଅନେକଗୁଡ଼ିଏ ଇଂରେଜ ସ୍ତ୍ରୀ ଓ ପିଲାଙ୍କୁ ଗଙ୍ଗା ପାରି ହେବାବେଳେ ଗୁଳି ଚଳାଇ ମାରି ଦେଲେ । ସେ ନିଜେ ଅନେକଗୁଡ଼ିଏ ଇଂରେଜଙ୍କୁ ନିଷ୍ଠୁର ଭାବରେ ମାରି ପକାଇଲେ । ଏହିପରି ନୃଶଂସ ହତ୍ୟାକାଣ୍ଡ ଓ ଅତ୍ୟାଚାର ସିପାହୀମାନେ ଅନେକ ସ୍ଥାନରେ ଚଳାଇଥିଲେ । ଏହି ବିଦ୍ରୋହ ସମଗ୍ର ଭାରତରେ ବ୍ୟାପି ନ ଥିଲା-। ମାନ୍ଦ୍ରାଜ ଓ ବମ୍ୱେ ପ୍ରେସିଡେନସିର ସୈନ୍ୟମାନେ ନୀରବ ଥିଲେ । ପଞ୍ଜାବର ଶିଖମାନେ ଓ ନେପାଳର ଗୁର୍ଖାମାନେ ବିଦ୍ରୋହରେ ଯୋଗ ଦେଇ ନଥିଲେ । ଯୁକ୍ତପ୍ରଦେଶ ଏହି ବିଦ୍ରୋହର ପ୍ରଧାନ କେନ୍ଦ୍ର ଥିଲା ।

ବିଦ୍ରୋହ ଦମନ – ଲର୍ଡ କ୍ୟାନିଂ ଇଂରେଜ ରାଜ୍ୟ ଉପରେ ଘୋର ବିପଦ ପଡ଼ିଥିଲାବେଳେ ମଧ୍ୟ ଅଧୀର ହୋଇ ନ ଥିଲେ । ସେ ଧୀର ସ୍ଥିର ଭାବରେ ବିଦ୍ରୋହ ଦମନ ଆରମ୍ଭ କରିଥିଲେ । ସେନାପତି ହାବେଲକ ସାହେବ କାନପୁରରେ ନାନାସାହେବଙ୍କୁ ପରାସ୍ତ କଲେ । ସେ ଲକ୍ଷ୍ନୌ, ଅଯୋଧ୍ୟା, ରୋହିଲାଖଣ୍ଡ ପ୍ରଭୃତି ସ୍ଥାନର ବିଦ୍ରୋହ ଦମନ କରିଥିଲେ । ସେନାପତି ନିକଲସନ୍‌ଦିଲ୍ଲୀ ଅଧିକାର କଲେ । ବୃଦ୍ଧ ମୋଗଲ ସମ୍ରାଟ୍‌ବନ୍ଦୀ ହୋଇ ରେଙ୍ଗୁନ ପଠାହେଲେ। ତାଙ୍କର ଦୁଇପୁଅ ଓ ଏକ ନାତିଙ୍କୁ ବାଟରେ ଗୁଳି କରି ମାରି ଦିଆଗଲା । ରାଣୀ ଲକ୍ଷ୍ମୀବାଈ ଭୀଷଣ ଯୁଦ୍ଧ କରି ପ୍ରାଣତ୍ୟାଗ କଲେ । ତାନ୍ତିଆଟୋପି ପରାସ୍ତ ହୋଇ ପଳାଇ ଯାଇଥିଲେ, ପରେ ଧରାହୋଇ ଫାଶୀ ପାଇଲେ । ଏହିପରି ଚାରିଆଡ଼େ ବିଦ୍ରୋହ ଶାନ୍ତ ହେଲା । ଭାରତର ଅନେକ ମୁଖ୍ୟବ୍ୟକ୍ତି ଏହି ବିଦ୍ରୋହ ଦମନରେ ସାହାଯ୍ୟ ଦେଇଥିଲେ ।

ବିଦ୍ରୋହର ଫଳ – ଏହି ବିଦ୍ରୋହଦ୍ୱାରା ଭାରତ ଇତିହାସରେ ବିଶେଷ ପରିବର୍ତ୍ତନ ଘଟିଲା । ବିଲାତ ପାର୍ଲିଆମେଣ୍ଟ ସ୍ଥିର କଲେ, ଭାରତପରି ବିଶାଳ ରାଜ୍ୟକୁ ଇଷ୍ଟଇଣ୍ଡିଆ କମ୍ପାନୀଙ୍କ ଅଧୀନରେ ରଖିବା ନିରାପଦ ନୁହେଁ । ତେଣୁ କମ୍ପାନୀଠାରୁ ଶାସନ କାଢ଼ିନେଇ ନୂଆ ପ୍ରକାର ଶାସନ ଚଳାଇଲେ । ଭାରତ ଶାସନ ପାଇଁ ପାର୍ଲିଆମେଣ୍ଟ ‘ଗଭର୍ଣ୍ଣମେଣ୍ଟ ଅଫ୍‌ ଇଣ୍ଡିଆ ଆକ୍ଟ’ ବା ‘ଭାରତ ଶାସନ ଆଇନ’ ପ୍ରଣୟନ କଲେ । ଏହି ଆଇନ ଅନୁସାରେ ଭିକ୍ଟୋରିଆ ଭାରତର ମହାରାଣୀ ହେଲେ । ତାଙ୍କ ଅଧୀନରେ ଜଣେ ‘ଭାଇସରୟ ବା ବଡଲାଟ’ ରହି ଭାରତ ଶାସନ କଲେ । ପାର୍ଲିଆମେଣ୍ଟରେ ଭାରତ ବିଷୟ ବୁଝିବାପାଇଁ ଜଣେ ମନ୍ତ୍ରୀ (ସେକ୍ରେଟାରୀ ଅଫ୍‌ଷ୍ଟେଟ୍‌ଫର ଇଣ୍ଡିଆ) ରହିଲେ । ତାଙ୍କୁ ସାହାଯ୍ୟ କରିବାପାଇଁ ଗୋଟିଏ ସଭା ରହିଲା । ତାହାର ନାମ ‘ଇଣ୍ଡିଆ କାଉନ୍ସିଲ’ ବା ‘ଭାରତ ସଭା’ । ଏହି ନୂତନ ଆଇନ ଅନୁସାରେ ଲର୍ଡ କ୍ୟାନିଂ ଭାରତରେ ପ୍ରଥମ ଭାଇସରୟ ହେଲେ । ସେ ୧୮୫୮ ଖ୍ରୀଷ୍ଟାବ୍ଦରେ ଏଲାହାବାଦରେ ଗୋଟିଏ ଦରବାର କରି ମହାରାଣୀଙ୍କ ଘୋଷଣା ପତ୍ର ପଢ଼ିଥିଲେ । ପ୍ରତ୍ୟେକ ଜିଲାରେ ଲୋକମାନଙ୍କ ମାତୃ ଭାଷାରେ ମଧ୍ୟ ଏହା ଘୋଷଣା ପଢ଼ା ହୋଇଥିଲା ।

ମହାରାଣୀଙ୍କ ଘୋଷଣା – ‘‘ମହାରାଣୀ ଭିକ୍ଟୋରିଆ ଆଜିଠାରୁ ଭାରତର ଶାସନଭାର ସ୍ୱହସ୍ତରେ ଗ୍ରହଣ କଲେ । ଭାରତୀୟମାନଙ୍କ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ, ଯୋଗ୍ୟତାନୁଯାୟୀ ସରକାରୀ ଚାକିରୀ ଦିଆଯିବ । ସରକାର କାହାରି ଧର୍ମରେ ହସ୍ତକ୍ଷେପ କରିବେ ନାହିଁ । ଭାରତୀୟ ରୀତି ନୀତି, ଆଚାର ବ୍ୟବହାର ପ୍ରତି ସମ୍ମାନ ପ୍ରଦର୍ଶନ କରାଯିବ । କମ୍ପନୀଙ୍କ ଅମଳରେ ଯାହା ସହିତ ଯେଉଁ ସମ୍ୱନ୍ଧ ବା ସନ୍ଧି ଥିଲା ତାହା ସେହିପରି ରହିବ । ନ୍ୟାୟ ଉପରେ ଭାରତ ଶାସନ ଚଳିବ । ଦେଶୀୟ ରାଜାମାନେ ପୋଷ୍ୟପୁତ୍ର ଗ୍ରହଣ କରି ପାରିବେ ।’’

Image

(ମହାରାଣୀ ଭିକ୍ଟୋରିଆ)

ମହାରାଣୀଙ୍କ ଏହି ଶାନ୍ତିପୂର୍ଣ୍ଣ ଘୋଷଣା ଦ୍ୱାରା ଲୋକମାନେ ଆଶ୍ୱସ୍ତ ହୋଇଥିଲେ ।

Image

 

ବିଂଶ ଅଧ୍ୟାୟ

ଭାରତବର୍ଷର ଭାଇସ୍‌ରୟ ବା ରାଜପ୍ରତିନିଧିଗଣ

 

ଲର୍ଡକ୍ୟାନିଂ – ଖ୍ରୀ: ୧୮୫୮ର ଭାରତ ଆଇନ ଅନୁସାରେ କ୍ୟାନିଂ ଭାରତର ପ୍ରଥମ ଭାଇସରୟ ବା ରାଜପ୍ରତିନିଧି ହେଲେ । ସେ ସିପାହୀ ବିଦ୍ରୋହରେ ଯୋଗ ଦେଇଥିବା ଦୋଷୀମାନଙ୍କୁ ନିଷ୍ଠୁରଦଣ୍ଡ ନ ଦେଇ, ସୋମନଙ୍କ ପ୍ରତି ବିଶେଷ ଦୟା ଦେଖାଇଥିଲେ । ସେଥିସକାଶେ ଲୋକେ ତାଙ୍କୁ ଦୟାଳୁ କ୍ୟାନିଂ’ ସାହାଯ୍ୟ ଦେଇଥିଲେ, ସେ ସେମାନଙ୍କୁ ନାନାପ୍ରକାର ପୁରସ୍କାର ଦେଇଥିଲେ ।

 

ସିପାହୀ ବିଦ୍ରୋହ ଦମନ କରିବାରେ ସରକାରଙ୍କର ପ୍ରାୟ ୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ସେହି ଅଭାବ ପୂରଣ କରିବାପାଇଁ ସରକାର ଇଂଲଣ୍ଡରୁ ଦୁଇ ଜଣ ଅର୍ଥସଚିବ ଅଣାଇଥିଲେ । ସେମାନଙ୍କ ଉପଦେଶ ଅନୁସାରେ ସରକାର ଇନକମ୍‌ଟିକସ୍‌ (ଆୟ କର) ଓ ବାଣିଜ୍ୟ କର ବସାଇଲେ ଓ କାଗଜର ନୋଟ ଚଳାଇଲେ । ଏଥିରେ ସରକାରଙ୍କ ଅର୍ଥର ଅଭାବ ଦୂର ହେଲା ।

 

ସିପାହୀବିଦ୍ରୋହ ପରେ ସୈନ୍ୟବିଭାଗର ଶାସନ ଓ ଶୃଙ୍ଖଳା ବଡ଼ କଠୋର ହୋଇଗଲା-। ଗୋରା ସୈନ୍ୟମାନଙ୍କର ସଂଖ୍ୟା ବଢ଼ାଇ ଦିଆଗଲା ଓ ସେମାନଙ୍କ ହାତେ ଦେଶୀ ସୈନ୍ୟମାନଙ୍କ ଅପେକ୍ଷା ଅଧିକ କ୍ଷମତା ଓ ଅସ୍ତ୍ରଶସ୍ତ୍ର ରହିଲା ।

 

ଖ୍ରୀ: ୧୮୬୧ ରେ ସୁପ୍ରିମକୋର୍ଟ, ସଦର ଦେବାନି ଅଦାଲତ ଓ ସଦର ନିଜାମତ ଅଦାଲତ ଉଠିଯାଇ ହାଇକୋର୍ଟ ପ୍ରତିଷ୍ଠିତ ହେଲା ଓ ‘ମକଲେ’ଙ୍କ ପ୍ରଣୀତ ଦଣ୍ଡବିଧି ଆଇନ ପ୍ରଚଳିତ ହେଲା ।

 

୧୮୬୨ ଖ୍ରୀଷ୍ଟାବ୍ଦରେ କ୍ୟାନିଂ ଅସୁସ୍ଥ ହେବାରୁ ବିଲାତ ଗଲେ ।

 

ପ୍ରଥମ ଲର୍ଡ ଏଲଗିନ୍‌ (ଖ୍ରୀ:୧୮୬୨–ଖ୍ରୀ:୧୮୬୩) – ଲର୍ଡ କ୍ୟାନିଂଙ୍କ ପରେ ଲର୍ଡ ଏଲଗିନ୍‌( ପ୍ରଥମ ) ଭାରତର ଭାଇସରୟ ହେଲେ । ତାଙ୍କ ସମୟରେ ସୀମାନ୍ତର ‘ଓହାବି’ ନାମକ ଜାତିର ବିଦ୍ରୋହ ଦମନ କରାଯାଇ ସେମାନଙ୍କର ପ୍ରସିଦ୍ଧ ମଳ୍ମା ଦୁର୍ଗ ଧ୍ୱଂସ କରାହୋଇଥିଲା ।

 

ସର୍‌ଜନ ଲରେନ (ଖ୍ରୀ:୧୮୬୪–ଖ୍ରୀ:୧୮୬୯) – ଲରେନ୍ସ ନିଜର ପ୍ରତିଭା ବଳରେ ମାଜିଷ୍ଟ୍ରେଟପଦରୁ ଉନ୍ନତି କରି ଭାରତର ଭାଇସରୟ ହୋଇଥିଲେ । ସିପାହୀ ବିଦ୍ରୋହ ସମୟରେ ସେ ପଞ୍ଜାବର ଚିଫ୍‌କମିଶନର ଥିଲେ । ତାଙ୍କର ସୁଶାସନ ଯୋଗୁଁ ଶିଖମାନେ ଏହି ବିଦ୍ରୋହରେ ଯୋଗ ଦେଇ ନ ଥିଲେ ବରଂ ବିଦ୍ରୋହ ଦମନ ସକାଶେ ସରକାରଙ୍କୁ ସାହାଯ୍ୟ ଦେଇଥିଲେ । ଲରେନ୍‌ସ ଏହି ସୁଶାସନ ପାଇଁ ଭାଇସରୟ ହୋଇଥିଲେ ।

 

ଏହାଙ୍କ ସମୟରେ ଖ୍ରୀ: ୧୮୬୬ ରେ ଓଡ଼ିଶାରେ ‘ନଅଙ୍କ’ ଦୁର୍ଭିକ୍ଷ ଘଟିଥିଲା । ସେ ବର୍ଷ ଓଡ଼ିଶାରେ ପ୍ରଥମେ ଅତିବୃଷ୍ଟି ଓ ଶେଷ ବେଳକୁ ଅନାବୃଷ୍ଟି ଯୋଗୁଁ ଫସଲ ଏକାବେଳକେ ନଷ୍ଟ ହୋଇ ଯାଇଥିଲା । ସେ ସମୟରେ ଆଜି କାଲି ପରି ରେଲ, ପକ୍କା ରାସ୍ତା ବା କେନାଲ ନ ଥିଲା । ତେଣୁ ଦୁର୍ଭିକ୍ଷ ବେଳେ ବିଦେଶରୁ ଖାଦ୍ୟ ପଦାର୍ଥ ସହଜରେ ଓ ଶୀଘ୍ର ଆଣି ଲୋକମାନଙ୍କୁ ଦେବାର ସୁବିଧା ନ ଥିଲା । ଲୋକମାନେ ଯେଉଁ ଫସଲ ପୂର୍ବ ବର୍ଷରୁ ଜମା କରିଥିଲେ ତାହା ଅଳ୍ପ ଦିନ ମଧ୍ୟରେ ସରିଗଲା । ତେଣୁ ଖାଦ୍ୟାଭାବରୁ ପ୍ରତିଦିନ ହଜାର ହଜାର ଲୋକ ମଲେ । ସେ ବର୍ଷ ଓଡ଼ିଶାରୁ ପ୍ରାୟ ୨୦ଲକ୍ଷ ଲୋକ ମରିଗଲେ । ଓଡ଼ିଶାର ଗ୍ରାମମାନ ଶ୍ରୀହୀନ ହୋଇଗଲା । ଓଡ଼ିଆ ଜାତିର ମେରୁଦଣ୍ଡ ଭାଙ୍ଗିଗଲା । ସରକାର ଭବିଷ୍ୟତରେ ଏପରି ଦୁର୍ଭିକ୍ଷ ବନ୍ଦ କରିବାପାଇଁ ଓଡ଼ିଶାରେ କେତେଗୁଡ଼ିଏ କେନାଲ ଖୋଲାଇଲେ । ପରେ ଓଡ଼ିଶାରେ ରେଲ ଲାଇନମାନ ତିଆରି ହେଲା ।

 

ସେ ଶାନ୍ତ ନୀତି ଅବଲମ୍ୱନ କରିଥିଲେ । କାବୁଲରେ ସେତେବେଳେ ସିଂହାସନପାଇଁ ବିବାଦ ଲାଗିଥିଲା । କିନ୍ତୁ ସେ ସେଥିରେ ହସ୍ତକ୍ଷେପ କରି ନ ଥିଲେ । ତାଙ୍କ ସମୟରେ ଭୁଟାନିମାନେ ବଙ୍ଗଳା ଓ ଆସାମରେ ଉପଦ୍ରବ କରୁଥିବାରୁ, ସେମାନଙ୍କ ସହିତ ଯୁଦ୍ଧ ହୋଇଥିଲା (ଖ୍ରୀ: ୧୮୬୪) । ସନ୍ଧିଫଳରେ ଭୁଟାନିମାନେ ଖଣ୍ଡିଏ ଛୋଟ ରାଜ୍ୟ ଇଂରେଜମାନଙ୍କୁ ଦେଲେ । ସେ ରୁର୍‌କିରେ ଭାରତପ୍ରସିଦ୍ଧ ଇଞ୍ଜିନିୟରିଙ୍ଗ୍‌କଲେଜ ବସାଇଥିଲେ ।

 

ଲର୍ଡମେୟୋ (ଖ୍ରୀ:୧୮୬୯–ଖ୍ରୀ:୧୮୭୨) – ଲର୍ଡ ମେୟୋ ଖ୍ରୀ: ୧୮୬୯ ରେ ଭାରତର ଭାଇସରୟ ହେଲେ । ସେ ରାଜପୁତ୍ରମାନଙ୍କର ଶିକ୍ଷା ନିମନ୍ତେ ଆଜମିରରେ ‘ମେୟୋ କଲେଜ’ ବସାଇଥିଲେ । ସେ ଅମ୍ୱାଲାଠାରେ ଏକ ଦରବାର କରି ଶେର୍‌ଅଲିକୁ କାବୁଲର ଅମୀର ବୋଲି ଘୋଷଣା କରିଥିଲେ । ଖ୍ରୀ: ୧୮୭୨ରେ ଆଣ୍ଡାମାନ ଦ୍ୱୀପସ୍ଥ ପୋର୍ଟ ବ୍ଳେୟାର ନଗର ପରିଦର୍ଶନ କଲାବେଳେ ସେ ଗୋଟିଏ ମୁସଲମାନ ବନ୍ଦୀ ଦ୍ୱାରା ନିହତ ହୋଇଥିଲେ । ଖ୍ରୀ: ୧୮୬୯ ରେ ସ୍ୱେଜ କେନାଲ ଖୋଳା ହୋଇ ଜଳପଥରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଦୂରତ୍ୱ ଯଥେଷ୍ଟ କମିଯାଇଥିଲା । ସେହି ବର୍ଷ ମହାରାଣୀ ଭିକ୍ଟୋରିଆଙ୍କ ଦ୍ୱିତୀୟ ପୁତ୍ର ଡିଉକ୍‌ଅଫ୍‌ଏଡିନ୍‌ବରା ଭାରତକୁ ଭ୍ରମଣ କରିବା ପାଇଁ ଆସିଥିଲେ ।

 

ଲର୍ଡ ନର୍ଥବ୍ରୁକ (ଖ୍ରୀ: ୧୮୭୨–ଖ୍ରୀ:୧୮୭୬) – ଏହାଙ୍କ ସମୟରେ ବିହାରରେ ଦୁର୍ଭିକ୍ଷ ପଡ଼ିଥିଲା । କିନ୍ତୁ ସରକାରଙ୍କ ପ୍ରତିକାର ଯୋଗୁଁ ବେଶୀ ଲୋକ ମରି ନ ଥିଲେ । ବରୋଦାର ଗାଇକବାର୍ଡଙ୍କ ଖରାପ ଶାସନ ଯୋଗୁଁ ସିଂହାସନଚ୍ୟୁତ କରାଯାଇ, ତାଙ୍କର ଜଣେ ଦୂର ସଂପର୍କୀୟ ସୟଜୀରାଓ ନାମକ ବାଳକକୁ ସିଂହାସନ ଦିଆ ଯାଇଥିଲା। ଖ୍ରୀ: ୧୮୭୫ ରେ ମହାରାଣୀଙ୍କର ଜ୍ୟେଷ୍ଠ ପୁତ୍ର ପ୍ରିନ୍‌ସ ଅଫ୍‌ଉଏଲ୍‌ସ (ସପ୍ତମ ଏଡବାର୍ଡ) ଭାରତ ଭ୍ରମଣ କରିବାକୁ ଆସିଥିଲେ । ଭାରତବାସୀମାନେ ତାଙ୍କ ପ୍ରତି ବଡ଼ ଭକ୍ତି ଦେଖାଇଥିଲେ ।

 

ଲର୍ଡ ଲିଟନ୍‌ (ଖ୍ରୀ: ୧୮୭୬–ଖ୍ରୀ:୧୮୮୦) – ଲର୍ଡ ଲିଟନ ଖ୍ରୀ: ୧୮୭୬ ରେ ଭାରତର ଶାସନ ଭାର ଗ୍ରହଣ କରିଥିଲେ । ସେ ଖ୍ରୀ: ୧୮୭୭ରେ ଦିଲ୍ଲୀଠାରେ ଗୋଟିଏ ବଡ଼ ଦରବାର କରି ମହାରାଣୀ ଭିକ୍‌ଟୋରିଆ ଭାରତର ସାମ୍ରାଜ୍ଞୀ ବୋଲି ଘୋଷଣା କରିଥିଲେ । ସେ ଦରବାର ସମୟରେ ଦାକ୍ଷିଣାତ୍ୟରେ ଗୋଟିଏ ବଡ଼ ଦୁର୍ଭିକ୍ଷ ହୋଇଥିଲା । ସରକାର ଲୋକମାନଙ୍କୁ ରକ୍ଷା କରିବା ପାଇଁ ୧୮ କୋଟି ଟଙ୍କା ଖରଚ କରି ସୁଦ୍ଧା ୫୦ ଲକ୍ଷ ଲୋକ ମରି ଯାଇଥିଲେ । ମାନ୍ଦ୍ରାଜ, ବମ୍ୱେ ଓ ମହୀଶୂରରେ ଏହି ଦୁର୍ଭିକ୍ଷ ପ୍ରବଳ ହୋଇଥିଲା ।

 

ଦ୍ୱିତୀୟ ଆଫଗାନ ସମର (ଖ୍ରୀ:୧୮୭୬–ଖ୍ରୀ:୧୮୭୯) – କାବୁଲର ଅମୀର ଶେର ଅଲି ଇଂରେଜମାନଙ୍କର ଅଧୀନତା ସ୍ୱୀକାର ନ କରି ଋଷୀୟମାନଙ୍କ ସଙ୍ଗେ ଷଡ଼ଯନ୍ତ୍ର କରିଥିଲେ । ସେ ଇଂରେଜ ଦୂତଙ୍କୁ ରାଜ୍ୟ ମଧ୍ୟରେ ପ୍ରବେଶ କରିବାକୁ ଅନୁମତି ଦେଲେ ନାହିଁ । ତେଣୁ ଦ୍ୱିତୀୟ ଆଫଗାନ ସମର ହୋଇଥିଲା । ଇଂରେଜ ସୈନ୍ୟ ତିନୋଟି ଗିରିସଂକଟ ବାଟେ ଆଫଗାନିସ୍ଥାନରେ ପ୍ରବେଶ କରିବାରୁ, ସେ ତୁର୍କୀସ୍ଥାନକୁ ପଳାଇଗଲେ ଓ ସେଠାରେ ପ୍ରାଣତ୍ୟାଗ କଲେ । ତାଙ୍କ ପୁଅ ୟାକୁବ୍‌ଖାଁଙ୍କ ସଙ୍ଗେ ସନ୍ଧିକରି ଲିଟନ୍‌ତାଙ୍କୁ ଅମୀର କଲେ । କାବୁଲରେ ଜଣେ ଇଂରେଜ ରେସିଡେଣ୍ଟ ରହିଲେ । କିନ୍ତୁ କେତେକ ମାସ ପରେ, ୟାକୁବ୍‌ବିଦ୍ରୋହ ହୋଇ ଇଂରେଜ ରେସିଡେଣ୍ଟ ଓ କର୍ମଚାରୀମାନଙ୍କୁ ହତ୍ୟା କଲେ । ୟାକୁବ୍‌ସେହି ଅପରାଧରେ ସିଂହାସନଚ୍ୟୁତ ହୋଇ ଭାରତକୁ ଅଣା ଗଲେ । ଇଂରେଜ ସେନାପତି ଏକଦଳ ସୈନ୍ୟ ନେଇ କାବୁଲରେ ରହିଲେ-। କିନ୍ତୁ ସେହି ସମୟରେ ଲିଟନ କାର୍ଯ୍ୟରୁ ଇସ୍ତଫା ଦେଲେ ।

 

ଲର୍ଡ ଲିଟନଙ୍କ ଅମଳରେ ଛାପାଖାନା ଆଇନ ଜାରି ହୋଇଥିଲା । ଏହି ଆଇନ ଅନୁସାରେ କେହି ସରକାରଙ୍କ ବିରୁଦ୍ଧରେ ରାଜଦ୍ରୋହମୂଳକ କୌଣସି ଲେଖା ଲେଖିଲେ ଦଣ୍ଡ ପାଉଥିଲା । ସେ ଅସ୍ତ୍ର ଆଇନ ମଧ୍ୟ ଜାରିକରିଥିଲେ । ଏହା ଫଳରେ ଭାରତୀୟମାନେ ସରକାରଙ୍କ ବିନା ଅନୁମତିରେ ବନ୍ଧୁକ, ଖଣ୍ଡା ପ୍ରଭୃତି ଅସ୍ତ୍ରଶସ୍ତ୍ର ରଖି ପାରିଲେ ନାହିଁ । ଏହି ଆଇନ ଆଜି ପର୍ଯ୍ୟନ୍ତ ଚଳୁଛି । ଏହା ବ୍ୟତୀତ ସେ ଅର୍ଥ ବିଭାଗର କେତେକ ସଂସ୍କାର କରିଥିଲେ ।

 

ଲର୍ଡ ରିପନ୍‌ (ଖ୍ରୀ: ୧୮୮୦–ଖ୍ରୀ:୧୮୮୪) – ଲର୍ଡ ଲିଟନଙ୍କ ପରେ ଲର୍ଡ ରିପନ୍‌ଖ୍ରୀ: ୧୮୮୦ ରେ ଭାରତର ଶାସନ ଗ୍ରହଣ କଲେ । ଲର୍ଡ ଲିଟନ୍‌ସାମ୍ରାଜ୍ୟବାଦ ନୀତି ଅନୁସରଣ କରୁଥିଲେ, କିନ୍ତୁ ରିପନ୍‌ଉଦାର ସଂସ୍କାରପ୍ରିୟ ଥିଲେ । ସେ ଆସିଲାକ୍ଷଣି ଆଫଗାନ ସମର ଶେଷ କରିବା ପାଇଁ ଚେଷ୍ଟା କଲେ । ୟାକୁବ୍‌ଖାଁ ଭାରତକୁ ଅଣା ହେବା ପରେ, ତାଙ୍କ ଭାଇ ଅୟୁବ୍‌ଖାଁ ବିଦ୍ରୋହ କରିଥିଲେ । କିନ୍ତୁ ସେ ପରାଜିତ ହୋଇ ପାରସ୍ୟକୁ ପଳାଇଗଲେ। ଲର୍ଡ ରିପନ୍‌ପୂର୍ବତନ ଅମୀର ଦୋସ୍ତ ମହମ୍ମଦଙ୍କ ବଂଶଧର ଅବ୍‌ଦୁର ରହମନଙ୍କୁ କାବୁଲ ସିଂହାସନରେ ବସାଇଥିଲେ । (ଖ୍ରୀ: ୧୮୮୦) । ସେ ଆଫଗାନିସ୍ଥାନରୁ ସମସ୍ତ ଇଂରେଜ ସୈନ୍ୟ ଫେରାଇ ଆଣିଥିଲେ । ସେ ସୀମାନ୍ତକୁ ନିରାପଦ ରଖିବା ପାଇଁ ବେଲୁଚିସ୍ଥାନ ପ୍ରଦେଶ ଗଠନ କରିଥିଲେ ଓ ବୋଲାନ୍‌ଗିରିସଂକଟ ଜଗିବା ପାଇଁ କ୍ୱେଟାରେ ବହୁତ ଗୁଡ଼ିଏ ସୈନ୍ୟ ରଖାଇଥିଲେ ।

 

Image

(ଲର୍ଡ ରିପନ୍‌)

 

ଲର୍ଡ ବେଣ୍ଟିକ୍‌ମହୀଶୂରର ତତ୍‌କାଳୀନ ହିନ୍ଦୁ ରାଜା ଭଲ ଶାସନ ନ କରିବାରୁ, ଏହି ରାଜ୍ୟର ଶାସନ କାର୍ଯ୍ୟ ନିଜ ହସ୍ତକୁ ନେଇଥିଲେ, କିନ୍ତୁ ରିପନ୍‌ହିନ୍ଦୁ ରାଜାଙ୍କ ବଂଶଧରଙ୍କ ସୁଗୁଣ ଦେଖି ତାଙ୍କ ହସ୍ତରେ ମହୀଶୂରର ଶାସନ ଭାର ଅର୍ପଣ କରିଥିଲେ ।

 

ସ୍ୱାୟତ୍ତଶାସନ – ତାଙ୍କ ସମୟକୁ ଅନେକ ଭାରତବାସୀ ଇଂରେଜୀ ଶିକ୍ଷା ପାଇଥିଲେ । ସେମାନଙ୍କର ସଂଖ୍ୟା ଅଳ୍ପ ହେଲେ ମଧ୍ୟ ଦେଶରେ ସେମାନଙ୍କର ଯଥେଷ୍ଟ ପ୍ରତିପତ୍ତି ଓ ପ୍ରତିଷ୍ଠା ଥିଲା । ସେମାନେ ପାଶ୍ଚାତ୍ୟବାସୀମାନଙ୍କ ପରି ଶାସନକାର୍ଯ୍ୟରେ ଅଧିକାର ପାଇବାପାଇଁ ସରକାରଙ୍କଠାରେ ଦାବୀ କଲେ । ଲର୍ଡ ରିପନ୍‌ଶାସନ ସଂସ୍କାରର ପକ୍ଷପାତୀ ଥିଲେ । ତେଣୁ ସେ ଶିକ୍ଷିତ ଭାରତବାସୀମାନଙ୍କର ଉଦ୍ୟମ ଓ ଆକାଂକ୍ଷାରେ ସହାନୁଭୂତି ପ୍ରକାଶ କଲେ । ସେ ପ୍ରଥମେ ଭାରତରେ ସ୍ୱାୟତ୍ତଶାସନର ସୂତ୍ରପାତ କରିଥିଲେ । ସେ ଭାରତୀୟମାନଙ୍କୁ ସ୍ୱାୟତ୍ତଶାସନ ବିଷୟରେ ଶିକ୍ଷା ଦେବାପାଇଁ ପ୍ରତ୍ୟେକ ଜିଲାରେ ଜିଲାବୋର୍ଡ ଓ ବଡ଼ ବଡ଼ ସହରମାନଙ୍କରେ ମ୍ୟୁନିସିପାଲିଟିମାନ ସୃଷ୍ଟି କରିଥିଲେ । ଜିଲାର ଲୋକମାନେ ଜିଲାବୋର୍ଡକୁ ଓ ସହରର ଲୋକମାନେ ମ୍ୟୁନିସିପାଲିଟିକୁ ସଭ୍ୟ ପଠାଇବାର ଅଧିକାର ପାଇଲେ । ଜିଲାବୋର୍ଡ ପ୍ରଥମିକ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ଘାଟ, ପୋଲ, କୂଅ, ପୋଖରୀ ସମ୍ୱନ୍ଧରେ ବ୍ୟବସ୍ଥା କଲା । ମ୍ୟୁନିସିପାଲିଟି ସହରର ଉନ୍ନତି ଦିଗରେ ଦୃଷ୍ଟି ଦେଲା । ଭାରତବାସୀମାନେ ଏହି ଆଶିଂକ ସ୍ୱାୟତ୍ତଶାସନରେ ସନ୍ତୁଷ୍ଟ ନ ହୋଇ କ୍ରମଶଃ ଅଧିକ ଅଧିକାର ଦାବୀ କରିଥିଲେ । ତାର ଫଳରେ ପରବର୍ତ୍ତୀକାଳରେ ଭାରତର ନୂତନ ଶାସନ ସଂସ୍କାରମାନ ପ୍ରବର୍ତ୍ତିତ ହୋଇଥିଲା । ଭାରତରେ ସ୍ୱାୟତ୍ତଶାସନର ମୂଳଭିତ୍ତି ପକାଇଥିବାରୁ ରିପନ୍‌ବଡ଼ ଲୋକପ୍ରିୟ ହୋଇଥିଲେ ।

 

ଏହା ବ୍ୟତୀତ ସେ ଆହୁରି ଅନେକ ଦେଶହିତକର କାର୍ଯ୍ୟ କରିଥିଲେ । ଲର୍ଡ ଲିଟନଙ୍କ ସମୟରେ ଜାରି ହୋଇଥିବା ପ୍ରେସ୍‌ବା ଛାପାଖାନା ଆଇନକୁ ସେ ଉଠାଇ ଦେଇଥିଲେ । ଦେଶର ଲୋକସଂଖ୍ୟା ଓ ଲୋକମାନଙ୍କର ଅବସ୍ଥା ସମ୍ୱନ୍ଧରେ ବିଶେଷ ବିବରଣ ଜାଣିବାପାଇଁ ସେ ପ୍ରଥମେ ୧୮୮୧ ଖ୍ରୀଷ୍ଟାବ୍ଦରେ ‘ସେନ୍‌ସସ୍‌’ ବା ଜନସୁମାରି ଆରମ୍ଭ କରିଥିଲେ । ସେହି ସମୟରୁ ପ୍ରତ୍ୟେକ ଦଶ ବର୍ଷରେ ଜନସୁମାରି ହେଉଅଛି । କାରଖାନାମାନଙ୍କରେ କାମ କରୁଥିବା ଛୋଟ ପିଲାମାନଙ୍କ ଅବସ୍ଥା ଉନ୍ନତି କରିବାପାଇଁ ସେ ‘ଫାକ୍ଟରୀ ଆକ୍‌ଟ’ ବା ‘କାରଖାନା ଆଇନ’ କରିଥିଲେ । କୃଷକମାନଙ୍କର ମଙ୍ଗଳ ପାଇଁ ସେ ରାଜସ୍ୱ ଓ କୃଷିବିଭାଗର ସଂସ୍କାର କରିଥିଲେ । ଗରିବ ଲୋକମାନଙ୍କର ଉପକାରପାଇଁ ଲୁଣକର କମାଇ ଦେଇଥିଲେ । ତୁଳାତିଆରି ଜିନିଷ ଓ ଅନ୍ୟାନ୍ୟ ଅନେକ ଜିନିଷ ଉପରୁ ସେ ଆମଦାନୀ ଶୁକ୍ଳ ଉଠାଇ ଦେଇଥିଲେ । ପ୍ରାଥମିକ ଶିକ୍ଷାର ଉନ୍ନତି ଓ ଅନୁନ୍ନତ ଶ୍ରେଣୀମାନଙ୍କ ମଧ୍ୟରେ ଶିକ୍ଷାର ବିସ୍ତାର ଏବଂ ଦେଶୀୟ ବିଦ୍ୟାଳୟମାନଙ୍କୁ ଉତ୍ସାହ ଦାନ ସମ୍ୱନ୍ଧରେ ତଦନ୍ତ କରି ରିପୋର୍ଟ ଦେବାପାଇଁ ସେ ‘ହଣ୍ଟର୍‌କମିସନ’ ବସାଇଥିଲେ । ଏହି କମିଟିର ରିପୋର୍ଟ ଅନୁସାରେ ପରେ କେତେକ କାର୍ଯ୍ୟ ହୋଇଥିଲା । ସେ ଦେଶୀ ଓ ସାହେବମାନଙ୍କର ସମାନ ବିଚାର ପାଇଁ ଗୋଟିଏ ପ୍ରସ୍ତାବ କରିଥିଲେ । କିନ୍ତୁ ସାହେବମାନେ ଏଥିରେ ଆପତ୍ତି କରିବାରୁ ତାହା ଉଠାଇ ନେଲେ ।

 

ସେ ପ୍ରତ୍ୟେକ ବିଭାଗର ଉନ୍ନତି ପାଇଁ ବିଶେଷ ଦୃଷ୍ଟି ଦେଇଥିଲେ । ତେଣୁ ସେ ବିଶେଷ ଲୋକପ୍ରିୟ ହୋଇଥିଲେ । ସେ ବିଲାତକୁ ଫେରିଯିବା ବେଳେ ଭାରତବାସୀମାନେ ବିଶେଷ ଦୁଃଖ ପ୍ରକାଶ କରିଥିଲେ ।

 

ଲର୍ଡ ଡଫରିନ୍‌ (ଖ୍ରୀ: ୧୮୮୪–ଖ୍ରୀ:୧୮୮୮) – ସେ କାବୁଲର ଅମୀର ଅବଦୂର୍‌ରହେମାନ ଖାଁଙ୍କୁ ଅଭ୍ୟର୍ଥନା କରିବାପାଇଁ ରାଓଲପିଣ୍ଡିଠାରେ ଗୋଟିଏ ଦରବାର କରିଥିଲେ । ଏହାଙ୍କ ସମୟରେ ତୃତୀୟ ବ୍ରହ୍ମସମର ହୋଇଥିଲା । ବ୍ରହ୍ମରାଜ ଥିବ୍‌ଇଂରେଜ ବଣିକମାନଙ୍କ ପ୍ରତି ଅତ୍ୟାଚାର କରିବାରୁ ଇଂରେଜମାନେ ତାଙ୍କ ବିରୁଦ୍ଧରେ ଯୁଦ୍ଧ କଲେ । ଥିବ୍‌ପରାସ୍ତ ଓ ସିଂହାସନଚ୍ୟୂତ ହେଲେ ଏବଂ ଖ୍ରୀ: ୧୮୮୬ରେ ସମଗ୍ର ବ୍ରହ୍ମଦେଶ ଇଂରେଜ ରାଜ୍ୟଭୁକ୍ତ ହେଲା ।

 

ଖ୍ରୀ:୧୮୮୫ରେ ବମ୍ୱେରେ ପ୍ରଥମ କଂଗ୍ରେସ ବା ଜାତୀୟ ମହାସଭା ବସିଥିଲା । ସେହି ସମୟରୁ କଂଗ୍ରେସ କ୍ରମଶଃ ଶକ୍ତିଶାଳୀ ହେଉଅଛି ଓ ଭାରତର ସ୍ୱରାଜ୍ୟ ଏହାର ଲକ୍ଷ୍ୟ । ଖ୍ରୀ: ୧୮୮୭ରେ ମହାରାଣୀଙ୍କ ରାଜତ୍ୱର ୫୦ ବର୍ଷ ପୂର୍ଣ୍ଣ ହେବାରୁ ସୁବର୍ଣ୍ଣଜୁବୁଲି ଉତ୍ସବ ଭାରତର ସର୍ବତ୍ର ଅନୁଷ୍ଠିତ ହୋଇଥିଲା ।

 

ଲର୍ଡ ଲାନସ୍‌ଡାଉନ (ଖ୍ରୀ:୧୮୮୮–ଖ୍ରୀ:୧୮୯୪) – ଖାଇବାର ଗିରିସଙ୍କଟକୁ ନିରାପଦରେ ରଖିବାପାଇଁ ଲାନ୍‌ସଡାଉନ କାବୁଲର ଅମୀରଙ୍କ ସଙ୍ଗେ ସଦ୍ଭାବ ସ୍ଥାପନ କରିଥିଲେ । ସେ ଅମୀରଙ୍କ ବୃତ୍ତି ୧୨ ଲକ୍ଷରୁ ୧୮ଲକ୍ଷକୁ ବୃଦ୍ଧି କରିଥିଲେ ।

 

ମଣିପୁର ଯୁଦ୍ଧ – ମଣିପୁରର ରାଜା ଆସାମର ଚିଫ୍‌କମିସନର ଓ କେତେକ ଇଂରେଜ କର୍ମଚାରୀଙ୍କୁ ମାରିଦେବାରୁ ତାଙ୍କ ସହିତ ଯୁଦ୍ଧ ହେଲା । ରାଜା ଦ୍ୱୀପାନ୍ତରତ ହେଲେ ଓ ତାଙ୍କର ଜଣେ ବଂଶଧରକୁ ସିଂହାସନ ଦିଆଗଲା । ମଣିପୁରର ଜଣେ ଇଂରେଜ ପଲିଟିକାଲ ଏଜେଣ୍ଟ ରହିଲେ ।

 

ଦ୍ୱିତୀୟ ଲର୍ଡ ଏଲ୍‌ଗିନ୍‌ (ଖ୍ରୀ: ୧୮୯୪–ଖ୍ରୀ: ୧୮୯୯) – ଏହାଙ୍କ ସମୟରେ ଖ୍ରୀ:୧୮୯୬ରେ ଭାରତରେ ପ୍ରଥମେ ପ୍ଳେଗରୋଗ ଦେଖାଯାଇଥିଲା । ଖ୍ରୀ: ୧୮୯୭ରେ ଭାରତର ନାନାସ୍ଥାନରେ ଦୁର୍ଭିକ୍ଷ ପଡ଼ିଥିଲା । ଖ୍ରୀ: ୧୮୮୭ରେ ମହାରାଣୀଙ୍କ ରାଜତ୍ୱର ୬୦ ବର୍ଷ ପୂର୍ଣ୍ଣ ହେବାରୁ ହୀରକ ଜୁବୁଲି ଉତ୍ସବ ଅନୁଷ୍ଠିତ ହୋଇଥିଲା । ସେ ଭାରତର ଉତ୍ତର ପଶ୍ଚିମ ସୀମାନ୍ତବାସୀ ଆଫ୍ରିଦ ପ୍ରଭୃତି ପାର୍ବତ୍ୟ ଜାତିମାନଙ୍କର ବିଦ୍ରୋହ ଦମନ କରାଇଥିଲେ ।

Image

 

ଏକବିଂଶ ଅଧ୍ୟାୟ

 

ଲର୍ଡ କର୍ଜନ (ଖ୍ରୀ: ୧୮୯୯–ଖ୍ରୀ: ୧୯୦୫) – ଲର୍ଡ କର୍ଜନ ଭାରତର ଜଣେ ଶ୍ରେଷ୍ଠ ଶାସନକର୍ତ୍ତା । ସେ ଜଣେ ବିଚକ୍ଷଣ ରାଜନୀତିଜ୍ଞ ଥିଲେ । ଖ୍ରୀ: ୧୯୦୧ରେ ମହାରାଣୀ ଭିକ୍‌ଟୋରିଆ ଦୀର୍ଘ ୬୩ ବର୍ଷକାଳ ରାଜତ୍ୱ କରି ପ୍ରାଣତ୍ୟାଗ କରିଥିଲେ । ତାଙ୍କ ପରେ ତାଙ୍କର ଜେଷ୍ଠପୁତ୍ର ସପ୍ତ ଏଡ୍‌ବୋର୍ଡ ସମ୍ରାଟ ହେଲେ ।

 

Image

(ଲର୍ଡ କର୍ଜନ)

 

ବଙ୍ଗ ବିଚ୍ଛେଦ – ସେ ସମୟରେ ସମଗ୍ର ବଙ୍ଗ, ବିହାର, ଓଡ଼ିଶା ଓ ଆସାମ ଜଣେ ଲେଫ୍‌ଟନାଣ୍ଟ ଗଭର୍ଣ୍ଣରଙ୍କ ଅଧୀନ ଥିଲା । କର୍ଜନ ଏପରି ବିଶାଳପ୍ରଦେଶ ଶାସନ କରିବା ଜଣକ ପକ୍ଷେ କଠିନ ବୋଲି ଭାବି ଏହାକୁ ଦୁଇ ଭାଗରେ ବିଭକ୍ତ କରିଦେଲେ । ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶା ଗୋଟିଏ ପ୍ରଦେଶ ହେଲା ଏବଂ ପୂର୍ବ ବଙ୍ଗକୁ ଆସାମ ସହିତ ମିଶାଇ ଦିଆଗଲା । ବଙ୍ଗଦେଶ ଦୁଇଭାଗ ହୋଇଗଲା । ଏଥିରେ ବଙ୍ଗବାସୀମାନେ ଭାବିଲେ, ବଙ୍ଗଦେଶକୁ ଦୁଇ ଭାଗ କରିଦେଲେ ଉନ୍ନତ ବଙ୍ଗାଳୀମାନଙ୍କର ଜାତୀୟତା ଓ ଏକତା ନଷ୍ଟ ହୋଇଯିବ । କର୍ଜନଙ୍କ ଏହି କାର୍ଯ୍ୟରେ ବଙ୍ଗରେ ଘୋର ଅସନ୍ତୋଷ ବ୍ୟାପିଗଲା । ସେମାନେ ଏହି ବିଚ୍ଛେଦକୁ ରଦ୍ଦ କରିବା ପାଇଁ ଘୋର ଆନ୍ଦୋଳନ କଲେ । ଏହି ଆନ୍ଦୋଳନକୁ ସ୍ୱଦେଶୀ ଆନ୍ଦୋଳନ ବା ‘ବନ୍ଦେ ମାତରଂ’ ଆନ୍ଦୋଳନ କହନ୍ତି । ଏହି ଆନ୍ଦୋଳନ କ୍ରମେ କ୍ରମେ ସମଗ୍ର ଭାରତବର୍ଷରେ ବ୍ୟାପିଗଲା । ଏହି ସମୟରେ ବଙ୍ଗଳାରେ ଆତଙ୍କବାଦ ଆନ୍ଦୋଳନ ମଧ୍ୟ ସୃଷ୍ଟି ହେଲା । ଆତଙ୍କବାଦୀମାନେ ବିଶିଷ୍ଟ କର୍ମଚାରୀମାନଙ୍କୁ ମାରିବାପାଇଁ ନାନାପ୍ରକାର ଷଡ଼୍‌ଯନ୍ତ୍ର କଲେ ।

 

ଲର୍ଡ କର୍ଜନଙ୍କର ଉତ୍କଳୀୟମାନଙ୍କ ପ୍ରତି ବିଶେଷ ସହାନୁଭୂତି ଥିଲା । ସେ ସମଗ୍ର ଓଡ଼ିଆଭାଷୀ ଅଞ୍ଚଳକୁ ମିଶାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେତେବେଳେ ମାନ୍ଦ୍ରାଜ ସରକାର ବାଧା ଦେବାରୁ ତାହା କରି ପାରିଲେ ନାହିଁ । ସେ ସମ୍ୱଲପୁର ଜିଲା ଓ ପାଟଣା, ସୋନପୁର, ବାମଣ୍ଡା, ଗାଙ୍ଗପୁର ପ୍ରଭୃତି ୬ଟି ଦେଶୀୟ ରାଜ୍ୟ ମଧ୍ୟପ୍ରଦେଶରୁ ଘେନିଆସି ଓଡ଼ିଶା ସହିତ ମିଶାଇ ଦେଇଥିଲ ।

 

ସେ ଭାରତର ସୀମାନ୍ତ ଅଞ୍ଚଳ ନିରାପଦ ରଖିବା ପାଇଁ ପଞ୍ଜାବର ପଶ୍ଚିମାଂଶକୁ ନେଇ ଉତ୍ତର-ପଶ୍ଚିମ ସୀମନ୍ତ ପ୍ରଦେଶ ଗଠନ କରିଥିଲେ । କର୍ଜନ ତାଙ୍କର ନାନାବିଧ ସଂସ୍କାର ପାଇଁ ପ୍ରସିଦ୍ଧ ହୋଇଛନ୍ତି । ଦୁର୍ଗ, ନଗର, ମନ୍ଦିର, ସ୍ତୁପ, ମଠ, ବିହାର, ଚୈତ୍ୟ, ସମଜିଦ୍‌ପ୍ରଭୃତି ଭାରତର ପୁରାତନ କୀର୍ତ୍ତମାନଙ୍କର ରକ୍ଷା ଓ ପୁନରୁଦ୍ଧାର କରିବା ପାଇଁ ସେ ଗୋଟିଏ ଆଇନ କରିଥିଲେ । ଭାରତର ପ୍ରାଚୀନ କୀର୍ତ୍ତିମାନଙ୍କର ରକ୍ଷା ଓ ଇତିହାସ ଆଲୋଚନା ପାଇଁ ସେ ପ୍ରତ୍ନତତ୍ତ୍ୱ ବିଭାଗ ସୃଷ୍ଟି କରିଥିଲେ । ଏହି ବିଭାଗଦ୍ୱାରା ଭାରତର ଅଶେଷ ଉପକାର ସାଧିତ ହେଉଅଛି । ଗରିବ ଖାତକମାନଙ୍କୁ ମହାଜନମାନଙ୍କର ଅତ୍ୟାଚାରରୁ ରକ୍ଷା କରିବା ପାଇଁ ସେ କୋ–ଅପରେଟିଭ (ସମବାୟ) ବ୍ୟାଙ୍କ ଓ ସମିତିମାନ ସୃଷ୍ଟି କରିଥିଲେ । ଏତଦ୍‌ବ୍ୟତୀତ ସେ ଶିକ୍ଷା, ଶିଳ୍ପ, ବାଣିଜ୍ୟ, ପୁଲିସ, ସେନା, ଅର୍ଥ ପ୍ରଭୃତି ସମସ୍ତ ବିଭାଗର ସଂସ୍କାର କରିଥିଲେ । ତାଙ୍କର ଶିକ୍ଷା ସଂସ୍କାରକୁ ଭାରତର ଶିକ୍ଷିତ ଶ୍ରେଣୀ ପସନ୍ଦ କରି ନ ଥିଲେ । ସୈନ୍ୟ ବିଭାଗର ସଂସ୍କାର ସମ୍ୱନ୍ଧରେ ସେନାପତି ଲର୍ଡ କିଚନର୍‌ଙ୍କ ସଙ୍ଗେ କଳି ଲାଗିବାରୁ ସେ ଖ୍ରୀ: ୧୯୦୫ରେ କାର୍ଯ୍ୟ ଛାଡ଼ି ଚାଲିଗଲେ ।

 

ଦ୍ୱିତୀୟ ଲର୍ଡମିଣ୍ଟୋ (ଖ୍ରୀ: ୧୯୦୫–ଖ୍ରୀ:୧୯୧୦) – ଲର୍ଡ କର୍ଜନଙ୍କ ପରେ ଲର୍ଡ ମିଣ୍ଟୋ ଭାରତର ଭାଇସରୟ ହେଲେ । ତାଙ୍କର ଶାସନ କାଳରେ ସମ୍ରାଟ ସପ୍ତମ ଏର୍ଡବାର୍ଡ ଖ୍ରୀ: ୧୯୧୦ ରେ ପ୍ରାଣତ୍ୟାଗ କଲେ । ତାଙ୍କପରେ ତାଙ୍କପୁତ୍ର ପଞ୍ଚମ ଜର୍ଜ ସିଂହାସନ ଆରୋହଣ କଲେ । ‘ମିଣ୍ଟୋ-ମର୍ଲେ’ ଶାସନସଂସ୍କାର ଏହାଙ୍କ ସମୟର ପ୍ରଧାନ ଘଟଣା । ଲର୍ଡ ମିଣ୍ଟୋ ଓ ବିଲାତ ପାର୍ଲିଆମେଣ୍ଟର ତତ୍‌କାଳୀନ ଭାରତ ମନ୍ତ୍ରୀ ମର୍ଲେ ସାହେବ ଦୁହେଁ ମିଳି ଏହି ଶାସନସଂସ୍କାର କରିଥିଲେ । ଏହା ଖ୍ରୀ: ୧୯୦୯ରେ ଭାରତରେ ପ୍ରବର୍ତ୍ତିତ ହୋଇଥିଲା । ଏହି ସଂସ୍କାର ଅନୁସାରେ ପ୍ରତ୍ୟେକ ପ୍ରଦେଶରେ ଗୋଟିଏ ଲେଖାଏଁ ବ୍ୟବସ୍ଥାପକ ସଭା ରହିଲା । ଏହି ସଭାରେ ତିନି ପ୍ରକାର ସଭ୍ୟ ରହିଲେ । ସରକାରୀ କର୍ମଚାରୀ, ସରକାରଙ୍କ ମନୋନୀତ ସଭ୍ୟ ଓ ବେସରକାରୀ ସଭ୍ୟ । ସଭାରେ ବିଭିନ୍ନ ଗୋଷ୍ଠୀ ଓ ସମ୍ପ୍ରଦାୟ, ଜିଲାବୋର୍ଡ, ମ୍ୟୁନିସିପାଲିଟି ମାନଙ୍କଦ୍ୱାରା ନିର୍ବାଚିତ ବେ-ସରକାରୀ ସଭ୍ୟଙ୍କ ସଂଖ୍ୟା ଅଧିକ ଥିଲା । ଏହି ସଭାରେ ଦେଶର ଆୟ ବ୍ୟୟ ବିଚାର ଓ ଆଇନ ପ୍ରଣୟନ ହେଉଥିଲା । ସମଗ୍ର ଭାରତ ସକାଶେ ଭାଇସରୟଙ୍କ ବ୍ୟବସ୍ଥାପକ ସଭା ରହିଲା । ଏହି ସଭାରେ ମଧ୍ୟ ପ୍ରାଦେଶିକ ସଭା ପରି ତିନି ପ୍ରକାର ସଭ୍ୟ ରହିଲେ । ଏହା ଭାରତ ସକାଶେ ଆଇନ୍‌ପ୍ରଣୟନ କରିବାର ଅଧିକାର ପାଇଲା । ମିଣ୍ଟୋ–ମର୍ଲେ ସଂସ୍କାର ୧୯୨୧ ପର୍ଯ୍ୟନ୍ତ ଭାରତରେ ଚଳିଥିଲା । ଖ୍ରୀ: ୧୯୧୦ ଲର୍ଡ ମିଣ୍ଟୋ ବିଲାତକୁ ଫେରିଗଲେ ।

 

ଦ୍ୱିତୀୟ ଲର୍ଡ ହାର୍ଡିଞ୍ଜ (ଖ୍ରୀ: ୧୯୧୦–ଖ୍ରୀ ୧୯୧୬) – ଭାରତରେ ସ୍ୱଦେଶୀ ଆନ୍ଦୋଳନ ପ୍ରବଳ ହେବାରୁ ସମ୍ରାଟ ପଞ୍ଚମ ଜର୍ଜ ସସ୍ତ୍ରୀକ ଭାରତବର୍ଷକୁ ଆସି ଖ୍ରୀ: ୧୯୧୧ରେ ଦିଲ୍ଲୀଠାରେ ଗୋଟିଏ ବଡ଼ ଦରବାର କରିଥିଲେ । ସେଠାରେ ସେ ବଙ୍ଗ ବିଚ୍ଛେଦ ରଦ୍ଦ ହେଲା ବୋଲି ଘୋଷଣା କରିଥିଲେ । ତାହାରି ଫଳରେ ଆସାମ, ବିହାର ଓ ଓଡ଼ିଶା ଦୁଇଟି ସ୍ୱତନ୍ତ୍ର ପ୍ରଦେଶ ହେଲା ଏବଂ ପୂର୍ବ ବଙ୍ଗ ଓ ପଶ୍ଚିମ ବଙ୍ଗ ମିଶି ଗୋଟିଏ ପ୍ରଦେଶ ହେଲା । ସମ୍ରାଟଙ୍କ ଇଚ୍ଛାନୁସାରେ କଲିକତାରୁ ଭାରତର ପ୍ରାଚୀନ ଶାସନ କେନ୍ଦ୍ର ଦିଲ୍ଲୀକୁ ରାଜଧାନୀ ଉଠାଇ ନିଆ ଯାଇଥିଲା ।

 

ଇଉରୋପୀୟ ମହାସମର (ଖ୍ରୀ: ୧୯୧୪) – ଏହାଙ୍କ ଶାସନକାଳର ପ୍ରଧାନ ଘଟଣା-ଇଉରୋପରେ ଜର୍ମାନ ଗୋଟିଏ ଶକ୍ତିଶାଳୀ ଜାତି । ମହାଯୁଦ୍ଧ ପୂର୍ବରୁ ସେମାନେ ବିଶାଳ ସାମ୍ରାଜ୍ୟ ସୃଷ୍ଟି କରିବାପାଇଁ ଓ ପୃଥିବୀର ବାଣିଜ୍ୟ ବ୍ୟବସାୟରେ ବିଶିଷ୍ଟ ଅଂଶ ପାଇବାପାଇଁ ସର୍ବଦା ଚେଷ୍ଟା କରୁଥିଲେ । ନିଜର ଶକ୍ତି ବଢ଼ାଇବାପାଇଁ ସେମାନେ ଯୁଦ୍ଧର ବିପୁଳ ଆୟୋଜନ କରିଥିଲେ ଓ ସର୍ବଦା ଯୁଦ୍ଧର ସୁଯୋଗ ଖୋଜୁଥିଲେ । ୧୯୧୪ ଖ୍ରୀଷ୍ଟବ୍ଦରେ ଜର୍ମାନୀର ବନ୍ଧୁ ଅଷ୍ଟ୍ରିୟାରାଜ୍ୟର ଭାବୀ ସମ୍ରାଟ ସର୍ବିୟା ଦେଶରେ ନିହତ ହେଲେ । ତେଣୁ ଅଷ୍ଟ୍ରିୟା ସର୍ବିଆ ମଧ୍ୟରେ ଯୁଦ୍ଧ ହେଲା । ଇଉରୋପୀୟ ଜାତିମାନେ ନିଜ ନିଜର ସ୍ୱାର୍ଥରକ୍ଷା ପାଇଁ ଏହି ଯୁଦ୍ଧରେ ଯୋଗ ଦେଇଥିଲେ । ଗୋଟିଏ ପକ୍ଷରେ ଜର୍ମାନୀ, ଅଷ୍ଟ୍ରିୟା, ବୁଲଗେରିଆ ଓ ତୁରସ୍କ ରହିଲେ । ଅପର ପକ୍ଷରେ ଇଂଲଣ୍ଡ, ଫ୍ରାନ୍ସ, ଋଷିଆ, ଇଟାଲୀ, ସର୍ବିଆ, ବେଲିଜିୟମ, ଚୀନ, ଯାପନ ପ୍ରଭୃତି ରହିଲେ । ପ୍ରାୟ ୪ ବର୍ଷକାଳ ଭୀଷଣ ଯୁଦ୍ଧ ହୋଇଥିଲା । ପରିଶେଷରେ ଆମେରିକା ଇଂରେଜମାନଙ୍କ ପକ୍ଷ ଗ୍ରହଣ କରିବାରୁ ଜର୍ମାନମାନେ ପରାସ୍ତ ହେଲେ ଓ ୧୯୧୮ ଖ୍ରୀଷ୍ଟାବ୍ଦରେ ସନ୍ଧି ହେଲା ।

 

ଏହି ଯୁଦ୍ଧରେ ଭାରତର ଅସଂଖ୍ୟ ସୈନ୍ୟ ଓ ଲୋକ ଇଂରେଜମାନଙ୍କୁ ସାହାଯ୍ୟ ଦେଇଥିଲେ । ଯୁଦ୍ଧପାଇଁ ଭାରତୀୟମାନେ କୋଟି କୋଟି ଟଙ୍କା ଦାନ କରିଥିଲେ ଓ ଅନେକ ଭାରତୀୟ ଯୁଦ୍ଧକ୍ଷେତ୍ରରେ ପ୍ରାଣତ୍ୟାଗ କରିଥିଲେ । ଭାରତର ସାହାଯ୍ୟ ଇଂରେଜମାନଙ୍କ ବିଜୟର ଗୋଟିଏ ପ୍ରଧାନ କାରଣ । ଏହି ମହାଯୁଦ୍ଧ ପରେ ଇଂରେଜମାନଙ୍କର ଶକ୍ତି ବଢ଼ିଗଲା ଓ ଜର୍ମାନ୍‌ମାନେ ଦୁର୍ବଳ ହୋଇଗଲେ । ଏଥିରେ ଇଉରୋପର ଅସଂଖ୍ୟ ଲୋକ ମରିଥିଲେ ଓ ଭୀଷଣ କ୍ଷତି ହୋଇଥିଲା । ଭବିଷ୍ୟତରେ ଏପରି ଭୀଷଣ ଓ ମରାତ୍ମକ ଯୁଦ୍ଧ ବନ୍ଦ କରିବାପାଇଁ ଜେନେଭାଠାରେ ‘ଲିଗ୍‌ଅଫ୍‌ନେଶନସ୍‌’ ବା ‘ଜାତି-ସଂଘ’ ପ୍ରତିଷ୍ଠିତ ହୋଇଥିଲା । ଏଠାକୁ ପୃଥିବୀର ଅଧିକାଂଶ ଦେଶ ସଭ୍ୟ ପଠାନ୍ତି । ପୃଥିବୀରେ ଶାନ୍ତି ସ୍ଥାପନ କରିବା ଜାତିସଂଘର ପ୍ରଧାନ ଉଦ୍ଦେଶ୍ୟ-। ହାର୍ଡିଞ୍ଜ ପାଟଣାରେ ହାଇକୋର୍ଟ ଓ ବିଶ୍ୱବିଦ୍ୟାଳୟ ସ୍ଥାପନ କରିଥିଲେ ।

 

ଲର୍ଡଚେମ୍‌ସ୍‌ଫୋର୍ଡ (ଖ୍ରୀ: ୧୯୧୬–ଖ୍ରୀ: ୧୯୨୧) – ଲର୍ଡ ହାର୍ଡିଞ୍ଜଙ୍କ ପରେ ଲର୍ଡ ଚେମ୍‌ସ୍‌ଫୋର୍ଡ ଭାରତର ଭାଇସରୟ ହେଲେ । ତାହାଙ୍କ ସମୟରେ ବିଲାତ ପାର୍ଲିଆମେଣ୍ଟର ଭାରତମନ୍ତ୍ରୀ ମଣ୍ଟେଗୁ ସାହେବ ଓ ବଡଲାଟ ଚେମ୍‌ସ୍‌ଫୋର୍ଡଙ୍କ ଦ୍ୱାରା ପ୍ରସ୍ତୁତ ‘ମେଣ୍ଟେଗୁ–ଚେମ୍‌ସ୍‌ଫୋର୍ଡ ଶାସନସଂସ୍କାର’ ଭାରତରେ ପ୍ରବର୍ତ୍ତିତ ହେଲା । ଏହା ଫଳରେ ଭାରତର ଶାସନ ପ୍ରଣାଳୀରେ କେତେକ ପରିବର୍ତ୍ତନ ହୋଇଥିଲା । ପ୍ରତ୍ୟେକ ପ୍ରଦେଶରେ ଜଣେ ଜଣେ ଗଭର୍ଣ୍ଣର ରହିଲେ । ତାଙ୍କୁ ଶାସନ କାର୍ଯ୍ୟରେ ସାହାଯ୍ୟ ଦେବାପାଇଁ ଗୋଟିଏ ଏକ୍‌ଜିକ୍ୟୁଟିଭ କାଉନ୍‌ସିଲ ବା କାର୍ଯ୍ୟକାରିଣୀ ସଭା ଓ ଗୋଟିଏ ଲେଜିସ୍ଳେଟିଭ୍‌କାଉନ୍‌ସିଲ ବା ଛୋଟଲାଟ ସଭା ରହିଲା । ଲାଟଙ୍କ କାର୍ଯ୍ୟକାରିଣୀ ସଭା ହାତରେ ବିଚାରବିଭାଗ, ପୋଲିସ, ରାଜସ୍ୱ, ଜେଲବିଭାଗ, ରାଜକୋଷ ଇତ୍ୟାଦି ରହିଲା । ଏଗୁଡ଼ିକର ନାମ ରକ୍ଷିତବିଭାଗ (Reserved Departments) । ଏହାର ସଭ୍ୟମାନଙ୍କୁ ସରକାର ନିଯୁକ୍ତ କରନ୍ତି । ଏଥିରେ ଅତି ଅଳ୍ପ ସଭ୍ୟ ଥାନ୍ତି । କାଉନ୍‌ସିଲ ବା ଛୋଟଲାଟ ସଭାର ଅଧିକାଂଶ ସଭ୍ୟ ଲୋକସାଧାରଣଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି । ଓ ଅଳ୍ପସଂଖ୍ୟକ ସଭ୍ୟ ସରକାର ମନୋନୀତ କରନ୍ତି । ଲାଟସଭାର ସଭ୍ୟମାନଙ୍କ ମଧ୍ୟରୁ କେତେକ ମନ୍ତ୍ରୀରୂପେ ବଛାଯାନ୍ତି । ସେମାନଙ୍କ ହାତରେ ସ୍ୱାୟତ୍ତଶାସନ (ଜିଲାବୋର୍ଡ, ମ୍ୟୁନିସପାଲିଟି ପ୍ରଭୃତି), ଶିକ୍ଷା, ସ୍ୱାସ୍ଥ୍ୟ ଓ ଅବକାରୀ ବିଭାଗର ଭାର ଥାଏ । ଏଗୁଡ଼ିକୁ ହସ୍ତାନ୍ତରିତ ବିଭାଗ (Transfered Departments) କହନ୍ତି । ଲାଟସଭାରେ ଆଇନ ପ୍ରଣୟନ, ଆୟବ୍ୟୟ ବିଚାର ଓ ନୂତନ ଟ୍ୟାକ୍‌ସ ଧାର୍ଯ୍ୟ ହୁଏ ।

 

ପ୍ରତ୍ୟେକ ପ୍ରଦେଶ ପରି ଦିଲ୍ଲୀରେ ବଡଲାଟଙ୍କୁ ସାହାଯ୍ୟ କରିବାପାଇଁ ଗୋଟିଏ କାଉନ୍‌ସିଲ ଅଫ୍‌ଷ୍ଟେଟ ଓ ଗୋଟିଏ ଲେଜିସ୍ଲେଟିଭ୍‌ ଆସେମ୍‌ବ୍ଳି ବା ବଡଲାଟ ସଭା ଗଠିତ ହେଲା । ସେ ଦୁଇଟିରେ ଭାରତର ଆୟ ବ୍ୟୟ ବିଚାର, ଆଇନ ପ୍ରଣୟନ, ନୂତନ କର ଧାର୍ଯ୍ୟ ଓ ଭାରତର ଅନ୍ୟାନ୍ୟ ବିଷୟ ବିଚାର ହୁଏ ।

 

ତାଙ୍କ ସମୟରେ ଲର୍ଡସିଂହ ନାମକ ଜଣେ ଭାରତୀୟ କୃତୀ ସନ୍ତାନ ପ୍ରଥମେ ବିହାର–ଓଡ଼ିଶା ପ୍ରଦେଶର ଗଭର୍ଣ୍ଣରରୂପେ ନିଯୁକ୍ତ ହେଲେ ।

 

ଚତୁର୍ଥ ଆଫଗାନ୍‌ଯୁଦ୍ଧ – ଆଫଗାନିସ୍ଥାନର ଅମୀର ଅମାନୁଲ୍ଲା ଖାଁ ଭାରତ ଆକ୍ରମଣ କରିବାରୁ ଏହି ଯୁଦ୍ଧ ହେଲା। କିଛିକାଳ ଯୁଦ୍ଧ ପରେ ୧୯୨୧ ଖ୍ରୀଷ୍ଟାବ୍ଦରେ ସନ୍ଧି ହେଲା । ଏହା ଫଳରେ ଅମୀର ସଂପୂର୍ଣ୍ଣରୂପେ ସ୍ୱାଧୀନ ହେଲେ ।

 

ଅସହଯୋଗ ଆନ୍ଦୋଳନ – ଏହି ଶାସନ ସଂସ୍କାରରେ ଅସନ୍ତୁଷ୍ଟ ହୋଇ ମୋହନଦାସ କରମଚାନ୍ଦ ଗାନ୍ଧୀ ନାମକ ଗୁଜରାଟର ଜଣେ ପ୍ରସିଦ୍ଧ ନେତା ଭାରତରେ ନନ୍‌କୋ-ଅପରେଶନ ବା ଅସହଯୋଗ ଆନ୍ଦୋଳନ ଚଳାଇଥିଲେ । ସରକାରୀ ଚାକିରୀ ଓ ଓକିଲାତି ନ କରିବାକୁ, ସରକାରୀ ସ୍କୁଲ କଲେଜରେ ପାଠ ନ ପଢ଼ିବାକୁ, ବିଦେଶୀ ଦ୍ରବ୍ୟ ଓ ନିଶା ବ୍ୟବହାର ଛାଡ଼ିବାକୁ ଏବଂ କଚେରୀରେ ମାଲିମକଦ୍ଦମା ନ କରି ପଞ୍ଚାୟତରେ ନିଷ୍ପତ୍ତି କରିବାକୁ ସେ ଲୋକମାନଙ୍କୁ ଉପଦେଶ ଦେଇଥିଲେ । ସରକାରଙ୍କ ସଙ୍ଗେ ସମସ୍ତ ସମ୍ପର୍କ ତୁଟାଇ ଅସହଯୋଗ କରି ଭାରତରେ ସ୍ୱରାଜ୍ୟ ସ୍ଥାପନ କରିବା ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ । ଭାରତର ପ୍ରତ୍ୟେକ ପ୍ରଦେଶରେ ଏହା ବ୍ୟାପି ଯାଇଥିଲା ଓ ଅନେକ ମୁଖ୍ୟ ନେତା ଏଥିରେ ଯୋଗ ଦେଇଥିଲେ ।

 

ଲର୍ଡ ରିଡିଙ୍ଗ୍‌ (ଖ୍ରୀ: ୧୯୨୧–ଖ୍ରୀ: ୧୯୨୬) – ଲର୍ଡ ରିଡିଙ୍ଗ୍‌ ୧୯୨୧ ଖ୍ରୀଷ୍ଟାବ୍ଦରେ ଭାଇସରୟ ହେଲେ । ସେ ମହାତ୍ମାଗାନ୍ଧୀ, ଅନ୍ୟାନ୍ୟ ନେତା ଓ କର୍ମୀମାନଙ୍କୁ ବନ୍ଦୀ କରି ଅସହଯୋଗ ଆନ୍ଦୋଳନକୁ ଅନେକ ପରିମାଣରେ ଦମନ କରିଥିଲେ । ରାଜଦ୍ରୋହୀମାନଙ୍କୁ ବିନା ବିଚାରରେ ଦଣ୍ଡ ଦେବାପାଇଁ ସେ ଗୋଟିଏ ଆଇନ କରିଥିଲେ । ସେ ଭାରତରେ ପ୍ରସ୍ତୁତ କଳଲୁଗା ଉପରୁ ଶୁଳ୍କ ଉଠାଇ ଦେଇଥିଲେ; କିନ୍ତୁ ଲବଣକର ବଢ଼ାଇ ଦେଇଥିଲେ । ତାଙ୍କ ଶାସନ କାଳରେ ପ୍ରିନ୍ସ ଅଫ୍‌ଓଏଲସ୍‌ ଭାରତକୁ ଆସିଥିଲେ । ତାଙ୍କ ଅମଳରେ ଡେରାଡୁନ୍‌ଠାରେ ଗୋଟିଏ ମିଲିଟାରୀ କଲେଜ (ଯୁଦ୍ଧ ବିଦ୍ୟାଳୟ) ସ୍ଥାପିତ ହୋଇଥିଲା ।

ଲର୍ଡ ଇରଉଇନ୍‌ (ଖ୍ରୀ: ୧୯୨୬–ଖ୍ରୀ: ୧୯୩୧) – ଲର୍ଡ ରିଡିଙ୍ଗ୍‌ଙ୍କ ପରେ ଲର୍ଡ ଇରଉଇନ୍‌ଭାଇସରୟ ହେଲେ । ତାଙ୍କର ଆସିବାର ଅଳ୍ପଦିନ ପରେ କଲିକତାରେ ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ବିବାଦ ଓ ହଣାକଟା ଚାଳିଲା । କିଛିଦିନ ପରେ ଏହା ବନ୍ଦ ହୋଇ ଉଭୟ ସଂପ୍ରଦାୟ ମଧ୍ୟରେ ଶାନ୍ତି ସ୍ଥାପିତ ହେଲା ।

Image

(ଲର୍ଡ ଇରଉଇନ୍‌)

 

ଭାରତରେ ମଣ୍ଟେଗୁ-ଚେମସ୍‌ଫୋର୍ଡ ଶାସନ ସଂସ୍କାର କିପରି କାର୍ଯ୍ୟକାରୀ ହୋଇଅଛି ଓ ଭାରତୀୟମାନେ ଶାସନ ବିଷୟରେ ଅଧିକ କ୍ଷମତା ପାଇବାପାଇଁ କେତେଦୂର ଉପଯୁକ୍ତ ହେଲେଣି, ସେ ବିଷୟ ବୁଝିବାପାଇଁ ବିଲାତ ପାର୍ଲିଆମେଣ୍ଟ ୧୯୨୮ ଖ୍ରୀଷ୍ଟାବ୍ଦରେ ‘ସାଇମନ କମିସନ’କୁ ଭାରତକୁ ପଠାଇଥିଲେ । ଏହି କମିସନ ବା ସମିତିରେ ସାତ ଜଣ ସଭ୍ୟ ଥିଲେ ଓ ସାଇମନ ନାମକ ଜଣେ ବିଚକ୍ଷଣ ଲୋକ ଏହାର ପ୍ରଧାନ ସଭ୍ୟ ଓ ସଭାପତି ଥିଲେ । ଏହି କମିସନ ଭାରତର ନାନାସ୍ଥାନରେ ବୁଲି ସାକ୍ଷ୍ୟ ନେଇଥିଲେ ଓ ବିଲାତ ପାର୍ଲିଆମେଣ୍ଟରେ ଗୋଟିଏ ରିର୍ପୋଟ ଦେଇଥିଲେ । ଏହି ରିପୋର୍ଟ ବିଚାର କରି ଭାରତ ପାଇଁ ନୂଆ ଶାସନ ଖସଡ଼ା ତିଆରି କରିବା ସକାଶେ ବିଲାତରେ ଗୋଲଟେବୁଲ ମାନ୍ଦାଦଳିଆ ନେତା ଓ ବଡ଼ ବଡ଼ ରାଜାମାନେ ଯୋଗ ଦେଇଥିଲେ କିନ୍ତୁ କଂଗ୍ରେସ ଯୋଗ ଦେଲା ନାହିଁ । ସେତେବେଳେ କଂଗ୍ରେସର ନେତା ମହାତ୍ମା ଗାନ୍ଧୀ ‘ଆଇନ-ଅମାନ୍ୟ’ ନାମକ ପ୍ରବଳ ଜାତୀୟ ଆନ୍ଦୋଳନ ଚଳାଇଥିଲେ । ସରକାରଙ୍କ ସଙ୍ଗେ ସମସ୍ତ ସମ୍ପର୍କ ତୁଟାଇ ଦେବାକୁ ସେ ପ୍ରଚାର କଲେ । ତାଙ୍କ କଥା ମାନି ଦଳ ଦଳ ଲୋକ ଆଇନଅମାନ୍ୟ, ପିକେଟିଂ, ଖଜଣା ବନ୍ଦ କରି, ଖଜୁରିଗଛ କାଟି, ସଭାସମିତି ଓ ହରତାଳ ଇତ୍ୟାଦି ରଖି ଅଛନ୍ତି। ଲୋକେ ଲୁଣ ମାରିଲେ ଦଣ୍ଡ ପାନ୍ତି । ଗାନ୍ଧୀ ଲୋକମାନଙ୍କୁ ଲୁଣମରା ଅଧିକାର ଦେବାପାଇଁ ଲବଣ ସତ୍ୟାଗ୍ରହ କରିଥିଲେ । ନିଜେ ଲୁଣ ମାରିଲେ । ଭାରତର ସମୁଦ୍ରକୂଳରେ ନାନାସ୍ଥାନରେ ଲୁଣମରା ଆନ୍ଦୋଳନ ଚାଲିଲା । ଏହି ଆନ୍ଦୋଳନ ଫଳରେ ସହସ୍ର ସହସ୍ର ଲୋକ ଜେଲ ଯାଇଥିଲେ ଓ ଜୋରିମାନା ଦେଇଥିଲେ ।

 

ଶେଷରେ ଲର୍ଡ ଇରଉଇନ୍‌ଖ୍ରୀ: ୧୯୩୧ ମାର୍ଚ୍ଚ ମାସରେ ମହାତ୍ମା ଗାନ୍ଧୀଙ୍କ ସହିତ ସନ୍ଧି କଲେ । ଏହାକୁ ‘ଗାନ୍ଧୀ-ଇରଉଇନ୍‌ସନ୍ଧି’ କହନ୍ତି । ଏହା ଫଳରେ ମହାତ୍ମା ଗାନ୍ଧୀ ଆଇନ-ଅମାନ୍ୟ-ଆନ୍ଦୋଳନ ବନ୍ଦ କଲେ ଓ ସମୁଦ୍ରକୁଳିଆ ଲୋକମାନେ ନିଜ ବ୍ୟବହାର ପାଇଁ ଲୁଣ ମାରିବାର ଅଧିକାର ପାଇଲେ । ମହାତ୍ମା ଗାନ୍ଧି କଂଗ୍ରେସ ତରଫରୁ ବିଲାତର ଦ୍ୱିତୀୟ ଗୋଲଟେବୁଲ ବୈଠକରେ ଯୋଗ ଦେବାର ସ୍ଥିର ହେଲା ।

 

ଇରଉଇନଙ୍କ ସମୟରେ ୧୯୨୯ ଖ୍ରୀଷ୍ଟାବ୍ଦରୁ ଭାରତ ଓ ବିଲାତ ମଧ୍ୟରେ ଉଡ଼ାଜାହାଜରେ ଡାକ ଯିବା ଆସିବାର ବନ୍ଦୋବସ୍ତ ହେଲା । ସେ ୧୯୩୧ ଖ୍ରୀଷ୍ଟାବ୍ଦରେ ଭାରତ ତ୍ୟାଗ କଲେ ।

 

ଲର୍ଡ ଉଇଲିଙ୍ଗ୍ଡନ୍‌ (ଖ୍ରୀ ୧୯୩୧–ଖ୍ରୀ: ୧୯୩୬) – ଲର୍ଡ ଇରଉଇନ୍‌ଙ୍କ ପରେ ଲର୍ଡ ଉଇଲିଙ୍ଗ୍ଡନ୍‌ ୧୯୩୧ ଖ୍ରୀଷ୍ଟାବ୍ଦରେ ଭାଇସରୟ ହେଲେ । ଏଥିପୂର୍ବେ ସେ ବମ୍ୱେ ଓ ମାନ୍ଦ୍ରାଜର ଗଭର୍ଣ୍ଣର ଥିଲେ । ତାଙ୍କ ସମୟରେ ୧୯୩୧ ସେପ୍‌ଟେମ୍ୱରଠାରୁ ଡିସେମ୍ୱର ପର୍ଯ୍ୟନ୍ତ ବିଲାତରେ ଦ୍ୱିତୀୟ ଗୋଲଟେବୁଲ ବୈଠକ ବସିଥିଲା । ଗାନ୍ଧି କଂଗ୍ରେସ ନେତାସ୍ୱରୂପ ସେଥିରେ ଯୋଗ ଦେଇଥିଲେ । କିନ୍ତୁ ସେଠାରା ତାଙ୍କର ଇଚ୍ଛାନୁଯାୟୀ ନିଷ୍ପତ୍ତି ହୋଇ ନ ପାରିବାରୁ ସେ ଡିସେମ୍ୱର ମାସରେ ଭାରତକୁ ଫେରି ଆସି ପୁନର୍ବାର କଂଗ୍ରେସ ଆନ୍ଦୋଳନ ଚଳାଇଲେ । କିନ୍ତୁ ଏହା ଅଳ୍ପଦିନ ମଧ୍ୟରେ ଦବି ଯାଇଥିଲା । ଏହାଙ୍କ ସମୟରେ ବିଲାତରେ ତୃତୀୟ ଗୋଲଟେବୁଲ ବୈଠକ ବସିଲା-। ଏହା ପରେ ‘ହ୍ୱାଇଟ୍‌ପେପର’ ବା ‘ଧଳାକାଗଜ’ ନାମକ ଶାସନ ଖସଡ଼ା ପ୍ରଣୀତ ହେଲା । ଏଥିରେ ସିନ୍ଧୁ ଓ ଓଡ଼ିଶା ଦୁଇଟି ସ୍ୱତନ୍ତ୍ର ପ୍ରଦେଶ ହେବ ବୋଲି ଘୋଷିତ ହୋଇଥିଲା ।

 

ସ୍ୱତନ୍ତ୍ର ଉତ୍କଳ-ଓଡ଼ିଆମାନେ ଆଜକୁ ପ୍ରାୟ ୩୫ ବର୍ଷ ହେଲା ଓଡ଼ିଆଭାଷୀ ଅଞ୍ଚଳମାନଙ୍କୁ ଏକତ୍ର କରିବାପାଇଁ ଆନ୍ଦୋଳନ କରୁଅଛନ୍ତି । ପୂର୍ବେ ଓଡ଼ିଶା ଗଙ୍ଗଠାରୁ ଗୋଦାବରୀ ପର୍ଯ୍ୟନ୍ତ ବସ୍ତୃତ ଥିଲା । କିନ୍ତୁ ଓଡ଼ିଶାର ସ୍ୱାଧୀନତା ଲୋପ ହେବା ପରେ ଏହି ବିଶାଳ ରାଜ୍ୟ ଖଣ୍ଡବିଖଣ୍ଡ ହୋଇଗଲା । ଉତ୍ତରରେ ହିଜିଲି ସରକାର ବା ମେଦିନପୁର ଜିଲା ଆଲିବର୍ଦ୍ଦି ଖାଙ୍କ ସମୟ (୧୭୫୧ ଖ୍ରୀଷ୍ଟାବ୍ଦ)ରୁ ବଙ୍ଗଳା ସଙ୍ଗେ ରହିଗଲା । ଇଂରେଜମାନେ ଓଡ଼ିଶା ଅଧିକାର କଲାବେଳେ ମେଦିନପୁରକୁ ଏହା ସହିତ ମିଶାଇଲେ ନାହିଁ । ସେ ମୂଲକର ଓଡ଼ିଆମାନେ ବଙ୍ଗାଳୀମାନଙ୍କର ପ୍ରଭାବରେ କ୍ରମଶଃ ଓଡ଼ିଆଭାଷା ଭୁଲିଗଲେ । ସେହିପରି ଗୋଦାବରୀଠାରୁ ଚିଲିକା ପର୍ଯ୍ୟନ୍ତ ଅଂଶ (ଉତ୍ତର ସରକାର) ଗୋଲକୁଣ୍ଡାର ସୁସଲତାନମାନେ ଓ ପରେ ମୋଗଲମାନେ ଅଧିକାର କଲେ । ଇଂରେଜମାନେ ମୋଗଲ ସମ୍ରାଟଙ୍କଠାରୁ ୧୭୬୫ ଖ୍ରୀଷ୍ଟାବ୍ଦରେ ତାହା ପାଇଲେ । ସେଠାରେ ତେଲଗୁମାନଙ୍କର ପ୍ରଭାବ ଓ ପ୍ରତିପତ୍ତି କ୍ରମଶଃ ବଢ଼ିଲା । କେବଳ ପୁରୀ, କଟକ, ବାଲେଶ୍ୱର ତିନୋଟି ଜିଲା ଇଂରେଜମାନେ ୧୮୦୩ ଖ୍ରୀଷ୍ଟାବ୍ଦରେ ନାଗପୁର ଭୋନ୍‌ସଲାଙ୍କଠାରୁ ପାଇଥିଲେ । ପରେ ସମ୍ୱଲପୁର ଓ ଅନୁଗୁଳ ଏହା ସହିତ ମିଶିଲା । ଏହି ପାଞ୍ଚଟି ଜିଲାକୁ ଓଡ଼ିଶା ବୋଲି କୁହାଯାଉଥିଲା । ଏହି କ୍ଷୁଦ୍ର ଓଡ଼ିଶା ପ୍ରାଚୀନ ଓଡ଼ିଶାର ଗୋଟିଏ କ୍ଷୁଦ୍ର ଅଂଶ ମାତ୍ର । ଏହି ପ୍ରଦେଶ ବାହାରେ ବଙ୍ଗଳାର ଦକ୍ଷିଣ ମେଦିନୀପୁର; ବିହାରର ସିଂହଭୂମି ଜିଲା, ମଧ୍ୟପ୍ରଦେଶର ଫୁଲଝର, ଖଡ଼ିଆଳ, ପଦ୍ମପୁର, ଚନ୍ଦ୍ରପୁର, ବିନ୍ଦ୍ରାନୂଆଗଡ଼, ବସ୍ତର; ମାନ୍ଦ୍ରାଜର ଗଞ୍ଜାମଜିଲା ଓ ଜୟପୁର ଅଞ୍ଚଳରେ ପ୍ରାୟ ୫୦ ଲକ୍ଷ ଓଡ଼ିଆ ବାସ କରନ୍ତି ।

 

Image

(ଲର୍ଡ ଉଇଲିଙ୍ଗ୍ଡନ୍‌)

 

ଓଡ଼ିଆଭାଷୀ ଅଞ୍ଚଳକୁ ଏକତ୍ର କରିବାପାଇଁ ପ୍ରଥମ ଲର୍ଡ କର୍ଜନ ଚେଷ୍ଟା କରିଥିଲେ । ୧୯୦୩ ଖ୍ରୀଷ୍ଟାବ୍ଦରୁ ପ୍ରତିବର୍ଷ ଉତ୍କଳ ସମ୍ମିଳନୀ ହୋଇ ଓଡ଼ିଆମାନେ ଦେଶମିଶ୍ରଣ ପାଇଁ ଆନ୍ଦୋଳନ କଲେ-। ୧୯୨୫ ଖ୍ରୀଷ୍ଟାବ୍ଦରୁ ‘ଫିଲିଫ୍‌ଡଫ କମିସନ୍‌’ ଓ ୧୯୨୯ ଖ୍ରୀଷ୍ଟାବ୍ଦରେ ‘ସାଇମନ କମିସନ୍‌’ ଦେଶମିଶ୍ରଣ ଓ ସ୍ୱତନ୍ତ୍ରୀ ପ୍ରଦେଶ ଗଠନ ପାଇଁ ମତ ଦେଲେ । ସରକାର ଓଡ଼ିଶାର ସୀମା ନିର୍ଦ୍ଦେଶ କରିବାପାଇଁ ଓଡେନଲ୍‌କମିଟିକୁ ନିଯୁକ୍ତ କଲେ । ଏହି କମିଟିର ରିପୋର୍ଟ ବିଚାର ହୋଇ ‘ହ୍ୱାଇଟପେପର’ ବା ଧଳାକାଗଜ ଶାସନ ଖସଡ଼ାରେ ଗଞ୍ଜାମ କେତେକାଂଶ ଓଡ଼ିଶାରେ ମିଶିବ ବୋଲି ଘୋଷିତ ହେଲା । କିନ୍ତୁ ଏଥିରେ ଓଡ଼ିଆମାନେ ବିଶେଷ ଅସନ୍ତୁଷ୍ଟ ହେବାରୁ ଗଞ୍ଜାମର ଅଧିକାଂଶ ଓ ସମଗ୍ର ଜୟପୁର ରାଜ୍ୟ, ମଧ୍ୟପ୍ରଦେଶରୁ ଖଡ଼ିଆଳ ଓ ପଦ୍ମପୁର ଓଡ଼ିଶାରେ ମିଶାଇ ୧୯୩୫ ମସିହାର ଭାରତ ଶାସନ ଆଇନବଳରେ ସ୍ୱତନ୍ତ୍ର ଓଡ଼ିଶାପ୍ରଦେଶ ଗଠତ ହେଲା । ତଥାପି କେତେଗୁଡ଼ିଏ ଓଡ଼ିଆ ମୂଲକ ସ୍ୱତନ୍ତ୍ର ଓଡ଼ିଶା ବାହାରେ ରହିଯାଉଛି । ଓଡ଼ିଶା ପ୍ରଦେଶ ଗଠନ ପାଇଁ ପାରଳାର ମହାରାଜା ଅକ୍ଳାନ୍ତ ପରିଶ୍ରମ କରି ଜାତିର ଚିରସ୍ମରଣୀୟ ହୋଇ ଅଛନ୍ତି ।

 

୧୯୩୫ ମସିହା ମଇମାସ ୬ତାରିଖରେ ସମ୍ରାଟ ପଞ୍ଚମଜର୍ଜଙ୍କର ୨୫ ବର୍ଷ ରାଜତ୍ୱ ପୂର୍ଣ୍ଣ ହେବାରୁ ବ୍ରିଟିଶ ସାମ୍ରାଜ୍ୟରେ ‘ରୌପ୍ୟ ଜୁବୁଲି’ ଉତ୍ସବ ପାଳିତ ହୋଇଥିଲା । କିନ୍ତୁ ଦୁଃଖର ବିଷୟ ରୌପ୍ୟ ଜୁବୁଲି ପରେ ଆଠ ମାସ ଯାଉ ନ ଯାଉଣୁଁ ସମ୍ରାଟ ପଞ୍ଚମଜର୍ଜ ୧୯୩୬ ଜାନୁୟାରୀ ମାସରେ ଇହଜଗତରୁ ବିଦାୟ ନେଲେ ।

 

ଲର୍ଡ ଲିନ୍‌ଲିଥ୍‌ଗୋ (ଖ୍ରୀ: ୧୯୩୬) – ଲର୍ଡ ଉଇଲିଙ୍ଗଡନ୍‌ଙ୍କ ପରେ ଲର୍ଡ ଲିନ୍‌ଲିଥ୍‌ଗୋ ବର୍ତ୍ତମାନ ଭାରତର ଭାଇସରୟ ଅଛନ୍ତି । ସେ ଭାରତ ବିଷୟ ପୂର୍ବରୁ ଭଲ କରି ଜାଣିଥିଲେ ଓ ଭାରତୀୟ କୃଷି କମିସନର ସଭାପତି ଥିଲେ । ଭାରତର ଦରିଦ୍ର ଲୋକ ସାଧାରଣ, କୃଷି ଓ ଗୋଜାତିର ଅବସ୍ଥା ଉନ୍ନତି କରିବାପାଇଁ ସେ ବିଶେଷ ଦୃଷ୍ଟି ଦେଉଛନ୍ତି । ତାଙ୍କର ଶାସନକାଳରେ ଭାରତରେ ପୂର୍ଣ୍ଣ ଶାନ୍ତି ରହିଛି ଓ ନୂତନ ଶାସନ ସଂସ୍କାରର ପ୍ରାଦେଶିକ ସ୍ୱତନ୍ତ୍ରତା ଏ ବର୍ଷ ଏପ୍ରିଲ ପହିଲାଠାରୁ ଜାରି ହେବ । ଏଥିପାଇଁ ଭାରତର ବିଭିନ୍ନ ପ୍ରଦେଶରେ ନିର୍ବାଚନ ସରିଲାଣି । ଏ ଶାସନ କି ଆକାର ଧାରଣ କରିବ ତାହା ନିକଟ ଭବିଷ୍ୟତରେ ଜଣାଯିବ । ରାଷ୍ଟ୍ରସଂଘ ଏପର୍ଯ୍ୟନ୍ତ ହୋଇପାରି ନାହିଁ । ସେ ଦିଗରେ ବିଶେଷ ଉଦ୍ୟମ ଚାଲିଛି । ସ୍ୱର୍ଗତ ସମ୍ରାଟ ପଞ୍ଚମ ଜର୍ଜଙ୍କ ଜ୍ୟେଷ୍ଠପୁତ୍ର ଅଷ୍ଟମ ଏଡବାର୍ଡ ୧୯୩୬ ମସିହା ଡିସେମ୍ୱର ୧୦ ତାରିଖରେ ନାନା କାରଣ ବଶତଃ ସିଂହାସନ ଛାଡ଼ି ଦେବାରୁ ତାଙ୍କର କନିଷ୍ଠ ଭ୍ରାତା ଷଷ୍ଠ ଜର୍ଜ ସିଂହାସନ ଅଧିକାର କରିବା ସ୍ଥିର ହୋଇଅଛି । ଏ ବର୍ଷ ମେ ମାସ ୧୨ ତାରିଖରେ ସମ୍ରାଟ୍‌ଷଷ୍ଠ ଜର୍ଜଙ୍କର ଅଭିଷେକ ଉତ୍ସ ପାଳିତ ହୋଇଥିଲା । ଏହାଙ୍କ ରାଜତ୍ୱ କାଳରେ ଭାରତର ନାନାବିଧ ଉନ୍ନତି ହେବାର ଆଶା କରାଯାଏ ।

 

ଓଡ଼ିଶା ଶାସନ – ୧୯୩୬ ଏପ୍ରିଲ ପହିଲାଠାରୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହେଲା-। ଓଡ଼ିଶା ଡିଭିଜନର ଭୂତପୂର୍ବ କମିସନର, ମାନ୍ୟବର ସର୍‌ ଜନ୍‌ ଅଷ୍ଟିନ୍‌ ହବାକ୍‌ ଜେ.ସି.ଏସ୍‌.ଆଇ, ଆଇ.ସି.ଏସ୍‌. ବର୍ତ୍ତମାନ ଓଡ଼ିଶାର ଲାଟ ଅଟନ୍ତି । ଓଡ଼ିଆ ଜାତି ଓ ସାହିତ୍ୟ ପ୍ରତି ତାଙ୍କର ବିଶେଷ ଶ୍ରଦ୍ଧା ଓ ମମତା ଅଛି । ସେ ଓଡ଼ିଶାର ଦୁଃଖ ଦୁର୍ଦ୍ଦଶା ଓ ଅଭାବ ଅସୁବିଧା ଭଲକରି ଜାଣନ୍ତି ।

 

ତାଙ୍କର ଶାସନ କାଳରେ ଓଡ଼ିଶାର ଅଭାବ ଅସୁବିଧା ଦୂର ହୋଇ ପରିତ୍ୟକ୍ତ ଓଡ଼ିଆଭାଷୀ ଅଞ୍ଚଳମାନଙ୍କର ସଂମିଶ୍ରଣ ହୋଇ ଓଡ଼ିଶା ଗୋଟିଏ ସର୍ବାଙ୍ଗସୁନ୍ଦର ପ୍ରଦେଶ ହେବ ବୋଲି ଆଶା କରାଯାଏ ।

Image

 

ପରିଶିଷ୍ଟ

ଇଂରେଜ ଶାସନରେ ଭାରତର ଅବସ୍ଥା

 

ଇଂରେଜମାନେ ପ୍ରାୟ ୧୮୦ ବର୍ଷ ହେବ ଭାରତରେ ଶାସନ କଲେଣି । ଇଂରେଜ ଶାସନର ଠିକ୍‌ପୂର୍ବରୁ ଭାରତରେ ଘୋର ଅରାଜକତା ଓ ଅଶାନ୍ତି ବ୍ୟାପି ଯାଇଥିଲା । ଦେଶ କ୍ଷୁଦ୍ରକ୍ଷୁଦ୍ର ରାଜ୍ୟରେ ବିଭକ୍ତ ଥିଲା । ରାଜ୍ୟମାନଙ୍କ ମଧ୍ୟରେ ସର୍ବଦା ଯୁଦ୍ଧ ଲାଗିଥିଲା । ଚୋର ଡକାୟତମାନଙ୍କ ଅତ୍ୟାଚାରରେ ଲୋକମାନେ ପ୍ରପୀଡ଼ିତ ହେଉଥିଲେ । ଭାରତର ବିଭିନ୍ନ ପ୍ରଦେଶ ମଧ୍ୟରେ ବିଶେଷ ସମ୍ପର୍କ ନ ଥିଲା । ଭାରତୀୟ ସଭ୍ୟତା, ଶିକ୍ଷା ଓ ସାହିତ୍ୟର ବିଶେଷ ଅଧୋଗତି ହୋଇଥିଲା । ଲୋକମାନଙ୍କ ମଧ୍ୟରେ ନାନାପ୍ରକାର କୁସଂସ୍କାର ପ୍ରଚଳିତ ଥିଲା । ଇଂରେଜ ରାଜତ୍ୱ ପରେ ଅରାଜକତା କ୍ରମଶଃ ଲୋପ ପାଇଲା ଓ ସମଗ୍ର ଭାରତରେ ବ୍ରିଟିଶମାନଙ୍କ ଏକଛତ୍ର ଶାସନ ପ୍ରତିଷ୍ଠିତ ହେଲା । ରେଳପଥ, ରାସ୍ତା, ଡାକଘର, ତାରଡାକ, ବେତାରଯନ୍ତ୍ର ପ୍ରଭୃତି ଭାରତର ପ୍ରତ୍ୟେକ ଅଞ୍ଚଳରେ ନିର୍ମିତ ହେବାରୁ ଭାରତର ବିଭିନ୍ନ ପ୍ରଦେଶମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ଓ ବାଣିଜ୍ୟ ବ୍ୟବସାୟ ଯଥେଷ୍ଟ ବୃଦ୍ଧି ଲାଭ କରିଛି । କୌଣସି ସ୍ଥାନରେ ଦୁର୍ଭିକ୍ଷ ଓ ବିଦ୍ରୋହ ଘଟିଲେ ତାହା ସହଜରେ ନିବାରିତ ହୋଇ ପାରୁଛି । ଜଳପଥ ଦ୍ୱାରା ବର୍ତ୍ତମାନ ଭାରତ ସମଗ୍ର ପୃଥିବୀ ସହିତ ସଂଯୁକ୍ତ । ଏହାଦ୍ୱାରା ଭାରତର ବୈଦେଶିକ ବାଣିଜ୍ୟ ଓ ପୃଥିବୀର ବିଭିନ୍ନ ଜାତିମାନଙ୍କ ସହିତ ଭାରତର ସମ୍ପର୍କ ପ୍ରତିଷ୍ଠିତ ହୋଇଛି । ସମଗ୍ର ପୃଥିବୀର ଘଟଣାବଳୀ ସହିତ ଭାରତର ସମ୍ୱନ୍ଧ ରହିଅଛି ।

 

ବିଭିନ୍ନ ପ୍ରଦେଶରେ ନୂତନ ଧରଣର ବିଶ୍ୱବିଦ୍ୟାଳୟମାନ ସ୍ଥାପିତ ହେବାରୁ ଦେଶର ଶିକ୍ଷା କ୍ରମଶଃ ଉନ୍ନତି ଲାଭ କରୁଛି । ଭାରତର ବଡ଼ ବଡ଼ ସହରମାନଙ୍କରେ ନାନାପ୍ରକାର କଲେଜ ଓ ହାଇସ୍କୁଲ ଏବଂ ଅନ୍ୟାନ୍ୟ ବିଦ୍ୟାଳୟମାନ ସ୍ଥାପିତ ହୋଇଥିବାରୁ ପ୍ରତିବର୍ଷ ଅସଂଖ୍ୟ ଛାତ୍ର ଯୋଗ୍ୟ ହେଉଛନ୍ତି । ଇଂରେଜି ଶିକ୍ଷା ପ୍ରଚାର ଦ୍ୱାରା ଭାରତୀୟମାନଙ୍କ ମଧ୍ୟରେ ଜାତୀୟତାର ବିକାଶ ଓ ଜ୍ଞାନର ବିସ୍ତାର ସମ୍ଭବପର ହୋଇଛି । ଭାରତୀୟମାନେ ବର୍ତ୍ତମାନ ଗୋଟିଏ ଜାତି ବୋଲି ନିଜକୁ ଭାବିଲେଣି ।

 

ମୁଦ୍ରାଯନ୍ତ୍ର ପ୍ରଚଳନ ପରେ ଭାରତର ପ୍ରତ୍ୟେକ ସହରରୁ ମାସିକ, ପାକ୍ଷିକ, ସାପ୍ତାହିକ, ଦୈନିକ ପତ୍ର ଓ ପତ୍ରିକାମାନ ଏବଂ ଶତ ଶତ ପୁସ୍ତକ ପ୍ରକାଶିତ ହେଉଅଛି । ପୂର୍ବକାଳରେ ଭାରତୀୟ ସାହିତ୍ୟମାନ କେତେଗୁଡ଼ିଏ ବେଷ୍ଟନୀ ମଧ୍ୟରେ ସୀମାବଦ୍ଧ ଥିଲା । କିନ୍ତୁ ବର୍ତ୍ତମାନ ପାଶ୍ଚାତ୍ୟ ଶିକ୍ଷା ଓ ସାହିତ୍ୟର ସମ୍ପର୍କରେ ଆସି ଭାରତର ହିନ୍ଦୀ, ବଙ୍ଗଳା, ଓଡ଼ିଆ ପ୍ରଭୃତି ସାହିତ୍ୟର ଅସାଧାରଣ ଉନ୍ନତି ହୋଇଛି । ଇଂରେଜମାନେ ପ୍ରଥମେ ସତୀଦାହ, ନରବଳି ଇତ୍ୟାଦି କୁସଂସ୍କାର ଭାରତରୁ ଉଠାଇ ଦେଇଥିଲେ । କିନ୍ତୁ ବର୍ତ୍ତମାନ ସମାଜ ସଂସ୍କାର ପାଇଁ ବହ୍ମସମାଜ, ରାମକୃଷ୍ଣ ମିଶନ, ଆର୍ଯ୍ୟସମାଜ, ହିନ୍ଦୁ ମିଶନ ପ୍ରଭୃତି ଅନେକ ସଂଘ ସ୍ଥାପିତ ହେଲାଣି । ଶିକ୍ଷିତ ବ୍ୟକ୍ତିମାନେ ସମାଜରୁ କୁସଂସ୍କାରମାନ ଦୂର କରିବାପାଇଁ ବିଶେଷ ଦୃଷ୍ଟି ଦେଲେଣି । ଜାତିଭେଦ ଓ ଅସ୍ପୃଶ୍ୟତା ରୂପକ ମହାବ୍ୟାଧି କ୍ରମଶଃ ଲୋପ ହୋଇଯାଉଛି ।

 

ଧର୍ମପାଇଁ ଯୁଦ୍ଧ ବା କଳହ ବର୍ତ୍ତମାନ ବିରଳ । ଲୋକମାନେ ଅନ୍ଧ ଧର୍ମ ବିଶ୍ୱାସ ପରିତ୍ୟାଗ କରି କ୍ରମଶଃ ବିଜ୍ଞାନର ପ୍ରତ୍ୟକ୍ଷ ଫଳ ଓ କାର୍ଯ୍ୟ ଉପରେ ବିଶ୍ୱାସ କରୁଅଛନ୍ତି । ସମାଜସଂସ୍କାର ଓ ଜ୍ଞାନର ପ୍ରସାର ଯୋଗୁଁ ଉଚ୍ଚ, ନୀଚସକଳ ଶ୍ରେଣୀର ଲୋକମାନେ ନିଜ ନିଜର ଶକ୍ତି ଓ ଅଧିକାର ବୁଝି ପାରୁଛନ୍ତି । ଆଭାଜାତ୍ୟ ପ୍ରତି ଦୃଷ୍ଟି ନ ଦେଇ ଦେଶର ସମୂହ ହିତପାଇଁ ସମସ୍ତେ ଦୃଷ୍ଟି ଦେଲେଣି । ଦେଶରେ ସୁଗଠିତ, ସୁନିୟନ୍ତ୍ରିତ ଶାସନପ୍ରଣାଳୀ ପ୍ରଚଳିତ ହେଉଅଛି । ଶିକ୍ଷିତ ତଥା ଅଶିକ୍ଷିତ ଭାରତବାସୀମାନଙ୍କ ମଧ୍ୟରେ ସ୍ୱାଧୀନତା ଭାବ ଓ ଆତ୍ମଶାସନ ଲିପ୍‌ସା କ୍ରମଶଃ ବଳବତ୍ତର ହେଉଛି । ମୋଟ ଉପରେ ଇଂରେଜ ରାଜତ୍ୱରେ ଭାରତର ଦୀର୍ଘକାଳବ୍ୟାପୀ ଅବସାଦ ଓ ଅଧୋଗତି ପରେ ଗୋଟିଏ ନୂତନ ଯୁଗ ଆରମ୍ଭ ହୋଇଛି ।

 

ଭାରତର ଶାସନ ପ୍ରଣାଳୀ

 

ପାର୍ଲିଆମେଣ୍ଟ – ଭାରତ ବିଶାଳ ବ୍ରିଟିଶସାମ୍ରାଜ୍ୟର ଶ୍ରେଷ୍ଠ ଅଂଶ । ଏହାର ଶାସନଭାର ଇଂଲଣ୍ଡର ପାର୍ଲିଆମେଣ୍ଟ ଓ ମହାମହିମ ଭାରତ ସମ୍ରାଟ ଷଷ୍ଠ ଜର୍ଜଙ୍କ ହସ୍ତରେ ନିହିତ ଅଛି । ପାର୍ଲିଆମେଣ୍ଟ ସଭାରେ ଭାରତ ବିଷୟ ବୁଝିବାପାଇଁ ଜଣେ ଭାରତ ମନ୍ତ୍ରୀ ଅଛନ୍ତି । ସେ ପାର୍ଲିଆମେଣ୍ଟ ମନ୍ତ୍ରୀ ସଭାର ଜଣେ ସଦସ୍ୟ । ତାଙ୍କୁ ସାହାଯ୍ୟ କରିବାପାଇଁ ଜଣେ ସହକାରୀ ଭାରତସଚିବ ଓ ଗୋଟିଏ ସମିତି ଅଛି । ଏହି ସମିତିରେ ୮ ଜଣରୁ ୧୨ ଜଣ ପର୍ଯ୍ୟନ୍ତ ମେମ୍ୱର ରହନ୍ତି । ଭାରତ ମନ୍ତ୍ରୀ ଏହି ସମିତିର ଅଧିକାଂଶ ସଭ୍ୟଙ୍କ ମତାନୁଯାୟୀ କାର୍ଯ୍ୟ କରନ୍ତି । କିନ୍ତୁ ସେ ଇଚ୍ଛା କଲେ ଏହାର ମତ ଆଗ୍ରାହ୍ୟ କରିପାରନ୍ତି । ଭାରତମନ୍ତ୍ରୀ ବର୍ଷକୁ ୫୦୦୦ ପାଉଣ୍ଡ ଦରମା ପାନ୍ତି ।

 

କେନ୍ଦ୍ରସରକାର – ବ୍ରିଟିଶ ପାର୍ଲିଆମେଣ୍ଟ ଓ ସମ୍ରାଟଙ୍କ ପ୍ରତିନିଧି ରୂପେ ବଡଲାଟ ଭାରତ ଶାସନ କରନ୍ତି । ବର୍ତ୍ତମାନ ଲର୍ଡଲିନ୍‌ଲିଥ୍‌ଗୋ ଭାରତର ବଡଲାଟ । ଦିଲ୍ଲୀ ଓ ସିମଳାରେ ବଡଲାଟଙ୍କ ଅଫିସମାନ ଅଛି । ସେ ବର୍ଷକୁ ୨୫୬୦୦୦ ଟଙ୍କା ଦରମା ପାଆନ୍ତି । ଭାରତର ସମସ୍ତ ପ୍ରକାର ଶାସନ କ୍ଷମତା ତାଙ୍କ ହାତରେ ଅଛି । ବିଦେଶୀ ରାଜ୍ୟମାନଙ୍କ ସହିତ ସମ୍ୱନ୍ଧ, ଦେଶୀୟ ରାଜ୍ୟମାନଙ୍କ ଶାସନର ତତ୍ତ୍ୱାବଧାନ, ଆଇନ ପ୍ରଣୟନ ଓ ପ୍ରଚଳନ ଏବଂ ପ୍ରଦେଶମାନଙ୍କର ଶାସନ ଓ ଆର୍ଥିକ ଅବସ୍ଥା ବିଚାର କରିବା ଭାର ବଡଲାଟଙ୍କ ଉପରେ ନ୍ୟସ୍ତ ଅଛି-। ତାଙ୍କୁ ଶାସନ କାର୍ଯ୍ୟରେ ସାହାଯ୍ୟ ଦେବାପାଇଁ ଗୋଟିଏ ଏକ୍‌ଜିକ୍ୟୁଟିଭ୍‌କାଉନ୍‌ସିଲ ବା କାର୍ଯ୍ୟକାରିଣୀ ସମିତି ଅଛି । ସେଥିରେ ବିଭିନ୍ନ ବିଭାଗ ସକାଶେ ଜଣେ ଜଣେ ସଦସ୍ୟ ଥାନ୍ତି ।

 

ସେନାବିଭାଗ ସକାଶେ ପ୍ରଧାନ ସେନାପତି, ପୋଲିସ, ଶାନ୍ତିରକ୍ଷା ଓ ସାଧାରଣ ଶାସନ ପାଇଁ ହୋମ ମେମ୍ୱର ବା ଘରୋଇ ସଦସ୍ୟ, ରାଜସ୍ୱ ସକାଶେ ଅର୍ଥ ସଦସ୍ୟ, ଆଇନ ସଦସ୍ୟ, ବାଣିଜ୍ୟ ସଦସ୍ୟ, ଶିଳ୍ପ ସଦସ୍ୟ, ଶିକ୍ଷା ସଦସ୍ୟ ଏବଂ ବୈଦେଶିକ ଶାସନ ସକାଶେ ଦୁଇଜଣ ସଦସ୍ୟ ବଡଲାଟଙ୍କ କାର୍ଯ୍ୟକାରିଣୀ ସଭାରେ ଥାନ୍ତି । ଶେଷୋକ୍ତ ଦୁଇ ଜଣ ସଦସ୍ୟଙ୍କ ମଧ୍ୟରେ ଜଣେ ଭାରତର ଦେଶୀୟ ରାଜ୍ୟମାନଙ୍କ ବିଷୟ ଓ ଅନ୍ୟ ଜଣେ ବିଦେଶ ରାଜ୍ୟମାନଙ୍କ ବିଷୟ ବୁଝନ୍ତି ।

 

ବ୍ୟବସ୍ଥାପକ ସଭା – ବଡଲାଟଙ୍କୁ ଶାସନକାର୍ଯ୍ୟରେ ସାହାଯ୍ୟ ଦେବାପାଇଁ ଦୁଇଟି ବ୍ୟବସ୍ଥାପକ ସଭା ଅଛି ।

 

୧. କାଉନ୍‌ସିଲ୍‌ଅଫ୍‌ଷ୍ଟେଟ ବା ଉପର ବ୍ୟବସ୍ଥାପକ ସଭା ।

 

୨. ଲେଜିସ୍‌ଲେଟିଭ ଆସେମ୍‌ବ୍ଲି ବା ବଡଲାଟ ସଭା । ବଡଲାଟ ସଭାରେ ୧୪୫ ଜଣ ସଭ୍ୟ ଅଛନ୍ତି । ସେଥିମଧ୍ୟରୁ ୧୦୪ ଜଣ ଭାରତର ବିଭିନ୍ନ ପ୍ରଦେଶର ଲୋକମାନଙ୍କଠାରୁ ଭୋଟ ପାଇ ଯାନ୍ତି । ଆଉ ୪୧ ଜଣ ସରକାର ବିଭିନ୍ନ ପ୍ରଦେଶରୁ ମନୋନୀତ କରନ୍ତି । ସଭ୍ୟମାନଙ୍କ ଭିତରୁ ଜଣେ ସଭାପତି ବଛା ହୁଅନ୍ତି । ଏସେମ୍‌ବ୍ଳି ବା ବଡଲାଟ ସଭାର ସଭ୍ୟମାନେ ଭାରତ ପାଇଁ ଆଇନ କରନ୍ତି, ପୁରୁଣା ଆଇନ ସଂଶୋଧନ କରିପାରନ୍ତି, ନୂଆ ଟିକସ ବସାଇ ପାରନ୍ତି ଓ ପୁରୁଣା ଟିକସ ଉଠାଇ ପାରନ୍ତି । କିନ୍ତୁ ଏମାନଙ୍କ ଦ୍ୱାରା ପ୍ରଣୀତ କୌଣସି ଆଇନ ବା ପ୍ରସ୍ତାବ ବଡଲାଟଙ୍କ ମନକୁ ନ ମାନିଲେ ସେ ତାହା ନିଜର ଭିଟୋ ବା ଅତିରିକ୍ତ କ୍ଷମତା ବଳରେ ରଦ୍ଦ କରିପାରନ୍ତି । ବଡଲାଟ ସଭାର ପ୍ରସ୍ତାବ ସବୁ କାଉନ୍‌ସିଲ ଅଫ୍‌ଷ୍ଟେଟ୍‌ବା ଉପର ବ୍ୟବସ୍ଥା ସଭାରେ ବିଚାର ହୁଏ । ଏଥିରେ ୬୦ ଜଣ ସଭ୍ୟ ଅଛନ୍ତି । ସେଥିରୁ ୩୩ ଜଣ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ଓ ଅବଶିଷ୍ଟ ବଡଲାଟଙ୍କ ଦ୍ୱାରା ମନୋନୀତ ହୁଅନ୍ତି । ବଡଲାଟ, ତାଙ୍କର କାର୍ଯ୍ୟକାରିଣୀ ସଭା, ସେକ୍ରେଟେରିୟଟ୍‌ବା କର୍ମଚାରୀବୃନ୍ଦ, ତଳ ଓ ଉପର ବ୍ୟବସ୍ଥାସଭାକୁ ନେଇ କେନ୍ଦ୍ରଶାସନ ଗଠିତ ହୋଇଛି । ୧୯୩୫ ଖ୍ରୀଷ୍ଟାବ୍ଦର ଶାସନ ଆଇନ ଅନୁସାରେ ରାଷ୍ଟ୍ରସଙ୍ଘ ପ୍ରଚଳିତ ହେଲେ କେନ୍ଦ୍ର ଶାସନରେ ଅନେକ ପରିବର୍ତ୍ତନ ହେବ ।

 

ସେତେବେଳେ ତଳ ଓ ଉପର ବ୍ୟବସ୍ଥା ସଭାର ସଭ୍ୟ ସଂଖ୍ୟା ଆହୁରି ବଢ଼ିଯିବ । ଆଜିପର୍ଯ୍ୟନ୍ତ ଦେଶୀୟ ରାଜ୍ୟ ବା ଗଡ଼ଜାତଗୁଡ଼ିକ କେନ୍ଦ୍ର ଶାସନରୁ ଅଲଗା ରହିଛି । କିନ୍ତୁ ରାଷ୍ଟ୍ରସଙ୍ଘ ଗଢ଼ା ହେଲେ ଏହି ଦୁଇ ବ୍ୟବସ୍ଥାପକ ସଭାକୁ ଗଡ଼ଜାତମାନଙ୍କର ରାଜା ମହାରାଜାମାନେ ସଭ୍ୟ ବାଛି ପଠାଇବେ । ଦେଶୀୟ ରାଜ୍ୟର ସଭ୍ୟ ଓ ବ୍ରିଟିଶ ଭାରତର ସଭ୍ୟମାନେ ଏକତ୍ର ହୋଇ ଶାସନ କାର୍ଯ୍ୟ ଚଳାଇବେ । ଏହାଦ୍ୱାରା ସମଗ୍ର ଭାରତ ଏକଶାସନାଧୀନ ହେବ ।

 

ପ୍ରାଦେଶିକ ସରକାର – ୧୯୩୫ ଖ୍ରୀଷ୍ଟାବ୍ଦର ଭାରତ ଆଇନ ଅନୁସାରେ ଭାରତରେ ଆସାମ, ବଙ୍ଗ, ବିହାର, ଓଡ଼ିଶା, ଯୁକ୍ତପ୍ରଦେଶ, ପଞ୍ଜାବ, ସୀମାନ୍ତପ୍ରଦେଶ, ସିନ୍ଧୁ, ମଧ୍ୟପ୍ରଦେଶ, ବମ୍ୱେ ଓ ମାନ୍ଦ୍ରାଜ ଏହି ୧୧ଟି ପ୍ରଦେଶ ପ୍ରାଦେଶିକ ସ୍ୱତନ୍ତ୍ରତା ପାଇଛି । ବ୍ରହ୍ମଦେଶ ଭାରତଠାରୁ ସ୍ୱତନ୍ତ୍ର ହୋଇଯାଇଛି । ପୂର୍ବୋକ୍ତ ୧୧ଟି ପ୍ରଦେଶରେ ଜଣେ ଜଣେ ଗଭର୍ଣ୍ଣର ଅଛନ୍ତି । ବେଲୁଚିସ୍ଥାନ, ଦିଲ୍ଲୀ, ଆଜମୀର, କୁର୍ଗ ପ୍ରଭୃତି ଜଣେ ଜଣେ ଚିପ୍‌କମିଶନରଙ୍କଦ୍ୱାରା ଶାସିତ ହୁଏ । ଗଭର୍ଣ୍ଣର, ବ୍ୟବସ୍ଥା ପରିଷଦ ଓ କର୍ମଚାରୀବୃନ୍ଦଙ୍କୁ ନେଇ ପ୍ରଦେଶିକ ସରକାର ଗଠିତ ।

 

ପ୍ରାଦେଶିକ ସ୍ୱତନ୍ତ୍ରତା ଜାରିହେବା ଫଳରେ ଶାସନ ପ୍ରଣାଳୀରେ କେତେକ ପରିବର୍ତ୍ତନ ହେବ । ଏହି ୧୧ଟି ପ୍ରଦେଶ ମଧ୍ୟରୁ ବଙ୍ଗଳା, ଆସାମ, ବିହାର, ମାନ୍ଦ୍ରାଜ, ଯୁକ୍ତପ୍ରଦେଶ ପ୍ରଭୃତି ପ୍ରଦେଶରେ ଦୁଇଟି ବ୍ୟବସ୍ଥାପକ ସଭା ରହିବ ଓ ଓଡ଼ିଶା, ସିନ୍ଧୁ, ସୀମାନ୍ତ ପ୍ରଭୃତି କେତେକ ପ୍ରଦେଶରେ ଗୋଟିଏ ମାତ୍ର ସଭା ରହିବ । ପ୍ରାଦେଶିକ ଲାଟମାନଙ୍କର କାର୍ଯ୍ୟକାରିଣୀ ସଭା ଓ ତଳ ବ୍ୟବସ୍ଥା ସଭାପାଇଁ ସଭ୍ୟ ବାଛିବା କ୍ଷମତା ଆଉ ରହିବ ନାହିଁ । କେବଳ ଓଡ଼ିଶାର ମାନ୍ୟବର ଲାଟ ୪ଜଣ ସଭ୍ୟ ବାଛିବାର କ୍ଷମତା ପାଇଛନ୍ତି । ପ୍ରାଦେଶିକ ତଳ ବ୍ୟବସ୍ଥା ସଭାର ସଭ୍ୟମାନଙ୍କୁ ଭୋଟରମାନେ ଭୋଟ ଦେଇ ପଠାଇବେ ।

 

ଯେଉଁ ଦଳର ସଭ୍ୟ ଲାଟସଭାରେ ଅଧିକ ହେବେ ଲାଟସାହେବ ସେ ଦଳର ନେତାଙ୍କ ସହିତ ସହଯୋଗ କରି ମନ୍ତ୍ରୀମଣ୍ଡଳ ନିଯୁକ୍ତ କରିବେ । ବିଭିନ୍ନ ପ୍ରଦେଶରେ ବିଭିନ୍ନ ସଂଖ୍ୟକ ମନ୍ତ୍ରୀ ରହିବେ । ମନ୍ତ୍ରୀମାନେ ପ୍ରଦେଶର ଶାସନ ପାଇଁ ଦାୟୀ । ପ୍ରତି ୫ବର୍ଷରେ ବ୍ୟବସ୍ଥା ସଭାପାଇଁ ନିର୍ବାଚନ ହେବ । ପ୍ରାଦେଶିକ ବ୍ୟବସ୍ଥା ସଭା ବେଶୀ ଭୋଟରେ ପ୍ରସ୍ତାବ ଗ୍ରହଣ କଲେ ମଧ୍ୟ ଲାଟ ଇଚ୍ଛା କଲେ ନିଜର ଅତିରିକ୍ତ କ୍ଷମତା ବଳରେ ତାହା ରଦ୍ଦ କରିଦେବେ । ବ୍ୟବସ୍ଥା ସଭା ସହିତ ଲାଟଙ୍କର ସଂଘର୍ଷ ହେଲେ ସେ ସଭା ଭାଙ୍ଗି ନୂତନ ନିର୍ବାଚନ କରିପାରିବେ ।

 

ପ୍ରତ୍ୟେକ ପ୍ରଦେଶର କେତୋଟି ଡିଭିଜନ ଓ ପ୍ରତ୍ୟେକ ଡିଭିଜନ କେତେଗୁଡ଼ିଏ ଜିଲ୍ଲାରେ ବିଭକ୍ତ । ପ୍ରତ୍ୟେକ ବିଭାଗ ଜଣେ ଜଣେ କମିସନର ଓ ପ୍ରତ୍ୟେକ ଜିଲା ଜଣେ ଜଣେ ଜିଲା ମାଜିଷ୍ଟ୍ରେଟ ଓ କଲେକ୍ଟରଙ୍କ ଅଧୀନରେ ଥାଏ । ମାଜିଷ୍ଟ୍ରେଟ ଜିଲାର ରାଜସ୍ୱ, ଶାନ୍ତି ଶୃଙ୍ଖଳା ଓ ଲୋମାନଙ୍କର ଅବସ୍ଥା ପାଇଁ ଦାୟୀ । ପ୍ରତି ଜିଲାରେ ଜଣେ ଲେଖାଏଁ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ଥାନ୍ତି ଏବଂ ଅଧୀନରେ କେତେଗୁଡ଼ିଏ ପୁଲିସ ଇନ୍‌ସ୍ପେକ୍ଟର ଓ ସବଇନ୍‌ସ୍ପେକ୍ଟର ଥାନ୍ତି । ପ୍ରତି ଜିଲ୍ଲାରେ କେତେଗୁଡ଼ିଏ ସବ୍‌ଡିଭିଜନାଲ ଅଫିସର ଓ ଡେପୁଟୀ ଇତ୍ୟାଦି ଥାନ୍ତି । ପ୍ରତ୍ୟେକ ଜିଲ୍ଲାରେ (ସମୟ ସମୟରେ ୨।୩ଟି ଜିଲ୍ଲା ଉପରେ) ଫୌଜଦାରୀ ଓ ଦେବାନୀ ମକଦମା ବୁଝିବା ପାଇଁ ଜଣେ ଜିଲ୍ଲା ସେସନ୍‌ଜଜ୍‌ଥାନ୍ତି । ସେ ତଳ କୋଟମାନଙ୍କର ଅପିଲ ଶୁଣନ୍ତି । ଜିଲା ଜଜଙ୍କ ବିଚାର ବିରୁଦ୍ଧରେ ଅପିଲ ହାଇକୋର୍ଟ ବା ପ୍ରଦେଶର ପ୍ରଧାନ ବିଚାରାଳୟରେ ଶୁଣାଯାଏ । ବର୍ତ୍ତମାନ କଲିକତା, ପାଟଣା, ଏଲାହାବାଦ, ଲାହୋର, ବମ୍ୱେ, ନାଗପୁର, ମାନ୍ଦ୍ରାଜରେ ହାଇକୋର୍ଟ ଅଛି । ଆସାମ, ଓଡ଼ିଶା, ସିନ୍ଧୁ ଓ ସୀମାନ୍ତ ପ୍ରଦେଶରେ ହାଇକୋର୍ଟ ନାହିଁ । ଏହାଛଡ଼ା ପ୍ରତ୍ୟେକ ପ୍ରଦେଶରେ ଅବକାରୀ ବିଭାଗ (Exise Department), ପୂର୍ତ୍ତବିଭାଗ (P.W.D), ଜଙ୍ଗଲ ବିଭାଗ, ଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ ପ୍ରଭୃତି ବିଭାଗୀୟ କର୍ତ୍ତା ଓ ଅଧସ୍ତନ କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ହୁଏ ।

 

ସ୍ୱାୟତ୍ତ ଶାସନ

 

ଲର୍ଡରିପନଙ୍କ ସମୟରେ ଭାରତରେ ସ୍ୱାୟତ୍ତ ଶାସନର ମୂଳଭିତ୍ତି ପ୍ରତିଷ୍ଠିତ ହୋଇଥିଲା-। ୧୮୮୪ରେ ପ୍ରଥମେ ଜିଲ୍ଲାବୋର୍ଡ ଓ ମ୍ୟୁନିସିପାଲିଟିମାନ ପ୍ରତିଷ୍ଠିତ ହୋଇଥିଲା । ମିଣ୍ଟୋ–ମର୍ଲେ ଶାସନ ସଂସ୍କାର ଓ ମଣ୍ଟେଗୁ-ଚେମ୍‌ସ୍‌ଫୋଡ ଶାସନ ସଂସ୍କାର ପରେ ଜିଲ୍ଲାବୋର୍ଡ ଓ ମ୍ୟୁନିସିପାଲିଟିର ଶାସନ ପ୍ରଣାଳୀରେ ଅନେକ ପରିବର୍ତ୍ତନ ହେଲାଣି । ବର୍ତ୍ତମାନ ଦେଶର ନାନା ସ୍ଥାନରେ ଇଉନିୟନ ବୋର୍ଡମାନ ପ୍ରତିଷ୍ଠିତ ହେଲାଣି । ୫।୭ଟି ଗ୍ରାମ ନେଇ ଗୋଟିଏ ଇଉନିୟନ ଗଠିତ ହୋଇଛି । ଇଉନିୟନର ଭୋଟରମାନେ ଆପଣା ଭିତରୁ କେତେକ ସଭ୍ୟ ବାଛନ୍ତି ଓ ଅଳ୍ପସଂଖ୍ୟକ ସଭ୍ୟ ଜିଲାବୋର୍ଡ ଦ୍ୱାରା ମନୋନୀତ ହୁଅନ୍ତି । ନିର୍ବାଚିତ ସଭ୍ୟଙ୍କ ସଂଖ୍ୟା ମନୋନୀତ ସଭ୍ୟଙ୍କ ସଂଖ୍ୟାଠାରୁ ଯଥେଷ୍ଟ ବେଶୀ ଥାଏ । ଏହି ସଭ୍ୟମାନେ ଇଉନିୟନର ସ୍ୱାସ୍ଥ୍ୟ, ରାସ୍ତା, ଘାଟ ଇତ୍ୟାଦି ବିଷୟ ବୁଝନ୍ତି । ସେହିପରି ପ୍ରତ୍ୟେକ ସବଡିଭିଜନରେ ଗୋଟିଏ ଲୋକାଲବୋର୍ଡ ଓ ପ୍ରତ୍ୟେକ ତାଲୁକରେ ଗୋଟିଏ ତାଲୁକବୋର୍ଡ ଥାଏ। ସବଡିଭିଜନ ବା ତାଲୁକର ନିର୍ବାଚିତ ଜିଲାବୋର୍ଡ ସଭ୍ୟ ଓ ଜିଲାବୋର୍ଡ ଦ୍ୱାରା ମନୋନୀତ ସଭ୍ୟମାନଙ୍କୁ ନେଇ ଲୋକାଲବୋର୍ଡ ଓ ତାଲୁକ ବୋର୍ଡ ଗଠିତ ହୋଇଥାଏ । ଜିଲାବାସୀମାନେ ଜିଲାବୋର୍ଡକୁ ସଭ୍ୟ ନିର୍ବାଚନ କରନ୍ତି ଓ ସରକାର ମଧ୍ୟ କେତେକ ସଭ୍ୟ ମନୋନୀତ କରନ୍ତି । ଏହିପରି ଜିଲାବୋର୍ଡ ଗଠିତ ହୁଏ । ଜିଲାବୋର୍ଡଗୁଡ଼ିକ ଜିଲାର ରାସ୍ତା, ଘାଟ, ପୋଲ, ଡାକ୍ତରଖାନା, ପ୍ରାଇମେରୀ ସ୍କୁଲ, ମାଇନର ସ୍କୁଲ (ଗଞ୍ଜାମ ଅଞ୍ଚଳରେ ହାଇସ୍କୁଲ) ପ୍ରଭୃତିର ତତ୍ତ୍ୱାବଧାନ କରନ୍ତି । ଲୋକାଲବୋର୍ଡ ଓ ତାଲୁକବୋର୍ଡ ଗୁଡ଼ିକ ଯଥାକ୍ରମେ ସବଡିଭିଜନ ଓ ତାଲୁକର ରାସ୍ତା, ଶିକ୍ଷା, ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦିଅନ୍ତି-। ପ୍ରତ୍ୟେକ ଜିଲାର ବଡ଼ ବନ ସହରମାନଙ୍କରେ ମ୍ୟୁନିସିପାଲିଟିମାନ ଥାଏ । ସହରର ଭୋଟରମାନେ ମ୍ୟୁନିସିପାଲିଟି ସଭା ପାଇଁ ସଭ୍ୟ ନିର୍ବାଚନ କରନ୍ତି । ମ୍ୟୁନିସିପାଲିଟି (ବଡ଼ ବଡ଼ ସହରରେ ଏହାକୁ କରପୋରେସନ କହନ୍ତି) ସହରର ରାସ୍ତା, ଘାଟ, ପାଇଖାନା, ଜଳ ନିଷ୍କାସନ, ପରିଷ୍କରଣ, ଜଳସଂଯୋଗ, ସ୍ୱାସ୍ଥ୍ୟ, ଆଲୋକ ପ୍ରଦାନ, ପ୍ରାଥମିକ ଶିକ୍ଷାର ତତ୍ତ୍ୱାବଧାନ କରନ୍ତି । ଘର ଟିକସ, ବ୍ୟବସାୟ ଉପରେ ଶୁଳ୍କ, ଘାଟ, ହାଟ ନିଲାମ ଇତ୍ୟାଦିରୁ ଯାହା ଆଦାୟ ହୁଏ ସେଥିରେ ମ୍ୟୁନିସିପାଲିଟିର ଖର୍ଚ୍ଚଚଳେ । ଜିଲାବୋର୍ଡ, ଲୋକାଲବୋର୍ଡ, ଇଉନିୟନ ବୋର୍ଡ, ମ୍ୟୁନିସିପାଲିଟି ପ୍ରଭୃତି ନିର୍ବାଚନ ସାଧାରଣତଃ ତିନିବର୍ଷରେ ଥରେ ହୁଏ । ଏହିସବୁ ସ୍ୱାୟତ୍ତଶାସନ ଅନୁଷ୍ଠାନମାନଙ୍କୁ ପ୍ରାଦେଶିକ ସରକାର ମଧ୍ୟ ଅର୍ଥ ସାହାଯ୍ୟ କରନ୍ତି ଓ ଗଣ୍ଡଗୋଳ ହେଲେ ହସ୍ତକ୍ଷେପ କରନ୍ତି ।

 

ଏହିଗୁଡ଼ିକ ପରି ବିଶ୍ୱବିଦ୍ୟାଳୟମାନ ଗୋଟିଏ ଗୋଟିଏ ସ୍ୱାୟତ୍ତଶାସନ ଅନୁଷ୍ଠାନ । ଏଗୁଡ଼ିକ ସିନେଟ ଓ ସିଣ୍ଡିକେଟ ଦ୍ୱାରା ପରିଚାଳିତ ହୁଏ । ସିନେଟ ଓ ସିଣ୍ଡିକେଟର ଅଧିକାଂଶ ସଭ୍ୟ ଶିକ୍ଷାବିଭାଗ କର୍ମଚାରୀ ଓ ଶିକ୍ଷିତ ବ୍ୟକ୍ତିମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି । ଏ ଗୁଡ଼ିକ ପ୍ରଦେଶର ଉଚ୍ଚ ଶିକ୍ଷା ପାଇଁ ବ୍ୟବସ୍ଥା କରନ୍ତି । ଭାରତରେ ବର୍ତ୍ତମାନ ପ୍ରାୟ ୧୮ଟି ବିଶ୍ୱବିଦ୍ୟାଳୟ ଅଛି ।

 

ଭାରତବାସୀମାନେ ଆଜିକାଲି ପ୍ରତ୍ୟେକ ବିଭାଗରେ ଅଧିକ ସ୍ୱାୟତ୍ତଶାସନ ଦାବୀ କରୁଛନ୍ତି । ଭାରତ କ୍ରମଶଃ ପୂର୍ଣ୍ଣସ୍ୱାୟତ୍ତଶାସନ ଦିଗରେ ଗତି କରୁଛି ।

Image